ଚନ୍ଦ୍ର ପୁରାଣ

 

 

 

 

 

 

 

 

 

ଚନ୍ଦ୍ର ପୁରାଣ

ଭକ୍ତକବି ହରିହର ଦାସ

 

ସୂଚୀପତ୍ର

 

୧.

ବନ୍ଦନା

୨.

ପ୍ରଳୟ ବର୍ଣ୍ଣନା

୩.

ସୃଷ୍ଟି ସର୍ଜନା

୪.

ତ୍ରୟଦେବଙ୍କ ଜନ୍ମ ଓ ମଧୁକୈଟଭ ବଧ

୫.

ଦକ୍ଷ ପ୍ରଜାପତି ଜନ୍ମ ବିବରଣ ଓ ସପ୍ତ ପାତାଳ, ସପ୍ତସ୍ଵର୍ଗ ସର୍ଜନା

୬.

କାମଦେବ ଜନ୍ମ ବିବରଣ ଓ ବିଭା

୭.

ପାର୍ବତୀଙ୍କ ଜନ୍ମ ବିରବରଣ

୮.

ସରସ୍ଵତୀଙ୍କ ଜନ୍ମ ଓ ବିବରଣ

୯.

ସାବିତ୍ରୀ ଜନ୍ମ ଓ ବିଭା

୧୦.

ଚତୁର୍ମଖ ବ୍ରହ୍ମାଙ୍କ ଉତ୍ପତ୍ତି

୧୧.

ବୈକୁଣ୍ଠେ ଲକ୍ଷ୍ମୀନାରାୟଣ ପୂଜା

୧୨.

ରତି ଦେବୀଙ୍କ ଜନ୍ମ ବିବରଣ

୧୩.

ଚତୁର୍ଦ୍ଦଶ ଭୁବନେ ଲକ୍ଷ୍ମୀନାରାୟଣଙ୍କ ସ୍ଥାପନ ଏବଂ ପଦ୍ମନାଭ ବ୍ରହ୍ମା ଉତ୍ପତ୍ତି

୧୪.

କଳିହା ନାରଦ କାହିଁକି କହନ୍ତି

୧୫.

ବହ୍ମାଙ୍କର ପ୍ରସିଦ୍ଧ ଅଷ୍ଟପୁତ୍ରଙ୍କ ଜନ୍ମ

୧୬.

ବହ୍ମା ପୁତ୍ର ମରୀଟି ଆଦି ଅଷ୍ଟପୁତ୍ରଙ୍କଠାରୁ ଜୀବଜନ୍ତୁ ସୃଷ୍ଟି ଓ ବଣ୍ଟବ ଆନାଦି ସୁତଙ୍କ ଆଗେ ବର୍ଣ୍ଣନ

୧୭.

ମରୁତ ଋଷିଙ୍କ କନ୍ୟାଙ୍କୁ ଦକ୍ଷ ଓ ନାରଦ ବିଭା

୧୮.

ଚନ୍ଦ୍ରଙ୍କ ଜନ୍ମ

୧୯.

ସମୁଦ୍ର ମନ୍ଥନ

୨୦.

ନାରାୟଣଙ୍କ ମୋହିନୀ ରୂପ ଧାରଣ

୨୧.

ଶିବ କାହିଁକି ଚନ୍ଦ୍ର ଧାରଣ କଲେ

୨୨.

ଚନ୍ଦ୍ର ଶଶାଚିହ୍ନ କିପରି ଧାରଣ କଲେ ତା’ର ବିବରଣ

୨୩.

ପବନ ଜନ୍ମ ଓ ନାମକରଣ

୨୪.

ତାର ଚନ୍ଦ୍ର ପ୍ରଣୟ ଓ ବୁଧଙ୍କ ଜନ୍ମ

୨୫.

ଚନ୍ଦ୍ରଙ୍କ ବିବାହ, ଦକ୍ଷଙ୍କର ସତେଇଶ କନ୍ୟାଙ୍କ ନାମ ଓ ଶୋବା ବର୍ଣ୍ଣନ

୨୬.

ପୁରରବାଙ୍କ ଉର୍ବଶୀ ଗର୍ଭୁ ଷଡ଼ପତ୍ର ଜନ୍ମ ଓ ତାଙ୍କ ବଂଶାବଳୀ

୨୭.

ପର୍ଶୁରାମ ଅବତାରେ ସହସ୍ରାର୍ଜ୍ଜୁନାଦି କ୍ଷତ୍ରିୟ ବଧ

୨୮.

ଚନ୍ଦ୍ରବଂଶ ବିବରଣ

୨୯.

ନହୁଷ ବଂଶ ବିବରଣ

୩୦.

ଦେବଯାନୀ ସହ ଯଯାତି ରାଜା ପୂର୍ବଛାଗର ଇତିହାସ ଦୃଷ୍ଟାନ୍ତ ଦେବା

୩୧.

ଭରତ ରାଜା ଚରିତ

୩୨.

ସୋମବଂଶର କନ୍ୟା ଅହଲ୍ୟାର ବଂଶ ଚରିତ

୩୩.

ପାଣ୍ଡବ ପୁତ୍ରଙ୍କର ବଂଶାବଳୀ

୩୪.

ଫଳଶ୍ରୁତି

•••

 

ଚନ୍ଦ୍ର ମହାଗ୍ରହସ୍ୟ ସ୍ତୋତ୍ରଂ

 

ଦିବ୍ୟଶଙ୍ଖତୁଷାରାଭଂ କ୍ଷୀରୋଦାର୍ଣ୍ଣବ ।

ନମାମି ଶଶିନଂ ଭକ୍ତ୍ୟା ଶମ୍ଭୋର୍ମୁକୁଟ ଭୂଷଣଂ ।।

ସ୍ଫଟିକାଦ୍ରିସମଂ ପ୍ରେକ୍ଷଂ ଯମୁନାଦେଶସମ୍ଭବଂ ।

ଦଶାଶ୍ଵବାହାନଂ ବନ୍ଦେ ଗୋତ୍ରମାତ୍ରେୟ ସମ୍ଭବଂ ।।

କ୍ଷୀରାବ୍‌ଧିତନୟୋ ଦେବୋ ନିଶାନାଥୋ ଜଗତ୍‌ଗୁରୁ ।

ଔଷଧିନାମଧିପତିର୍ହ ମରଶି ର୍ମହୀପତି ।।

କ୍ଷୀରାବ୍‌ଧିତୟାଭ୍ରାତା ଶୋଭାପୀର୍ଣ୍ଣ ଜଗତ୍ରୟଂ ।

ଜଟାଜଟୋ ଜଟାବାସୋ ପ୍ରଭାସମ୍ପୂର୍ଣ୍ଣ ମଣ୍ଡଳଃ ।।

ଦ୍ଵିଜରାଜୋଽଙ୍କଯୁକ୍ତଶ୍ଚ ରିକ୍ଷନାଥଃ କ୍ଷମାପତିଃ ।

ରୋହିଣା ବଲ୍ଲବଶ୍ଚନ୍ଦ୍ରୋ ଦେବାନାଂ ସୁଖଦାୟକଃ ।।

ପଞ୍ଚବିଂଶତି ନାମାନି ସଦା ଯଃ ପ୍ରାପର ପଠେତ୍ ।

ତସ୍ୟ ଚନ୍ଦ୍ରସ୍ୟ ସତତଂ ପ୍ରୀତିର୍ଭବତି ନିଶ୍ଚଳା ।।

ପ୍ରୀତିଶ୍ଚନ୍ଦ୍ର ମାସେ ଯସ୍ୟ ଗ୍ରହାସ୍ତସ୍ୟ ଶୁଭଂକାରାଃ ।

ବିପରୀତେ ବିଧୌ ଯସ୍ୟ ଗ୍ରହା ସର୍ବେ ସ୍ତଥାବିଧାଃ ।।

ଚନ୍ଦ୍ର ସ୍ତୋତ୍ରମିଦଂ ପୁଣ୍ୟ ଶ୍ରାଦ୍ଧକାଳେ ଚ ଯଃ ପଠେତ୍ ।

ପିତରସ୍ତସ୍ୟ ତୁଷନ୍ତି ବିଶ୍ଵଦେବୋଃ ସହ ଚିରଂ ।।

 

 

କ୍ଷୟୋ ବୃଦ୍ଧି ଯଥା କୃଷ୍ଣେ ଶୁକ୍ଳେ ଚନ୍ଦ୍ରସ୍ୟ ଜାୟତେ ।

ମନୁଷ୍ୟଣାଂ ଯଥା ରାଜା ଦେବନାଂ ବୃତ୍ରହା ଯଥା ।।

ତଥା ସର୍ବଗ୍ରହେ ଚନ୍ଦ୍ରଃ ଶ୍ରେଷ୍ଠ ସର୍ବଳୋଽଧିକଃ ।

ସର୍ବ ଗ୍ରହବଳେ ହୀନ ଶୁଭଦାତା ଶଶି ଭବେତ୍ ।।

ବଳସ୍ଥା ନିର୍ବଳାଃ ସର୍ବେ ହୀନେ ଚନ୍ଦ୍ର ମସୋବଳେ ।

ଇତି ଜ୍ଞାତ୍ଵା ନରୋ ନିତ୍ୟଂ ଶୁଚିସ୍ତଦ୍‌ଗତ ମାନସଃ ।।

ଚନ୍ଦ୍ର ସ୍ତୋତ୍ର ମିଦଂ ପୁଣ୍ୟ ପଠେତ୍ ସନ୍ଧ୍ୟା ସମନ୍ଵିତଃ ।

ଯସ୍ତୁ ସ୍ତୋତ୍ରମିଦଂ ପୁଣ୍ୟ ସୋମବାରେ ନରଃ ପଠେତ୍ ।।

ସଲଭେତ୍ସର୍ବକାମାଂଶ୍ଚ ଶମ୍ଭୋର୍ବଚନ ମବ୍ରବୀତ ।

ଇତିଶ୍ରୀ ସ୍କନ୍ଦପୁରାଣୋକ୍ତ ଚନ୍ଦ୍ର ମହାଗ୍ରହ ସ୍ତୋତ୍ରଂ ସମ୍ପୂର୍ଣ୍ଣ ।।

•••

 

ଶ୍ଳୋକ

 

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ।

ଦେବୀଂ ସରସ୍ଵତୀଂ ବ୍ୟାସଂ ତତୋଜୟ ମୁଦୀରୟେତ୍ ।।

ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥା ।

ଆଦୌ ଚାନ୍ତ୍ୟେ ଚ ମଧ୍ୟେ ଚ ହରିଃ ସର୍ବତ୍ର ଗୀୟତେ ।।

•••

 

ବନ୍ଦନା

 

ଜୟ ଜୟ ଜଗନ୍ନାଥ ଶ୍ରୀଚକାନୟନ

ଜୟ ଜୟ ଜଗନ୍ନାଥ ଆରତବଞ୍ଜନ ।

ଧନ୍ୟ ତୁମ୍ଭର ମହିମା ହେ ଦୟାସାଗର

କି ବର୍ଣ୍ଣିପାରିବ ମୁହିଁ ମାନବ ଶରୀର ।

ପୁରାଣ ପୁରଷ ଆହେ ଅନ୍ତର୍ଯ୍ୟାମୀ ହରି

ଲୀଳାଭାବେ କୌତୁକରେ ମର୍ତ୍ତ୍ୟେ ବିଜେକରି ।

ଯେତେ ପୁରାଣ ସଂସାରେ ରଚନା ହୋଇଛି

ତୋ ନାମ ତୋ ଭାବ ତହିଁ ପୂର୍ଣ୍ଣ ହୋଇଅଛି ।

ତୋ ନାମ ଯହିଁରେ ନାହିଁ ସେ କେଉଁ ପୁରାଣ

ଏମନ୍ତ ବୋଲି କେଭେ ତ ନ ଶୁଣିଛି କାନ ।

ହେ କରୁଣାମୟ ହରି କରୁଣା ନିଧାନ

ତବ ଶ୍ରୀଚରଣ ବନ୍ଦି କରେ ନିବେଦନ ।

ଚନ୍ଦ୍ରଙ୍କ ପୁରାଣ ପଦ୍ୟେ କରିବି ରଚନା

ତିଳେ ମାତ୍ରକ ତୋହର ନୋହିଲେ କରୁଣା ।

ଆରତ ନାଶନ ଆହେ ବାଞ୍ଛା କଳ୍ପତରୁ ।

ତାହାର କୃପାରେ ଦୂବହୋଇପାରେ ଦାରୁ ।

 

 

ପଙ୍ଗୁ ଲଙ୍ଘିଯାଏ ଗିରି ଚକ୍ଷୁ ଲଭେ ଅନ୍ଧ

ସକଳ ଆୟତ୍ତ ତୋର ହେ ଜଗନାନନ୍ଦ ।

ତବ ଶ୍ରୀଚଣ ତଳେ ଶତ ନମସ୍କାର

କୃପାକରି ମନବାଞ୍ଛା ମୋର ପୂର୍ଣ୍ଣକର ।

ଚନ୍ଦ୍ରଙ୍କ ପୁରାଣେ ଗାଇ ତୋର ନାମାବଳୀ

ତୋହର ଅସୀମ ନାମ କଣ୍ଠେ କରି ମାଳି ।

ଗୁଣି ଗୁଣି ତୋ ବିଷୟ ଯାଉ ମୋର ପ୍ରାଣ

ଏହି କୃପା ମୋହଠାରେ କରି ନାରାୟଣ ।

ନମୋ ବିଘ୍ନ ବିନାଶର ପାର୍ବତୀ କୁମର

ପରମ ପୁରୁଷ ମହା ଯୋଗ ଯୋଗେଶ୍ଵର ।

ପୁରାଣ ରଚକ ଆଗ ତୋ ନାମ ଶୁଣିଲେ

ଲେଖି ଆରମ୍ଭିଣ ବସେ ଲେଖନର ମୁନେ ।

ଆହେ ଗଣନାଥ କୃପାକର ମୋହଠାରେ

ଶତବାର ନମସ୍କାର କରେ ତୋ ପୟରେ ।

ଏ ଚନ୍ଦ୍ର ପୁରାଣ ମୋର ହୋଇବ ପୁରାଣ

ଏଥିକି ସକୃପା କରି ବୃଦ୍ଧି କର ଦାନ ।

ନମସ୍ତେ ଗୋ ବାକ୍ୟଦେବୀ ବିଷ୍ଣୁଙ୍କ ବଲ୍ଳଭୀ

ତୋର କୃପା ହେଲେ ମୂର୍ଖ ହୁଏ ମହାକବି ।

ଶ୍ଵେତପଦ୍ମ ଆସନୀ ଗୋ ଜଡ଼ତା ନିଶିନୀ

ତୋର ଶ୍ରୀଚରଣେ ମାତ କରୁଛି ଦୟିନୀ ।

ଏ ମୋହର ବୁଦ୍ଧି ଜ୍ଞାନ ଜଡ଼ ଅନ୍ଧକାର

ତପନ ରୂପେ ମୋ ହୃଦେ ଉଇଂ ନିଶାକର ।

ଚନ୍ଦ୍ର ପୁରାଣେ ଅକ୍ଳେଶେ ହେଉ ମୋ ପୂରଣ

ତୋ କୃପା ନୋହିଲେ କିସ ଲେଖିବ ଅଜ୍ଞାନ ।

ତୋ ଚରଣେ କୋଟି କୋଟି କରେ ପ୍ରଣିପାତ

କୃପାକରି ବିଦ୍ୟବୁଦ୍ଧି ଦିଅ ଆଗୋ ମାତ ।

ଏଥୁଅନନ୍ତରେ ଜଣେ ଶିଣ ମନଦେଇ

ଚନ୍ଦ୍ରଙ୍କ ପୁରାଣେ କଥା କହୁଛି ବୁଝାଇ ।

ଶିବ ପାର୍ବତୀ ସମ୍ବାଦ ଅତି ଦିବ୍ୟରସ

ଶୁଣିଣ କଳି କଳୁଷ ଶରୀରରୁ ନାଶ ।

କି ରୂପରେ ଚନ୍ଦ୍ରଦେବ ଜନମ ହୋଇଲେ

ଶୁଣିବାକୁ ଉମାଦେବୀ ଶିବଙ୍କୁ ପୁଚ୍ଛିଲେ ।

ଚନ୍ଦ୍ରଙ୍କ ପୁରାଣେ ମୋତେ କୁହ ହେ ବିସ୍ତାରି

ଶୁଣିଣ ତୃପ୍ତ କରିବି ମାନସ ମୋହରି ।

ଆଦ୍ୟ ପ୍ରାନ୍ତ କରି ମୋତେ ବିଶେଷ କହିବ

କୁମ୍ଭ ମୁଖୁ ଶୁଣି ମୋର ସନ୍ଦେହ ତୁଟିବ ।

ଏରୂପେ ପୁଚ୍ଛନ୍ତେ ଉମା ସେ ଦେବ ଈଶାନ

ଶ୍ରୀହରିଙ୍କ ନାମ ପାଦେ ଲଗାଇଲେ ଧ୍ୟାନ ।

ସକଳ ବିଷୟ ତାଙ୍କ ହୋଇଲା ଗୋଚର

ତତ୍ପରେ ବୋଇଲେ ପ୍ରିୟେ କର ମନ ସ୍ଥିର ।

ସୃଷ୍ଟି ପ୍ରଥମରୁ ହେଲା ଯେ ରୂପେ ବସତି

ସେହିଠାରେ କୁହୁଅଛି ଶୁଣ ଦେଇ ମତି ।

ଶ୍ରୀହରି ଚରଣ ସଦା ମନ ମଧ୍ୟେ ଧ୍ୟାୟି

ହରି ଦାଶଙ୍କ ଶିଷ୍ୟ ଏ ପଦ୍ୟରେ ଲେଖଇ ।

•••

 

ପ୍ରଳୟ ବର୍ଣ୍ଣନା

 

ଏଥୁଅନନ୍ତରେ ଶୁଣ ସାଧୁ ସନ୍ଥଜନ

ଚନ୍ଦ୍ରଙ୍କ ପୁରାଣ ପାଠ ଅତି ଦିବ୍ୟାଜ୍ଞାନ ।

ଉମାଙ୍କୁ କହନ୍ତି ଶିବ ଶୁଦ୍ଧାସେନ ବସି

ହେ ଦେବୀ ସୁସ୍ଥରେ ଶୁଣ ଶ୍ରବଣ ନିବେଶି ।

ପ୍ରଥମରେ ଦୟାମୟ ନିରଞ୍ଜନ ହରି

କୋଟିଏ ସଂସାର ମନେ ମନେ ଗଢ଼ିକରି ।

ସଜାଇଲେ ଲୀଳାଭାବ କରୁଣା ନିଧାନ

ପୁଣି ଭାଙ୍ଗିବାକୁ ତାକୁ କରିଲେ ଯତନ ।

ଦେଖିଲେ ସଂସାର ପୂର୍ଣ୍ଣ ଅପୂର୍ବ ସମ୍ଭାର

ବିନାଶ ହୋଇବ ସେହୁ କେମନ୍ତ ପ୍ରକାର ।

ଲେଖିଦେଇ ଲିଭାଇଲା ପରି କରି ପୁଣି

ପଲକେ ସୃଷ୍ଟି ରଚନା କଲେ ଚକ୍ରପାଣି ।

ସୃଷ୍ଟିଟି ଯେଉଁ ପ୍ରଭୁଙ୍କ ଅଟେ ଖେଳଘର

ନାଶିବା ପାଇଁକି ତାକୁ କେତେକ ମାତର ।

ଯେତେବେଳେ ଘଟେ ଆସି ପ୍ରଳଲୟର ବଳ

ସେତେବେଳେ ଘୋଟିଥାନ୍ତି ରିଷ୍ଟ ମେଘମାଳ ।

 

 

ଚଉଦିଗ ଘୋଟି ଘନ ବରଷଇ ନୀର

ମୂଷଳ ପ୍ରକାରେ ବହେ ଅନୁକ୍ଷଣ ଧାର ।

ମେଘରେ ଯେ ଆଚ୍ଛାଦିତ ଗଗନ ମଣ୍ଡଳ

ନିବିଡ଼ ଘୋର ଅନ୍ଧାର କରଇ ଶୟଳ ।

ଝଟକଇ ବିଜୁଳିର ଆଭା ଚଉକତି

ବଜ୍ର ସୂଚିକା ଘାତରେ କମ୍ପେ ବସୁମତୀ ।

ପ୍ରବଳ ବର୍ଷା ହୋଇଣ ସିନ୍ଧୁ ଉଚ୍ଛୁଳଇ

ତୀରକୁ ଲଙ୍ଗିଣ ନୀର ମାଡ଼ିଣ ଆସଇ ।

ବନଗିରି ନଦ ନଦୀ ଘୋଟଇ ସଲିଳ

ଉଦ୍ଧାର ନ ପାଇ ଜନ୍ତୁ ମରନ୍ତି ସକଳ ।

ପ୍ରବଳେ ମାଡ଼ି ଆସନ୍ତି ସପତ ସାଗର

ପାତାଳେ ଘୋଟିଣ ନାଶକରେ ମର୍ତ୍ତ୍ୟପୁର ।

ମହାର୍ଣ୍ଣବ ପରାୟେକ ଦିଶଇ ଧରଣୀ

ଏମନ୍ତ କାଳକୁ ପ୍ରିୟେ ପ୍ରଳୟଟି ଭଣି ।

ଏହିରୂପେ ସଂସାରଟି ହୁଏ ଜଳମୟ

ସଂସାରର ଜୀବଜନ୍ତୁମାନେ ଯାନ୍ତି କ୍ଷୟ ।

ଦେଖୁ ଦେଖୁ କି ଆକୁଳ ହୁଏ ମହୀସ୍ଥଳୀ

ମହା ମହା ଗିରିମାନ ପଡ଼ିଯାନ୍ତି ଢଳି ।

ଗଗନକୁ ଉକୁଚିଣ ଟେକଇ ଲହରୀ

ସାଗର ମଣ୍ଡଳେ ଯାଇ ଖେଳଇ ଭଉଁରୀ ।

ଗଗନ ମାର୍ଗେ ଘୋଟିଣ ମାଡ଼ନ୍ତେ ସେ ଜଳ

ଦେଖିଣ ଭଉ କରନ୍ତି ଦେବତା ସକଳ ।

ମେରୁ କମ୍ପମାନ ହୋଇ ହୁଏ ଟଳମଳ

ସ୍ଵର୍ଗ ଭୁବନ ପଡ଼ିଣ ହୁଏ ରସାତଳ ।

ପ୍ରଳୟର କାଳ ଜାଣି ସ୍ଵର୍ଗ ଦେବତାଏ

ସ୍ଥାନ ତେଜି ପଳାବନ୍ତେ ଉପରକୁ ରାୟେ ।

ସୁରଗିରି ପରେ ସ୍ଥିତ ସେ ସୁଧର୍ମା ସଭା

ତିନି ଭୁବନେ ତାର ପରି ନାହିଁ ପୁର ଶୋଭା ।

ସେ ଗିରି ଉପର ଆଭା ଅତି ଶୋଭାବନ

ତାପରେ ଆଶ୍ରା ନିଅନ୍ତି ଯାଇଁ ଦେବଗଣ ।

ଚାହୁଁ ଚାହୁଁ ସ୍ଵର୍ଗ ନାଶି ଉଠିଯାଏ ପାଣି

ସୂର୍ଯ୍ୟ ମଣ୍ଡଳେ ପଶିଣ ନାଶେ ସେ ଧରଣୀ ।

ବ୍ରହ୍ମଲୋକରେ ଲହରୀ ମାଡ଼ଇ ବେଗରେ

କ୍ରମେ ମେରୁ ବଢୁଥାଏ ଜଳ ସହିତରେ ।

ଶୂନ୍ୟକୁ ବଢ଼ଇ ଘୋଟ ଦେଶ ନାଶ ଜାଣି

ତହୁଁ ଉଦ୍ଧାରିବା ଶକ୍ତି କାର ନାହିଁ ପୁଣି ।

ଏ ରୂପେ ଶତେକ ଯୁଗ ଗତ ହୋଇଗଲା

ଦେବତାଙ୍କ ମନେ ବଡ଼ ଭାଳେଣି ପଡ଼ିଲା ।

ପରଂବ୍ରହ୍ମଙ୍କ ଚରଣେ ଲଗାଇଲେ ଧ୍ୟାନ

ଦୟାମୟ ସେମାନଙ୍କୁ ଦେହେ କଲେ ଲୀନ ।

ଏ ରୂପେ ସଂସାର ଗୋଟ ପ୍ରଳୟ ହୋଇଲା

ସବୁ ନାଶିଣ ଜଳଧି ଘୋଟିଣ ରହିଲା ।

ସକଳ ଜୀବନ ପ୍ରତି ନାରାକାର ସ୍ଵାମୀ

ବିରାଟ ପୁରୁଷ ସେ ଯେ ଦେବ ଅନ୍ତର୍ଯ୍ୟାମୀ ।

ଅନାଦି ପୁରୁଷ ସେହି ଅରୂପ ଅଚିନ୍ତ୍ୟ

ପ୍ରଳୟ କାଳରେ ତହୁଁ ହେଲେ ଦେବବନ୍ତ ।

ଅକ୍ଷୟ ତରୁବର ଯେ କଳ୍ପ ନାମ ବଟ

ପ୍ରଳୟ ପାଣିରେ ସେହୁ ଅଟଇ ଅତୁଟ ।

ମହାଜଳର ଭିତରେ ବୁଡ଼ି ବୃକ୍ଷଗୋଟି

ତାହାର ଶାଖା ଅଗ୍ରଟି ଦିଶୁଅଛି ଫୁଟି ।

ସେହି ବୃକ୍ଷ ଉପରକୁ କ୍ରମେ ବଢ଼ିଯାଏ

ସେ ବଟ ତଳେ ଅନନ୍ତ କରଇ ବିଜୟେ ।

ତାହାର ପରେ ନିଶ୍ଚିନ୍ତେ କରନ୍ତି ଶୟନ

ତେଶୁ ବୋଲାନ୍ତି ଅନନ୍ତଶାୟୀ ଭଗବାନ ।

ଏ ରୂପେ ଯୋଗନିଦ୍ରାରେ ଶୋଇଲେ ଗୋବିନ୍ଦ

ସଂସାରର ଖେଳଘର ଭାଙ୍ଗି ସର୍ବଦ୍ଵନ୍ଦ୍ଵ ।

ଅନନ୍ତ କୋଟି ବ୍ରହ୍ମାଣ୍ଡ ରଖି ଗର୍ଭଗତେ

ପରମ ପୁରୁଷ ନାଥ ଶୋଇଲେ ନିଶ୍ଚିନ୍ତେ ।

ପ୍ରଳୟ ଜଳରେ ଯେବେ ହୋଇଥିଲେ ହତ

ସବୁଙ୍କରି ଜୀବ ଆତ୍ମା ହୋଇଲା ଏକତ୍ଵ ।

ନିରାକାରଙ୍କ ଅଙ୍ଗରେ ବିଶ୍ରାମିଲେ ଯାଇ

ତେଣୁ ସେହି ମୂର୍ତ୍ତିମନ୍ତ ହୋଇଲେ ଗୋସାଇଁ ।

ପ୍ରଳୟ କାଳରେ ସେହୁ ସର୍ବଜୀବ ନାଶି

ଏକଇ ଅଙ୍ଗ ଘେନିଣ ହେଲେ କଳ୍ପବାସୀ ।

ନିର୍ମଳ ଅଙ୍ଗୁ ବିରାଜେ ସୁଧାଂଶୁର ଜ୍ୟୋତି

ଗର୍ଭ ମଧ୍ୟେ ବିରାଜଇ ଅଶେଷ ଧରିତ୍ରୀ ।

ଷଡ଼ ନିଃଶ୍ଵାସରେ ଏକ ମୁହୂର୍ତ୍ତରେ କହି

ଚାରି ମୁହୂର୍ତ୍ତରେ ଏକ ଲିତା ଯେ ବୋଲାଇ ।

ଚାରି ଲିତା ହେଲେ ଠୁଳ ବିଶ୍ଵା ବୋଲି ଗୁଣି

ଷୋଳ ବିଶ୍ଵାରେ ଦଣ୍ଡେକ ବୋଲି ପରିମାଣି ।

ଏ ବିଧି ଷାଠିଏ ଦଣ୍ଡେ ରାତ୍ରେକ ଦିବସ

ସେପରି ତିରିଷ ଦିନେ ହୁଏ ଏକମାସ ।

ଏମନ୍ତ ବାର ମାସରେ ବରଷେକ ଭୋଗ

ସତର ଲକ୍ଷ ଅଠାଶୀ ସସ୍ର ସତ୍ୟଯୁଗ ।

ତ୍ରେତା ବାରଲକ୍ଷ ଛୟାଣୋଇ ସସ୍ର ବର୍ଷ

ଦ୍ଵାପର ଆଠଲକ୍ଷ ଚୌଷଠି ସସ୍ରେ ଶେଷ ।

ଚାରିଲକ୍ଷ ବେନି ଷୋଳ ସସ୍ରେ କଳି ଶେଷ

ଏ ବିଧିରେ ପରମାୟୁ ଯୁଗର ଆୟୁଷ ।

ଏ ରୂପେ ଚାରୋଟି ଯୁଗ ହେଲା ସମାପତ

ଦେବବରଙ୍କୁ ହୁଏ ତା ଲିତା ଏକ ମାତ୍ର ।

ଧାତାଙ୍କୁ ଏ ବିଧି ସସ୍ର ଗଣ୍ଡା ଯୁଗେ ଦିନ

ରାତ୍ରହିଁ ସହସ୍ର ଗଣ୍ଡା ଯୁଗର ସମାନ ।

ଦିବସ ଅନ୍ତେ ରଜନୀ ହୁଅନ୍ତେ ପ୍ରବେଶ

ସନ୍ଧ୍ୟା ସାରି ଦେବବର ଶୟନେ ଆଳସ ।

ଯହିଁ ସପ୍ତପୁର ଅନ୍ତେ ବଇକୁଣ୍ଠ ଅଛି

ତହିଁ ନିଦ୍ରା ଯାଇଥାନ୍ତି ପ୍ରଭୁ ଶିରୀବତ୍ସି ।

ସେ ବିଷ୍ଣୁ ନାଭିରୁ ଏକ ପଦ୍ମଫୁଲ ଫୁଟି

ସହସ୍ର ପାଖୁଡ଼ା ତାର ବିକାଶେ ଚହଟି ।

ବ୍ରହ୍ମା ଶୁଅନ୍ତେଣ ତହିଁ ଘୋଟିଯାଏ ଜଳ

ଇନ୍ଦ୍ରାଦି ସହିତେ ନାଶ ହୁଅନ୍ତି ସକଳ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଇତ୍ୟାଦି

ଭୂପୁର ଯେ ଭୁବପୁର ସ୍ଵର୍ଗପୁର ଆଦି ।

ବ୍ରହ୍ମା ଯାମିନୀରେ ସର୍ବେ ହୁଅନ୍ତି ବିନାଶ

ପୁଣି ବ୍ରହ୍ମାଙ୍କୁ ଯେ କାଳେ ହୁଅଇ ଦିବସ ।

ନିଦ୍ରାଭଙ୍ଗ ହୋଇଲେ ସେ ଉଠି ପଦ୍ମଯୋନି

ପୁଣି ସୃଷ୍ଟିକି ସର୍ଜାଇ ବିଷ୍ଣୁ ଆଜ୍ଞା ଘେନି ।

ଏ ରୂପେ ସୃଷ୍ଟି ସର୍ଜନା କରନ୍ତି ବିଧାତା

ଦିବସରେ ପ୍ରତିପାଳି ରାତ୍ରେ କରେ ହତ ।

ଏ ବିଧି ଧାତାକୁ ହେଲେ ରଜନୀ ଦିବସେ

ତିନିଶ ଷାଠିଏ ଦିନେ ହୁଅଇ ବରଷେ ।

ଏକ ବରଷ ମଧ୍ୟରେ ସସ୍ରେ ଇନ୍ଦ୍ର ଯାନ୍ତି

ଏଥିମଧ୍ୟେ ଶତବାର ବିଷ୍ଣୁ ଜନମନ୍ତି ।

ଏକ ରୂପରେ ବରଷ ହୁଅଇ ଗଣତା

ଶତ ଅଷ୍ଟୋତ୍ତର ବର୍ଷ ଜୀଆଇଁ ବିଧାତା ।

ଏ ବିଧାତା ପୁରୁଷର ଆୟୁ ଶେଷକାଳେ

ଶୁଅଇ ଦେବନାଶନ ବଟବୃକ୍ଷ ତଳେ ।

ଏ ଦେବ ନାଶନ ବଟେ ଶୋଇଲେ ଏକାନ୍ତେ

କାରୁଣ୍ୟ ଜଳ ଘୋଟଇ ସକଳ ଜଗତେ ।

ଜନ୍ତୁପତି ହାତେ ଥାଏ ସଂହାରଣ ଭାର

ତହୁଁ ସେ ସର୍ବ ଜୀବଙ୍କୁ କରିଣ ସଂହାର ।

ସବୁଆଡ଼େ ଶୂନ୍ୟ ଏହା ଦେଖେ ଯେତେବେଳେ

ବିଶ୍ରାମନ୍ତି ଧର୍ମ ଯାଇ ବ୍ରହ୍ମା କମଣ୍ଡଳେ ।

ଧର୍ମ ଯେଉଁ ସମୟରେ ହୁଅନ୍ତି ଗୋପନ

କଳ୍ପେକ ହୋଇଲା ବୋଲି ରହିଛି ପ୍ରମାଣ ।

ରହନ୍ତେ ବ୍ରହ୍ମାଙ୍କ କମଣ୍ଡଳେ ଜନ୍ତୁପତି

ବିଧାତା ଜାଣି ଗର୍ଭରେ ତାହା ସଂହରନ୍ତି ।

ତତ୍ପରେ ଏକାଗ୍ରଚିତ୍ତେ ବିଧାତା ପୁରୁଷ

ଧ୍ୟାନେ ସ୍ମରଣ କରନ୍ତି ବିଷ୍ଣୁ ବିଶ୍ଵବାସ ।

ଜାଣିକରି ବିଧାତାର ମନ ବାସୁଦେବ

ବିଶ୍ଵ ଗର୍ଭରେ ଦିଅନ୍ତି ସେ ବ୍ରହ୍ମାଙ୍କୁ ଠାବ ।

ବିଧାତାକୁ ସଂହାରିଣ ବିଷ୍ଣୁ ଗର୍ଭଗତେ

ମୋହର ଗର୍ଭରେ ଯାଇ ରହନ୍ତି ନିଶ୍ଚିନ୍ତେ ।

ସେବେଳେ ସଂହାରି ମୁହିଁ ବିଶ୍ଵ ଭାରାଭର

ଯୋଗବଳେ ରହେ ପ୍ରିୟେ ଯୁଗ ଗଣ୍ଡା ବାର ।

ପ୍ରଳୟର ଜଳ ଯହୁଁ ଘୋଟେ ଅକଳନା

ଦେଖିଣ ସେ କାଳେ ମୋର ଯୋଗ ହୁଏ ବଣା ।

ଜଟା ମଧ୍ୟେ ରହିଥିଲେ ମୋର ସୁଧାକର

ସେ ଚନ୍ଦ୍ରକୁ ଗର୍ଭେ ଧରି କରଇ ସଂହାର ।

ସହି ନ ପାରି ମୋହର ତାପ ଶଶଧର

ଆତଙ୍କେ ସେ ସୁମରଣା କରେ ନିରାକାର ।

ସେ ନିରାକାର ପୁରୁଷ ଶୂନ୍ୟେ ଥାନ୍ତି ବ୍ୟାପି

ଚନ୍ଦ୍ରଦେବେ ସଂହାରିଣ ଦେବେ ପୂର୍ଣ୍ଣରୂପୀ ।

ଚନ୍ଦ୍ର ନାଶଯାନ୍ତେ ହେଲା ଚନ୍ଦ୍ରଙ୍କ ପ୍ରଳୟ

ସର୍ବ ଆତ୍ମା ସଂହାରିଲେ ଗର୍ଭେ ଦୟାମୟ ।

ଏରୂପେ ପ୍ରଳୟ ଘୋଟ ସକଳ ଜଗତ

ଦେହ ଧରିକରି ଏକା ରହନ୍ତି ଅନନ୍ତ ।

ନିରାକାର ବୋଲି ଯେହୁ ଯେବଣ ପୁରୁଷ

ତାହାଙ୍କ ମହିମା ବ୍ରହ୍ମା ନ ଜାଣଇ ଲେଶ ।

ନିର୍ଗୁଣ ପୁରୁଷ ତାର ବର୍ଣ୍ଣ ଚିହ୍ନ ନାହିଁ

ଏ ରୂପେ ପ୍ରଳୟ ବିଧି ସେ ପ୍ରବୁ କରଇ ।

ଅକ୍ଷୟ ପୁର, ସେ ଯେ ସଦା ଶୂନ୍ୟେ ସ୍ଥିତ

ସଂସାର ରଚନା ଯାର କଉତୁକ ମତ ।

ଇଚ୍ଛାରେ ପାଳଇ ଇଚ୍ଛାକଲେ ସଂହାରଇ

ଏକ ସ୍ଵରୂପେ ଅନେକ ଦେହବନ୍ତ ହୋଇ ।

ଜ୍ୟେଷ୍ଠରୂପେ ଧରେ ସେହି କନିଷ୍ଠ ହୁଅଇ

ଆକାର ବର୍ଜିତ ନିରାକାର ସେ ଅଦେହୀ ।

ସକଳ ଆତ୍ମା ସ୍ଵରୂପ ଅଟେ ସେହି ମୂଳ

ମହାପୁରୁଷ ବୋଲାନ୍ତି ଶୂନ୍ୟେ ତାଙ୍କ ଠୁଳ ।

ସେ ଶୂନ୍ୟ ପୁରୁଷ ଦେଖି ଚାରାଚର ଶୂନ୍ୟେ

ବଟ ମୂଳେ ଯେଉଁ ବିଷ୍ଣୁ ଅନନ୍ତ ଶୟନ ।

ସେ ଅନନ୍ତଶାୟୀ ବିଷ୍ଣୁ ନିଦ୍ରାଭଙ୍ଗ କରି

ଦେଖିଲେ ନିକଟେ ଶୋଭା ସେ ଶୂନ୍ୟବିହାରୀ ।

ତଦପରେ ସେ ବିଷ୍ଣୁଙ୍କୁ ଅଙ୍ଗେ କଲେ ଲୀନ

ତଦଅନ୍ତେ ବିଚାରିଲେ ଦେବ ନିରଞ୍ଜନ ।

ଏଥର ସଂସାର ଚିନ୍ତା ହେଲା ମନୁ ଦୂର

ଅନନ୍ତ ଅଙ୍ଗେ ବିଜୟ ପ୍ରଭୁ ନିରାକାର ।

ଏ ରୂପେ କେତେ ପ୍ରଳୟ ହୋଇଲା ଉତ୍ତାରେ

ମାର୍କଣ୍ଡ ପ୍ରଳୟ ସୁଅ ଘଟିଲାକ ଥରେ ।

ଏହିରୂପେ ବଟପୁଟେ ପ୍ରଭୁ ଥିଲେ ବସି

ମାର୍କଣ୍ଡ ଋଷି ସେ କାଳେ ଯାଉଥିଲେ ଭାସି ।

ଥଳକୂଳ ନ ପାଇଣ ହୋଇଣ କାତର

ଆତଙ୍କେ ଡାକିଲେ ରକ୍ଷାକର ନିରାକାର ।

ଭାବକୁ ପ୍ରସନ୍ନ ସେହୁ ଭକତ ସୋଦର

ଆତଙ୍କ ନାଶନ ବାନା ଅଟଇ ତାଙ୍କର ।

ପ୍ରଳୟ କାଳରେ ସେହି ବଟପୁଟେ ଥାଇ

ମାର୍କଣ୍ଡଙ୍କ ଡାକ କର୍ଣ୍ଣେ ଶୁଣି ଭାବଗ୍ରାହୀ ।

ସହସ୍ର ଯୋଜନେ ଭାସି ଯାଉଥିଲେ ଋଷି

ତହିଁକି କର ବଢ଼ାଇ ଆଣିଲେ ଆଶ୍ଵାସି ।

ନୀରେ ତୁଣ୍ଡକୁ ବିସ୍ତାରି ସ୍ରୋତରେ ଭସାଇ

ଆପଣ ଗର୍ଭ ମଧ୍ୟରେ ସ୍ଥାନ ଦେଲେ ନେଇ ।

ସେ ପ୍ରଳୟେ ମାର୍କଣ୍ଡେୟ ବିଷ୍ଣୁ ଗର୍ଭେ ଥିଲେ

ତାହାଙ୍କ ଉଦର ମଧ୍ୟେ ଏମନ୍ତ ଦେଖିଲେ ।

ଦେଖି ମନେ ବିଚାରନ୍ତି ପ୍ରଳୟ କି ଗଲା

ନୂତନ ସୃଷ୍ଟିକି ଏବେ ବସାଣ ହୋଇଲା ।

ସେ ବିଷ୍ଣୁ ଗର୍ଭ ମଧ୍ୟରେ ଅଛି ମହା ମହୀ

ସପତ ଭୁବନଯାକ ପୂରିଅଛି ତହିଁ ।

ନବଖଣ୍ଡ ମେଦିନୀ ଯେ ସପତ ସାଗର

ମେରୁ ସହିତରେ ପୁଣି ଅଷ୍ଟ ଗିରିବର ।

ନଦନଦୀ ଗିରିମାଳୀ ଅଛି ନାନା ଦେଶ

ବଉରାଶି କୋଟି ଜୀବ ସମାନ ପ୍ରକାଶ ।

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରି

ସେ ବିଷ୍ଣୁ ଉଦର ମଧ୍ୟେ ସର୍ବେ ଛନ୍ତି ପୁରି ।

ପାତାଳ ବୈକୁଣ୍ଠପୁରେ ନାଗଶଯ୍ୟା ପରେ

ତହିଁ ନିଦ୍ରା ଯାଇଛନ୍ତି ପ୍ରଭୁ ନିଶ୍ଚିନ୍ତରେ ।

ପାଦତଳେ ବସିଛନ୍ତି ଲକ୍ଷ୍ମୀ ସରସ୍ଵତୀ

ବାସୁକି ସହସ୍ର ଫଣା ଊର୍ଦ୍ଧ୍ଵେ ଟେକିଛନ୍ତି ।

ଅଷ୍ଟକୁଳ ନାଗ ଆଉ ମଣ୍ଡୁକୀ ସହିତେ

ସପ୍ତ ପାତାଳ ଧରିଣ ଅଛନ୍ତି ଜାଗ୍ରତେ ।

ଅମରାବତୀ ପୁରରେ ସୁଧର୍ମା ସଭାରେ

ସକଳ ଦେବତାଗଣ ବିଜୟ ସେଠାରେ ।

ଇନ୍ଦ୍ର ଚନ୍ଦ୍ର କୁବେରାଦି ପବନ ନୈର୍ଋତ

ଏକାଦଶ ରୁଦ୍ର ଆଉ ଦ୍ଵାଦଶ ଆଦିତ୍ୟ ।

ଯମ ବୈଶ୍ଵାନର ଆଦି ଦଶଦିଗପାଳ

ନକ୍ଷତ୍ର ଯୋଗ କରଣ ଆଦି ମେଘମାଳ ।

ଚାରିଯୁଗ ସହିତରେ ସମ୍ବତ୍ସର ଆଦି

ଗର୍ଭ ମଧ୍ୟରେ ସେ ପ୍ରଭୁ ଅଛନ୍ତି ସମ୍ପାଦି ।

ଐରାବତ ଗଜ ଆଉ ଉଚ୍ଚୈଃଶ୍ରବା ଅଶ୍ଵ

ଉଦର ମଧ୍ୟରେ ଦେଖି ସକଳ ଭବିଷ୍ୟ ।

ବିଷ୍ଣୁଙ୍କର କଉଶକ ଲୀଳା ଅବତାର

ଠାବେ ଠାବେ ପରକାଶ ହେଉଛି ଅପାର ।

ଚଣ୍ଡୀ ରାମାୟଣ ଆଉ ଭାରତ ସହିତେ

ସକଳ ଯୁଦ୍ଧ ଦେଖିଲେ ସେହି ଗର୍ଭଗତେ ।

ଏ ଚଉଦ ଭୁବନରେ ଯେତେ କଥାମାନ

ହୋଇଛି ସେ ନିରାକାର ହୃଦରେ ସ୍ଥାପନ ।

ଅନେକ କାଳ ପର୍ଯ୍ୟନ୍ତ ବୁଲିଲେ ଗର୍ଭରେ

ଯୋଗ ଯାଇଣ ମିଲିଲେ ଜାହ୍ନବୀର ତୀରେ ।

ସେ ଗଙ୍ଗା ତଟରେ ଆସି ଆରମ୍ଭିଲେ ତପ

ସେ ନିରାକାର ସ୍ଵାମୀଙ୍କୁ କଲେ ମନ୍ତ୍ର ଜପ ।

ଏ ରୂପେ ପ୍ରଳୟ କଥା ଶୁଣ ଗୋ ଗିରିଜା

ସକଳ କଥା ତୋହର ମନୁ କରି ତେଜ୍ୟା ।

କାଳେ ନ ରହିଲେ ଚନ୍ଦ୍ର ସୂର୍ଯ୍ୟ ହରିହର

ନରମାନଙ୍କର ପ୍ରାଣ କେତେକ ମାତର ।

ମାୟାମୟ ସଂସାରରୁ ତେଜ ସବୁ ଚିନ୍ତା

ଶ୍ରୀହରିଙ୍କ ପଦାମ୍ବୁଜ ଚିନ୍ତ ଯେ ସର୍ବଥା ।

ପ୍ରଳୟ ପୟୋଧି ଜଳୁ ମାର୍କଣ୍ଡେୟ ପ୍ରାଣ

ରକ୍ଷାକରି ରଖିଥିଲେ ଯେଉଁ ନିରଞ୍ଜନ ।

ସେ ବିଶ୍ଵବିହାରୀ ଯେବେ ହୋଇବେ ପ୍ରସନ୍ନ

ନ ଲାଗିବ ତୋତେ କେବେ ଶମନ ବନ୍ଧନ ।

ଲେଖେ ଗୀତ ପ୍ରବନ୍ଧରେ ହରି ଦାଶ ଭାଳି

ମୋଠାରେ କରୁଣା କର ଆହେ ବନମାଳୀ ।

ଚନ୍ଦ୍ର ପୁରାଣରେ କରି ତୋ ନାମ ଗାୟନ

ଭବ ବାଧା ଖଣ୍ଡ ଛାଡୁ ମୋହର ଜୀବନ ।

•••

 

ସୃଷ୍ଟି ସର୍ଜନା

 

ଏଥୁଅନ୍ତେ ଉମାଦେବୀ ବେନିକର ଯୋଡ଼ି

ମହେଶଙ୍କ ଶ୍ରୀଚରଣେ ଭକ୍ତିଭରେ ପଡ଼ି ।

ପୁଚ୍ଛିଲେ ପ୍ରଳୟ ପରେ ହେଲା କେଉଁ କଥା

ସେ କଥା କହି ମୋହର ଖଣ୍ଡ ମନୁ ବ୍ୟଥା ।

ପ୍ରଳୟ ବିଧାନ ଶୁଣି ଉଲୁସଇ ଗାତ୍ର

ଏଡ଼େ ଭୟଙ୍କର ଅଟେ ପ୍ରଳୟ ଚରିତ ।

ମହେଶ ପ୍ରିୟାର ଭକ୍ତି ଦେଖି ଏହିପରି

ଆବର ବିଶେଷ ଶ୍ରଦ୍ଧା ଦେଖିଣ ତାହାରି ।

ପୁନରପି ବୋଇଲେକ ସୁପ୍ରସନ୍ନ ହୋଇ

ଆଗୋ ପ୍ରିୟେ ଶୁଣ ଏବେ ସ୍ଥିରଭାବେ ରହି ।

ଏ ରୂପେ ଘଟିଲା ଜାଣ ପ୍ରଳୟ ଜଳଧି

ବଟପୁଟ ମଧ୍ୟେ ନିଦ୍ରାଗଲେ ଦୟାନିଧି ।

ସଚରାଚର ସୃଷ୍ଟିକି ଗର୍ଭରେ ପୂରାଇ

ଯୋଗନିଦ୍ରା ଗଲେ ତହିଁ ଜଗତ ଗୋସାଇଁ ।

ପାଦତଳେ ବସିଛନ୍ତି ଅନାଦି ଶକତି

ଏକରୁ ବେନି ସ୍ଵରୂପେ ସେହି ମାୟାବତୀ ।

 

 

ଜଳ ଶଯ୍ୟାରେ ବିଜୟ ଅନାଦି ପୁରୁଷ

ଏକମନେ ଶୁଣ ଚନ୍ଦ୍ରପୁରାଣର ରସ ।

ଅଚିନ୍ତାରେ ଯାଇଥାନ୍ତି ନିଦ୍ରା ସ୍ଵାମୀ ଭୋଳେ

କୋଟିଏ ସହସ୍ର ଯୁଗ ବହିଯାଏ ଭୋଳେ ।

ପୁରାଣ ପୁରୁଷ ସୁଖେ ନିଦ୍ରାରେ ଅଚେତ

ଜଳମୟ ସଂସାରରେ ଥାଏ ଅପ୍ରମିତ ।

ପ୍ରଳୟ ନାରାୟଣଙ୍କ ପାଦତଳେ ଥାଇ

ମନେ ମନେ ବିଚାରନ୍ତି ସେହି ମହାଦେଈ ।

କୋଟିଏ ସହସ୍ର ଯୁଗ ହୋଇଲାଣି ଆସି

ଆସନ ତ ନ ତେଜିଲେ ପ୍ରଭୁ ବ୍ରହ୍ମରାଶି ।

ରାତ୍ର ଦିବସ ହୋଇବ ଆଉ କେଉଁମତେ

ଏଥକୁ ଉପାୟ ଅବା କରିବି କେମନ୍ତେ ।

ପରମ ପୁରୁଷ ହେଲେ ନିଦ୍ରାରେ ମୋହିତ

ଦେବମୟ ଅଙ୍ଗ ହେଲା ଯୋଗେ ବଶୀଭୂତ ।

କି ରୂପେ ନିଦ୍ରା ତାଙ୍କର କରିବି ଭଗନ

ଉଠିଲେ କରିବି ପୁଣି ସୃଷ୍ଟିର ସର୍ଜନ ।

ଏହିରୂପେ ମହାମାଈ କରନ୍ତି ବିଚାର

ମନେ ମନେ ଭାଳୁ ଭାଳୁ କଲେ ଦେବୀ ସ୍ଥିର ।

ଭାଳିଲେ ନିଦ୍ରାରେ ସ୍ଵପ୍ନ ଅଟଇ ବଇରୀ

ସ୍ଵପ୍ନ ଦେଖିଲେ ଉଠିବେ ନିଦ୍ରା ତେଜିକରି ।

ଏହା ପାଞ୍ଚି ଆଦି ଦେବୀ ମାୟାରୂପ ଧରି

ସ୍ଵପ୍ନ ଦେଖାଇଲେ ସେହି ତ୍ରିପୁରା ସୁନ୍ଦରୀ ।

ଜଗତ ଈଶ୍ଵର ସୁଖେ ଶୋଇଛନ୍ତି ଭୋଳେ

ନିଦ୍ରାବସ୍ଥାରେ ଦେଖନ୍ତି ସ୍ଵପ୍ନ ବେନି ଡୋଳେ ।

ତ୍ରୈଲୋକ୍ୟ ମୋହିନୀ ମାୟା ଅପୂର୍ବ ସୁନ୍ଦରୀ

ଚାରୁ ସୁଲକ୍ଷଣୀ ଦେବୀ ଦିବ୍ୟ ରୂପଧରୀ ।

ନିଦ୍ରା ତାହାଙ୍କ ରୂପ ଯେ ଦେଖିଣ ଅଚ୍ୟୁତ

ମନେ ମନେ ସେ ରୂପରେ ହୋଇଲେ ମୋହିତ ।

ସତ୍ୟ ପ୍ରାୟ ମଣିକରି ଇଚ୍ଛନ୍ତେ ଶୃଙ୍ଗାର

ଯୋଗନିଦ୍ରା ଭାଙ୍ଗିଗଲା କ୍ଷରେ ଶୁକ୍ରଧାର ।

ରେତ ଉଛୁଳି ସ୍ରବିଲା ଯେବଣ ସମୟେ

ନିଦ୍ରା ଭାଙ୍ଗିଲା ଉଠିଲେ ପ୍ରଭୁ ଦେବରାୟେ ।

ଶ୍ରୀଅଙ୍ଗେ ଦିବ୍ୟ ତେଜ ଯା ପଡ଼ିଥିଲା ଖସି

ବାମକରି ତୋଳି ତାହା ଧରି ବ୍ରହ୍ମରାଶି ।

ଅଙ୍ଗୁଷ୍ଠି ସନ୍ଧିରୁ ବୀର୍ଯ୍ୟ ତିନିଧାର ହୋଇ

ଗଳି ପଡ଼ିଲା ସେ ମହାଜଳ ମଧ୍ୟେ ଯାଇ ।

ସେ ଅକ୍ଷୟ ବୀର୍ଯ୍ୟ ତାଙ୍କ ଅଙ୍ଗରୁ କ୍ଷରିଲା

ମହାଜଳେ ପଡ଼ିକରି କ୍ଷୟ ଯେ ନୋହିଲା ।

ତିନିପୁର ହୋଇଲାକ ତହିଁରୁ ଉତ୍ପତ୍ତି

କହିଲେ ଶେଷ ନୋହିବ ତାହାଙ୍କ କୀରତି ।

ଉମା ପୁଚ୍ଛାକଲେ ଏଥୁ ଜନ୍ମିଲା ସନ୍ଦେହ

ତାହା କହି ଭ୍ରମ ମୋର ଖଣ୍ଡ ମହାଶୟ ।

ନିରାକାର ବୋଲିକରି ଯେବଣ ହିଁ ସ୍ଵାମୀ

ଅଲେଖ ପୁରୁଷ ସେହୁ ଅବର୍ଣ୍ଣ ଅକାମୀ ।

ଅକ୍ଷରେ ନ ମିଶଇ ଯେ ବେଦର ବାହାର

ସାହା ସଖା ଶବଦଟି ନ ଥାଉ ଯାହାର ।

ସେ କେମନ୍ତ ନିଦ୍ରାକାଳେ ଦେଖିଲେ ସ୍ଵପନ

ମାୟା ଯୁବତୀ ମୋହିଲା ତାହାଙ୍କର ମନ ।

ନିଗୂଢ଼ ଅଙ୍ଗୁ ଖସିଲା କେହ୍ନେ ବ୍ରହ୍ମବୀର୍ଯ୍ୟ

ଏକଥା ଶୁଣିଣ ମୋତେ ଲାଗିଲା ଆଶ୍ଚର୍ଯ୍ୟ ।

କେଉଁରୂପେ ପ୍ରତେ ଯିବି କହ ମହାଜ୍ଞାନୀ

ଏମନ୍ତ କହିଣ ଉମା କରିଲେ ଦୟିନୀ ।

ଉମାର ଏରୂପେ ସନ୍ଧି ଜଟିଳ ବଚନ

ଶୁଣିଣ କହିଲେ ତାଙ୍କୁ ସେ ପ୍ରଭୁ ଈଶାନ ।

ଅନାଦି ପୁରୁଷ ସେହୁ ଅଟେ ଯୋଗବନ୍ତ

ଶାଖା ବେଦଙ୍କର ସେହୁ ସହଜେ ବେଦାନ୍ତ ।

ଅନାଦି ମହାମାୟା ଯେ ତାହାଙ୍କର ପ୍ରିୟା

ଯୋଗ ନାଶିନୀ ବୋଲନ୍ତି ସେହି ମହାମାୟା ।

ପ୍ରଳୟ କାଳେ ପାଆନ୍ତି ସେହି ଅଧିକାର

ବିଷ୍ଣୁ ନିଦ୍ରାଗଲେ ସେହୁ ଘୋଟଇ ସଂସାର ।

ପ୍ରଳୟ କାଳେ କରଇ ସଂସାରକୁ ନାଶ

ମହାରାତ୍ରି ସ୍ଵରୂପରେ ଘୋଟଇ ଦିବସ ।

ଭାବିନୀ ରୂପେ ବସଇ ବିଷ୍ଣୁଙ୍କର କୋଳେ

ନିଦ୍ରାବତୀ ରୂପରେ ସେ ବସେ ବେନ ଡୋଳେ ।

କାମାକ୍ଷୀ ରୂପରେ କାମ ପୀଡ଼ା ଏ ଅଙ୍ଗରେ

ମୋହନୀ ରୂପେ ମତାଏ ସେ ରତି ରଙ୍ଗରେ ।

ଯୋଗିନୀ ରୂପେ ପୀଡ଼ିଲା ପୁଣି ଯୋଗ ବାଟ

ଚଞ୍ଚଳ ରୂପ ଧରିଣ ଫେଡ଼ିଲା କବାଟ ।

ପଦ୍ମିନୀ ରୂପ ଧରିଣ ହୃଦପଦ୍ମେ ବସି

ମହାମେରୁ ରୂପେ ପୁଣି ବନ୍ଦିଘରେ ଶଶୀ ।

ଅନନ୍ତ ରୂପେ କଟଇ ସେହି ଶରବନ୍ଧ

ଚଉର୍ଯ୍ୟ ରୂପରେ ହରି ଆସି ବ୍ରହ୍ମରନ୍ଧ୍ର ।

ଧାରଣ ରୂପରେ ଟେକି ଆଣଇ ଉଜାଣି

ଚେତନା ରୂପରେ ନିଦ୍ରା ଭଙ୍ଗାଏ ସେ ପୁଣି ।

ସଂସାର ରଚନା ଅର୍ଥେ ସେ ମାୟା ଯୁବତୀ

କାଢ଼ିଲା ନିରାକାରଙ୍କ ଅଙ୍ଗୁ ଦିବ୍ୟ ଜ୍ୟୋତି ।

ବିଷ୍ଣୁଙ୍କର ସେ କଥାରେ ଅଟେ ସୀଉକାର

ଦୁହିଁଙ୍କର ମତାନୁଯାୟୀ ଖସେ ବିନ୍ଦୁ ଧାର ।

ଯୁଗ ଯୁଗକୁ ଏମନ୍ତ ଘଟଣା ସଂସାରେ

ପରମାନନ୍ଦ ପୁରଷ ଆନନ୍ଦ ବିହରେ ।

ଶୁଣିକରି ଉମାଦେବୀ ହୋଇଲେ ସନ୍ତୋଷ

ଭାଷା ପ୍ରବନ୍ଧ ପଦ୍ୟରେ ଗାଏ ହରି ଦାଶ ।

•••

 

ତ୍ରୟଦେବଙ୍ଗ ଜନ୍ମ ଓ ମଧୁକୈଟଭ ବଧ

 

ଏଥୁଅନନ୍ତରେ ଜନେ ଶୁଣ ମନଦେଇ

ଉମାଦେବୀଙ୍କୁ ମହେଶ ଯାହା ଥିଲେ କହି ।

ଚନ୍ଦ୍ରଙ୍କ ପୁରାଣେ ତାହା କରୁଛି ପ୍ରକାଶ

ଅପୂର୍ବ ଚରିତ ଏହା ସୁଧାମୟ ରସ ।

ଈଶାନ କହିଲେ ଆଗୋ ଶୁଣ ପ୍ରାଣସାହୀ

ପ୍ରଳୟ ଜଳେ ପଡ଼ିଲା ବିଷ୍ଣୁ ରେତ ଯାଇଁ ।

ତିନୋଟି ମୂରତି ତହୁଁ ହେଲେ ଅବତାର

ରୂପ ଗୁଣରେ ତ୍ରିପୁରେ ନାହିଁ ପଟାନ୍ତର ।

ପ୍ରଥମରେ ଯେଉଁ ପୁତ୍ର ହେଲା ଉତପନ୍ନ

ଅପୂର୍ବ ହେମ ବରନ କୋଟିଏ ବଦନ ।

ଏକାଗୋଟି ଭୁଜ ପୁଣି ହୃଦୟ ବିସ୍ତାର

ଉଗ୍ର କଣ୍ଠତଟ ପୁଣି ସୁସଞ୍ଚ ଉଦର ।

ସୁଗଠନ ମଝା ବଳୀନ ଯେ ବେନି ଜାନୁ

ଅପୂର୍ବ ବିଦ୍ୟା ଜ୍ୟୋତିରେ ବିରାଜର ତନୁ ।

ଶୁକଳ ବସନ କଟି ତଟରେ ଶୋଭଇ

ଅପୂର୍ବ ମୂରତି ଗୋଟି ଭୁବନ ମୋହଇ ।

 

 

ସୁବର୍ଣ୍ଣ ପଇତା ଗଳେ ଶୋହେ ନବଗୁଣ

ଲଳିତା ଶାନ୍ତ ମୂରତି ସ୍ଵରୂପ ବ୍ରହ୍ମାଣ ।

ଶୁକ୍ଳବର୍ଣ୍ଣେ କର୍ଣ୍ଣପୁଟେ ଶୋହେ ରୁଦ୍ରକଢ଼ି

କନ୍ଧରେ ଯେ ଉତ୍ତରୀୟ ନାନା ରତ୍ନେ ଜଡ଼ି ।

କର ପଲ୍ଲବରେ ଶୋଭାପାଏ ରତ୍ନମୁଦି

କର୍ଣ୍ଣ ପଦଯାଏ ଏ ସର୍ବଳଙ୍କାର ସମ୍ପାଦି ।

ଗାଇଲେ ଶୂନ୍ୟରେ ଉଭାହୋଇ ବେଦବାଣୀ

ସନ୍ତୋଷ ହେଲେ ଅନାଦି ପୁରୁଷ ତା ପୁଣି ।

ବ୍ରହ୍ମା ତା ନାମ ଦେଇଣ ରାଇଲେ ମୁକୁନ୍ଦ

କୋଳେ ବସାଇଣ ତାକୁ ହୋଇଲେ ଆନନ୍ଦ ।

ଦ୍ଵିତୀୟରେ ଯେଉଁ ପୁତ୍ର ହେଲା ଉତପତ୍ତି

ସୁନ୍ଦର ଗଠନ ନୀଳ ଇନ୍ଦିବର ଜ୍ୟୋତି ।

ସୁପ୍ରସନ୍ନ ବଦନଟି ପୂର୍ଣ୍ଣଶଶୀ ଆଭା

ସର୍ବ ଅଙ୍ଗେ ବିରାଜଇ ଆଲୋକିତ ପ୍ରଭା ।

ମର୍କତ କୁଣ୍ଡଳ ଯୋଡ଼ି କର୍ଣ୍ଣତଟେ ଝୁଲେ

ରବି ଶଶୀ ମଣି ଶୋହେ ହୃଦତଟ ତଳେ ।

ବଳୀନ ବିସ୍ତାର ଅଟେ ଚାରିଭୁଜ ଦଣ୍ଡ

ଶଙ୍ଖ ଚକ୍ର ଗଦା ପଦ୍ମ ଆବର କୋଦଣ୍ଡ ।

ବାହୁଟି କିରୀଟୀ ବିଦ ମୁଦି କରତଳ

ବିବିଧ କୁସୁମ ଅଙ୍ଗେ ଦିଶେ ପରମଳ ।

ନାନା ମଣିଗଣ ଶୋଭା ପାଉଛି ଶ୍ରୀଅଙ୍ଗେ

କି ଜାଣି ବିଜୁଳି ଖେଳେ ଜଳ ଧରି ଅଙ୍ଗେ ।

ସେହି ରୂପ ପଟାନ୍ତର ଦିଶେ ଆଦି ତନୁ

ସୁରଙ୍ଗ ଅଧର କିବା ପ୍ରଭାତର ଭାନୁ ।

କମରେ ପୀତବସନ ରତ୍ନ ଓଢ଼ିଆଣୀ

ଚରଣ ଯୁଗ ନୂପୁର ଶୋଭେ ରତ୍ନମଣି ।

ବେଳୁବେଳ ଦିବ୍ୟରୂପ ହୋଇଲା ପ୍ରକାଶ

ଦେଖି ତୋଷମନ ହେଲେ ଅନାଦି ପୁରୁଷ ।

ହସ୍ତ ଧରି କରି ତାଙ୍କ ବସାଇଲେ କୋଳେ

ପୁଣି ହିଁ ପୁତ୍ରେକ ଜାତ ହୋଇଲେ ତତ୍କାଳେ ।

ଆହେ ସାଧୁଜନମାନେ ଶୁଣ ମନ ଦେଇ

ଶିବଙ୍କ ଜନ୍ମ ଚରିତ କହୁଛି ବୁଝାଇ ।

ସେହି ଶିବଙ୍କ ମହିମା ଅତି ଅଗୋଚର

ପ୍ରତ୍ୟକ୍ଷରେ ସେ ଅନାଦି ଦେବ ଅବତାର ।

ଶରୀର ନିର୍ମଳ ଯେହ୍ନେ ଅକଳଙ୍କ ଶଶୀ

ଜ୍ୟୋତିର୍ମୟ ଅଙ୍ଗ ନିନ୍ଦେ କାମ ତେଜରାଶି ।

ପାଞ୍ଚଟି ମୁଖ ତାଙ୍କର ପନ୍ଦରଟି ନେତ୍ର

ଶ୍ରୀକରେ ଖଟ୍ଵାଙ୍ଗ ଆଉ ଶୂଳ ପାଶୁପତ ।

କଟିଦେଶେ ନୀଳାମ୍ବର ପନ୍ନଗ ପଇତା

କର୍ଣ୍ଣରେ କୁଣ୍ଡଳ ଯୋଡ଼ି ଅପୂର୍ବ ଶୋଭିତା ।

ପଞ୍ଚସ୍ତରୀ ଫଣା ଶିରେ ଜଗତକୁ ମୋହେ

କଣ୍ଠରେ ଯେ ମଣିଗଣ ଅତି ଶୋଭାପାଏ ।

ସୁନିର୍ମଳ ସୁଧା ଅଙ୍ଗ ଦିବ୍ୟରୂପ ନିଧି

ଅଷ୍ଟାଙ୍ଗ ଯୋଗ ପୁରୁଷ ପରଜ୍ଞାନ ବୁଦ୍ଧି ।

ଧୈର୍ଯ୍ୟଗୁଣ ବୁଦ୍ଧିସ୍ତବଧ ଚରଣକୁ ଚାହିଁ

ପରମ ତୋଷ ମତି ସେ ହେଲେ ଭାବଗ୍ରାହୀ ।

ଭୁଜ ଧରିଣ ତାହାଙ୍କୁ କୋଳେ ବସାଇଲେ

ପ୍ରସନ୍ନ ହୋଇ ଈଶ୍ଵର ତାଙ୍କ ନାମ ଦେଲେ ।

ଏ ବିଧିରେ ବ୍ରହ୍ମା ବିଷ୍ଣୁ ଶିବ ପୁତ୍ର ତିନି

ସେ ଅନାଦି ତିଆରନ୍ତି ତଙ୍କୁ କୋଳେ ଘେନି ।

ବୋଇଲେ ସେ ଏହକ୍ଷଣି ତୁମ୍ଭେ ତିନି ଯାଅ

ପ୍ରଳୟକୁ ନାଶକରି ସଂସାର ଭିଆଅ ।

ଅନାଦିଙ୍କ ଆଜ୍ଞା ଯାଇ ସେ କୁମର ତିନି

ଚଳିଲେ ତାହାଙ୍କ ପାଦେ କରିଣ ଦୟିନୀ ।

ଉମାଙ୍କୁ କହନ୍ତି ଶିବ ଏହି ପରକାରେ

ଆମ୍ଭେ ତିନିଜଣ ଜନ୍ମ ହେଲୁ ପ୍ରଥମରେ ।

ମାତା ବାକ୍ୟେ ମହାଜଳେ ଗଲୁ ତିନିଜଣ

ଶୂନ୍ୟାସନେ ରହିଲେକ ଆଦି ନାରାୟଣ ।

ଶୂନ୍ୟରୁ ଭିଆଇ ଏକ ଅପୂର୍ବ ଭୁବନ

ଯୋଗେ ଆରୋହୀ ରହିଲେ ତହିଁ ନିରଞ୍ଜନ ।

ଏଥୁଅନନ୍ତରେ ପ୍ରିୟେ ଶୁଣ ଦେଇ ମନ

ଶୁଣିଣ ସନ୍ଦେହ ମନୁ କର ଗୋ ଭଞ୍ଜନ ।

ବିଷ୍ଣୁଙ୍କ ଆଦି ଜନମ ଶୁଣିମା ଦୁର୍ଲ୍ଲଭ

ଶୁଣନ୍ତେ ସକଳ କାର୍ଯ୍ୟ ହୋଇବ ସୁଲଭ ।

ପାପୀଜନମାନଙ୍କର ପାପ ଯାଇ କ୍ଷୟ

ଅପୁତ୍ରିକ ନାରୀମାନେ ଲଭନ୍ତି ତନୟ ।

ବ୍ୟାଧିମନ୍ତ୍ର ଲୋକମାନେ ହୁଅନ୍ତି ଅକ୍ଳେଶୀ

ଜ୍ଞାନୀ ଲୋକଙ୍କୁ ଦ୍ଵିଗୁଣ ଭାବେ ଜ୍ଞାନ ଦିଶି ।

ଜ୍ଞାନୀ ଅଜ୍ଞାନୀକି ପାପୀ ଅପାପୀ ସହିତେ

ତରନ୍ତି ଏକ ମେଳରେ ଏ ଶାସ୍ତ୍ର ଶୁଣନ୍ତେ ।

ଏହାପରେ ଶୁଣ ଜନେ ମନ କରି ସ୍ଥିର

ଏ ଚନ୍ଦ୍ର ପୁରାଣ ଶୁଣି ଭବୁ ହେବ ପାର ।

ଏଥୁଅନ୍ତେ ଅନାଦିଙ୍କ ସେହି ତିନି ପୁତ୍ରେ

ପିତାଙ୍କର ଆଜ୍ଞା ପାଇ ଗଲେ ଜଳକ୍ଷେତ୍ରେ ।

ଥୋକାଏକ ଦୂର ଯାଇ କରନ୍ତି ବିଚାର

ବ୍ରହ୍ମାଏ ବୋଇଲେ ଶୁଣ ଆହେ ଚକ୍ରଧର ।

ସୃଷ୍ଟି ସୃଜିବା ପାଇଁ ଯେ ଆଜ୍ଞାଦେଲେ ସ୍ଵାମୀ

କେମନ୍ତେ କରି ପାରିବା ପୃଥ୍ଵୀ ନିରିମାଣି ।

ଜୀବଜନ୍ତୁଙ୍କର କଥା ସବୁ ଲାଗେ ମୋତେ

ନୂତନ ପୃଥ୍ଵୀ ହୋଇବ କର କେଉଁମତେ ।

ଶ୍ରୀନାରାୟଣ ବୋଇଲେ ଅଛି ଏକ ବୁଦ୍ଧି

କେମନ୍ତେ ତୁଟିବ ଏହି ପ୍ରଲୟ ପୟୋଧି ।

ପ୍ରଲୟ ତୁଟିଲେ ମୁହିଁ କରିବି ସଂହାର

ଏହା ଶୁଣି ବୋଇଲେ ଯେ ଦେବ ମହେଶ୍ଵର ।

ପ୍ରଳୟ ସାଗର ଜଳ ଶୁଣାଇବି ମୁହିଁ

ଏଥକୁ ଚିନ୍ତା ନ କର ତୁମ୍ଭେ ବେନି ଭାଇ ।

ଶ୍ରୀହରି ବୋଇଲେ ହର ଉପାୟ ହେ କର

ଏ ଅପ୍ରମିତ ପାଣିକି ବେଗକରି ହର ।

ବିଷ୍ଣୁନାଥଙ୍କର ଆଜ୍ଞା ପାଇ ପଶୁପତି

ଅଙ୍ଗୁ ଜାତ କଲେ ତେଜ ଭୟଙ୍କର ଜ୍ୟୋତି ।

ଈଶ୍ଵର ଅଂଶରୁ ହେଲା ଯେଉଁ ତେଜ ମୂର୍ତ୍ତି

ତାହାଙ୍କର କଥାମାନ ଶୁଣ ଦେଇ ମତି ।

ପ୍ରତ୍ୟକ୍ଷେ ସେ ଦିନକର ଧର୍ମର ପ୍ରକାଶ

କୋଟିଏ ଅନଳ ଶିଖା ଜ୍ୟୋତିର ସଦୃଶ ।

ପ୍ରଚଣ୍ଡ ଉଗ୍ର ମୂରତି ସେହି ଦିନକର

ପ୍ରକାଶରେ ତେଜି ତ୍ରାସ ଘୋଟିଲା ପ୍ରଖର ।

ରୁଦ୍ରତେଜ ଜ୍ୟୋତି ଯହୁଁ ଘୋଟିଲା ଗଗନେ

ପ୍ରଳୟର ଅନ୍ଧକାର ତୁଟିଲା ବହନେ ।

ଧୀର ଧୀର ହୋଇଣ ଯେ ଜଳ ଗଲା ଖସି

ଯେସନେକ କୃଷ୍ଣପକ୍ଷେ ସଙ୍କୁଚିତ ଶଶୀ ।

ଛପନ ଲକ୍ଷ ଯୋଜନ ସିନ୍ଧୁ ବଢ଼ିଥିଲା

ବତିଶଲକ୍ଷ ଯୋଜନ ସେକ୍ଷଣି ଛାଡ଼ିଲା ।

ଏହି ପ୍ରକାରେ ପ୍ରେୟସୀ ମୋର ତେଜ ବଳେ

ଜଳ ଶୁଖୁବା ଆରମ୍ଭ ହୋଇଲା କ୍ରମରେ ।

ଚୌବିଂଶ ଯୋଜନ ଆଉ ରହିଲାକ ଜଳ

ସେହିଠାରୁ ଜଳପୁର ବୋଲଇ ପାତାଳ ।

ଏଥୁଅନ୍ତରେ ଅପୂର୍ବ ଶୁଣ ଶାସ୍ତ୍ରବିଧି

ସ୍ଵର୍ଗ ତେଜିକରି ଯହିଁ ତୁଟିଲା ଜଳଧି ।

ଦେଖିଣ ଆନନ୍ଦ ଆମ୍ଭେ ହେଲୁ ଦେବ ତିନି

ବିଚାରିଲୁ କେଉଁ ରୂପେ ହୋଇବ ମେଦିନୀ ।

ଅନାଦି ନାରାୟଣଙ୍କ ଆଜ୍ଞା ଘେନି ଶିରେ

ବୁଲୁଥାଉଁ ତିନି ଦେବ ଜଳଧି ଉପରେ ।

କେମନ୍ତେ ସଂସାର ଗୋଟ ହେବ ଉତପତ୍ତି

ହେ ଜନେ ଅନ୍ତ ନ ଜାଣି ଏ ରୂପେ ବୁଲନ୍ତି ।

ବୁଲିଲେ ଅନେକ କାଳଯାଏ ଶୂନ୍ୟପଥେ

ଶରୀରରେ ଶ୍ରମ ନିଦ୍ରା ପାଇ ଜଗନ୍ନାଥେ ।

ଆଳସ୍ୟେ ଖୋଲି କହିଲେ ବିଧାତାଙ୍କ ଆଗେ

ନିଦ୍ରା ଆଳସ୍ୟ ଘୋଟିଲା ଆସି ମୋର ଅଙ୍ଗେ ।

ଆଳସ୍ୟ ଖଣ୍ଡିବାଯାଏ କ୍ଷଣେ ହୁଅ ସ୍ଥିର

ତଦଅନ୍ତେ ପୁନରପି କରିବା ସଂସାର ।

ବିଷ୍ଣୁଙ୍କର କଥା ଶୁଣି ସ୍ଥିର ବେଦବର

ପନ୍ନଗଶଯ୍ୟା ଗୋଟିଏ ଦେଲି ମୁଁ ସତ୍ଵର ।

ତାହାର ଉପରେ ହରି ଯୋଗନିଦ୍ରା ଗଲେ

ଆମ୍ଭଙ୍କୁ ଜୟ କରିଣ ବିଧାତା ରହିଲେ ।

ନିରାକାର ପୁରୁଷଙ୍କୁ ଧ୍ୟାନକରି ମନେ

ଯୋଗନିଦ୍ରା ଗଲେ ହରି ପନ୍ନଗ ଆସନେ ।

ଏ ରୂପେ କେତେକ ଦିନେ ଦୈବଯୋଗେ ବେନି

ବିଷ୍ଣୁ କର୍ଣ୍ଣମୂଳୁ ଜାତ ହେଲେ ଦୈତ୍ୟ ବେନି ।

ତାହାଙ୍କର ନାମ ଅଟେ ମଧୁ କଇଟଭ

ଲୋହିତ ବରନା ଅଙ୍ଗ ବିକଟ ସ୍ଵଭାବ ।

ହୁଙ୍କାର ଘୋର ଶବଦ ବିସ୍ତାରି ଶରୀର

କି ଜାଣି ପଟାନ୍ତର ସେ ଲୌହ ଗିରିବର ।

ପ୍ରଳୟ ଜଳରେ ଉଭା ହେଲେ ବେନି ବୀର

ଆଣ୍ଠୁଏ ଆଣ୍ଠୁଏ ତାଙ୍କୁ ହେଲା ସିନ୍ଧୁନୀର ।

ଜଣ ଜଣଙ୍କର ରୂପ ଦିଶେ ଆନୁଆନ

କ୍ଷଣକେ ଉଗ୍ର ମୂରତି କ୍ଷଣକେ ସାମାନ୍ୟ ।

ଦେଖୁଁ ଦେଖୁଁ ସେହି ଦୁହେଁ ହେଲେ ଆନ କାୟ

ପୁଣି ପ୍ରକାଶ ପାଇଲେ ଏକ ଅଙ୍ଗ ପ୍ରାୟ ।

ବ୍ରହ୍ମା ବିଷ୍ଣୁ ଆମ୍ଭେ ତିନି ଅଛୁ ଯେଉଁ ଠାଇଁ

ବେଗ ମହାବୀର ଆସି ମିଳେ ପାଶେ ଯାଇଁ ।

ଛାଡ଼ିଲେ ସେ ଏକ ମୂର୍ତ୍ତି ହୋଇ ସିଂହରଡ଼ି

କି ଜାଣି ଶବଦ ହେଲା କୋଟି ଘଡ଼ଘଡ଼ି ।

ତା ବିକଟ ରୂପ ଦେଖି ଭୟେ ବେଦବର

ପଳାଇ ପଶିଲେ ଯାଇ ସାଗର ଭିତର ।

ଅନନ୍ତ ରୂପ ତେଜି ମୁଁ ପ୍ରିୟେ ତା ଭୟରେ

ପଶିଣ ଲୁଚିଲି ଯାଇ ସାଗର ଗର୍ଭରେ ।

ସେ ରଡ଼ି ଶୁଣିଣ ନିଦ୍ରା ତେଜିଲେ ଶ୍ରୀପତି

ଉଠି ଦେଖିଲେ ଦାନବ ଭୟଙ୍କର ମୂର୍ତ୍ତି ।

ବିଷ୍ଣୁଙ୍କୁ ଦେଖି ଧାଇଁଲା ଦୈତ୍ୟ ବିକାରଳ

ମନ୍ଦେ ମନ୍ଦେ ହସିକରି ପ୍ରଭଉ ସୃଷ୍ଟିପାଳ ।

ମଧୁକୈଟଭ ବୋଇଲା ଛାଡ଼ ତୋର ହସ

ନିଶ୍ଚୟ ତୋହର ଆଜି ଖାଇଦି ମାଉଁସ ।

ଏମନ୍ତ କହିଣ ଦୈତ୍ୟ ଛାଡ଼ି ଘୋର ରଡ଼ି

ବିଷ୍ଣୁର ସ୍ଵରୂପ ଧରି ଊର୍ଦ୍ଧ୍ଵେ ଗଲା ଉଡ଼ି ।

ନବେ ସହସ୍ର ଯୋଜନ ହେଲା ଉଚ୍ଚତର

ଚାଳିଶ ଯୋଜନ ମୋଟ ହୋଇଲା ବିସ୍ତାର ।

ବିକଟାଳ ବଦନରେ ଘୋର ରଡ଼ି ଦେଇ

ବିଷ୍ଣୁ ଅଙ୍ଗେ ବିଧାଏ ସେ ପ୍ରହାରିଲା ନେଇ ।

ଦେଖିଣ ଆଶ୍ଚର୍ଯ୍ୟ ହେଲେ ସେହି ମଧୁ ଅରି

ଚକ୍ର ହସ୍ତିରେ ଘେନିଲେ ବିଶ୍ଵରୂପ ଧରି ।

ଗଦା କମ୍ବୁ ପଦ୍ମ ଘେନି ହେଲେ ଚତୁର୍ଭୁଜ

ତାହାଦେଖି ବେନି ମୂର୍ତ୍ତି ହୋଇଲେ ଦନୁଜ ।

ବିଷ୍ଣୁଙ୍କର ଆୟୁଧକୁ ଘେନିଲେ ଛଡ଼ାଇ

ସମୁଦ୍ରର ଭିତରକୁ ଦେଲେ ଫୋପଡ଼ାଇ ।

ଏକ ମୂର୍ତ୍ତି ହୋଇକରି ବିଷ୍ଣୁଙ୍କୁ ଧରିଲେ

ଆକଣ୍ଠ କରି ଝିଙ୍କନ୍ତେ ଚାଳି ନ ପାରିଲେ ।

ପୁଣି ପୁଣି ଝିଙ୍କନ୍ତି ସେ ଦୈତ୍ୟ ଆଣ୍ଟକରି

ବିଶ୍ଵରୂପ ଧରିଛନ୍ତି ପ୍ରଭୁ ଦଇତ୍ୟାରୀ ।

ନ ଚଳିଲେ ଦାନବଙ୍କ ଝିଙ୍କାରେ ଅଚ୍ୟୁତ

ମହାବାତରେ ଯେ ରୂପେ ପର୍ବତ ସ୍ଥକିତ ।

ତେମନ୍ତ ପ୍ରକାରେ ଦମ୍ଭେ ବସିଛନ୍ତି ହରି

ମଧୁ ମହାଦୈତ୍ୟ ତହୁଁ ପଦ୍ମପାଦ ଧରି ।

ଆଣ୍ଟେ ଓଟାରନ୍ତେ ଦେଲେ ଚରଣ ଛିଞ୍ଚାଡ଼ି

ମଧୁକୈଇଟଭ ଗଲେ ମହାଜଳେ ପଡ଼ି ।

ଉଠି ଦାନବ ଧଇଲା ପୁଣି ଅତି ବେଗେ

ପ୍ରତିଜ୍ଞା କରି ମିଳିଲା ନାରାୟଣ ଆଗେ ।

ପ୍ରତିଜ୍ଞା କରିଣ କେତେ ବୋଇଲା ଚାଣ୍ଡାଳ

ଆଜି ନାରାୟଣ ନିଶ୍ଚେ ପୂରିଲା ତୋ କାଳ ।

ଶ୍ରୀହିର ବୋଇଲେ ଆରେ ଦାନବ ପାମର

ତୋହ ଯୋଗେ ବହୁକାର୍ଯ୍ୟ ହୋଇବ ମୋହର ।

ଏ ତୋହର ପିଣ୍ଡକୁ ମୁଁ ମର୍ଦ୍ଦିକର ତଳେ

ମେଦିନୀ କରି ସ୍ଥାପିବି ଏହି ମହାଜଳେ ।

ତେବେ ସେ ସଚରାଚର ହୋଇବ ଜଗତ

ତେଣୁକରି ନିଶ୍ଚେ ତୋତେ କରିବୁରେ ହତ ।

ଏମନ୍ତ ଶୁଣି ଦାନବ କୋପେ ଥରହର

ଦ୍ଵିଗୁଣ ବଢ଼ାଇ ଦେଇ ଆପଣା ଶରୀର ।

ଆକର୍ଷି ଧଇଲା ବଳେ ବିଷ୍ଣୁ ଚାରି ଭୁଜ

ହିଆକୁ ହିଆ ଯୋଖିଣ ଠେସିଲା ଦନୁଜ ।

କିଞ୍ଚିତେ ପ୍ରଭୁଙ୍କୁ ଚାଳି ନ ପାରିଲା ଦୈତ୍ୟ

ଦୁନଜ ହୃଦରେ ନାତେ ମାଇଲେ ଅଚ୍ୟୁତ ।

ଉତ୍ତାନଶାୟୀ ହୋଇ ସେ ପଡ଼ି ଜଳଭାଗେ

ମହାଗର୍ଜନ ଛାଡ଼ିଣ ଉଠି ଅତି ବେଗେ ।

ଧାମଇ ଦଇତ କ୍ରୋଧ ହୋଇ ବେନି ମୂର୍ତ୍ତି

ବେଗେ ଆକର୍ଷିଲେ ବିଷ୍ଣୁଙ୍କର ବେନି କତି ।

କୋପେ ତହୁଁ ନାରାୟଣ ଦୈତ୍ୟ କେଶ ଧରି

ଆକର୍ଷିଣ ବୁଲାଇଲେ ଚକ୍ରକେଳି କରି ।

ବୁଲାଇ ଫିଙ୍ଗନ୍ତେ ହରି ସେ ଦୁହିଁଙ୍କି ବେଗ

ମଧୁକୈଟଭ ଧଇଲେ ପୁଣି ଏକ ଅଙ୍ଗ ।

ମହାର୍ଣ୍ଣବେ ଦାନବଙ୍କ ବିକ୍ରମ ମୂରତି

ଲୋହିତ ବର୍ଣ୍ଣ ପିଙ୍ଗଳ ଶରୀରର ଜ୍ୟୋତି ।

ଟହଟହ ହସ ଗହଗହ ଘୋର ଡାକେ

ବିଷ୍ଣୁଙ୍କ ବଜ୍ରମୁଥେକ ପ୍ରହାରେ ଛଟକେ ।

ଦାନବ ମୁଖରୁ ବଞ୍ଚି ଅପସରି ଗଲେ

ବିକ୍ରମି ଦୈତ୍ୟକୁ ଏକ ଚାପୋଡ଼ ମାଇଲେ ।

ବିଷ୍ଣୁ ପ୍ରହାରେ ଦାନବ ହୋଇଲା ମୂର୍ଚ୍ଛିତ

ହୁଙ୍କାର ନାଦରେ ପୁଣି ଉଠିଲା ତୁରିତ ।

ଧଇଲା ସେ ନାରାୟଣ ଭୁଜ ଅତି ବେଗେ

ରଡ଼ି ଛାଡ଼ି ଟଣାଟଣି କଲା ରଣ ରଙ୍ଗେ ।

କେବେହେଁ ପ୍ରଭୁଙ୍କୁ ପାଦେ ନ ପାରିଲା ଚାଳି

ନିର୍ବନ୍ଧେ ଭୁଜ ଧରିଣ ଅଛି ମହାବଳୀ ।

ନାରାୟଣ ନିଜ ଭୁଜ ଛିଞ୍ଚାଡ଼ି ପକାନ୍ତେ

ଦାନବ କରକୁ ଛାଡ଼େ ନାହିଁ କଦାଚିତେ ।

ଶୂନ୍ୟ ପୁରରେ ରହିଣ ଦାନବ ଶ୍ରୀହରି

ଲାଗିଲାକ ବାହୁଯୁଦ୍ଧ ଯେହ୍ନେ ମତ୍ତକରୀ ।

ଅବିଶ୍ରାନ୍ତେ ଯୁଦ୍ଧକଲେ ଅତଳ ଗଗନେ

ଅପ୍ରମିତ ବଳଶାଳୀ ସେହି ବେନି ଜନେ ।

ଏରୂପେ ପିତା ପୁତ୍ରଙ୍କ ଯୁଦ୍ଧ ଅପ୍ରମିତ

କି ଲେଖିବି କବି ଯୁଦ୍ଧ କୌଶଳ ବୃତ୍ତାନ୍ତ ।

ପାଞ୍ଚ ସହସ୍ର ବରଷ ପରିଯନ୍ତେ ରଣ

ମଧୁକୈଟଭର ତୁଲେ କଲେ ନରାୟଣ ।

କେହି କାହାକୁ ସମରେ ନ ପାରିଲେ ଜିଣି

ଗଡ଼ା ପଡ଼ା ହୋଇ ତଳେ ଯୁଦ୍ଧକଲେ ପୁଣି ।

ବିଚିତ୍ର ସମର କଲେ ଅପୂର୍ବ ବିନ୍ଧାଣ

ଅବିଶ୍ରାନ୍ତରେ ହୋଇଲା ଘୋରତର ରଣ ।

ଏମନ୍ତ ଜଳ ଭିତରେ ଦୁଃସହ ସମର

ଅନୁମାନେ ଲେଖେ କବି କିନ୍ତୁ ଅଗୋଚର ।

ଗହନ ସମର କଲେ ଦୈତ୍ୟ ଚକ୍ରପାଣି

କେବେହେଁ ସେ ଦାନବକୁ ନ ପାରିଲେ ଜିଣି ।

ଅତିଶ୍ରମ ପାଇ ରାଗେ ଦେବ ନାରାୟଣ ।

ଦାନବକୁ ବେନିଭୁଜେ ଧଇଲେ ମୋଡ଼ିଣ ।

ଫିଙ୍ଗିଦେଲେ ଗଣ୍ଠିହାଡ଼ ଛେଚିଦେଲେ ପବ

ଉଦ୍ଧରି ନ ପାରି ରଡ଼ି ଛାଡ଼ିଣ ଦାନବ ।

ଚିପାଚିପି ହେଉ ହେଉ ଛାଡ଼ିଲା ତା ପ୍ରାଣ

ସେ ମେଦ ପରେ ଉଠିଲେ ପ୍ରଭୁ ନାରାୟଣ ।

ମଧୁକୈଟଭର ସେହି ପାଣି ଆଣ୍ଠୁଆଣି

ତା ପିଣ୍ଡ ପଡ଼ି ଭାସନ୍ତେ ବ୍ୟାପିଲା ମେଦିନୀ ।

ଦାନବ ମେଦା ମେଦରେ ମେଦିନୀ ବରଣ

ତାପରେ ବିଜେ କରିଲେ ଦେବ ନାରାୟଣ ।

ଦୈତ୍ୟବଧ ଜାଣି ଶିବ ବିଧାତା ଆସିଲେ

ନାରାୟଣ ଦେବଙ୍କର ନିକଟେ ମିଳିଲେ ।

ସେ ମେଦିନୀ ପରେ ତହିଁ ବ୍ରହ୍ମା ବିଷ୍ଣୁ ମୁହି

ଗମନ କରନ୍ତେ ସେହୁ ହୋଇଲା ଅସ୍ଥାୟୀ ।

ନାବ ପରାୟେ ସର୍ବଦା ଭାସିଲାକ ଜଳେ

ଚକ୍ର ପରାୟେ ବୁଲଇ ସେହି କେତେବେଳେ ।

ସ୍ଥକିତ କରିଲେ ତାଙ୍କୁ ଆଜ୍ଞାରେ ଖଟାଇ

ତଦପରେ ମାନଦଣ୍ଡ ପୋତିଦେଲେ ବିହି ।

ଲକ୍ଷେକ ଯୋଜନ ସେ ଯେ ବହଳେ ଫୁଟିଲା

ଅଷ୍ଟବିଂଶତି ଯୋଜନ ତଳେ ନିକିଳିଲା ।

ତହିଁର ଉପରେ ପ୍ରଭୁ ବିଜେକଲେ ଯାଇ

ବିଶ୍ଵରୂପ ଧରି ଦଣ୍ଡ ଧଇଲାକ ମହୀ ।

ପାଞ୍ଚଲକ୍ଷ ଯୋଜନ ସେ ଉପରେ ରହିଲା

ଏମନ୍ତ ପ୍ରକାରେ ସେହୁ ମେଦିନୀ ଧଇଲା ।

ଯହୁଁ ଏ ରୂପେ ଧଇଲା ଭାରାଭର ସେହି

ମେରୁ ବୋଲିଣ ତାହାର ନାମ ଦେଲେ ବିହି ।

ମଧୁକୈଟଭ ଦୈତ୍ୟର ବୃହତ ଶରୀର

ହୃଦୟ ମେଦିନୀ ତାର ଶିର ସ୍ଵର୍ଗପୁର ।

ଏଥୁଅନନ୍ତରେ ଶୁଣ ଆଗୋ ହୈମବତୀ

ଏ ରୂପେ ଶ୍ରୀନାରାୟଣ ସୃଜିଛନ୍ତି କ୍ଷିତି ।

ନିଶ୍ଚଳେ ଅର୍ଥେ ପୋତିଲେ ବିଧାତା ତ୍ରିଦଣ୍ଡ

ତଥାପି ଧଇର୍ଯ୍ୟ ଦମ୍ଭ ନୋହିଲେ ବ୍ରହ୍ମାଣ୍ଡ ।

ଯହୁଁ ଟଳିଗଲା ପରି ହୋଇଲା ଧରଣୀ

ତାହା ଦେଖିଣ ଉପାୟ କଲେ ଚକ୍ରପାଣି ।

ଆପଣା ଅଙ୍ଗୁ ଉପାଡ଼ି ଆଠଗୋଟି ଲୋମ

ଅଷ୍ଟକୋଣେ ପୋତିଦେଲେ ପଙ୍କେ କୀଳା ସମ ।

ସେହି ଅଷ୍ଟକୋଣ ଜାଣ ହେଲା ଅଷ୍ଟଗିରି

ତାହାଙ୍କର ନାମ ତୁହି ରଖ ହେତୁକରି ।

ପୂର୍ବେ ଉଦେଗିରି ନୀଳଗିରି ଅଗ୍ନିକୋଣେ

ମନ୍ଦର ଗିରି ନାମେକ ରହିଲେ ଦକ୍ଷିଣେ ।

ନୈର୍ଋତ କୋଣେ ଅଛଇ ବିନ୍ଧ୍ୟ ପରବତ

ପଶ୍ଚିମରେ ଅସ୍ତାଚଳ ତାର ନାମ ଶ୍ଵେତ ।

ରହିଲା ମନ୍ଦର ନାମ ଗିରି ବାୟୁକୋଣେ

ଉତ୍ତରରେ ହିମବନ୍ତ କୈଳାସ ଈଶାନେ ।

ଏ ବିଧିରେ ଅଷ୍ଟଗିରି ଅଷ୍ଟକୋଣେ ସ୍ଥିତି

ତଥାପି ମେଦିନୀ ତହିଁ ହୋଇଲା ଅସ୍ଥିର ।

ତହିଁକି ଉପାୟ ଏକ ସୃଜି ବେଦବର ।

ଅଷ୍ଟାଙ୍ଗ ଯୋଗେ ମାତାଙ୍କୁ ବସି ଧ୍ୟାନ କଲେ

ତକ୍ଷଣେ ଅଷ୍ଟଚଣ୍ଡିକା ଉତ୍ପନ୍ନ ହୋଇଲେ ।

ସେ ଅଷ୍ଟଚଣ୍ଡୀକି ଧାତା ବହୁ ପୂଜା କରି

ସ୍ଥାପିଲେ ସେ ଅଷ୍ଟଗିରି ଶିଖେ କୁଶଧାରୀ ।

 

ସେ ଦେବୀମାନେ ଗିରିକି ବସିଲେକ ମାଡ଼ି

ପୂର୍ବେ ବ୍ରହ୍ମଣୀ ରହିଲେ ଶ୍ଵେତହଂସ ଛାଡ଼ି ।

ଅଗ୍ନିକୋଣ ପର୍ବତରେ ରହିଲେ କୁମାରୀ

ମୟୂର ବାହନେ ରହିଲେକ ନୀଳଗିରି ।

ଦକ୍ଷିଣ ଦିଗ ମନ୍ଦର ଗିରି ଶିଖସ୍ଥାନେ

ବରାହୀ ରୂପରେ ବିଜେ କେଶରୀ ବାହନେ ।

ନୈର୍ଋତ କୋଣେ ରହିଲେ ବିନ୍ଧ୍ୟଗିରି ମାଡ଼ି

ବିଜେ କଲେ ନାରାୟଣୀ ଖଗବର ଚଢ଼ି ।

ପଶ୍ଚିମ ଦିଗ ଭାଗରେ ଶ୍ଵେତଗିରି ଶିରେ

ବିଜେ କରିଲେ ଇନ୍ଦ୍ରାଣୀ ଖଗ ଆସନରେ ।

ବାୟବ୍ୟକୋଣେ ମନ୍ଦର ପରବତ ସ୍ଥିତି

ନରବାହନେ ବିଜୟ ଚାମଣ୍ଡା ମୂରତି ।

ଉତ୍ତର ଦିଗରେ ସ୍ଥିତ ହିମବନ୍ତ ଗିରି

ବୃଷଭ ବାହନେ ବିଜେ କଲେ ମାହେଶ୍ଵରୀ ।

ଅଈଶାନ୍ୟ ଦିଗ କୋଣେ କଇଳାସ ସ୍ଥାନେ

ବିଜେ କଲେ ଲକ୍ଷ୍ମୀଦେବୀ ମକର ବାହନେ ।

ଏ ବିଧିରେ ଅଷ୍ଟକୋଣେ ଅଷ୍ଟଚଣ୍ଡୀ ସ୍ଥିତି

ସ୍ଥାପିଲେକ ମୂର୍ତ୍ତିମନ୍ତ କରି ବେଦପତି ।

ବସନ୍ତି ସେ ଗିରିବର ମାଡ଼ି ଅଷ୍ଟଚଣ୍ଡୀ

ନିଶ୍ଚଳ ହୋଇଲା ତେବେ ଯାଇ ମହୀଖଣ୍ଡି ।

ତାହାପରେ ମୁହିଁ ନାରାୟଣ ପଦ୍ମଯୋନି

ସେ ମେରୁ ଗିରି ଶିକରେ ବିଜେ କଲୁ ତିନି ।

ଯେବଣଠାରେ ଯାଇ ହୋଇଲେକ ଉତ୍ତା

ସେହି ସ୍ଥାନରେ ସୁଧର୍ମା ନାମେ ହେଲା ସଭା ।

ଅକସ୍ମାତେ ସଭାଗୃହ ହୋଇଲା ଗଠନ

ଦେବତାମାନେ କରିବେ ତହିଁ ବିହରଣ ।

ସେହି ଗିରି ଶୂନ୍ୟସ୍ଥାନ ମଣ୍ଡପରେ ବସି

ବ୍ରହ୍ମାଙ୍କୁ ଚାହିଁ ବୋଲନ୍ତି ଦେବ ହୃଷୀକେଶୀ ।

ଅସୁର ମେଦ ମେଦାରେ ହେଲା ତ ଧରଣୀ

ଜୀବଜନ୍ତୁମାନେ ଏବେ ରଖାଅ ହୋ ଆଣି ।

ଏ ବଚନ ଶୁଣିକରି କହିଲେ ବିଧାତା

ଯେବଣ ପୃଥ୍ଵୀ ସୃଜିଲେ ଜଗତ କରତା ।

ମଧୁକୈଟଭ ମେଦରେ ପୃଥ୍ଵୀ କଲା ସ୍ଥିତ

ସ୍ଵରୂପରେ ପରକାଶ ଏଥି ଆଦିମାତ ।

ତେବେ ଏ ପୃଥିବୀ ଗୋଟି ଦମ୍ଭରେ ରହିବ

ଏଥିମଧ୍ୟରେ ଚଉଦ ଭୁବନ ହୋଇବ ।

ପୁଣି ଏହାପରେ ହେଲା ଅପର୍ଯ୍ୟାପ୍ତ ବିଧି

ନବଖଣ୍ଡ ମେଦିନୀ ଯେ ସପ୍ତ ବାରାନିଧି ।

ବନଗିରି କନ୍ଦର ଯେ ଉଚ୍ଚ ନୀଚ ସ୍ଥାନ

ନାନାଜାତି ଜୀବ ହେବେ ଆନୁଆନ ବର୍ଣ୍ଣ ।

ଅନେକ ପୁର ୟା ପରେ ହୋଇବ ରଚନ

ବିବିଧ ପ୍ରକାର ପୁଣି ଦିଶିବ ଶୋଭନ ।

ଅନେକ ଅବତାର ଯେ ହେବ ତୁମ୍ଭେ ଏଥି

ଏରୂପେ ପାଳନ ଯାଇଁ ହୋଇବ ଏ ପୃଥ୍ଵୀ ।

ଏ ମଞ୍ଚଭୁବନ ଗୋଟି ଅଟେ ମୂଳସ୍ଥାନ

ସ୍ଥିରକରି ଶୁଣ ପ୍ରିୟେ ଦେଇ ମନକର୍ଣ୍ଣ ।

ଶ୍ରୀହରି ଚରଣ ଚିନ୍ତି ଅନବରତରେ

ଦୀନ ହୀନ ହରି ଦାଶ ଲେଖଇ ପଦ୍ୟରେ ।

•••

 

ଦକ୍ଷପ୍ରଜାପତି ଜନ୍ମ ବିବରଣ ଓ ସପ୍ତ ପାତାଳ, ସପ୍ତସ୍ଵର୍ଗ ସର୍ଜନା

 

ଏଥୁଅନନ୍ତରେ ପ୍ରିୟେ ଶୁଣ ସ୍ଥିର ହୋଇ

ଏହାପରେ ଯାହା ହେଲା କହୁଛି ବୁଝାଇ ।

ସେ ପୃଥିବୀ ପରେ ବ୍ରହ୍ମା ବସି ଯୋଗାସନେ

ନିରାକାର ରୂପ ଚିନ୍ତାକଲେ ମନେ ମନେ ।

ଧ୍ୟାନେ ବସି ଚିନ୍ତା କରୁ କରୁ ବିଦ୍ୟଜ୍ୟୋତି

ନିଜ ଅଙ୍ଗରୁ ପୁରୁଷେ କଲେ ଉତପତ୍ତି ।

ଅପୂର୍ବ ପୁରୁଷ ତାର ବେହ ଦିବ୍ୟଶୋଭା

ପଟାନ୍ତର ନାହିଁ ସେହୁ ନିରଞ୍ଜନ ପ୍ରଭା ।

ଦ୍ଵିତୀୟ ବେଦବରଙ୍କ ପ୍ରାଏ ତାର ମୂର୍ତ୍ତି

ସକଳ ଗୁଣ ଘେନିଣ ସେହି ଉତପତ୍ତି ।

ବିବେକ ଗୁଣବନ୍ତ ସେ ସୁବୁଦ୍ଧି ପଣ୍ଡିତ

ଧାର୍ମିକ ଶଉର୍ଯ୍ୟବନ୍ତ ଧୀର ଶାନ୍ତ ଚିତ୍ତ ।

ରୂପେ ରୂପବନ୍ତ ପୁଣି ବିଦ୍ୟାର କୁଶଳ

କ୍ଷତ୍ରିୟ ଗୁଣନିଧି ଯେ ସୁଜ୍ଞାନୀ ସୁଶୀଳ ।

ଦୟାବନ୍ତ ତେଜୋବନ୍ତ ସାମର୍ଥ ପ୍ରତାପୀ

ସୁରବନ୍ତ ସତ୍ୟାଚାରୀ ବଳିଷ୍ଠ ନିଷ୍ପପୀ ।

 

 

ସାଧକ ଲୟକ ଗୁଣ ଘେନି ଅବତାର

ଦେଖି ପ୍ରଶଂସିଲେ ତାକୁ ବ୍ରହ୍ମା ବିଷ୍ଣୁ ହର ।

କୁମର ରୂପ ଦେଖିଣ ଆନନ୍ଦ ବିଧାତ

ତାର ନାମ ଦକ୍ଷ ଦେଲେ ରହିଅଛି ଖ୍ୟାତ ।

କୋଳରେ ଧରି ତାହାକୁ ବହୁତ ତିଆରି

ଚାରିଦେବ ଅର୍ଥ କହିଦେଲେ ବ୍ୟକ୍ତକରି ।

ଷଡ଼ଶାସ୍ତ୍ର ସହିତରେ ଅଠର ପୁରାଣ

ଛତିଶ ସୁତି ପୁଣି ଯେ ନବ ବ୍ୟାକରଣ ।

ବିଷ୍ଣୁର ସହସ୍ର ନାମ ଅବତାର ଲୀଳା

କବଚ ଅପରାଜିତା ଚଣ୍ଡୀ ମହାକଳା ।

ନବ ନାଟକ ଶ୍ରୀହରି ସ୍ତବ ବିଦ୍ୟାମାନ

ଅଷ୍ଟାଙ୍ଗ ଯୋଗର ବିଧି ଚଉରାଶି ଜ୍ଞାନ ।

ମନ ସଞ୍ଜମନ ପୁଣି ସାଧନ ଆସନ

ଏମନ୍ତ ପ୍ରକାରେ ଯେତେ ଶାସ୍ତ୍ର ଜ୍ଞାନମାନ ।

ଧ୍ୟାନ ଧାରଣ ନ୍ୟାସ ଯେ ନ୍ୟାୟ ନିତ୍ୟାଚାର

ପୂଜା ବୈଶ୍ଵଦେବ ଆଦି ଯାବତ ବେଭାର ।

ଦାନ ଧ୍ୟାନ ବ୍ରତ ପୁଣି ଭବିଷ୍ୟ ଆଗତ

ଛତିଶ ବ୍ରତର ମୂଳେ ବଞ୍ଚନ୍ତି ଯାବତ ।

ଔଷଧ ମନ୍ତ୍ର ଯନ୍ତ୍ର ଯେ ଠୁଣିକା ପ୍ରସନ୍ନ

କୁହୁକ ଉଲୁକ ପୁଣି ଗୋଟିକା ଅଞ୍ଜନ ।

ବେଦାନ୍ତ ଯେ ବ୍ରହ୍ମଜ୍ଞାନ ସାବିତ୍ରୀ ଗାୟତ୍ରୀ

ଅବ୍ୟକ୍ତ ବାକ୍ୟ ଅଜପା ଜପା ଆଦି ଚିନ୍ତି ।

ପାଦୁକା ଧୂପଗୁଣ୍ଡ ଯେ ମୃତ ସଞ୍ଜିବନୀ

କହନ୍ତି ଦକ୍ଷ ବ୍ରହ୍ମାଙ୍କ ଆଗେ ପଦ୍ମଯୋନି ।

ଚାରିଜାତି ମୂଳେ ଯେତେ ଛପ୍ନାକୋଟି ଜୀବ

ଏ ଚଉଦ ଭୁବନରେ ଯେତକ ବସିବ ।

ଓଁକାର ଆକାର ପୁଣି ମକାର ଲକାର

ଏ ଚାରି ବାଣୀ ମୂଳରେ ଶବଦ ଅପାର ।

ବୟାଳିଶ ରାଗିଣୀ ଯେ ବାର ତାଳ ଘେନି

ପଞ୍ଚମ ଶବଦ ଆଉ ଚାରି ଦେବଧ୍ଵନି ।

ଛପନକୋଟି ଜୀବଙ୍କ କୋଟି କୋଟି ମୂର୍ତ୍ତି

ନାମ ଧରି ବେଦପତି ବୁଝାଇ କହନ୍ତି ।

ଜନ୍ତୁଙ୍କର ନାମ ଆଉ ମନୁଷ୍ୟଙ୍କ ଜାତି

ନାଗଲୋକଙ୍କ ସ୍ଵରୂପ ଦେବତା ମୂରତି ।

ପାଟଣା ଯେ ତୀର୍ଥ ଛତ୍ରପୁର ବନଗିରି

ପୃଥିବୀ ସାଗର ପୁଣି ନଦୀ ଆଦିକରି ।

ରାଜା ପରଜା ଯେ ବିଧି ଭିଆଣ ସଂସାର

ଯେବଣ ଜାତିର ଅଟେ ଯେବଣ ଆଚାର ।

କହିଲେ ଦକ୍ଷବ୍ରହ୍ମାଙ୍କ ଆଗେ କୁଶଧାରୀ

ତୋର ମନ ନିତ୍ୟେ ସୃଷ୍ଟି କର ଯାଇଁକରି ।

ସଂସାର ଭିଆଣ ବାବୁ କର ଏହି ମତେ

ଯାବତ ଭିଆଣ ସୂତ୍ର କହିଦେଲୁ ତୋତେ ।

ସକଳ କାଳେ ପୃଥିବୀ ସରଜନ କାଳେ

ଆମ୍ଭେ ଜାତ ହୋଇଥାଉ ଅନାଦିଙ୍କ କୋଳେ ।

ତୁ ପୁଣି ମୋର ମନରୁ ଉତପତ୍ତି ହେଉ

ବେଦ ବାକ୍ୟ ଘେନିକରି ସଂସାର ଭିଆଉ ।

ବେଦ ବୋଲଣ ଅଟଇ ଯେବଣ ବଚନ

କୋଟି କୋଟି କଳ୍ପାନ୍ତର ନୁହଇ ସେ ଆନ ।

ସୃଷ୍ଟି ଅନ୍ତକାଳେ ଥାଇ ବିଷ୍ଣୁ ନିଜ ଅଙ୍ଗେ

ବେଦରେ ପୂର୍ଣ୍ଣ ହୋଇଣ ଥାଆନ୍ତି ଶ୍ରୀଅଙ୍ଗେ ।

ବେଦମୟ ଅଙ୍ଗ ଜାର ବେଦମୟ ଆତ୍ମା

ଏମନ୍ତ ବୋଲିକରି ସେ ଯେବଣ ମହାତ୍ମା ।

ସେ ପୁରୁଷ ଅଙ୍ଗୁ ତ୍ରିଗୁଣର ତେଜ ଘେନି

ବ୍ରହ୍ମା ବିଷ୍ଣୁ ହର ଆମ୍ଭେ ଜନମିଲୁ ତିନି ।

ବେଦ ଅଙ୍ଗୁ ଯେଣୁକରି ହୋଇଲୁ ସମ୍ଭୂତ

ତେଣୁ ଆତ୍ମା ଅଙ୍ଗରୁ ହେ ସ୍ଫୁରେ ବେଦତତ୍ତ୍ଵ ।

ଏ ବେଦର ତତ୍ତ୍ଵ ଯେହୁ ଜାଣେ ପରିମାଣି

ଭିଆଇ ପାରଇ ସେହୁ ଅଶେଷ ଧରଣୀ ।

ତୋହର ଆଗେ କହିଲୁ ଆମ୍ଭେ ଅର୍ଥ ତତ୍ଵ

ତୁହି ଏବେ ଦକ୍ଷବ୍ରହ୍ମା ଭିଅଇ ଜଗତ ।

ଏରୂପେ ବୁଝାଇ ସର୍ବ କହିଲେ ବିଧାତା

ସଂସାର ଭିଆଣ ଚିନ୍ତି ଜଗତ କରତା ।

ଜୀବ ସ୍ଵରୂପ ସକଳ ଯେ ଉପଲେଖନ

ଲିହିବା କହିବା ଆଦି ସକଳ ବିଧାନ ।

ଏରୂପେ ସକଳ ଭାର ଦେଲେ ବେଦବର

ଏବେ ଯାଇକରି ତୁମ୍ଭେ ଭଆଅ ସଂସାର ।

ଭାଳି ଭଲରୂପେ ବାବୁ ସଂସାର କରିବୁ

ଅନାଦି ନାଥଙ୍କଠାରୁ ପ୍ରଶଂସା ପାଇବୁ ।

ଏ ବଚନ ଶୁଣିକରି ସେହି ଦକ୍ଷ ବିହି

ପିତାଙ୍କ ଚରଣ ବନ୍ଦି ଅଇଲାକ ସେହି ।

ସଂସାର ସର୍ଜିବା ପାଇଁ ସେ ଦକ୍ଷ ଅଇଲେ

ଏ ବିଧିରେ ଚତୁର୍ଦ୍ଦଶ ଭୁବନ ରଚିଲେ ।

ଅତିତଳ ମହାତଳ ସୁତଳ ବିତଳ

ତଳାତଳ ରସାତଳ ଉପରେ ପାତାଳ ।

ଏହାର ଉପରେ ମଞ୍ଚ ତା ଉପରେ ସ୍ଵର୍ଗ

ସତ୍ୟେକ ନାମରେ ତହିଁ ପୁରେକ ଉତ୍ସର୍ଗ ।

ସେ ଭୂମି ଉପରେ ପୁଣି ଶୂନ୍ୟ ନାମ ପୁର

ତିଥି ଭପରେ ଗୋମତିପୁର ଶୋଭାକର ।

ଗୋମତି ଉପରେ ପୁଣି ନିରାକାର ସ୍ଥାନ

ଏମନ୍ତ ଚଉଦପୁର ହେଲା ବିଦ୍ୟମାନ ।

ତଥି ଉପରେ ଶୋଭିତ ପୁଣି ଶୂନ୍ୟପୁର

ସେ ପୁର ବିଜୟ ଅବ୍ୟକତ ନିରାକାର ।

ସେ ନିରାକାର ସ୍ଵାମୀଙ୍କି ହୃଦଗତେ ଚିନ୍ତି

ଚଉଦ ଭୁବନ ମଧ୍ୟେ ସ୍ଥାପି ବିଷ୍ଣୁମୂର୍ତ୍ତି ।

ଭୂମିରେ ରଚିଲେ ଏକ ବଇକୁଣ୍ଠ ପୁର

ପୁରେକ ସ୍ଥାପିଲେ ଯହିଁ ବିଷ୍ଣୁ ଅବତାର ।

ଭିନ୍ନ ଭିନ୍ନ ମୂର୍ତ୍ତି କରି ସ୍ଥାପି ନାରାୟଣ

ବିଷ୍ଣୁ ସେ ସକଳ ପୁରେ ଧାରଣ କାରଣ ।

ଯାବତ ଜନ୍ତୁଏ ଜନ୍ମ ହୋଇବେ କେମନ୍ତେ

ଦକ୍ଷ ବ୍ରହ୍ମା ପୁଚ୍ଛାକଲେ ବ୍ରହ୍ମାଙ୍କ ଅଗ୍ରତେ ।

ଦକ୍ଷକୁ ପୁଚ୍ଛା କରିଲେ ଅନାଗ କୁମର

କେଉଁ ରୂପରେ ସର୍ଜନା କଲ ଏ ସଂସାର ।

ଦକ୍ଷ ବୋଇଲେ ସର୍ଜିଲି ମୁହିଁ ପୂର୍ବ ମତେ

ମେରୁ ମୂଳରେ ଅନାଦି ବିଷ୍ଣୁ ପରିଯନ୍ତେ ।

ସ୍ଥାପିଲି ମୁଁ ଚତୁର୍ଦ୍ଦଶ ପୁର ଏତେକାଳେ

ଚାରି ଚାରି ଲକ୍ଷ ଯୋଜନର ପୁରେ ପୁରେ ।

ଅତିତଳ ଉପରେ ସେ ରସାତଳ ବୋଲି

ଯୋଜନ ଅନ୍ତରେ ଏକ ପୁର ଭିଆଇଲି ।

କ୍ରମେ ଭୂତଳ ବିତଳ ଆବର ସୁତଳ

ଅତିତଳ ମହାତଳ ତାପରେ ପାତାଳ ।

ତହିଁପରେ ମଞ୍ଚ ମଞ୍ଚ ଉପରେ ସ୍ଵରଗ

ଶଙ୍କି ନାମରେ ପୁରେକ ଯହିଁରେ ଉତ୍ସର୍ଗ ।

ସେ ପୁର ଉପରେ ଅଛି ସ୍ଵର୍ଣ୍ଣ ପୀଢ଼ ପୁର

ତଥି ଉପରେ ଗୋମତି ପୁର ଶୋଭାକର ।

ଗୋମତି ପୁର ଉପରେ ନିରାକାର ସ୍ଥାନ

ଏରୂପେ କଲି ଚଉଦ ପୁର ବିଦ୍ୟମାନ ।

ତହିଁର ଉପରେ ସ୍ଥିତ ଠୁଳ ଶୂନ୍ୟ ପୁର

ସେ ପୁର ମଧ୍ୟେ ବିଜୟ ପ୍ରଭୁ ନିରାକାର ।

ସେହି ନିରାକାରଙ୍କର ହୃଦପଦ୍ମ ଚିହ୍ନ

ସର୍ବତ୍ର ସ୍ଥାପିଲି ପୁଣି ବିଷ୍ଣୁ ମୂର୍ତ୍ତମାନ ।

ଭୂମିରେ ସ୍ଥାପିଲି ନିତ୍ୟ ବଇକୁଣ୍ଠ ପୁର

ସେହି ପୁର ବିଷ୍ଣୁଙ୍କର ନିତ୍ୟ ଅବତାର ।

ଭିନ୍ନ ଭିନ୍ନ ମୂର୍ତ୍ତିରେ ମୁଁ ସ୍ଥାପି ନାରାୟଣ

ସେ ବିଷ୍ଣୁ ଉପରେ ସର୍ବ ଧାରଣ କାରଣ ।

ଏଥୁଅନ୍ତେ ଜୀବଜନ୍ତୁ ହୋଇଲେ କେମନ୍ତେ

ଏଥକୁ ଉପାୟ ତାତ କହିଦିଅ ମୋତେ ।

ବ୍ରହ୍ମା ବୋଇଲେ ପୁଚ୍ଛିଲ ମୋତେ ଯେଉଁ ବାଣୀ

ଏକମନେ ଶୁଣ ତୁହି ତହିଁର କାହାଣୀ ।

ମେରୁ ମୂଳଏ ସ୍ଥାପିଲୁ ତୁହି ଯେଉଁ ପୁର

ସେ ପୁରେ ବିଜେ କରିବେ ଦେବ ଚକ୍ରଧର ।

ତାହାଙ୍କ ନାଭିରୁ ଏକ କମଳ ଫୁଟିବ

ସେ ପଦ୍ମ ଭିତରୁ ଏକ ବ୍ରହ୍ମା ଜାତ ହେବ ।

ସେହି ବିଧାତା ଅଟଇ ଜଗତର ତାତ

ସର୍ବଦା ବିଷ୍ଣୁଙ୍କ ନାଭି କମଳେ ତା ସ୍ଥିତ ।

ସେହି ବ୍ରହ୍ମାଙ୍କ ଭେଟକୁ ପାଇବୁ ଯେ ଦିନ

ଚଉଦ କନ୍ୟା ତୋହର ହୋଇବେ ଉତ୍ପନ୍ନ ।

ଜ୍ୟେଷ୍ଠ କନ୍ୟାଟି ତୋହର ସେ ବ୍ରହ୍ମାଙ୍କୁ ଦେବୁ

ଆଉ କନ୍ୟା ଘେନିଣ ତୁ ପାତାଳକୁ ଯିବୁ ।

ବିଷ୍ଣୁଙ୍କ ଅଂଶରେ ଜାତ କଶ୍ୟପ ମହର୍ଷି

ପାତାଳ ପୁରରେ ସେହି ତପେ ଥିବ ବସି ।

ସେ ଋଷିଙ୍କୁ ନେଇ ତୋର ଦୁହିତାକୁ ଦେବୁ

ସମ୍ବତ୍ସରଯାଏ ତୁହି ସେ ପୁରେ ରହିବୁ ।

କଶ୍ୟପ ବୀର୍ଯ୍ୟରୁ ତୋର ଦୁହିତାର ଗର୍ଭୁ

ନାନାଦି ଜୀବ ଜନ୍ତୁଏ ଉପୁଜିବେ ସବୁ ।

ଚଉଦ ଭୁବନେ ତାହା ନିଯୋଗିବୁ ଆଣି

ତେବେ ସେ ପୂର୍ଣ୍ଣ ହୋଇବ ସକଳ ଧରଣୀ ।

•••

 

କାମଦେବଙ୍କ ଜନ୍ମ ବିବରଣ

 

ଏମନ୍ତ ଶୁଣି ଆନନ୍ଦ ହେଲେ ପ୍ରଜାପତି

ଏଥୁଅନନ୍ତରେ ଶୁଣ ଆଗୋ ହୈମବତୀ ।

ଏରୂପେ ଧାତା କହନ୍ତେ ପୃଥିବୀ ବସାଣ

ଅତି ଅନନ୍ଦ ହୋଇଲେ ତେଣେ ନାରାୟଣ ।

ମନରେ ହରଷ ସେହୁ ପ୍ରମୋଦିତ ଚିତ୍ତ

ଶରୀର ମଧ୍ୟରୁ କଲେ ପୁତ୍ରକ ସେ ଜାତ ।

ସୁଲଳିତ ନୀଳ ବର୍ଣ୍ଣ ସୁକୁମାର ଅଙ୍ଗ

ପ୍ରସନ୍ନ ବଦନ ପୁଣି ଅଧର ସୁରଙ୍ଗ ।

କୁଟିଳ କୁନ୍ତଳେ ଶୋଭା ସେ କବରୀ ଭାର

ବିବିଧ ପୁଷ୍ପରେ ଗଭା ସମ୍ମୁଖରେ ଚୂଳ

ସୁସଞ୍ଚ ନାସିକା ସମ ବିଶିଖ ଲୋଚନ

ଚାହାଁନ୍ତେ ମୋହ କରନ୍ତି ସବୁଙ୍କରି ମନ ।

ସନ୍ଦର କୁଣ୍ଡଳ ବେନି କର୍ଣ୍ଣ ଢ଼ଳ ଢ଼ଳ

ଗଳାରେ ଲମ୍ଭି ଅଛଇ ଦିବ୍ୟ ବନମାଳ ।

ବିବିଧ ପଦକ ନାନା ରତନରେ ମାଳ

ବିସ୍ତାର ବକ୍ଷ ସ୍ଥଳରେ ଲମ୍ବଇ ଗହଳ ।

 

 

ଆଜାନୁ ଲମ୍ବିତ ଭୁଜ ଶାଳବୃକ୍ଷ ଜାଣି

କଚଟି ବାହୁଟି ନାନା ମୁଦ୍ରିକା ଖଞ୍ଜଣୀ ।

ବାମରେ କୋଦଣ୍ଡ ସାଜେ ଦକ୍ଷିଣେ ପୁଷ୍କର

କଟିରେ ନୀଳ ବସନ ମେଖଳା ହୀରାର ।

ବଳିଷ୍ଠ ଯେ ବେନି ଜାନୁ କିବା ରମ୍ଭାବୃକ୍ଷ

ସୁସଞ୍ଚ ଚରଣ ବେନି କମଳ ପ୍ରତ୍ୟକ୍ଷ ।

କନକ ନୂପୁର ଶୋଭାପାଏ ଯେ ପୟରେ

ଉପମା ଦେବାକୁ ନାହିଁ ତିନି ଭୁବନରେ ।

ବିଦ୍ୟ ମନୋହର ବେଶ କୃଷ୍ଣ ଅଙ୍ଗୁ ଜାତ

ଅଭିନବ ଅଙ୍ଗ ଶୋଭା ନୁହଇ ବର୍ଣ୍ଣିତ ।

ସୁରଙ୍ଗ ଅଧର ଶୋଭା ମନ୍ଦ ମନ୍ଦ ହାସେ

ବଚନ ପ୍ରକାଶନ୍ତି କି ଅମୀୟ ବରଷେ ।

ଅପରୂପ କାଳାନିଧି ଦେଖି ରୂପ ତାର

କନ୍ଦର୍ପ ବୋଲିଣ ନାମ ଦେଲେ ଚକ୍ରଧର ।

ବ୍ରହ୍ମା ବୋଇଲେ ମନରୁ ହେଲା ଯହୁଁ ଜାତ

ତେଣୁ ତାହାଙ୍କର ନାମ ହୋଇଲା ମନ୍ମଥ ।

ଦକ୍ଷ ବୋଇଲେ ଏହୁ ତ ମୋହିଲା ମନକୁ

ମନସିଜ ନାମ ଗୋଟି ଦେବାକୁ ଏହାକୁ ।

ବିଧାତା ବୋଇଲେ ଏହା ନାମ ଚନ୍ଦ୍ରକେତୁ

ଏହା ପ୍ରଭାବେ ଜନ୍ମିଲେ ସର୍ବ ଜୀବଜନ୍ତୁ ।

ଏଥୁଅନନ୍ତରେ ଜନେ ଶୁଣ ମନ ଦେଇ

ସେ କାମଦେବଙ୍କ ଚନୁ ଜଗତ ମୋହଇ ।

ଈଶ୍ଵର ଚାହିଁଲେ ଯହିଁ ମନସିଜ ମୁଖ

ତତକ୍ଷଣେ ଘୋଟିଳାକ ତାଙ୍କୁ କାମ ଦୁଃଖ ।

ଅଳପ ବକ୍ର କରିଣ ଚାହିଁଲେ ମଦନ

ବନ୍ଦୀକଲେ ଈଶ୍ଵରଙ୍କ ସେହୁ ପଞ୍ଜମନ ।

କୋଦଣ୍ଡ କରେ ଧରିଣ ବସାଇଲେ ଶର

ଆମଞ୍ଚିଣ ବିନ୍ଦନ୍ତେ ଯେ ଢଳିଲେ ଶଙ୍କର ।

ପୁରୁଷ ରୂପକୁ ଦେଖି ପୁରୁଷ ଯେ ମୋହି

ଢାଳେ ମୋହଗଲେ ତହିଁ ଈଶ୍ଵର ଗୋସାଇଁ ।

ଯହିଁ ସେହୁ କାମଦେବ ଈଶ୍ଵରେ ପୀଡ଼ିଲା

ହରି ରିପୁ ନାମ ତେଣୁକରି ସେ ବହିଲା ।

ସେ ଅକାମ ପୁରୁଷର ଧୈର୍ଯ୍ୟ କଲା ଭଙ୍ଗ

ତେଣୁକରି ତାର ନାମ ହୋଇଲା ଅନଙ୍ଗ ।

ଅନଙ୍ଗ ରୂପ ଧରିଣ ଅନାଦି ଈଶ୍ଵର

ମାତାକୁ ସୁମରି ସେହୁ ଢଳିଲେ ସତ୍ଵର ।

ଅଲେଖପୁର ମଧ୍ୟରେ ଅନ୍ନପୂର୍ଣ୍ଣା ଥିଲେ

ଈଶ୍ଵରଙ୍କ ବେଦନା ସେ ଧ୍ୟାନରେ ଜାଣିଲେ ।

ଶୂନ୍ୟ ପୁରୁଷ ତତ୍‌କ୍ଷଣେ ଦେବୀ ଅପସରୀ

ଧାତିକାରେ ଚାହିଁଦେଲେ ଦିବ୍ୟମୂର୍ତ୍ତି ଧରି ।

ବ୍ରହ୍ମା ବିଷ୍ଣୁ ଦକ୍ଷ ଧାତା ଅନଙ୍ଗ ଇତ୍ୟାଦି

ଅନ୍ନପୂର୍ଣ୍ଣାଙ୍କ ଚରଣେ ପଡ଼ିଣ ସେ ବନ୍ଦି ।

ଈଶଅଵର ଅଛନ୍ତି ଏକମାତ୍ର ମୋହ ହୋଇ

କୋଳ କରିଣ ଧଇଲେ ଦେବୀ ତାଙ୍କୁ ଯାଇଁ ।

ଆଶ୍ଵାସନା କରି ତାଙ୍କୁ ଦେହ ସମାଜନ୍ତେ

ମୋହ ତେଜକରି ଦେବ ଉଠିଲେ ତୁରିତେ ।

ସ୍ତିରୀ ଅଙ୍ଗ ଲାଗିବାରୁ ଅଧିର ଶରୀର

ମଦନ ଜ୍ଜାଳାରେ ଜ୍ଞାନ ହରାଇଲେ ହର ।

ଦେଖିକରି ଆଦିନାରୀ ରୂପ ସଦାନନ୍ଦ

ଲଜ୍ଜା ଦୂର କରି ରତି ରସେ ମନ ଖେଦ ।

ମାତାକୁ କୋଳ କରିଣ ଧଇଲେ ଈଶ୍ଵର

ସୃଷ୍ଟି କରତା ପୁରୁଷ ହୋଇଲେ ଅନ୍ତର ।

ମାତା ପୁତ୍ର ଦୁହିଁଙ୍କର ଦେଖି ରତି ଭାବ

ଅତି ବିସ୍ମୟ ହୋଇଲେ ଧାତା ବାସୁଦେବ ।

ସହି ନ ପାରି ମାତାଙ୍କୁ ବହୁ ମନ୍ଦବାଣୀ

ଶୁଣିଣ ତାହାଙ୍କୁ ଶାପ ଦେଲେ ଗୋସାମଣି ।

ଧାତାଙ୍କୁ ବୋଇଲେ ତୁହି ନାରୀ ରୂପ ହୁଅ

ବିଷ୍ଣୁକୁ ବୋଇଲେ ତହି ଜନ୍ମ ମୃତ୍ୟୁ ପାଅ ।

ଏସନ ରୀତି ଜାଣିଣ ପ୍ରଭୁ ନିରାକାର

ଅନାଦି ଶକ୍ତିକି କଲେ ଗୋରୁ ଅବତାର ।

ଗୋମାତା ରୂପ ଧରିର ଅନାଦି ଈଶ୍ଵରୀ

ଗୋମାତା ପୁରେ ରହିଲେ ଜ୍ଞାନଧ୍ୟାନ କରି ।

ଅନାଦିର ଅପକୀର୍ତ୍ତି ଦେଖି ତ୍ରିଲୋଚନ

ବାଳୁତ ଭାବେ କରନ୍ତି ଚିନ୍ତା ଅନୁକ୍ଷଣ ।

ଏମନ୍ତ ଚରିତ ଦେଖି ଦକ୍ଷ ପ୍ରଜାପତ

ଈଶ୍ୱର ଦେବଙ୍କୁ ଅତି ବିନୟେ କହନ୍ତି ।

ଜଗତରେ ଅପକୀର୍ତ୍ତି ପାଇଲ ବହୁତ

ଏମନ୍ତ ତୁମ୍ଭର କଥା ନୁହଇ ଉଚିତ ।

ଏବେ ମାତାଠାରୁ ପ୍ରୀତି ଛାଡ଼ି ଦେବରାଜ

ଅପୂର୍ବ କନ୍ୟା ଦେବଇଁ ମୁଁ ତୁମ୍ଭଙ୍କୁ ଆଜ ।

ପାର୍ବତୀ ବୋଇଲେ ନାଥ ତୁମ୍ଭ ପରି ଜନ

ମାତୃ ହରିଣ ପାପକୁ କରିଲ ଅର୍ଜ୍ଜନ ।

ମହେଶ କହିଲେ ପ୍ରିୟେ ମୋ ଆୟତ୍ତ ନାହିଁ

କାମଦେବ ମୋ ଚେତନା ଦେଲାକ ହଜାଇ ।

ସେ ଅପକୀର୍ତ୍ତିରୁ ମୁହିଁ ତେଜିଣ ବିଳାସ

ଯୋଗାଭ୍ୟାସେ ରହିଲି ମୁଁ ଖଣ୍ଡନେ କଲ୍ମଷ ।

ଶଶାଙ୍କ ପୁରାଣ ବାଣୀ ଅମୃତ ସମାନ

ମନଦେଇ ଶୁଣଥା ମୋ ରମଣୀ ରତନ ।

 

 

ଦୀନ ହରି ଦାଶ ପଦ୍ୟ କହେ ଭାବି ଭାବି

ହରି କୃପାରୁ ଳେଖିଲି ନୁହେ ମୁହିଁ କବି ।

•••

 

ପାର୍ବତୀଙ୍କ ଜନ୍ମ ବିବରଣ ଏବଂ ବିଭା

 

ଏଥୁଅନନ୍ତରେ ପ୍ରିୟେ ଶୁଣ ଦେଇ ମନ

ଚନ୍ଦ୍ର ପୁରାଣର କଥା ଅମୃତ ସମାନ ।

ଏରୂପେ କହିଲେ ମୋତେ ଦକ୍ଷ ପ୍ରଜାପତି

ଗାୟତ୍ରୀ ମନ୍ତ୍ର ପଢିଣ କଲେ ଦେବୀ ସ୍ତୁତି ।

ଗାୟତ୍ରୀ ଜାଣିଲେ ଦକ୍ଷ ବ୍ରହ୍ମାଙ୍କର ମନ

ତତକ୍ଷଣେ ଦେବୀ ତାଙ୍କୁ ହୋଇଲେ ପ୍ରସନ୍ନ ।

ଭାବକୁ ଭାବନା ସେହି ଅନାଦି ଈଶ୍ଵରୀ

ଅନନ୍ତ ମୂର୍ତ୍ତି କ୍ଷଣକେ ପାରନ୍ତି ସେ ଧରି ।

ଜାଣି କରି ଦକ୍ଷବ୍ରହ୍ମା ମନ ମହାମାୟୀ

କ୍ଷଣକେ ଜନ୍ମ ହୋଇଲେ ମୂର୍ତ୍ତିମତୀ ହୋଇ ।

ହୁଙ୍କାର ଶବଦ କଲେ ଦିବ୍ୟରୂପ ଧରି

ମୁଖରୁ ଜାତ ହୋଇଲେ ଅନାଦି ଈଶ୍ଵରୀ ।

ଦକ୍ଷ ପ୍ରଜାପତିର ସେ ଆଗେ ହେଲେ ଉଭା

ଶରୀର କାନ୍ତି ବିକାଶେ କନକର ପ୍ରଭା ।

ଅପୂର୍ବ କବରୀ ଭାର ଶୋହେ ତାଙ୍କ ଶିରେ

ବକୁଳ କୁସୁମ ମାଳ ଶୋଭେ ତଥିପରେ ।

 

 

ନୀଳ ମେଘରେ ଯେସନେ ଉଦେ ଅର୍ଦ୍ଧଶଶି

ଖୋଷା ଫୁଟିକରି ପୁଷ୍ପ ତେସନ ବିକଶି ।

କପାଳେ ଚନ୍ଦନପାଟୀ ମଧ୍ୟରେ ସୁନ୍ଦୂର

କ୍ଷୀରସିନ୍ଧୁ ମଧ୍ୟରେ କି ଉଦେ ଦିନକର ।

କୁରଙ୍ଗ ଲୋଚନେ ଶୋହେ କଜ୍ଜ୍ଵଳର କଳା

ଶ୍ଵେତପଦ୍ମ ନେତ୍ରରେ ଯେ ଭୃଙ୍ଗ ବେନି ଡୋଳେ ।

ମନୋହର ନାସିକାଟି ତିଳଫୁଳ ଜିଣି

ସୁବର୍ଣ୍ଣ ପଦ୍ମରେ କିବା ଲମ୍ବେ ନୀଳମଣି ।

ସୁରଙ୍ଗ ଅଧରେ କିବା ପକ୍ଵ ବିମ୍ବ ଜ୍ୟୋତି

ବର୍ତ୍ତୁଳ ମକ୍ତାଘଟଣ ଜାଣି ଦନ୍ତପନ୍ତି ।

ଦରହସିତ ବଦନେ କୋକିଳ ବଚନ

କି ଜାଣି ମଧୁମାସର କୋକିଳ ନିଃସ୍ଵନ ।

ବିସ୍ତାର ଯେ ବକ୍ଷସ୍ଥଳ ସୁସଞ୍ଚ ଉଦର

ଅତି କ୍ଷୀଣ ଝରା ଯେହ୍ନେ ଡମ୍ବରୁ ଆକାର ।

ଦେବାଙ୍ଗ ବସନ ପରିହରଣ ସେ ଦେବୀ

ଉପରାଣ ପାଟଖଣ୍ଡି କ୍ଷୀରୋଦ୍ରୀ ସମ୍ଭବି ।

କଟିରେ କଟି ମେଖଳା ରତ୍ନ ଓଢ଼ିଆଣୀ

ବିବିଧ ଅଳଙ୍କାରରେ ଶ୍ରୀଅଙ୍ଗ ମଣ୍ଡଣି ।

ବଳିଷ୍ଠ ବେନି ଭୁଜ ଯେ କମଳ ମୃଣାଳ

ହୀରା ବସା ସ୍ଵର୍ଣ୍ଣ ତାଢ଼ ଶୋହେ ବାହୁମୂଳ ।

କଣୟ ମକରନ୍ଦରେ ହୀରା ନୀଳା ଜଡ଼ି

ବେନି କରକୁ ସୁନ୍ଦର ବେନି ବାହୁଚୁଡ଼ି ।

ସୁସଞ୍ଜ ଦଶଅଙ୍ଗୁଷ୍ଠି ଚମ୍ପାକଢ଼ି ଜିଣି

ନାନା ରତ୍ନରେ ଜଡ଼ିତ ମୁଦ୍ରାକା ମଣ୍ଡଣି ।

ଅର୍ଦ୍ଧ ଚନ୍ଦ୍ର ଜିଣି ଶୋହେ ହସ୍ତ ନଖପନ୍ତି

ବେନି କରତଳ ବର୍ଣ୍ଣ ରକତର ଜ୍ୟୋତି ।

ସ୍ଥାପିଲ କି ସ୍ଵର୍ଣ୍ଣ ରମ୍ଭା ବୃକ୍ଷ ଓଲଟାଇ

ତେସନେକ ପଟାନ୍ତର ଦିଶେ ଜାନୁ ଦୁଇ ।

କୋକନଦ ପରାଏକ ଶୋଭା ବେନି ପାଦ

ଅଶୋକ କଳିକା ତହିଁ ହୋଇଛି କି ଭେଦ ।

ତେସନେକ ପଟାନ୍ତର ପୟର ଅଙ୍ଗୁଳି

ପାଦ ତଳରେ ଅଳତା ଚିତ୍ର ଆବଳୀ ।

ହୀରାର ବେନି ବଳୀ ଯେ ଅପୂର୍ବ ଘଟଣ

ଶୋଭା ପାଉଅଛି ସେହି ଦିବୀଙ୍କ ଚରଣ ।

ଅଙ୍ଗୁଳି ଅଗ୍ରେ କନକ ଝୁଣ୍ଟିଆ ଯେ ଶୋହେ

ଅପୂର୍ବ ପ୍ରତିମା ତିନି ଭୁବନକୁ ମୋହେ ।

ରୂପକୁ ସହସ୍ର ଦାନ ସୁନା ନୁହେଁ ସରି

ଆବର ବା ପଟାନ୍ତର ତହିଁକି କି କରି ।

ମନରୁ ପାରନ୍ତି ସେହି ଜଗତ ଭିଆଇ

ଦକ୍ଷ ପ୍ରଜାପତିଙ୍କର ହେଲେ ଜେମାଦେଈ ।

ଦେଖି ଦକ୍ଷର ଆନନ୍ଦ ହେଲା ପଞ୍ଚମତି

ସେ ଦୁହିତା ନାମ ଦେଲା ଅବଳା ପାର୍ବତୀ ।

ମେରୁ ଗିରି ଶିଖରେ ସେ ଦକ୍ଷ ପାରୁଶେ

ବିଜୟ ମହାମାୟୀ ସେ ତରୁଣୀ ବୟସେ ।

ଅପଣେ ଶ୍ରୀକରେ ଦିବ୍ୟ ରତ୍ନମାଳ ଘେନି

ଭାବେ ଈଶ୍ଵର ଦେବଙ୍କୁ ବରିଲେ ଭବାନୀ ।

ଆନନ୍ଦ ହୋଇଲେ ଦେଖି ଦକ୍ଷ ବ୍ରହ୍ମା ତାଙ୍କୁ

ବରିଲେ ମାଳା ଚନ୍ଦନ ଦେଈ ଈଶ୍ଵରଙ୍କୁ ।

ପାର୍ବତୀ କନ୍ୟାଙ୍କୁ ପୁଣି ଦିବ୍ୟ ବେଶ କରି

ଈଶ୍ଵରଙ୍କୁ ବିଭାକଲେ ସୁବାକ୍ୟ ଉଚ୍ଚାରି ।

ବରକନ୍ୟା ଦୁହେଁ ପଟାନ୍ତର ଅନ୍ୟରୂପେ

ପାର୍ବତୀ ବିଜୟ କଲେ ଈଶ୍ଵର ସମୀପେ ।

ଏମନ୍ତ ସୁନ୍ଦର ତାଙ୍କୁ ଦିଶିବ ଉପମା

ସ୍ପଟିକ ବାଡ଼ରେ କିବା ସ୍ଫଟିକ ପ୍ରତିମା ।

ଦେଖିଣ ଆନନ୍ଦ ଦକ୍ଷ ପ୍ରଜାପତି ହେଲେ

ହରଙ୍କୁ ପାତାଳପୁର ଯଉତୁକ ଦେଲେ ।

ଆଦ୍ୟ ଅବତାରେ ତୁମେ ଅବଳା ପର୍ବତୀ

ମୋ ପାଇଁ ତୁମକୁ ସୃଷ୍ଟି କଲେ ପ୍ରଜାପତି ।

 

 

ଏହିପରି ସଦାଶିବ ପରିଚୟ ଦେଲେ

ହେ ବୁଧେ ଶୁଣ ୟାପରେ ଦକ୍ଷ ଯାହା କଲେ ।

•••

 

ଚନ୍ଦ୍ର ପୁରାଣ

ସରସ୍ଵରତୀଙ୍କ ଜନ୍ମ ବିବରଣ

 

ଈଶ୍ଵର ପାର୍ବତୀଙ୍କର ବିଭା ବିଧି ସାରି

ଆନନ୍ଦ ହୋଇ ବସିଲେ ଚିତ୍ତ ଶୁଦ୍ଧ କରି ।

ଦକ୍ଷିଣ ନାସିକା ଦ୍ଵାରେ ଚଳନ୍ତେ ମରୁତ

ଅପୂର୍ବ କନ୍ୟାଏ ପୁଣି ହେଲା ତହିଁ ଜାତ ।

ଚାରୁ ସୁଲକ୍ଷଣୀ ସେହି ବାଳରତ୍ନ ଯୁବା

ସେ କନ୍ୟା ରୂପକୁ କିସ ପଟାନ୍ତର ଦେବା ।

ସମ୍ପୂର୍ଣ୍ଣ କଳାନିଧିର ଯେସନେକ କାନ୍ତି

ତେସନେ ପଟାନ୍ତର ତା ଦିଶେ ଦେହଜ୍ୟୋତି ।

ଅକଳଙ୍କ ଶରୀର ତା ପୂର୍ଣ୍ଣ ସବୁ ଗୁଣେ

ଏମନ୍ତ ଯୁବତୀ ଆନ ନାହିଁ ବିଚକ୍ଷଣେ ।

ସମ୍ପୂର୍ଣ୍ଣ ଚନ୍ଦ୍ରବଦନୀ ନାସା ତିଳଫୁଲ

ଚାଚେରୀ କବରୀ ଭାର ନୀଳମେଘ ତୁଲ ।

କପାଳେ ଅଳକା କାନ୍ତି ଅତି ଶୋଭା ପାଏ

ନୟନ ଚକୋରେ ଚନ୍ଦ୍ର ଆସି କିବା ରହେ ।

ଘଟନ ବେନି କର୍ଣ୍ଣ କି ପାଟଳୀ ଉପନ

ସୁରଙ୍ଗ ଅଧର ଶୋଭଆ ବଧୁକର ସମ ।

 

 

ହୀରାର ଝଳି ଦର୍ଶନ କୁନ୍ଦକଢ଼ି ଜାଣି

ସୁରଙ୍ଗ ଅତି କୋମଳ ତାର ଠାଣିମାଣି ।

ସୁସଞ୍ଚ ଶଙ୍ଖ ସମାନ ଅଟେ କଣ୍ଠ ତଟ

କୁସ୍ତତ ତ୍ରିବଳୀ ଅତି ରଞ୍ଜତ ତା ପେଟ ।

ଗଭୀର ତା ନାଭିକ୍ରୋଟ ସିଂହ ମଝାଗୋଟି

ବଳିଷ୍ଠ ତା ଭୁଜ ବେନି ରମ୍ଭାପତ୍ର ପିଠି ।

ସୁଗଠନ ଜାନୁ ବେନି ପଦ୍ମପାଦ ପାଣି

ପଦ୍ମିନୀ ଅଂଶରେ ଜାତ ଦକ୍ଷର ଦୁଲ୍ଲଣୀ ।

ଶୁକଳ ବସନ ଦେବୀ ଅଙ୍ଗେ ପରିଧାନ

ଉପରାଣ ଶାଢ଼ୀ କିବା ପାଟଳୀ ବସନ ।

ଭୁଜେ ରତ୍ନଚୁଡ଼ା ଶୋହେ ପାଦେ ସୁନାବଳା

ସର୍ବାଙ୍ଗୁଳିରେ ମୁଦ୍ରାକା କଟିରେ ମେଖଳା ।

ଭୁଜେ ସୁନା ତାଡ଼ା ଗଳେ ଶୋହେ ଚାପସରି

ହୃଦରେ ମୁକୁତାମାଳ ଲମ୍ବଇ ତ୍ରିସରି ।

ଅମୂଲ୍ୟ ରତ୍ନ ଜଡ଼ିତ ନାସାର ବସଣି

କର୍ଣ୍ଣର ରତ୍ନ ତାଟକ ଜିଣେ ସୁବର୍ଣ୍ଣ ରସାଣି ।

କର୍ଣ୍ଣେ ରତ୍ନ ଫୁଲ ଦୁଇ ପୁଣି ହୀରା କଢ଼ି

ଶିରେଣ ସାମନ୍ତ ନବରତନରେ ଜଡ଼ି ।

•••

 

ମା ସରସ୍ଵତୀ

 

କୁସୁମେ ମଣ୍ଡିତ ଅତି ସୁରଞ୍ଜିତ ଗଭା

କପାଳେ ତିଳକ ମୃଗମଦ ପାଏ ଶୋଭା ।

ଅତି ରୁଚିତ ଜାଜ୍ଜ୍ୱଲ୍ୟମାନ ଜ୍ୟୋତି ଘେନି

ପରମ ସାଧବୀ ସେ ଯେ ରୂପସୀ ପଦ୍ମିନୀ ।

ରଦ୍ମିନୀ ପଦ୍ମଲୋଚନା ପଦ୍ମ ପ୍ରାୟ କର

ପବିତ୍ର ରୂପବାଣୀ ଯେ କମଳ ପୟର ।

ସକଳ ସାରସ୍ଵତ ଯେ ଏକଠାବ କରି

ଦକ୍ଷ ପ୍ରଜାପତି କଲେ ସର୍ଜ୍ଜନା ସେ ନାରୀ ।

ଉତ୍ତମ ଗୁଣ ସୁନ୍ଦର ରୂପ ତାର ଚାହିଁ

ସରସ୍ଵତୀ ନାମ ତାର ଦେଲେ ଦକ୍ଷ ବିହି ।

ପ୍ରତ୍ୟକ୍ଷ ସେ ସରସ୍ଵତୀ ଦେବୀ ବିଷ୍ଣୁପ୍ରିୟା

ଦକ୍ଷବ୍ରହ୍ମା ନନ୍ଦିନୀ ସେ ସାକ୍ଷାତରେ ଶ୍ରୀୟା ।

କମଳ ପୁଷ୍ପମାଳାଏ ଶ୍ରୀକରେ ଘେନିଣ

ବିଷ୍ଣୁଙ୍କୁ ସ୍ଵାମୀ ରୂପରେ କରିଲେ ବରଣ ।

ତାହା ଦେଖି ଆନନ୍ଦିତ ଦକ୍ଷ ପ୍ରଜାପତି

ଯାବତ ମଙ୍ଗଳ ବାକ୍ୟମାନ ଉଚ୍ଚାରନ୍ତି ।

 

 

ଅନେକ ଉତ୍ସବେ ହେଲେ ନାରାୟଣ ବିଭା

ଅମର ମଣ୍ଡଳ ଦେଖାଗଲା ଦିବ୍ୟ ଶୋଭା ।

ଏକାସନେ ବସାଇଲେ ବିଷ୍ଣୁ ସରସ୍ଵତୀ

ମନ୍ତ୍ର ପଢ଼ିଣ ଆଶିଷ ଦ୍ୟନ୍ତି ପ୍ରଜାପତି ।

ଶଙ୍ଖେ ପାଣି ଘେନି ଦେଲେ ନାରାୟଣ କର

ବିଧାନରେ ଯଉତୁକ ଦେଲେ ମଞ୍ଚପୁର ।

ଲଭିଲେ ସେ ନାରାୟଣ ସ୍ଵାମୀ ସରସ୍ଵତୀ

ଏଥୁଅନନ୍ତରେ ଶୁଣ ଉମା ଦିବ୍ୟରୀତି ।

•••

 

ସାବିତ୍ରୀଙ୍କ ଜନ୍ମ ଓ ବିଭା

 

ଦକ୍ଷ ପ୍ରଜାପତି ଅଟେ ଦ୍ଵିତୀ ବେଦବର

କରତା ବିହନ୍ତି ସେହି ପୁରୁଷ ପ୍ରବର ।

ମେରୁ ଗିରି ଶିଖେ ବସି ସେ ଦକ୍ଷ ପୁରୁଷ

ପୁଣିହିଁ ଏକ ଦିହିତା କଲେ ପରକାଶ ।

ସେହି କନ୍ୟାର ମହିମା ଅତି ଅଗୋଚର

ପ୍ରଜାପତି କପାଳରୁ ହେଲେ ଅବତାର ।

ଜାତ ହୋଇ ହେଲେ ଦେବତାଙ୍କ ଆଗେ ଉଭା

ସୁଧର୍ମା ସଭା ଦିଶିଲା ତା ତେଜେ ସୁଶୋଭା ।

ସମସ୍ତଙ୍କ ମଧ୍ୟରେ ସେ ସୁନ୍ଦର ରମଣୀ

ଶରୀର ବିକାଶେ ରତ୍ନ ମର୍କତକୁ ଜିଣି ।

ବସନ୍ତ ପତନୀ ଶୋଭା ଦିଶଇ ଅଙ୍ଗରେ

ସୁରଙ୍ଗ ପାଟ ଦୋଷଡ଼ା ତହିଁର ଉପରେ ।

ହୀରା ନୀଳା ରତ୍ନମାନ ଅଙ୍ଗେ ଆଭରଣ

କି ଜାଣି ନୀଳମେଘରେ ତଡ଼ତିର ବର୍ଣ୍ଣ ।

ସର୍ବ ଗୁଣେ ସୁନ୍ଦର ସେ ସୁଲକ୍ଷଣୀ ନାରୀ

ପଟାନ୍ତର ଦେବାକୁ ଯେ ନାହିଁ ସମସରି ।

 

 

ସୁନ୍ଦରୀ ବୁଦ୍ଧିମତୀ ସେ ପ୍ରସନ୍ନା ବଦନୀ

ଧୀର ବୁଦ୍ଧି ବିବେକିନୀ ଅତି ସୁଲକ୍ଷଣୀ ।

ସର୍ବଗୁଣ ସମ୍ପନ୍ନା ସେ ଅଟେ କୁଦ୍ଧିମତୀ

ଦେଖିଣ ପରମ ତୋଷ ହେଲେ ପ୍ରଜାପତି ।

କନ୍ୟାର ରୂପ ଦେଖିଣ ମନେ ବିଚାରିଲେ

ସୁବୁଦ୍ଧି ପଣ ଦେଖି ସାବିତ୍ରୀ ନାମ ଦେଲେ ।

ଶ୍ରୀକରରେ ବନମାଳ ଘେନି ପ୍ରଜାପତି

ପିତାମହଙ୍କୁ ସେ କନ୍ୟା ବରିଲେ ତଡ଼ତି ।

କରପତ୍ର ଯୋଡ଼ିକରି କହଇ ବଚନ

ଆହେ ପ୍ରଭୁ ପିତାମହ ଭକ୍ତି ମୋର ଘେନ ।

ଅଯୋନି ସମ୍ଭୂତା ତିନି ଭୁବନରେ ମାତ

ମୋ ମାନସ ସର ହଂସ ହୋଇଛନ୍ତି ଜାତ ।

ଜ୍ୟେଷ୍ଠ କୁମାରୀ ପର୍ବତୀ ଈଶ୍ଵରଙ୍କୁ ଦେଲି

ମଝିଆ ଝିଅ ନାମ ଯା ସରସ୍ଵତୀ ବୋଲି ।

ସେ କନ୍ୟାକୁ ବିଭାହେଲେ ଦେବ ନାରାୟଣ

ଏ ସାନ କନ୍ୟାକୁ ବିଭା ହୁଅନ୍ତୁ ଆପଣ ।

ଶୁଣି ପିତାମହ ତୁହିଁ ସନମତ କଲେ

ଦକ୍ଷ ବିବହ ଯୋଗାଡ଼ ତହିଁ ଆରମ୍ଭିଲେ ।

ଅନେକ ଉତ୍ସବ ହେଲା ସୁଧର୍ମା ସଙ୍ଗରେ

ବିଧାତା ବିଭା ସମ୍ପତ୍ତି କହି ତ କେ ପାରେ ।

ଯାବତ ବିଭା ମଙ୍ଗଳ ବଚନ ଉଚ୍ଚାରି

ସାବିତ୍ରୀ କନ୍ୟାକୁ ବିଭା ହେଲେ କୁଶଧାରୀ ।

ଦକ୍ଷ ପ୍ରଜାପତି ଝିଅ ବିଭା କର୍ମ ସରି

ବ୍ରହ୍ମାଙ୍କୁ ଯେ ଯଉତୁକ ଦେଲେ ସ୍ଵର୍ଗପୁରୀ ।

ବିଧାତା ଆବର ବିଷ୍ଣୁନାଥ ସଦାନନ୍ଦ

ନାତୁଣୀ ବିଭା ହୋଇଣ ପରମ ଆନନ୍ଦ ।

ଶୁଣିମା ହେ ସାଧୁଜନେ ଅପୂର୍ବ ବିଧାନ

ବିଷ୍ଣୁର ଏ ଦିବ୍ୟକୀର୍ତ୍ତି ନାନା କଥାମାନ ।

ପଢ଼ନ୍ତେ ଶୁଣନ୍ତେ ଜନେ ଦିବ୍ୟ ଗତି ପାଇ

ଗତ ଆଗତ ପାତକମାନ କ୍ଷୟ ଯାଇ ।

ପରମ ଜ୍ଞାନପ୍ରଦ ଏ ଚନ୍ଦଙ୍କ ପୁରାଣ

ସଂସାର ଜନ ପଢ଼ିଲେ ଲଭିବେ କାରଣ ।

ପାର୍ବତୀ ସାବିତ୍ରୀ ଦେବୀ ସରସ୍ଵତୀଙ୍କର

ବିବାହ ଚରିତ ଅଟେ ଅତି ମନୋହର ।

ପଢ଼ି ସାଧୁଜନମାନେ ଲଭ ମୋକ୍ଷଗତି

ସରସ୍ଵତୀ ପାଦେ ରହୁ ହରି ଦାଶ ମତି ।

•••

 

ଚତୁର୍ମଖ ବ୍ରହ୍ମାଙ୍କ ଉତ୍ପତ୍ତି

 

ଏଥୁଅନନ୍ତରେ ପ୍ରିୟେ ଶୁଣ ଦେଇ ମତି

ଚତୁର୍ମଖ ବ୍ରହ୍ମା ଯେହ୍ନେ ହେଲେ ଉତପତ୍ତି ।

ପୂର୍ବୁ ବ୍ରହ୍ମା ବିଷ୍ଣୁ ଶିବ ବିଭା ହୋଇସାରି

ବିଜେ କରିଛନ୍ତି ସେ ତ ମେରୁ ନାମ ଗିରି ।

ଦକ୍ଷ ପ୍ରଜାପତି ତାଙ୍କ ସମ୍ମୁଖରେ ରହି

କରପତ୍ର ଯୋଡ଼ିକରି କହିଲେ ବିନୟୀ ।

ପିତାଙ୍କୁ ବୋଇଲେ ତୁମ୍ଭେ ବିଜେ କରିଥାଅ

ଯଶୋବନ୍ତ ପୁର ମଧ୍ୟେ ନିଶ୍ଚିନ୍ତରେ ରୁହ ।

ବିଷ୍ଣୁଙ୍କୁ ବୋଇଲେ ତୁମ୍ଭେ ସପ୍ତସିନ୍ଧୁ ପୁରେ

ବିଜେ କରି ରହ ବ୍ରହ୍ମା ବଇକୁଣ୍ଠ ପୁରେ ।

ତଦନ୍ତରେ ପ୍ରଜାପତି ଈଶ୍ଵରଙ୍କୁ ଚାହିଁ

ବୋଇଲେ କଇଳାସରେ ରହ ତୁମ୍ଭେ ଯାଇଁ ।

ପ୍ରଜାପତି କଇଳାସରେ ସେ ତ୍ରିଦେବ ବିଶେଷ

ଯେ ଯାହା ସ୍ଥାନରେ ଯାଇଁ ରହିଲେ ହରଷେ ।

କୁଶବଟରୁ ନାରଦ ଜନମ ହୋଇଲେ

ବ୍ରହ୍ମାଙ୍କର ନିକଟରେ ନିଶ୍ଚିନ୍ତେ ରହିଲେ ।

 

 

ଆହେ ବୁଧଜନମାନେ ଏଥୁପରେ ଶୁଣ

ଏ ଚନ୍ଦ୍ର ପୁରାଣ କଥା ସଂସାରର ଜ୍ଞାନ ।

କାମ ଦେବତା ରହିଲେ ବୈକୁଣ୍ଠପୁରରେ

ଶିବ ପାର୍ବତୀ ରହିଲେ କୈଳାସ ଶିଖରେ ।

ସୁଧର୍ମା ସୁଭାରେ ଦକ୍ଷ ପ୍ରଜାପତି ରହି

ବିସ୍ମୟ ହୋଇଣ ମନେ ମନେ ବିଚାରଇ ।

ଏବେ ଏହିଠାରେ ମୁହିଁ କୁ ବୁଦ୍ଧି କରିବି

ଜୀବଜନ୍ତୁଙ୍କ କି ରୂପେ ଭିଆଣ ପାଞ୍ଚିବି ।

ଅଟନ୍ତି ତ ସଂସାରଇ କର୍ତ୍ତା ଯେଉଁମାନେ

ଅଚିନ୍ତା ହୋଇ ରହିଲେ ଯେ ଯାହାର ସ୍ଥାନେ ।

ସଂସାର ଭିଆଇ ମୁହିଁ ଅଇଲି ଯୁକତେ

ଯାବତ ବାରତା ବିହି ପଚାରିବେ ମୋତେ ।

ସେ ତିନିଜଣଙ୍କୁ ମୁହିଁ ବିଭା କରାଇଲି

ସ୍ଵରଗ ମର୍ତ୍ତ୍ୟ ପାତାଳ ଯଉତୁକ ଦେଲି ।

କନ୍ୟାମାନଙ୍କୁ ପାଇଣ ବିହନ୍ତା ପୁରୁଷେ

ଅଚିନ୍ତା ହୋଇ ରହିଲେ ଯାଇ ଦିବ୍ୟବାସେ ।

ଏବେ କେମନ୍ତେ କରିବି ଜୀବଜନ୍ତୁମାନ

ଶୂନ୍ୟ ପଡ଼ି ରହିଲା ତ ଚଉଦ ଭୁବନ ।

ଚତୁର୍ମଖ ବ୍ରହ୍ମା ହେବେ କେଉଁପରି ଜାତ

ତାଙ୍କଠାରୁ ପାଇବି ମୁଁ ବାରତା ଯାବତ ।

ଏମନ୍ତ ବିଚାରେ ଦକ୍ଷ ପ୍ରଜାପତି ବସି

ଧ୍ୟାନେ ସୁମରଣା କଲେ ବଇକୁଣ୍ଠବାସୀ ।

ଶ୍ରୀନାରାୟଣଙ୍କ ପାଦେ ଚିତ୍ତ ଲୟ ଦେଇ

ପଢ଼ିବେ ସେ ଦିବ୍ୟସ୍ତୁତି ଏକମନ ହୋଇ ।

ଜୟ ତୁ ନାରାୟଣ ହେ ଜଗତ ତାରଣ

ଅନନ୍ତ କୋଟି କଳପ ଯାହାର ଭିଆଣ ।

ସକଳ ଜନ୍ତୁମାନଙ୍କ ପରାଣ ପୁରୁଷ

ଯୋଗୀ ଜନ ମନ ମାନସରୋବର ହଂସ ।

ଚଉରାଶି ଖଣ୍ଡ ଜ୍ଞାନେ ଯାହାଙ୍କ ଭାବନା

ଆତଙ୍କ ଭଞ୍ଜନ ନାଥ ଭକ୍ତ ବଜ୍ରସେହ୍ନା ।

କଳ୍ପନା ସିଦ୍ଧ କରତା କରୁଣା ବାରିଧି

ଦନୁଜ କୁଳ ଅନ୍ତକ ପ୍ରଭୁ ଦୟାନିଧି ।

ଅନାଦି ଅବତାରଣ ଅଭୟ ଅଚ୍ୟୁତ

କମଳା ବଲ୍ଲଭ ନାଥ ସରସ୍ଵତୀ କାନ୍ତ ।

ରୁଚିର ଅପୂର୍ବ ଅଙ୍ଗ ନୀଳମଣି କାନ୍ତି

ଅମୀୟ ସାଗର କିବା ନୀଳମେଘ ଭ୍ରାନ୍ତି ।

ଶଙ୍ଖ ଚକ୍ର ଗଦା ପଦ୍ମ ଶୋହ ଚତୁର୍ଭୁଜ

ହେ ସର୍ବ ମଙ୍ଗଳନାଥ ହେ ଦେବାଧିରାଜ ।

ଅନନ୍ତ ମୂରତି ସ୍ଵାମୀ ନାମ ତୋ ଅନନ୍ତ

ମହା ବିଶ୍ଵରୂପ ତୋର ସଂସାରେ ପୂଜିତ ।

ଅଗମ୍ୟ ଆକାଶ ଅଟେ ଯାହାଙ୍କର ଶିର

ପାଦ ପାତାଳ ଯାହାର ହୃଦ ମଞ୍ଚପୁର ।

ଚଉଦ ବ୍ରହ୍ମାଣ୍ଡ ଯାକ କଳ୍ପନାର ସିଦ୍ଧି

ମନରୁ ଜାତ ହୁଅଇ ଯାର ଚତୁର୍ବିଧି ।

ଚତୁବର୍ଗ ଦାନୀ ଯେହୁ ସର୍ବ କର୍ମ କର୍ତ୍ତା

ଅନେକ କୋଟି ବ୍ରହ୍ମାଣ୍ଡେ ଯେହୁ ଜୀବଦାତା ।

ନମୋଃ ପୁରାଣ ପୁରୁଷ ନାରାୟଣ ଅଂଶ

ନମସ୍ତେ ଶ୍ରୀ ନାରାୟଣ ଚତୁର୍ଦ୍ଦଶ ଈଶ ।

ନମସ୍ତେ ଶ୍ରୀ ନାରାୟଣ ନିଗମର ସାର

ନମସ୍ତେ ଶ୍ରୀ ନାରାୟଣ ଲକ୍ଷ୍ମୀଦେବୀ ବର ।

ନମସ୍ତେ ଶ୍ରୀ ନାରାୟଣ ଶ୍ରୀ ମଧୁସୂଦନ

ନମସ୍ତେ ଶ୍ରୀ ନାରାୟଣ ଜଗତ ସ୍ଥାପନ ।

ନମସ୍ତେ ଶ୍ରୀ ନାରାୟଣ କ୍ଷୀରସିନ୍ଧୁବାସୀ

ନମସ୍ତେ ଶ୍ରୀ ନାରାୟଣ ବ୍ରହ୍ମ ପରକାଶୀ ।

ନମସ୍ତେ ଶ୍ରୀ ନାରାୟଣ ପନ୍ନଗ ଆସନ

ନମସ୍ତେ ଶ୍ରୀ ନାରାୟଣ ଜଗତ ମୋହନ ।

ନମସ୍ତେ ଶ୍ରୀ ନାରାୟଣ କୀଟବ୍ରହ୍ମ ଏକ

ନମସ୍ତେ ଶ୍ରୀ ନାରାୟଣ ଜଗତ ବ୍ୟାପକ ।

ନମସ୍ତେ ଶ୍ରୀ ନାରାୟଣ ପୁରୁଷ ଉତ୍ତମ

ନମସ୍ତେ ଶ୍ରୀ ନାରାୟଣ ତୋ ଭାବ ଅଗମ୍ୟ ।

ନମସ୍ତେ ଶ୍ରୀ ନାରାୟଣ ନର୍କ ଉଦ୍ଧାରଣ

ନମସ୍ତେ ଶ୍ରୀ ନାରାୟଣ ଭାରା ନିବାରଣ ।

ନମସ୍ତେ ଶ୍ରୀ ନାରାୟଣ କଷ୍ଟରୁ ଉଦ୍ଧାର

ନମସ୍ତେ ଶ୍ରୀ ନାରାୟଣ ନମୋଃ ନିରାକାର ।

ନମସ୍ତେ ଶ୍ରୀ ନାରାୟଣ ଭକ୍ତ ଉଦ୍ଧାରକ

ନମସ୍ତେ ଶ୍ରୀ ନାରାୟଣ ତ୍ରିଲୋକ ପାଳକ ।

ଏରୂପ ଭାବେ ମଜ୍ଜିଣ ପଢ଼ ସ୍ତୁତିବାଣୀ

କହେ ଦକ୍ଷ ଅନୁଗ୍ରହ କର ଦେବ ସ୍ଵାମୀ ।

ତୁମ୍ଭର ଆଜ୍ଞାରେ ମୁହିଁ ଜଗତ ଭିଆଇ

ତୁମ୍ଭହୁଁକୁ ଅଇଲି ଜଣାଇବା ପାଇଁ ।

ସଂସାର ଭିଆଣ ଏବେ ହେବ କେଉଁମତେ

ଏଥୁକୁ ହେ ଭାବଗ୍ରାହୀ କହ ବୁଦ୍ଧି ମୋତେ ।

ଏତେ କହି ମନ ଧ୍ୟାନ ଚଇତନ ଦେଇ

ନାରାୟଣଙ୍କ ନିକଟେ ମନ ଦେଲା ଥୋଇ ।

ଏରୂପେ ଧ୍ୟାନେ ଜଣାନ୍ତେ ଦକ୍ଷ ପ୍ରଜାପତି

ଜାଣିଲେ ଯେ ଅନ୍ତର୍ଯ୍ୟାମୀ କମଳାର ପତି ।

ସପତ ଗିରି ଅନ୍ତରେ ନୀଳ ବଇକୁଣ୍ଠ

ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ପେଣ୍ଠ

ସେହି ନୀଳ ବଇକୁଣ୍ଠେ ବ୍ରହ୍ମ ସିଂହାସନ

ବିରାଜ ନାମେଣ ତହିଁ ପନ୍ନଗ ଆସନ ।

ବିଜୟ କରିଣ ସୁଖେ ନାରାୟଣ ସ୍ଵାମୀ

ଯୋଗନିଦ୍ରା ଯାଇଥିଲେ ଦେବ ଅନ୍ତର୍ଯ୍ୟାମୀ ।

ପାଦତଳେ ବସିଛନ୍ତି ଦେବ ସରସ୍ଵତୀ

ଯନ୍ତ୍ର ବୀଣା ଚାଳି ଗୀତ ଗାନ୍ଧାରେ ଗାବନ୍ତି ।

ସେ ଦୁଆର ରକ୍ଷପାଳ କନ୍ଦରପ ଦେବ

ଯାଇଥିଲେ ନିଶ୍ଚିନ୍ତରେ ନିଦ୍ରା ବାସୁଦେବ ।

ଏମନ୍ତ ସମୟେ ସେହି ନୀଳଗିରି ସ୍ଥାନେ

ଦକ୍ଷ ପ୍ରଜାପତି କଲେ ସୁମରଣା ଧ୍ୟାନେ ।

ସର୍ବ ଆତ୍ମାରେ ବ୍ୟାପକ ଈଶ୍ଵର ପୁରୁଷ

ବହୁଦୂର ବାର୍ତ୍ତା ତାଙ୍କ ସମୀପେ ପ୍ରକାଶେ ।

ଭାବକୁ ନିକଟ ସେହି ଭକ୍ତ ଗୁଣଗ୍ରାହୀ

ଭକତ ଜନେ ଅନ୍ତର ଯାହାଙ୍କର ନାହିଁ ।

ଦକ୍ଷ ପ୍ରଜାପତି ମନ ଜାଣ ହୃଷୀକେଶ

ନାଭିରୁ ପଦ୍ମ ଫୁଲେକ କଲେ ପରକାଶ ।

ସେ ଫୁଲ ମହିମା ଉମା ଶୁଣ ଦେଇ ମନ

ମୃଣାଳ ଉତ୍ସର୍ଗ ତାର ତିନି ଯେ ଯୋଜନ ।

ଦ୍ଵାଦଶ ଯୋଜନ ମୋଟ ଅଟଇ ଓସାର

ସହସ୍ର ପାଖୁଡ଼ା ତାର କଣୟ ଆକାର ।

କେଶର ମଧ୍ୟରେ ପଞ୍ଚବିଂଶ କେଶସ୍ଥଳୀ

ପୂର୍ବ ଭାଗରେ ମଣ୍ଡିତ ଗଭୀର ଆବଳୀ ।

ସାତ କୋଶଯାଏ ତାର ଜ୍ୟୋତି ପରକାଶ

ଗନ୍ଧ ଆମୋଦଇ ସେହି ପୁର ଚତୁର୍ଦ୍ଦଶ ।

ବିଷ୍ଣୁଙ୍କର ପାଦତଳେ ଥିଲେ ସରସ୍ଵତୀ

ପଦ୍ମ ବାସନାରେ ମନ ମୁଗ୍‌ଧ କଲେ ଅତି ।

ନାସା ତଟେ ଗନ୍ଧ ଯହିଁ ହେଲା ଆମୋଦିତ

କୃଷ୍ଣବର୍ଣ୍ଣ ଭ୍ରମରେକ ହେଲା ତହିଁ ଜାତ ।

ସେ ଭ୍ରମର ଉଡ଼ିଯାଇ ବସି ପଦ୍ମ ଫୁଲେ

କେଶର ଚୁମ୍ବନ୍ତେ ତହିଁ ପୁରୁଷ ଜନ୍ମିଲେ ।

କମଳ ଭିତରେ ଗୋପ୍ୟ ହୋଇଲେ ଭ୍ରମର

ଅପୂର୍ବ ପୁରୁଷ ତହୁଁ ହୋଇଲେ ବାହାର ।

ପ୍ରତ୍ୟକ୍ଷ ବିଧାତା ସେହି ଚତୁର ଆନନ

ବିଷ୍ଣୁଙ୍କ ଅଂଶ ଘେନି ହେଲା ଉତପନ୍ନ ।

ପଦ୍ମରୁ ଜାତ ହେବାରୁ ନାମ ପଦ୍ମଯୋନି

ବିବେକ ଧାର୍ମିକ ସେହୁ ପରଂବ୍ରହ୍ମ ଜ୍ଞାନୀ ।

ଚତୁର ମୁଖ ଅପୂର୍ବ ଶୋଭାର ଆକାର

ବ୍ରହ୍ମା ବିଷ୍ଣୁ ଈଶ୍ଵର କି ଗମନ ଶିଖର ।

ଏ ଚାରି ଦେବତା କିବା ହେଲେ ଏକ ମୂର୍ତ୍ତି

ଶରୀର ତ ବିରାଜଇ ଚମ୍ପାଫୁଲ ଜ୍ୟୋତି ।

ସୁକୁମାରୀ ଅଙ୍ଗ ହରହାସ ମୁଖ ଚାରି

ଓଁକାର ଶବଦେ ଚାରି ବେଦ ଅଛି ପୂରି ।

ନଳିନୀ ପାଖୁଡ଼ା ପ୍ରାୟେ ତଳକ କପାଳେ

ଲୋଟଣି ଛନ୍ଦରେ ଜୁଡ଼ା ଲମ୍ବେ ବକ୍ଷସ୍ଥଳେ ।

ଅପୂର୍ବ ବଚନ ପୁଣି ଚାହାଣୀ ଶୀତଳ

ସୁଦୀର୍ଘ ନାସିକା ଓଷ୍ଠ ଜାଣି ବିମ୍ବଫଳ ।

ଡାଳିମ୍ବ ବୀଜ ପ୍ରାୟେ ବିକାଶେ ଦଶନ

ନିଗମ ପଡ଼ନ୍ତେ ଶୁଭ ଅଛଇ ଗହନ ।

ହୀରା ରୁଦ୍ରକର ଶୋଭାପାଏ କର୍ଣ୍ଣପୁଟେ

ପଇତା ହୃଦେ ଉତ୍ତରୀ ଶୋଭା କନ୍ଧତଟେ ।

ଏକମୁଖୀ ରୁଦ୍ରାକ୍ଷର ମାଳ ତିନି ସରି

ଗଳାଠାରୁ ନାବିଯାଏ ଲମ୍ବେ କେରି କେରି ।

ସୁବିସ୍ତାର ହୃଦୟକୁ ଶୋହେ ଅଷ୍ଟହାର

ମେରୁକୁ ବେଢ଼ିଛି ଯେହ୍ନେ ଅଷ୍ଟ ଗିରିବର ।

ଛତ୍ରୀ ପିଢ଼ା ଗୁଡୁ ଆଦି ଶୋହେ ବେନି କର

ପୁନଶ୍ଚ ଘେନି ଅଛନ୍ତି ଲେଖନ ପତର ।

ସର୍ବ ବେଦ ପୋଥି ଆଉ ଅଗ୍ନି ବିଷ୍ଣୁଶିଳା

ଏ ବିଧିରେ ଅଷ୍ଟଭୁଜେ ଶୋଭା ଅନର୍ଗଳା ।

ଶୁକଳ ଅମ୍ବର କଟି ତଟରେ ଶୋଭିତ

ଦୋଷଡ଼ା ପୀତବାସନ ମୋହଇ ଜଗତ ।

ବେନି ଚରଣ ବଳକୁ ନାହିଁ ପଟାନ୍ତର

ଲକ୍ଷେକ ଲକ୍ଷଣ ଖଟି ଅଛନ୍ତି ପୟର ।

ଏମନ୍ତ ଗୁଣ ଲକ୍ଷଣେ ଯେ ପୁରୁଷ ଜାତ

ପ୍ରତ୍ୟକ୍ଷରେ ସେହି ବ୍ରହ୍ମା ଅଟେ ଲୋକତାତ ।

ଗୋପନରେ ରହିଥିଲେ ବିଷ୍ଣୁଙ୍କର ଅଙ୍ଗେ

ଉତ୍ପତ୍ତି ହୋଇଲେ ସେହୁ ଭବଲୀଳା ରଙ୍ଗେ ।

କମଳ କେଶର ମଧ୍ୟେ ରହିକରି ବିହି

ସରସ୍ଵତୀଙ୍କ ପୁଚ୍ଛିଲେ କି କରିବି ମୁହିଁ ।

ଶାରଦା ଆଜ୍ଞା ଦେଲେକ ଶୁଣ ପଦ୍ମଯୋନି

ଦ୍ଵିତୀୟ ବିଧାତା ତୁହି ଅଟୁ ମହାଜ୍ଞାନୀ ।

ଯେବଣ କମଳୁ ତୁହି ହେଲୁ ଅବତାର

ତାହାର ଉପରେ ଅଛି ଚଉଦ ପୁଷ୍କର ।

ସେ ପୁଷ୍କର ଘେନିଣ ତୁ ଚଳସି ଦଇବ

ଜଗତର ଜୀବଜନ୍ତୁ ଭିଆଅ ତୁ ସର୍ବ ।

ଏମନ୍ତ ଆଜ୍ଞା ପାଇଣ ତହୁଁ ପଦ୍ମଯୋନି

ଚଳିଲେ ଅତି ବେଗରେ ତାଙ୍କ ଆଜ୍ଞା ଘେନି ।

ବୈକୁଣ୍ଠପୁର ତେଜିଣ ହୋଇଲେ ବାହାର

ଦୀନ ହରି ଦାଶ ମତି ରହୁ ସେ ପୟର ।

•••

 

ବୈକୁଣ୍ଠେ ଲକ୍ଷ୍ମୀନାରାୟଣଙ୍କ ପୂଜା

 

ଏଥୁଅନନ୍ତରେ କଥା ଶୁଣ ଉମା ତୁହି

ଜଗିଥିଲେ କାମଦେବ ଦ୍ଵାରଦେଶେ ଥାଇ ।

ବୋଇଲେ କେଣେ ଯାଉ ତୁ ଚତୁର ବଦନ

କି କି ଘେନି ବିଷ୍ଣୁ ଅଙ୍ଗୁ ହେଲୁ ଉତପନ୍ନ ।

ସମସ୍ୟା ଦେଇଣ ଯାଅ ମୋହର ଆଗରେ

ନାରାୟଣଙ୍କର କୃପା କିପରି ତୋଠାରେ ।

ଦେଖି ନଥିଲେ ସେ ପୁର ଚତୁର ବଦନ

ତାହାଙ୍କୁ ପଥ ଜଗିଣ କହିଲେ ଏସନ ।

କାହିଁ ରହିଥିଲୁ ତୁ ଅଇଲୁ କେଉଁଠାର

କେଉଁ ବାଟ ଦେଇ ଆସୁ ବିଷ୍ଣୁ ଭୁବନର ।

କି କି ଘେନିକରି ଏଥିୁ ହୋଇଛୁ ବାହାର

ସମସ୍ୟା ଦେଇଣ ଯାଅ ମୋହର ଆଗର ।

ସେ ବ୍ରହ୍ମା ବୋଇଲେ ଆମ୍ଭେ ବିଷ୍ଣୁଙ୍କ ନନ୍ଦନ

ତାଙ୍କ ନାଭି କମଳରୁ ହେଲୁ ଉତପନ୍ନ ।

ସରସ୍ଵତୀ ଦେବୀ ଆଜ୍ଞା ଦେଇଛନ୍ତି ମୋତେ

ଜୀବଜନ୍ତୁଙ୍କୁ ସର୍ଜବା ପାଇଁ ଏ ଜଗତେ ।

 

 

ତେଣୁ ମୁହିଁ ଯାଉଅଛି ଘେନିଣ ପୁଷ୍କର

ତୁ ମହାତ୍ମା ଛାଡ଼ ପଥ ବିରୋଧ ନ କର ।

ତୋହର ମୋହର କିଛି ନାହିଁ ଭିନ୍ନାଭିନ୍ନ

ବିଶେଷ ସୋଦର ଦୁହେଁ ବିଷ୍ଣୁଙ୍କୁ ନନ୍ଦନ ।

ତୁ ମନରୁ ଜନ୍ମିଲୁ ମୁଁ ନାଭିରୁ ଉତ୍ପତ୍ତି

ଆମ୍ଭ ଦୁହିଁଙ୍କ ପିଅର ଅଟନ୍ତି ଶ୍ରୀପତି ।

ଛାଡ଼ ପଥ ମୁହିଁ ଯାଇ ସଂସାର ଭିଆଇ

ଦ୍ଵାର ଜଗି ଏହିଠାରେ ତୁହି ଥାଅ ରହି ।

ଏମନ୍ତ ବଚନ ଶୁଣି ବୋଲଇ ମନ୍ମଥ

ତୁ ବିଷ୍ଣୁନାଥଙ୍କ ସୁତ ମୋର ସାନ ଭ୍ରାତ ।

ତୁହି ଯେବେ ଯାଉଅଛୁ ସଂସାର ଭିଆଇ

ମୁଁ ତୋ ଜ୍ୟେଷ୍ଠଭାଇ ମୋତେ କି ଦେବୁ ବଧାଇ ।

•••

 

ରତିଦେବୀ ଜନ୍ମ ବିବରଣ

 

ବ୍ରହ୍ମା ବୋଇଲେ ବଧାଇ ମାଗ ଯେବେ ମୋତେ

ଅପୂର୍ବ କନ୍ୟା ଗୋଟିଏ ପ୍ରାପ୍ତହେଉ ତୋତେ ।

ଏରୂପେ ବୋଲନ୍ତେ ଏକ କନ୍ୟା ହେଲା ଜାତ

ରୂପ ଅନୁରୂପ ସେହି ମୋହିଲା ଜଗତ ।

ସର୍ବଗୁଣେ ପରିପୂର୍ଣ୍ଣ ସେ ସୁନ୍ଦରୀମଣି

ଦ୍ଵିତୀୟ ପାର୍ବତୀ କିବା ବିଜେ କଲେ ପୁଣି ।

ସେହି ସଦୃଶ ଅଟଇ ବ୍ରହ୍ମଙ୍କ ନନ୍ଦନୀ

ଅପୂର୍ବ ସୁନ୍ଦରୀ ସେହି ତ୍ରିପୁର ମୋହିନୀ ।

ସକଳ ଶୋଭା ସମ୍ପନ୍ନା ସୁନ୍ଦରୀ କନ୍ୟାକୁ

ଭାଇକୁ ଦେବାକୁ ଧାତା ସର୍ଜିଲେ ତାହାକୁ ।

ରତି ସେ କନ୍ୟାର ନାମ ଦେଲେ ପଦ୍ମଯୋନି

କାମକୁ ପ୍ରଦାନ ତାହା କଲେ ନେଇ ପୁଣି ।

ମହୀପାଳ ପଦ ତହିଁ ଅନଙ୍ଗକୁ ଦେଇ

ସେଠାବରୁ କୁଶପାଣି ଗଲେ ବିଦା ହୋଇ ।

ଶୁଣ ଆଗୋ ହୈମବତୀ ଏ ଅପୂର୍ବ ବାଣୀ

ଶ୍ରଦ୍ଧାରେ ପଢ଼ିଣ ତର ଭବ ତରଙ୍ଗିଣୀ ।

 

 

ଏଥୁଅନନ୍ତରେ ସେହି ଚତୁର୍ମୁଖ ବ୍ରହ୍ମା

କାମଦେବ ସନ୍ନିଧିରୁ ଚଳିଲେ ମହାତ୍ମା ।

ମେରୁତଳ ତେଜିକରି ଭୂତଳେ ମିଳିଲେ

ଇନ୍ଦ୍ରନାଭି ନାମେ ଏକ ବୈକୁଣ୍ଠକୁ ଗଲେ ।

ଚିନ୍ତାମଣି ନାମେ ବିଷ୍ଣୁ ଥିଲେ ସେ ଠାବରେ

ନାରାୟଣ ମନ୍ତ୍ରେ ପୂଜାକଲେ ବେଦବରେ ।

ଶ୍ରୀୟା ନାମେ ଲକ୍ଷ୍ମୀ ସେହି ବିଷ୍ଣୁ କୋଳେଦେଇ

ସେହିଠାରୁ ପଦ୍ମଯୋନି ଗଲେ ବିଦା ହୋଇ ।

ରସାତଳ ପୁରେ ଏକସ୍ଥାନ ପଦ୍ମନିଧି

ତହିଁ ଏକ ବିଷ୍ଣୁସ୍ଥିତ ନାମ ଦୟାନିଧି ।

ଶ୍ରୀୟା ରୂପ ପଞ୍ଚାକ୍ଷର ତାଙ୍କୁ ପୂଜାକଲେ

ଦରିତ୍ର ଭଞ୍ଜନୀ ନାମ ଲକ୍ଷ୍ମୀ ତାକୁ ଦେଲେ ।

ତହିଁ ପୁଣ ଧାତା କଲେ ଅଧକୁ ଗମନ

ଚତୁର୍ଥ ସୁତଳେ ଯାଇଁ ମିଳିଲେ ବହନ ।

କାଳରୂପୀ ନାମେ ତହିଁ ବିଇକୁଣ୍ଠ ଶୋଭା

କାମାଙ୍ଗ ନାମରେ ତହିଁ ବିଜେ ବିଷ୍ଣୁପ୍ରଭା ।

କାମ ମନ୍ତ୍ରରେ ତାହାକୁ ଦଇବ ପୂଜିଲେ

ସର୍ଭଭୂତ୍ୟ ନାମେ ତହିଁ ଲକ୍ଷ୍ମୀଏ ସ୍ଥାପିଲେ ।

ଅତିତଳେ ଯାଇ ପୁଣି ପ୍ରବେଶ ହୋଇଣ

ଦେଖିଲେ ବୈକୁଣ୍ଠେ ଏକ କୃତାନ୍ତକ ନାମ ।

ମଣ୍ଡୁକି ନାରାୟଣ ସେ ପୁରେ ଛନ୍ତି ବସି

ବିଷ୍ଣୁ ତାରକା ମନ୍ତ୍ରରେ ପୂଜିଲେ ବିଶେଷି ।

ଜଗତ ମାତ ନାମରେ ଲକ୍ଷ୍ମୀ ତାଙ୍କୁ ଦେଇ

ତଥି ଉପରକୁ ଗଲେ ବେଗ ବେଗ ହୋଇ ।

ସୁତଳ ପୁରେ ଯାଇଣ ମିଳିଲେ ବହନ

ସୁଧାନିଧି ବଇକୁଣ୍ଠ ଦେଖିଲେ ନୟନ ।

କୂର୍ମରୂପେ ତହିଁ ଏକ ନାରାୟଣ ବିଜେ

ବ୍ରହ୍ମତାରକା ମନ୍ତ୍ରକୁ ପଢ଼ି ତାଙ୍କୁ ପୂଜେ ।

ପରମ ସାଧବୀ ଲକ୍ଷ୍ମୀ ଦେଇ ତାଙ୍କ ପାଶ

ମହାତଳ ପୁରେ ଯାଇ ହୋଇଲେ ପ୍ରବେଶ ।

ରୌଦ୍ର ଗନ୍ଧ ନାମେ ଏକ ବୈକୁଣ୍ଠ ପୁରରେ

ମାତଙ୍ଗ ନାରାୟଣକୁ ଦେଖିଲେ ସେଠାରେ ।

ମାତଙ୍ଗ ଏକାକ୍ଷର ଯେ ପଢ଼ି ପୂଜି ଧାତା

ଯୋଗୀ ମୁନି ଲକ୍ଷ୍ମୀଙ୍କୁ ସେ ସ୍ଥାପି ଜଗତ୍କର୍ତ୍ତା ।

ଅନନ୍ତ ବୈକୁଣ୍ଠେ ଯାଇ ହୋଇଲେ ପ୍ରବେଶ

ସେଠାବରେ ବେଟିଲେକ ଦେବ ପୀତବାସ ।

ଅବନା ମନ୍ତ୍ରେ ପୂଜିଲେ ତାକୁ ଦେବବରେ

ଅନ୍ନପୂର୍ଣ୍ଣା ଲକ୍ଷ୍ମୀ ସ୍ଥାପି ତାଙ୍କ ସନ୍ନିଧିରେ ।

ତହିଁ ଯାଇ ମଞ୍ଚପୁରେ ମିଳିଲେ ଚଉମାଥ

ନୀଳଗିରି କନ୍ଦରରେ ଭେଟି ଜଗନ୍ନାଥ ।

ଗୋପାଳ ମନ୍ତ୍ରରେ କରି ତାହାଙ୍କୁ ସେ ପୂଜା

ତ୍ରୈଲୋକ୍ୟ ପାଳିନୀ ଲକ୍ଷ୍ମୀ ସ୍ଥାପି କୁଶଧ୍ଵଜା ।

ସ୍ଵର୍ଗପୁରକୁ ଚଳିଲେ ପୁଣି ବେଦବର

ଅମର ବୈକୁଣ୍ଠେ ମିଳି ନମି ଚକ୍ରଧର ।

ଶ୍ରୀରାମ ତାରକ ମନ୍ତ୍ରେ ତାଙ୍କୁ ପୂଜାକରି

ଶୁଭ୍ରକେଶୀ ଲକ୍ଷ୍ମୀଙ୍କି ସେ ସ୍ଥାପି କୁଶଧାରୀ ।

ତହିଁ ନଳିନୀର ପୁତ୍ର ପଶିଲେ ଗଗନେ

ସଙ୍କେତ ପୁରେ ଯାଇଣ ମିଳିଲେ ବହନେ ।

ଧର୍ମନିଧି ବଇକୁଣ୍ଠ ଦେବ ଭାବଗ୍ରାହୀ

ଭଗବାନ ମନ୍ତ୍ରେ ତାଙ୍କୁ ପୁଜିଲେକ ବିହି ।

ଋକ୍ମଣୀ ନାମେ ଲକ୍ଷ୍ମୀଙ୍କୁ ଦେଇ ତାଙ୍କ ପାଶ

ଶୂନ୍ୟପୁରେ ପୁଣି ପିତା ହୋଇଲେ ପ୍ରବେଶ ।

ମୋକ୍ଷନିଧି ନାମେ ତହିଁ ବଇକୁଣ୍ଠ ଭ୍ରମି

ସେ ପୁରରେ ନାରାୟଣ ସର୍ବ ଅନ୍ତର୍ଯ୍ୟାମୀ ।

ମାନସିକ ମନ୍ତ୍ର ପଢ଼ିକରି ତାଙ୍କୁ ଧ୍ୟାନ

ଚଞ୍ଚଳା ନାମରେ ଲକ୍ଷ୍ମୀ ସ୍ଥାପିଲେ ସେ ସ୍ଥାନ ।

ଚଳିଗଲେ ପଦ୍ମଯୋନି ତହୁଁ ଶୂନ୍ୟମାର୍ଗେ

ଗୋମତି ପୁରେ ମିଳିଲେ ଯାଇକରି ବେଗେ ।

କୁମୁଦ ନାମରେ ତହିଁ ବୈକୁଣ୍ଠ ଭୁବନ

କୃଷ୍ଣଚନ୍ଦ୍ର ନାମେ ତହିଁ ବୈକୁଣ୍ଠ ସ୍ଥାନେ ।

ଗାୟତ୍ରୀ ମନ୍ତ୍ରେ ପୂଜିଲେ ତାଙ୍କୁ ବେଦବର

ରାଧିକା ନାମରେ ଲକ୍ଷ୍ମୀ ସ୍ଥାପିଲେ ସେଠାରେ ।

ସେହି ଠାବରୁ ବିଧାତା ଅନ୍ତରୀକ୍ଷେ ଗଲେ

ନିରାକାର ପୁରେ ଯାଇଁ ପ୍ରବେଶ ହୋଇଲେ ।

ସତ୍ୟକୃତ୍ୟ ବିଇକୁଣ୍ଠେ ସୁଧାନିଧି ହରି

ବିଶେଶ୍ଵର ମନ୍ତ୍ର ପଢ଼ି ତାଙ୍କୁ ପୂଜାକରି ।

ପାପ ନାଶିନୀ ନାମରେ ଲକ୍ଷ୍ମୀ ତହିଁ ରଖି

ତହିଁ ଉପରକୁ ପୁଣି ଗଲେ ଅଷ୍ଟଆଖି ।

ତିନିଲକ୍ଷ ଯୋଜନ ଯେ ଶୂନ୍ୟାକାଶେ ଗଲେ

ସେଠାବରୁ ଉପରକୁ ଗମି ନ ପାରିଲେ ।

ଶୂନ୍ୟପୁରେ ରହିକରି ନଳିନୀ ନନ୍ଦନ

ନିରାକାର ବିଷ୍ଣୁଙ୍କୁ ସେ କଲେ ମନେ ଧ୍ୟାନେ ।

ଶୂନ୍ୟରେ ଆସନ ଭିଡ଼ି ଅନ୍ତରୀକ୍ଷେ ରହି

ଅନ୍ତରେ ଚିନ୍ତଇ ଦିବ୍ୟଜ୍ୟୋତି ଭାବଗ୍ରାହୀ ।

ଅନ୍ତର୍ଗତେ ବେଦପାଠ କଲେ ବେଦବର

ଜୟ ଜଗବନ୍ଧୁ ଜୟ ଜୟ ନିରାକାର ।

ଅନନ୍ତ ଗୁଣନିଧି ଯେ ପରମ ପୁରୁଷ

ଯେ ବା ସର୍ବଙ୍ଗ ଦମୟ କାହୁଁ ବା ପ୍ରକାଶ ।

ଅବ୍ୟୟ ଅଚ୍ୟୁତ ସ୍ୱାମୀ ଅଭୟ ଶରୀର

ସକଳ ବ୍ରହ୍ମାଣ୍ଡ ଅଟେ ଯାର ଖେଳଘର ।

ଜଗତ ସଞ୍ଚିତ ନାଥ ସବୁରି କରତା

ଧର୍ମ ଭାଗର ଲକ୍ଷର ମେଦିନୀ ଧରନ୍ତା ।

ଜୀବାତ୍ମା ପୁରୁଷ ସବୁ ଜୀବର କାରଣ

ଯୋଗୀଜନ ମନ ହଂସ ମାନସ ନଳିନୀ ।

ଏକ ରୂପରୁ ଅନେକ ରୂପ ଜାତକରୁ

କଉତୁକରେ ସକଳ ଭୁବନେ ବିହରୁ ।

ଭାବୁକ ଯେ ଭକ୍ତବନ୍ଧୁ ବୋଲନ୍ତି ଆପଣ

ସର୍ବ ଅନ୍ତର୍ଯ୍ୟାମୀ ନାଥ ପ୍ରଭୁ ନିରଞ୍ଜନ ।

ଦୟା ସିନ୍ଧୁ ମାୟାବର ସର୍ବ ଗୁଣନିଧି

ଅବିନାଶୀ ପ୍ରତିମା ତୁ ସଞ୍ଚୁ ସର୍ବ ବିଧି ।

ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାର ଖେଳଘର

ବିରାଟ ପୁରୁଷ ନାଥ ମହିମା ଅପାର ।

ବ୍ରହ୍ମା ଆଦିକରି ଯେତେ ସୁରାସୁର ଲୋକେ

ଜାତ ଅନ୍ତ ହୁଅନ୍ତି ଯେ ତୁମ୍ଭ ନିମିଷକେ ।

କୋଟି କୋଟି ଲୟ ହୁଏ ଯାର ପାଦତଳେ

ଯୋଗୁ ବ୍ରହ୍ମାରୂପ ଧରି ଅଛି ସର୍ବକାଳେ ।

କଉତୁକେ ସଞ୍ଚୁ ଦେବ ବହୁତ ମେଦିନୀ

ଳୀଳା ଭାବରେ ବିନାଶୁ ଚିନ୍ତା ଭାବ ଘେନି ।

ନିରାକାର ଅନାଦି ତୁ ସ୍ୱାମୀ ଆଦିକନ୍ଦ

ଅନନ୍ତ ଆଦିମୂଳ ହେ ଅନାଦି ମୁକୁନ୍ଦ ।

ନୀଳାମ୍ବର ପୁରୁଷ ହେ ସର୍ବ ଅନ୍ତର୍ଯ୍ୟାମୀ

ଅଜ୍ଞାନୀ ହରି ଦାଶକୁ ତାର ଦେବ ସ୍ୱାମୀ ।

ଏହି ପ୍ରାର୍ଥନା ମୋହର ଶ୍ରୀଚରଣେ ନିତି

ଅନ୍ତିମ କାଳକୁ ବାରେ ଦେବ ମୋତେ ଗତି ।

•••

 

ଚତୁର୍ଦ୍ଦଶ ଭୁବନେ ଲକ୍ଷ୍ମୀନାରାୟଣଙ୍କ ସ୍ଥାପନ ଏବଂ
ପଦ୍ମନାଭ ବ୍ରହ୍ମା ଉତ୍ପତ୍ତି

 

ଏଥୁଅନନ୍ତରେ ଉମା ବେନିକର ଯୋଡ଼ି

ମହେଶଙ୍କ ଶ୍ରୀଚରଣେ ଭକ୍ତିଭରେ ପଡ଼ି ।

ପୁଚ୍ଛା କଲେ କୁହ ମୋତେ ଜନ ଆତଯାତ

ଶୁଣିଲେ ମୋହର ପଞ୍ଚମନ ହେବ ଶାନ୍ତ ।

ମହେଶ କହିଲେ ପ୍ରିୟେ ଶୁଣ ମନଦେଇ

ଠିକେ ଠିକେ ତୁମ୍ଭଙ୍କୁ ଯେ କହିବା ବୁଝାଇ ।

ଶୂନ୍ୟ ଆକାଶରେ ରହିଣ ନଳିନୀ କୁମର

ବିଷ୍ଣୁ ମନ୍ତ୍ର ଧ୍ୟାନକରି ଜପେ ବେଦବର ।

ପରଂବ୍ରହ୍ମ ପୁରୁଷ ହେ ପ୍ରଭୁ ନିରଞ୍ଜନ

ଭାବଗ୍ରାହୀ ନାଥ ମୋର ବକତିକୁ ଘେନି ।

ତୁମ୍ଭ ପ୍ରକୃତିରୁ ଜାତ ଯେବଣ ପୁରୁଷ

ତାଙ୍କ ନାଭି କମଳରୁ ମୁହିଁ ପରକାଶ ।

ସେ ବ୍ରହ୍ମାଙ୍କ ନିକଟରେ ସରସ୍ଵତୀ ଥିଲେ

ଜୀବଜନ୍ତୁ ଭିଆଇବା ପାଇଁ ଆଜ୍ଞାଦେଲେ ।

ତେଣୁକରି ଉପରକୁ ଆସିଲି ସତ୍ଵର

ଅନେକ ଭୁବନ ଆସି ଦେଖିଲି ପଥର ।

ସକଳ ପୁରେ ଅଛନ୍ତି ପ୍ରତିମା ଶ୍ରୀହରି

ମୁହିଁ ତାହାଙ୍କୁ ପୂଜିଲି ମନ୍ତ୍ର ମୂର୍ତ୍ତିକରି ।

ଲକ୍ଷ୍ମୀ ପ୍ରତିମା ସ୍ଥାପିଲି ସେମାନଙ୍କ କୋଳେ

ଏତେବେଳଯାଏ ବୁଲୁଥିଲି ସୁଖଭୋଳେ ।

ଯୋଗ ମାୟାତ୍ରାସ ଯହିଁ ଲାଗିଲା ସେଠାକୁ

ତେଣୁ ନ ଚଳିଲା ମୋର ଯାନ ଉପରକୁ ।

କି ବୁଦ୍ଧି କରିବି ଏବେ ରହି ଶୂନ୍ୟ ପଥେ

ସୁଦୟା କରିବେ ମୋତେ ଆଦି ଲୋକନାଥେ ।

ଏତେକ ବୋଲି ବିଧାତା ମୌନବ୍ରତ ହେଲେ

ଅନାଦି ପୁରୁଷକୁ ସେ ଲୟ ଲଗାଇଲେ ।

ଶୂନ୍ୟରେ ରହିଣ ତପ କରେ ବେଦବର

ଅଣାକାର ଭୁବନଟି କମ୍ପେ ଥରହର ।

ତପ ତାହାର ଜାଣିଲେ ଅଣାକାର ରୂପୀ

ଅନନ୍ତ ଶରୀରେ ଛନ୍ତି ଅଛିଦ୍ରରେ ବ୍ୟାପି ।

ତାର ମନ ଜାଣି ତାକୁ ଦେବ ନିରାକାର

ବୋଇଲେ ଭକତି ଆମ୍ଭେ ଘେନିଲୁ ତୋହର ।

ତୁ ଏବେ ଯାଇଣ ମିଳି ଦକ୍ଷବ୍ରହ୍ମା କତି

ଦୁଇ ବ୍ରହ୍ମା ଏକ ହୋଇ ପାଳ ଯାଇ କ୍ଷିତି ।

ଏ ପ୍ରକାରେ ଆଜ୍ଞା ଯହୁଁ ଦେଲେ ନିରାକାର

ଶିରରେ ସେ ଆଜ୍ଞା ଘେନି ଚଲିଲେ ସତ୍ଵର ।

ସ୍ଵର୍ଗପୁରେ ଯାଇକରି ମିଳିଲେ ତଡ଼ତି

ସୁଧର୍ମା ସଭାରେ ବସିଛନ୍ତି ପ୍ରଜାପତି ।

ନାରାୟଣଙ୍କୁ ଧ୍ୟାନରେ ଚିତ୍ତ ବୃତ୍ତି ଦେଇ

ବସିଅଛନ୍ତି ସେ ଦକ୍ଷ ମୌନବ୍ରତ ହୋଇ ।

ଏକାଳେ ମିଳିଲେ ପଦ୍ମଯୋନି ତାଙ୍କ କତି

ଯୋଗେଣ ଜାଣିଲେ ତାହା ଦକ୍ଷ ପ୍ରଜାପତି ।

କିଛି ଦୂରରୁ ପାଛୋଟି ଆସ ଘେନିଗଲେ

ସୁଧର୍ମା ସଭାରେ କୋଳକରି ବସାଇଲେ ।

ପ୍ରଜାପତି ବୋଇଲେ ହେ ଶୁଣ ଦଇବତ

ଆମ୍ଭେ ଦକ୍ଷ ବିହି ଆଦି ବ୍ରହ୍ମାଙ୍କର ସୁତ ।

ତୁମ୍ଭେ ଉପୁଜିଛ ବିଷ୍ଣୁ ନାଭିର କମଳୁ

ସେ କଥା ସକଳ ମୁହିଁ ଜାଣେ ଯୋଗବଳୁ ।

ସରସ୍ଵତୀଙ୍କ ବୋଲେ ତୁ ପଦ୍ମ ପୁଷ୍ପ ଘେନି

ଜନ୍ତୁ ଭିଆଇ ଆସିଛୁ ଏଥେ ପଦ୍ମଯୋନି ।

ଯେବଣ ପୁଷ୍ପକୁ ତୁହି ହସ୍ତେ ଅଛୁ ଆଣି

ବେଗକରି ତାହା ଦିଅ ଏ ମୋହର ପାଣି ।

ଚତୁର୍ମୁଖ ବ୍ରହ୍ମା ଯହୁଁ ପ୍ରଜାପତି ବୋଲେ

କମଣ୍ଡଳୁ କାଢ଼ି ପୁଷ୍ପ ଦକ୍ଷ କରି ଦେଲେ ।

ଚତୁର୍ଦ୍ଦଶ ପାଖୁଡ଼ାରେ ସେ ପୁଷ୍ପ ଶୋଭିତା

ଦକ୍ଷ ବ୍ରହ୍ମାଙ୍କ କରରେ ଦେଲେ ସେ ବିଧାତା ।

ଦକ୍ଷ ବ୍ରହ୍ମା କରେ ଯହୁଁ ଘେନିଲେ ପୁଷ୍କର

ସର୍ବଗୁଣଯୁକ୍ତା କନ୍ୟା ହେଲା ଅବତାର ।

ଅପୂର୍ବ ସୁନ୍ଦରୀ ସେହି ପଦ୍ମିନୀ ମୂରତି

ପ୍ରତ୍ୟକ୍ଷରେ ପଦ୍ମରେ ସେ ହୋଇଲେ ଉତ୍ପତ୍ତି ।

ଅଯୋନି ସମ୍ଭୂତେ ସେହି ହେଲେ ସ୍ତିରୀଜନ୍ମ

ଦକ୍ଷମାତା ତାଙ୍କ ତାତ ଚତୁର ଆନନ ।

ଅପୂର୍ବ ସୁନ୍ଦରୀ ସେହୁ ଚାରୁ ବିମ୍ବାଧରୀ

ନାହିଁ ଆନ ପଟାନ୍ତର ଚତୁର୍ଦ୍ଦଶ ପୁରୀ ।

ପଦ୍ମିନୀ ସାବିତ୍ରୀ ବୋଲି ସେ କନ୍ୟାରେ ନାମ

ରୂପକୁ ସେ ଅନୁପମା କମଳା ସମାନ ।

ସେ କନ୍ୟାକୁ ଦେଖି ଚତୁର୍ମୁଖ ବ୍ରହ ଲୋଭା

ପ୍ରଜାପତିଙ୍କୁ ବୋଇଲେ ମୋତେ କର ବିଭା ।

ବିଧାତାଙ୍କ ବୋଲେ ଦକ୍ଷ ସନମତ କଲେ

ସେହି ଦୁହିତା ଗୋଟିକା ତାଙ୍କୁ ବିଭା ଦେଲେ ।

ବହୁତ ଆନନ୍ଦ ହୋଇ ଦକ୍ଷ ପ୍ରଜାପତି କଲେ

ପ୍ରସନ୍ନ ମୁଖର ପଦ୍ମ ଯୋନିକି କହନ୍ତି ।

ଭୋ ମହାତମା ବସିଣ ଥାଅ ଏ ସଭାରେ

ଆଜିଠାରୁ ବିଧାତା ତୁ ହେଲୁ ବ୍ରହ୍ମାଣ୍ଡରେ ।

ତୁହି ମୋହର ପିତା ମୁଁ ତୋହର ନନ୍ଦନ

ଏମନ୍ତ ବୋଲି ଅଛଇ ପୂର୍ବର ବଚନ ।

ପ୍ରଳୟର ଅନ୍ତେ ସୃଷ୍ଟି ଭିଆଇବା କାଳେ

ଯେବଣ ବିଧାତା ଜାତହେଲେ ବିଷ୍ଣୁ କୋଳେ ।

ମୁହିଁ ତାହାଙ୍କ ମନରୁ ହୋଇଲି ସମ୍ଭୂତ

ବେଦ ଅର୍ତ ଘେନି କରି ସଞ୍ଚଇ ସମସ୍ତ ।

ତେଣୁକି ଦକ୍ଷ ମୋତେ ବୋଲନ୍ତି ଶୟଳେ

ବିହିଙ୍କର ଧର୍ମପୁତ୍ର ମୁହିଁ କାଳେ କାଳେ ।

ତୋର ମୋର ସୃଷ୍ଟି ଆଦ୍ୟେ ବଳେ ବଳେଜାତ

ଏ କଥା କହିଲି ତୋତେ ନିରାକାର ସୁତ ।

ଏବେ ତୁ ମୋହର ଅନ୍ତ ବିଷ୍ଣୁ କୀର୍ତ୍ତି ପାଳ

ଶୁଣିଣ ପରମ ତୋଷ କମଳ ଦୁଲାଳ ।

ଏ ବିଧାତା ସାବିତ୍ରୀଙ୍କୁ ଘେନିଣ ସଙ୍ଗରେ

ରହିଲେ ଦକ୍ଷ ବ୍ରହ୍ମାଙ୍କ ବୋଲେ ସୁଧର୍ମାରେ ।

ସନ୍ତାନକୁ ଇଚ୍ଛା କରି ହର୍ଷ ଚତୁର୍ମୁଖେ

ସୁଧର୍ମା ସଭା ଭୁବନେ ରହିଲେ ସେ ସୁଖେ ।

ଦକ୍ଷ ପ୍ରଜାପ୍ରତି ତାଙ୍କୁ କନ୍ୟା ଯୋଗାଇଣ

ପୁନରପି କେତେ ପୁର କରିଲେ ରଚନ ।

ସ୍ଵର୍ଗ ଆଦି ଜିଣିଗଲେ ସକଳ ଭୁବନ

ଯଶୋବନ୍ତୀ ନାମେ ଏକ ପୁର ବିଦ୍ୟମାନ ।

ସେ ପୁରରେ କୁଶବଟୁ ନାମେ କୁଶଧର

ଆସ୍ତାନେ ବିଜେ କୋଟିଏ ମୁଖ ତାହାଙ୍କର ।

ପ୍ରଜାପତିଙ୍କ ଜନନୀ ପାଦେ ଅଛି ଖଟି

ବୀଣା କଜାନ୍ତି ନାରଦ ମୁନି ତପୋନିଷ୍ଠ ।

କୋଟିଏ ମୁଖେ ଉଚ୍ଚାର କରନ୍ତି ସେ ବେଦ

ଅଲେଖପୁର ଭେଦିଣ ଶୁଭଇ ଶବଦ ।

ଦକ୍ଷ ପ୍ରଜାପତିଙ୍କ ଯେ କନିଷ୍ଠ ସୋଦର

କୁଶବଟୁରୁ ଜନମ ହୋଇଛି ତାଙ୍କର ।

ଯେତେବେଳେ ଦକ୍ଷବ୍ରହ୍ମା ଜନମ ହୋଇଲେ

ସୃଷ୍ଟି ରଚିବାକୁ ସେହୁ ସଙ୍ଗକୁ ଲୋଡ଼ିଲେ ।

ନାରଦ କପଟ ଭାବେ ଦକ୍ଷରେ ବିଦ୍ରୋହୀ

ହୋଇ ଯେ ରୂପେ ତାଙ୍କଠୁ ଶାପ ଥିଲେ ପାଇ ।

ବିସ୍ତାର କରିଣ ଉମା କହୁଅଛି ଶୁଣ

ହରି ଦାଶ ପଦ୍ୟ ବନ୍ଧେ କରଇ ରଚନ ।

ଚନ୍ଦ୍ରଙ୍କ ପୁରାଣ ରସ ଅମୃତହିଁ ବଳି

ପଢ଼ି ସାଧୁଜନେ କର କଣ୍ଠତଟେ ମାଳି ।

•••

 

କଳିଆ ନାରଦ କାହିଁକି କହନ୍ତି

 

ଦକ୍ଷ ଯେ କଲେ ଅଇଲେ ସୃଷ୍ଟି ସର୍ଜ୍ଜନାକୁ

ପିତାଙ୍କୁ ସଖା ଜଣେକ ମାଗିଲେ ସଙ୍ଗକୁ ।

ପିତାଙ୍କର ଅଙ୍ଗୁଷ୍ଠିରେ କୁଶବଟୁ ଥିଲା

ଦକ୍ଷ ପ୍ରଜାପତି ବୋଲେ କୁମର ହୋଇଲା ।

କୁଶନାଡ଼ରୁ ତହିଁ ସେ କରିଲା ଶବଦ

ତେଣୁ ସେ ପୁତ୍ରର ନାମ ହୋଇଲା ନାରଦ ।

ଅପୂର୍ବ ସୁନ୍ଦର ସେହି ଦୁର୍ଲ୍ଲଭ ପ୍ରତିମା

ସ୍ଵୟଂ ଅବତାର କିବା ହେଲେ ବେଦବ୍ରହ୍ମା ।

ଜାତହୋଇ ସେ କୁମର ପିତାଙ୍କ ଅଗ୍ରତେ

ବୋଇଲେ ଭୋ ସ୍ଵାମୀ ଆଜ୍ଞା ଦେବା ହେଉ ମୋତେ ।

ନୂତନ ସୃଷ୍ଟି ଭିଆଣ କରିବଇଁ ମୁହିଁ

ଦକ୍ଷଙ୍କର ବଳେ ନୁହେଁ ସଂସାର ଭିଆଇ ।

ଏ ଯେବେ ପାରନ୍ତା କିମ୍ପା ଲୋଡ଼ନ୍ତାଟି ସଙ୍ଗ

ଶୁଣିକରି ଦକ୍ଷବ୍ରହ୍ମା ପାଇଲେ ସେ ଖଙ୍ଗ ।

କୋପମୁଖ ହୋଇକରି ନାରଦଙ୍କୁ ଚାହିଁ

ବୋଇଲେ ତୁ ଖଳ କଥା କହିଲୁ କିମ୍ପାଇ ।

 

 

ପିତାଙ୍କ ଛାମୁରେ ପୁଣି କହୁ ଖଳ ବାଣୀ

ଖଳ ବୋଲିଣ ବୋଲନ୍ତି ତୋତେ ସର୍ବପ୍ରାଣୀ ।

ଦେଖି ତାଙ୍କ ଖଳ କଥାମାନ ତୁହି ଘେନି

କହଳ ଆଚାରେ ତୁହି ବଞ୍ଚ ସଦାଦିନ ।

ପରାପରେ କହିକରି ଅହଙ୍କାର ବାଣୀ

କଉତୁକ ଦେଖିଲେ ତୁ ତୋଷ ଲଭି ପୁଣି ।

ଜଗତ ମଧ୍ୟରେ ମନ୍ଦ ଅସାର ଯେତେକ

ତୋତେ ପଟାନ୍ତର ହୋନ୍ତୁ ତୋହ ପରି ଲୋକ ।

କେଉଁକାଳେ ସ୍ଥିର ବୁଦ୍ଧି ନହୋଇବ ତୋର

ଜୀବିକା ହେଉ ତୋହର କଳି ବ୍ୟବହାର ।

ମୁହିଁ ଯେବେ ଜ୍ୟେଷ୍ଠଭାଇ ଅଟେ ତୋର ଗୁରୁ

ଏ ମୋହର ଶାପ ତୋହ ଅଙ୍ଗ ଭୋଗ କରୁ ।

ଏହା ଶୁଣି ସେ ନାରଦ କଲେ ପ୍ରତିବାକ୍ୟ

ବୋଇଲେ ତୁ କୋପେ ଶାପ ଦେଉ ମୋତେ ଦକ୍ଷ ।

ଯେତେକ ଶାପ ବିହିଲୁ ମୋତେ କ୍ରୋଧମୁଖେ

ଏ କଥାମାନ ରୁଚିଲା ମୋତେ ଅତିସୁଖେ ।

ମୁହିଁ ଯେବେ ଖଳଜନ ହୋଇବି ସଂସାରେ

ତୋହର ଶିରୀ କି ହତ କରିବ ବିଚାରେ ।

ଜଗତରେ ଅପକୀରତି ହେଉ ପଛେ ମୋତେ

ମୁହିଁ ତୋହର ସଙ୍ଗେ ନ ଯିବି କଦାଚିତେ ।

ଦକ୍ଷ ବ୍ରହ୍ମା ବୋଇଲେ ନ ଆସ ମୋର ପାଶ

ତୋହର ସଙ୍ଗରେ ଥିଲେ ନାହିଁ ମୋର ଯଶ ।

ଆଦ୍ୟରେ କଥାମାନ ଉପୁଜିଲା ଯହୁଁ

କାଳେ ଆଉ ଭଲକଥା ହୋଇବ ବା କାହିଁ ।

ନିଶ୍ଚୟ ଜାଣିଲି ଭାଇ ଅଟଇ ବଇରୀ

ଆଦ୍ୟ ପିତା କହିଥିଲେ ଯା ମୋତେ ତିଆରି ।

ଏହିକ୍ଷଣି ସେହି କଥା ଫଳିଲା ପ୍ରତ୍ୟକ୍ଷ

ଏମନ୍ତ ବିଚାର କରି ଭାଳନ୍ତି ସେ ଦକ୍ଷ ।

ପିତା ବୋଇଲେ କିମ୍ପାଇଁ ଲଗାଅ କଳହ

ତୁମ୍ଭେ ଦୁହେଁ ଯାଇକରି ମେଦିନୀ ଭିଆଅ ।

ନାରଦ ବୋଇଲେ ମୁଁ ନ ପାରଇ ଭିଆଇ

ତାହା ଶୁଣି ଆଜ୍ଞାଦେଲେ ଦକ୍ଷକୁ ଅନାଇ ।

ଆହେ ଦକ୍ଷ ପ୍ରଜାପତି ସଂସାର ଭିଆଅ

ସକଳ ଲୋକେ ମଧ୍ୟରେ ବହୁ ଯଶ ପାଅ ।

ପିତାମହ ଆଜ୍ଞା ଘେନି ଦକ୍ଷ ପ୍ରଜାପତି

ସଂସାର ସର୍ଜିବା ପାଇଁ ଚଳିଲେ ଝଟତି ।

ତାହା ଦେଖିଣ ନାରଦ ମନରେ ବିରସ

ବିଚାରିଲେ ଦକ୍ଷବ୍ରହ୍ମା ଲଭିବ ତ ଯଶ ।

ଯେଉଁ ରୂପେ ନ ପାରିବ ସଂସାର ଭିଆଇ

ତେମନ୍ତ ଉପାୟମାନ ପାଞ୍ଚିଥିବି ମୁହଁ ।

ଏତେ ବୋଲିଣ ନାରଦ ଶୂନ୍ୟରେ ରହିଲେ

ଦକ୍ଷ ପ୍ରଜାପତି ତହିଁ ସୃଷ୍ଟି ଭିଆଇଲେ ।

ମନରୁ ଜାତ କରିଣ ଷାଠିସସ୍ର ସୁତ

ତାହାଙ୍କୁ ବୋଇଲେ ତୁମ୍ଭେ ଭିଆଅ ଜଗତ ।

ପିତା ଆଜ୍ଞା ପାଇକରି ଚଳିଲେ କୁମରେ

ନାରଦ ମହାଋଷିଙ୍କୁ ଭେଟିଲେ ବାଟରେ ।

ନାରଦ ବୋଇଲେ କିସ ଅର୍ଥେ ବୁଲୁଅଛ

ସୃଷ୍ଟି ଭ୍ୟାଇବୁ ବୋଲିଣ କହୁ ଯକ୍ଷ ବତ୍ସ ।

ନାରଦ ବୋଲନ୍ତି ତୁମ୍ଭେ ବିଷ୍ଣୁ ନ ଭେଟିଲେ

ଜାଣିବ ସୃଷ୍ଟି ଭିଆଣ କଥା କାହୁଁ ଭଲେ ।

ଆଗ ତୁମ୍ଭେ ଯାଇକରି ବିଷ୍ଣୁ ଠାବ କର

ବିଷ୍ଣୁଙ୍କର ଅନ୍ଵେଷଣେ ଚଳିଲେ କୁମର ।

ପୁଣି ଲକ୍ଷେ ପୁତ୍ର ଜାତ କଲେ ପ୍ରଜାପତି

ତାଙ୍କୁ ବୋଇଲେ ତୁମ୍ଭେ ଭିଆଅ ଧରିତ୍ରୀ ।

ସେ ପୁଣି ଯାଇ ନାରଦେ ଭେଟିଲେକ ପଥେ

ତାହାଙ୍କୁ ନାରଦ ପୁଚ୍ଛିଲେ ବୁଲୁଛ କିଅର୍ଥେ ।

କୁମରେ ବୋଇଲେ ଆମ୍ଭେ ସୃଷ୍ଟି ଭିଆଇବୁ

ନାରଦ ବୋଇଲେ ତୁମ୍ଭେ ଶୁଣସିରେ ବାବୁ ।

ତୁମ୍ଭର ଅଗ୍ରତେ ଷାଠିସହସ୍ରେକ ସୁତ

ସେହି ପଥେ ଗଲେ ସୃଷ୍ଟି ସର୍ଜିବା ପାଇଁ ତ ।

ଯାହାଙ୍କୁ ଘେନିଣ ତୁମ୍ଭେ ଭିଆଅ ମେଦିନୀ

ଜ୍ୟେଷ୍ଠଙ୍କୁ ତ ନ ମାନିଲେ ହେବ ଧର୍ମହାନି ।

ଶୁଣି ଦକ୍ଷପୁତ୍ରେ ଗଲେ ଭ୍ରାତାଗଣେ ଲୋଡ଼ି

ଭେଟ ନ ପାଇ ଭ୍ରମିଲେ ବହୁଦୁଃଖେ ପଡ଼ି ।

ଧ୍ୟାନରେ ଜାଣିଲେ ଦକ୍ଷ ନାରଦଙ୍କ କୃତ୍ୟ

ଯାଇ ଜଣାଇଲେ ସବୁ ପିତାଙ୍କ ଅଗ୍ରତ ।

ଆହେ ପିତା ଶୁଣ ଏବେ ନାରଦଙ୍କ ବୁଦ୍ଧି

ହିଂସା ଘେନିକରି ମୋର ସଙ୍ଗତେ ବିବାଦୀ ।

ଅନେକ ପୁତ୍ର ମୋହର ଛଳିଲା କପଟେ

ଆପଣ ଏବେ ବୁଝନ୍ତୁ ସବୁ ଯୋଗବାଟେ ।

ସ୍ଵରୂପ ବଚନ ସବୁ ଜାଣି ଉମାପତି

ନାରଦ ମୁନିଙ୍କି ଶାପ ସେ ପୁଣି ଦିଅନ୍ତି ।

ବୋଇଲେ ତୁ ଜନ୍ମେ ଜନ୍ମେ ହୁଅ କଳଜନ

ବ୍ରହ୍ମଋଷି ହୋଇ କଳି ଦେଖି ନିଅ ଦିନ ।

ହେ ଜନେ ଶାପ ପାଇଣ ନାରଦ ମହର୍ଷି

ଅନେକ ସେବା କରିଣ ମନାକଲେ କାଶୀ ।

ଈଶ୍ଵର ପ୍ରସନ୍ନେ ମୁନି ମାଗିଲେକ ବର

ବୋଇଲେ ଦକ୍ଷବ୍ରହ୍ମା ଯେ ବଇରୀ ମୋହର ।

ପିତାଙ୍କୁ କହିଣା ଶାପ ବିହିଲେକ ମାତ

କଳହ ପ୍ରିୟ ମୋହର ହୋଇବ ଯେମନ୍ତ ।

ଦେଖାକରି ତୁମ୍ଭଙ୍କୁ ମୁଁ ମାଗୁଅଛି ବର

ଜନ୍ମେ ଜନ୍ମେ ବଇରୀ ମୁଁ ହୋଇବି ତାହାର ।

ଉପାୟ କରି ହରିବି ତାର ଯଶ ଶିରୀ

ଏମନ୍ତ ଆଜ୍ଞା ଦେବାକୁ ମୋତେ ତ୍ରିପୁରାରି ।

ଈଶ୍ଵର କହିଲେ ତୁହି ମାଗିଲୁ ଯେ ବର

ଜନ୍ମେ ଜନ୍ମେ ଏହି କଥା ତୁହି ଲାଭକର ।

ଏହିରୂପେ ନାରଦଙ୍କ ଜନ୍ମ ସମାଚାର

କଳହ ପ୍ରିୟ ହେବାର ଏକଥା ତାଙ୍କର ।

କୁଶବଟୁରୁ ଜନମ ନାରଦ ଯେ ଯତି

ଗାୟତ୍ରୀଙ୍କର ନନ୍ଦନ ଦକ୍ଷ ପ୍ରଜାପତି ।

ଏମନ୍ତ ପୁଣି ଶାସ୍ତ୍ରରେ ବର୍ଣ୍ଣନା ହୋଇଛି

ଏ ରୂପ ଜନ୍ମ ତାଙ୍କର ପୂର୍ବରୁ ରହିଛି ।

ଶୁଣିକରି ଉମାଦେବୀ ହୋଇଲେ ଆନନ୍ଦ

ସଦାକାଳେ ହର ଦାଶ ଚିନ୍ତଇ ଗୋବିନ୍ଦ ।

•••

 

ବ୍ରହ୍ମାଙ୍କର ପ୍ରସିଦ୍ଧ ଅଷ୍ଟପୁତ୍ରଙ୍କ ଜନ୍ମ

 

ଏଥୁଅନନ୍ତରେ କଥା ଶୁଣ ଶାକମ୍ବରୀ

ଚତୁର୍ମୁଖ ବ୍ରହ୍ମାଠାରୁ ଯେତେ ଅବତରି ।

ପ୍ରଥମେ ତାହାଙ୍କ ତହିଁ ହେଲେ ଉତପନ୍ନ

ମରୀଚ ଆତ୍ରେୟ ଏହି ଦୁଇଟି ନନ୍ଦନ ।

ଦ୍ଵିତୀୟେ ଅଙ୍ଗିରା ପୁଣି ବଶିଷ୍ଠ ମହର୍ଷି

ତୃତୀୟେ ପୁଲହ କ୍ରତୁ ଏହି ବେନିୁ ଋଷି ।

ଚତୁର୍ଥରେ ପ୍ରଜାପତି ଭୃଗୁ ଦୁଇପୁଅ

ଏମନ୍ତ ପ୍ରକାରେ ହେଲେ ଆଠଟି ତନୟ ।

ଜନ୍ମିଲେ ଏ ଆଠପୁତ୍ର ଚିରଞ୍ଜୀବୀ ହୋଇ

ସାବିତ୍ରୀ ମାତା ତାହାଙ୍କୁ ପାଳେ କ୍ଷୀର ଦେଇ ।

ଏଥୁଅନନ୍ତରେ ତୁମ୍ଭେ ଶୁଣ ଦିବ୍ୟ କଥା

ସେ ଆଠ ପୁତ୍ରଙ୍କୁ ଦିନେ ପୁଚ୍ଛିଲେ ବିଧାତା ।

ବୋଇଲେ ଏ ସୃଷ୍ଟି ସର୍ଜପାରିବ କି ବାବୁ

ପାରିବା ବୋଇଲେ ଶୁଣି ଆମ୍ଭେ ଖୁସିହେବୁ ।

ଏହା ଶୁଣି ପୁତ୍ରମାନେ ମନୁ ଲଜ୍ଜା ଛାଡ଼ି

ଜଣାଇଲେ ପିତାଙ୍କର ପାଦତଳେ ପଡ଼ି ।

 

 

ସ୍ତିରୀ ପୁରୁଷ ସଂଯୋଗେ ବୃଦ୍ଧି ହୁଏ ବଂଶ

ଯୁବତୀ ବିହୁନେ କିସ କରିବେ ପୁରୁଷ ।

ପୁତ୍ରଙ୍କର ନ୍ୟାୟଯୁକ୍ତ ବାଣୀ ଶୁଣି କରି

ପୁତ୍ରଙ୍କ କ୍ଷମତା ମନେ ଜାଣିଲେ ବିଚାରି ।

ଭାବିଲେ ଏହାଙ୍କ ପାଇଁ କନ୍ୟା ଆଠଗୋଟି

ବିଭାଦେଲେ ହୋଇପାରେ ୟାଙ୍କଦ୍ଵାରା ସୃଷ୍ଟି ।

ଏମନ୍ତ ପାଞ୍ଚି ମନରେ ଦେବେ କୁଶପାଣି

କିଛିକ୍ଷଣ ଧ୍ୟାନେ ମଗ୍ନ ରହିଲେ ସେ ପୁଣି ।

ଆପଣାର ମାନସରୁ ପୁରୁଷେକ କଲେ

ଅଷ୍ଟଦଳ ମଧ୍ୟେ ନେଇ ତାଙ୍କୁ ଭେଟାଇଲେ ।

ମନକୁ ନେଇ ଭେଟାନ୍ତେ ତହିଁ ଦଳମାନେ

ବୋଇଲେ ଏହାକୁ କିମ୍ପା ଆଣିଲେ ଏସ୍ଥାନେ ।

ଧାତାଏ ବୋଇଲେ ତୁମ୍ଭେ ବିଭାହେବ ବୋଲି

ତେଣୁ ତୁମ୍ଭ ସଙ୍ଗେ ଆଣି ମନ ଭେଟାଇଲି ।

ତୁମ୍ଭେ ଅଷ୍ଟଦଳ ଏବେ ହୁଅ ଅଷ୍ଟସଖୀ

ମନକୁ ଗୃହସ୍ଥ ପ୍ରାୟେ ଭୋଗକରି ରଖି ।

ସେ ମନରେ ରମି ଝିଅ ଆଠଗୋଟି ଦିଅ

ତାହାଙ୍କୁ ବିଭା ହୋଇବେ ମୋର ଆଠପୁଅ ।

ଏ ମନର ନାମ ହେଉ କର୍ଦ୍ଦମ ଯେ ଗତି

ଅଷ୍ଟଦଳ ବୋଲାଅ ଯେ ତୁମ୍ଭେ ଦେବହୁଡ଼ି ।

ଦଳେ ବୋଇଲେ ଶୁଣିଲେ ସିନା ବିଭାହେବୁ

ନ ଶୁଣିଲେ ଦେବହୁତି ହୋଇ କି କରିବୁ ।

ବ୍ରହ୍ମା ବୋଇଲେ ବୁଝିବା ତେବେ ତୁମ୍ଭେ ଶୁଣ

ଗଣନାରେ ତୁମ୍ଭେ ରାଶି ହୋଇଲା ମିଳନ ।

ଶୁଣିକରି ଅଷ୍ଟଦଳ ବିଧାତାର ବୋଲେ

ଶୁଝିଲା ଯହିଁ ବରଣମାଳା ଗଳେ ଦେଲେ ।

ବରକନ୍ୟାଙ୍କ ସ୍ଵରୂପେ ବସି ବିଭାହୋଇ

ବିଭା ଶେଷେ ମଧୂଶଯ୍ୟା ଘରେ ଯାଇ ଶୋଇ ।

ଏଣୁ ସେହି ମନ ସବୁ ପ୍ରକୃତି ଉପରେ

ଗୁରସ୍ତ ପରାଏ ହୋଇ ଶରୀରେ ବିହରେ ।

ଯେତେବେଳେ ଅଷ୍ଟଦଳ ରମିଲେ ମନକୁ

ଆଠକନ୍ୟା ଉପୁଜାଇ ଦେଲେ ସେ ବ୍ରହ୍ମାଙ୍କୁ ।

ସେ କନ୍ୟାମାନଙ୍କ ଜନ୍ମ ଶୁଣ ଯେଉଁଠାରୁ

ସୁଖଦା ହେମବତୀ ଯେ ପ୍ରସବ କର୍ଣ୍ଣରୁ ।

ନୟନରୁ ଉପୁଜିଲେ ସୁମତି ଜୟନ୍ତି

ସୁକ୍ରିୟା ଯେ ଅନୁସୂୟା ନାସାରୁ ଉତ୍ପତ୍ତି ।

ମୁଖଦଳରୁ ସୁକାନ୍ତି ଜାଣି ଉପୁଜିଲେ

ଅରୁନ୍ଧତୀ ସେ ତ୍ରିକୂଟ ଦଳୁ ଜନମିଲେ ।

ଅଷ୍ଟଦଳରୁ ଉତପନ୍ନ ହେଲେ ଅଷ୍ଟବାମା

ଏହି କନ୍ୟାମାନଙ୍କର ଅସୀମ ମହିମା ।

ଏ ରୂପେ ସେ ଅଷ୍ଟଦଳୁ ହେଲେ ଅଷ୍ଟବାଳୀ

ବିଧାତା ବୋଇଲେ ବାବୁ ଏବେ ଯାଅ ଚଳି ।

ଏ କନ୍ୟାମାନଙ୍କୁ ନେଇ ସୁଖେ ଭୋଗକର

ଶୁଣିଣ କୁମରେ ଦେଲେ ତହିଁ ଉତ୍ତର ।

ଆପଣ ଏହି କନ୍ୟାକୁ ଦେଇଯାନ୍ତୁ ବାଣ୍ଟି

ଯାହାକୁ ଦେବେ କରିବୁ ତାକୁ ଘେନି ସୃଷ୍ଟି ।

ଧାତା ବୋଇଲେ ମରୀଚ ନେଉ ସୁଖଦାକୁ

ଅନୁସୂୟା କନ୍ୟା ଦିଅ ଅତ୍ରି କୁମରକୁ ।

ହେମବତୀ କନ୍ୟା ଋଷି ଅଙ୍ଗିରା ଯେ ନେଉ

ବଶିଷ୍ଟ ଏ ଅରୁନ୍ଧତି ଜେମା ବିଭାହେଉ ।

ସୁମତିଙ୍କି ଦେବା ନେଇ ପୁଲହ ମହର୍ଷି

ସୁତୁ ନେଉ କ୍ରିୟା କନ୍ୟା ସଙ୍ଗରେ ବିଳସୀ ।

ଜୟନ୍ତୀ ନାମେ କନ୍ୟାକୁ ଭୃଗୁ ବିଭା ହେଉ

ସୁକାନ୍ତି କନ୍ୟାଖୁ ଦକ୍ଷ ପ୍ରଜାପତି ନେଉ ।

ଏମନ୍ତ କହି କନ୍ୟାକୁ ଆଣି ପଦ୍ମଯୋନି

ମହାମନ୍ତ୍ର ପଢ଼ିକରି ସମର୍ପିଲେ ପୁଣି ।

କୁଶଗ୍ରନ୍ଥି ବାନ୍ଧି ପୁତ୍ରେ ବିଭା କରାଇଲେ

ତହିଁ ଉତ୍ତାରୁ ଯେ ବ୍ରହ୍ମା ଦକ୍ଷକୁ କହିଲେ ।

ଷାଠିଏ ଗୋଟି ଦୁହିତା ତୁହି ଉପୁଜାଇ

ଆମ୍ଭର ନିକଟେ ତାକୁ ସମର୍ପିବୁ ନେଇ ।

କରିବି ମୁଁ ସେମାନଙ୍କ ପାଇଁ ବର ଖଞ୍ଜା

ଶୁଣି ହେଉ କହି ତହୁଁ ଗଲେ ଦକ୍ଷପ୍ରଜା ।

ସୁକାନ୍ତିକି ନେଇ ନିଜ ମନୋହାରୀ କଲେ

କିଛିଦିନ ଉତ୍ତାରେ ସେ ଗର୍ଭବତୀ ହେଲେ ।

ନବମାସ ପରେ ଦଶମାସର ଭିତରେ

ଜନମିଲେ କନ୍ୟାମାନେ ଦକ୍ଷଙ୍କର ଘରେ ।

ଷାଠିଏ କନ୍ୟାଙ୍କୁ ସଙ୍ଗେ ଘେନି ପ୍ରଜାପତି

ବ୍ରହ୍ମାଙ୍କ ସାକ୍ଷାତେ ନେଇ ଦେଲେକ ସବୁନ୍ତି ।

କନ୍ୟାଙ୍କ ଦେଖିଣ ଧାତା ସନ୍ତୋଷ ହୋଇଲେ

ପ୍ରଥମେ ରୁଦ୍ରଙ୍କୁ ସତୀ କନ୍ୟା ବିଭା ଦେଲେ ।

ସତୀକନ୍ୟା ବିଭଆକଥା କହିଲି ତୋ ଆଗେ

ଧର୍ମ ଦେବତାର ଜନ୍ମ ଶୁଣରେ ସରାଗେ ।

ଦକ୍ଷ କନ୍ୟାଗଣ ଆଣି ଯେତେବେଳେ ଦେଲେ

ସେ କନ୍ୟାମାନେ ପିତାଙ୍କ ମୁଖକୁ ଚାହିଁଲେ ।

ବ୍ରହ୍ମାଙ୍କ ପାଶେ ରହିଣ ପଚାରନ୍ତି ସର୍ବେ

କହ ଆମ୍ଭମାନଙ୍କର ପତି କିଏ ହେବେ ।

ଧାତା ବୋଇଲେ ଆକୁଳ ନୁହ ତୁମ୍ଭେ କେହି

ତୁମ୍ଭମାନଙ୍କର ପତି କିଏ ହେବେ ।

ଧାତା ବୋଇଲେ ଆକୁଳ ନୁହ ତୁମ୍ଭେ କେହି

ତୁମ୍ଭଙ୍କୁ ଆବଶ୍ୟ ବର ଖଞ୍ଜିଦେବି ମୁହିଁ ।

ଏତେ କହିଣ ଅଧର ଆଉଁଷିଲେ ଧାତା

ତକ୍ଷଣେ ଜନ୍ମିଲେ ତହିଁ ଶ୍ରୀଧର୍ମ ଦେବତା ।

ସେ ନିରାକାର ପୁରୁଷ ଜନ୍ମ ଧରି ଦେବ

ଦଶଗୋଟି କନ୍ୟା ତାଙ୍କୁ ଦେଲେ ପିତାମହ ।

ସେ କନ୍ୟାମାନଙ୍କ ନାମ ଶୁଣ ପ୍ରିୟତମା

ତନୁ ଭାନୁ ସୁମେଧା ହେ ମେଧା କ୍ଷିତି କ୍ଷମା ।

ଧୃତୀ ଶୃତୀ ସୁଚାରୁ ଯେ ଶ୍ରଦ୍ଧା ନାମ ପୁଣି

ଏମନ୍ତ ଧର୍ମକୁ ଦେଲେ ଦଶକନ୍ୟା ଆଣି ।

ଜନ୍ମିଲେ ଯେ ଦଶକନ୍ୟାଠାରୁ ଯେତେ ଜଣ

ସୁମେଧାରୁ ପୁତ୍ର ଗୋଟି ହେଲା ମେଘ ଦ୍ରୋଣ ।

ଶ୍ରଦ୍ଧା କନ୍ୟାର ସେ ପୁତ୍ର ଆବର୍ତ୍ତକ ହେଲା

ତନୁଗର୍ଭୁ ସମ୍ବର୍ତ୍ତକ ମେଘ ଜନମିଲା ।

ଭାନୁ ଗର୍ଭରୁ ଜନ୍ମିଲନ ପୁଷ୍କର ହେ ମେଘ

କ୍ଷିତି କନ୍ୟାଠାରି ଜାତ ହେଲା ଚାରିଯୁଗ ।

ଧୃତୀ କନ୍ୟାର ଗର୍ଭରୁ ଜାତ ପିତୃଗଣ

କ୍ଷମା କନ୍ୟା ଜାତ ହେଲେ ଏଗାର କରଣ ।

ଶ୍ରଦ୍ଧାର ଉଦରୁ ଜାତ ହେଲେ କନ୍ୟା ତିନି

ଶ୍ରୁତି କନ୍ୟାର ଜଠରୁ ଜନ୍ମିଲା ରଜନୀ ।

ସୁଚାରୁ ଗର୍ଭରୁ ଜାତ ହେଲେ ଷଡ଼ଋତୁ

ଏ ସର୍ବ ବିଷୟ ପ୍ରିୟେ ବୁଝିକରି ହେତୁ ।

ବ୍ରହ୍ମାଙ୍କର ପୁତ୍ର ଯେହୁ ଅଙ୍ଗିରା ମହର୍ଷି

ହେମବତୀ କନ୍ୟାକୁ ସେ ବିଭାହେଲେ ଆସି ।

ତାହାଙ୍କୁ ନେଇଣ ଋଷି କରନ୍ତେ ରମଣ

ଜନମିଲେ ବୃହସ୍ପତି ଘେନି ଦିବ୍ୟଗଣ ।

ସୁନନ୍ଦ ଦ୍ଵିଜର କନ୍ୟା ତାର ରୂପବତୀ

ବୃହସ୍ପତି ଦେବଗୁରୁ ହେଲେ ତାର ପତି ।

ଏ ରୂପେ ସୃଷ୍ଟି କରିବା ପାଇଁ କି ସେ ଦକ୍ଷ

ପୁତ୍ରଜାତ କରାଇଲେ ସେ ଦକ୍ଷ ପ୍ରତ୍ୟକ୍ଷ ।

ପୁତ୍ରଙ୍କ କର୍ତ୍ତବ୍ୟ ଜାଣି ଦକ୍ଷ ତହିଁ ଗଲେ

ଦକ୍ଷ ଯଶୋବନ୍ତପୁରେ ପ୍ରବେଶ ହୋଇଲେ ।

•••

 

ବ୍ରହ୍ମା ପୁତ୍ର ମରୀଚି ଆଦି ଅଷ୍ଟପୁତ୍ରଙ୍କଠାରୁ ଜୀମଜନ୍ତୁ ସୃଷ୍ଟି ଓ ବଣ୍ଟନ ଅନାଦି ସୁତଙ୍କ ଆଗେ ବର୍ଣ୍ଣନ

 

ଏଥୁଅନନ୍ତରେ ଶୁଣ ଆଗୋ ଉମାସତୀ

ଯଶୋବନ୍ତ ପୁରେ ମିଳି ଦକ୍ଷ ପ୍ରଜାପତି ।

ଦେଖନ୍ତି ସେ ପୁର ଶୋଭା ଅପୂର୍ବ ଭୁବନ

ତହିଁ ବିଜେ କରିଛନ୍ତି ଅନାଦି ନନ୍ଦନ ।

ସେ ପୁରକୁ ତୁଳିବାକୁ କେଉଁ କଥା ଅଛି

ଅତୁଳନୀୟ ଭାବରେ ସେ ଶୋଭା ପାଉଛି ।

କୋଟିଏ ମୁଖରେ ପିତା ଉଚ୍ଚାରନ୍ତି ଦେବ

ଅଲେଖ ପୁର ଭେଦିଣ ଶୁଭଇ ଶବଦ ।

ସକଳ ବ୍ରହ୍ମାଣ୍ଡର ଯେ ଅଟନ୍ତି କରତା

ଅନାଦି ସମ୍ଭୂତ ସେହି ବିହନ୍ତ ବିଧାତା ।

ରତ୍ନପରେ ସେହି ବ୍ରହ୍ମା ବିଜେ କରିଛନ୍ତି

ଛାମୁଙ୍କ ଦର୍ଶନ ଯାଇ କଲେ ପ୍ରଜାପତି ।

କାକୁତି ମିନତି ହୋଇ ପାଦତଳେ ଶୋଇ

ଉଠିଲା ଦକ୍ଷଣେ ସେ ଶିରରେ କରଦେଇ ।

ବିଧାତା ତାହାଙ୍କୁ ଶୁଭେ ବାଞ୍ଛିଲେ କନ୍ୟାଣ

ଆସ ସନ୍ନିଧିକି ମୋର କୁଳର ମଣ୍ଡନ ।

ତୁହି ମୋର ସୁପଣ୍ଡିତ ପୁତ୍ର ଗୁଣନିଧି

ଅସାଧ୍ୟ କାର୍ଯ୍ୟ ତୋହର ହସ୍ତେ ହୁଏ ସିଦ୍ଧି ।

ତୋତେ ଭାରଦେଇ ଆମ୍ଭେ ରହିଲୁ ନିଶ୍ଚିନ୍ତେ

ବାବୁ ତିହି ସଂସାରକୁ ପାଳୁଛୁ କେମନ୍ତେ ।

ଜୀବଜନ୍ତୁମାନେ ପୂର୍ଣ୍ଣ ହେଲେ ତ ସଂସାରେ

କୁଶଳ ବାରତା କହ ଆମ୍ଭର ଆଗରେ ।

ଦକ୍ଷବ୍ରହ୍ମା ବୋଇଲେ ଭୋ ଶୁଣ ପିତାମହ

କର୍ମରେ ଯହୁଁ ମୋହର ଆକର୍ଷିଲା ମୋହ ।

ସଂସାର ଭିଆଣ କଥା ବିଚାରଲେ ଚିତ୍ତେ

ବିଷ୍ଣଙ୍କୁ ଧ୍ୟାନ କରିଣ ରହିଲେ ନିଶ୍ଚିନ୍ତେ ।

କରୁଣା ସାଗର ମୋର ଜାଣିପାରି ଚିତ୍ତ

ନାଭିରୁ ଗୋଟିଏ ପଦ୍ମଫୁଲ କଲେ ଜାତ ।

ସେ ପଦ୍ମକେଶରୁ ଜାତ ଚତୁର୍ମୁଖ ଧାତା

ପେଷିଲେ ଜଗତ ପାଳିବାକୁ ତାଙ୍କୁ ମାତା ।

ସରସ୍ଵତୀଙ୍କ ଆଜ୍ଞାରେ ପଦ୍ମଫୁଲ ଘେନି

ଅଇଲେ ମୋ ସନ୍ନିଧିକୁ ସେହି ପଦ୍ମଯୋନି ।

ଆଣିଥିଲେ ଯେଉଁ ଗୋଟି ସେ କମଳ ଫୁଲ

ସନ୍ତୋଷରେ ଦେଲେ ବ୍ରହ୍ମା ମୋର କରସ୍ଥଳ ।

ମୋହର କରେ ପଡ଼ନ୍ତେ କମଳ ପୁଷ୍କର

ଗୋଟିଏ କନ୍ୟା ତହିଁରୁ ହେଲା ଅବତାର ।

ଚତୁର୍ମୁଖ ବ୍ରହ୍ମାଙ୍କୁ ସେ କନ୍ୟାଗୋଟି ଦେଲ

ତାହାଠାରୁ ମରୀଚକୁ ଉତ୍ପତ୍ତି କରିଲେ ।

ଅତ୍ରି ଅଙ୍ଗିରା ଆବର ବଶିଷ୍ଠ ମହର୍ଷି

ଏହି ପରକାରେ ଜାତହେଲେ ଆଠଋଷି ।

ଏମାନଙ୍କ ଦ୍ଵାରା ସର୍ବ କରିଲେ ସର୍ଜନ

ଚତୁର୍ମୁଖ ବ୍ରହ୍ମାଙ୍କର ଜ୍ୟେଷ୍ଠ ଯେ ନନ୍ଦନ ।

ତାଙ୍କଠାରୁ ଉପୁଜିଲେ କଶ୍ୟପ ମହର୍ଷି

ପବିତ୍ର ତାହାଙ୍କ ହୃଦ ମରୀଚିଙ୍କ ଶିଷି ।

ତେରଟି କନ୍ୟା ତାହାଙ୍କ ବିବାହ କରିଲେ

ସେ ଋଷି ନେଇ ତାହାଙ୍କୁ ସମ୍ଭୋଗେ ରହିଲେ ।

କଶ୍ୟପ ଋଷିଙ୍କ କୋଳେ ହେଲେ ବହୁ ପୋଏ

କିନ୍ନର ଅସୁର ସୁର ନର ଯକ୍ଷ ଯାଏ ।

ଭୂତ ପ୍ରେତ ପିଶାଚ ଯେ ନାଗଗଣମାନ

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ବର୍ଣ୍ଣ ।

ସାଧକ ଯେ ସିଦ୍ଧି ଲୋକ କଳ୍ପୀ ଜଳଚର

କଶ୍ୟପ ଋଷିଙ୍କଠାରୁ ହେଲେ ଅବତାର ।

ମୋହର ଗୋଚର ତାଙ୍କୁ କଲା ତପଚାରୀ

ମୁହିଁ ନିଯୋଗିଲି ତାହା ତେର ଭାଗକରି ।

ତେର ଭୁବନେ ନେଇଣ ସ୍ଥାପିଲି ଅନେଇ

ପ୍ରଥମେ ବ୍ରହ୍ମଲୋକ ଦ୍ଵିତୀୟେ ପଦ୍ମଲୋକ ।

ତୃତୀୟରେ ଭୂତଗଣ ଚତୁର୍ଥେ ପିଶାଚ

ପଞ୍ଚମରେ କର୍ମଲୋକ ନବମେ ଦବଂଶ ।

ଦଶେ ତପ ଲୋକ ଏକାଦଶେ ଧର୍ମ ଲୋକ

ଦ୍ଵାଦଶରେ ଚନ୍ଦ୍ର ତ୍ରୟୋଦଶେ ନିଜଲୋକ ।

ତହିଁର ଉପରେ ଜାଣ ନିରଞ୍ଜନ ବିହି

ତା ଉପରେ ଅଛନ୍ତି ଯେ ନିରାକାର ସାଇଁ ।

ପଞ୍ଚଦଶ ଭୁବନରେ ତ୍ରୟୋଦଶ ଲୋକ

ମଧ୍ୟରେ ଭୁବନ ପୁଣି ରହିଛି ଅନେକ ।

ଦ୍ଵାଦଶ ସୂର୍ଯ୍ୟ ଭୁବନେ ଶୋହେ ନିରାକାର

ମଞ୍ଚରେ ବସନ୍ତି ଚତୁର୍ଦ୍ଦଶ ରତ୍ନାକର ।

ତିନିଗୋଟି ବାରସ୍ଵତୀ ଏକ ସଞ୍ଜିମନୀ

ଷଡ଼ଗୋଟି ଶୂନ୍ୟପୁର ଚଉଦ ମେଦିନୀ ।

ତିନିଲକ୍ଷ ନଦୀ ଏକସସ୍ର ପୁଣ୍ୟତୀର୍ଥ

ପଞ୍ଚଦଶ କ୍ଷେତ୍ରେ ବାରଗୋଟି ଶ୍ରେଷ୍ଠ ଅର୍ଥ ।

ଚାରିବର୍ଗ ମୂଳେ ଚଉରାଶି ବର୍ଗ ଲୋକ

ଛତିଶ ଆବୃତ୍ତ ଶାସ୍ତ୍ରେ ବର୍ତ୍ତନ୍ତି ସେ କୋକ ।

ଚଉଦ ଭୁବନେ ସମ ସରି ସର୍ବଜନେ

ବସିଲେ ଉତ୍ତମ ବୃନ୍ଦାରକେ ସ୍ଵର୍ଗ ସ୍ଥାନେ ।

ଏ ରୂପେ ଭିଆଣ ଯାହା କରିଛି ସମସ୍ତ

ତୁମ୍ଭର ଛାମୁରେ ତାହା କହିଲି ନିୟତ ।

ସଂସାରରେ ଜୀବଜନ୍ତୁମାନେ ଉପୁଜିଲେ

ଯେ ଯାହାର ଅନୁରୂପେ ସମସ୍ତେ ରହିଲେ ।

କଶ୍ୟପ ଋଷିଙ୍କ ଜ୍ୟେଷ୍ଠ ତନୟ ମଘବା

ସକଳ ଗୁଣେ ସୁନ୍ଦର ଦିବ୍ୟ ରୂପ ଶୋଭା ।

ଇନ୍ଦ୍ରପଣରେ ତାହାଙ୍କୁ ସ୍ଵର୍ଗେ କଲି ରାଜା

ଚଉଦ ଭୂବନ ଲୋକ କରିବେ ଯେ ପୂଜା ।

ସକଳ ଦେବତା ତାର ବୋଲେ ରହିଥିବେ

ତାର ଆଶ୍ରିତରେ ତରିଯିବେ ସର୍ବ ଦେବେ ।

ସକଳ ଭୁବନ ସେହୁ ପାଳିବେ ସୁଧର୍ମେ

ବୁଝିବେ ପ୍ରାଣୀଙ୍କ ପାପ ପୁଣ୍ୟ ଯମ ଧର୍ମେ ।

ଚନ୍ଦ୍ର ସୂର୍ଯ୍ୟ ଜଳପତି ବରୁଣ କୁବେର

ଜନ୍ତୁପତି ନଈର୍ଋତ ପୁଣି ବୈଶ୍ଵାନର ।

ଶୁଭ ଅଶୁଭ ମଣିବେ ଦଶଦିଗପାଳ

ଚାରିମେଘ ବରଷିଣ ପାଳିବେ ଶୟଳ ।

ବିଷ୍ଣୁନାଥ ଜାଣିବେ ଏ ସମସ୍ତଙ୍କ ଚିନ୍ତା

ଦୁର୍ଗମ ଭାର ନାଶିବେ ଈଶ୍ଵର ଦେବତା ।

ଚତୁର୍ମୁଖ ବ୍ରହ୍ମା ଯେହୁ ବିଷ୍ଣୁର କୁମର

ବିଧାତା ପୁଣରେ ସେହୁ ସାଧିବ ସଂସାର ।

ତାହାର ତହୁଁ ଯେ ଜାତ ହେଲେ ଋଷିଗଣ

ତାହାଙ୍କଦ୍ଵାରା ଜଗତ ଲଭିବେ କାରଣ ।

ଜାଣିବେ ତେର ଭୁବନ ଚିନ୍ତା ଦେବଲୋକେ

ତ୍ରିଦଶ ବୋଲନ୍ତି ତେଣୁକରି ବୃନ୍ଦାରକେ ।

ମଞ୍ଚପୁରେ ରଖିଲଇଁ ୟେବଣ ଜୀବଙ୍କୁ

ସେ ପୂଜା କରିବେ ସେହୁ ଜଗତ ଲୋକଙ୍କୁ ।

ସକଳ ଲୋକେ କରିବେ ଯହୁଁ ତାଙ୍କୁ ମାନ୍ୟ

ମାନବ ନାମ ବହିଲେ ତହୁଁ ବିଦ୍ୟମାନ ।

ସ୍ଵର୍ଗ ମଞ୍ଚ ଛାଡ଼ିକରି ଆଉ ଯେତେ ସ୍ଥାନ

ବଞ୍ଚନ୍ତି ଅଚିନ୍ତା ଅଇଶ୍ଵର୍ଯ୍ୟେ ସର୍ବଜନ ।

ସକଳ ଭୁବନ ମଧ୍ୟେ ମଞ୍ଚପୁର ସାର

ବିଷ୍ଣୁଙ୍କର ନିର୍ମାଣ ଏ ଅଟେ ଯେଉଁ ପୁର ।

ଶୁଭ ଅଶୁଭ ସକଳ କର୍ମ ଧର୍ମ ବିଧି

ସୁଖ ସମ୍ପନ୍ନ ଦାରିଦ୍ର୍ୟ ଭୋଗ କଷ୍ଟ ବିଧି ।

ଭବପୁର ଲୋକଙ୍କୁ ଏ ସବୁ ଅଛି ଲାଗି

ଜନ୍ମ ମରଣ ଲଭନ୍ତି ତେଣୁ ବେଗାବେଗି ।

ରଚିଲି ଅସୁର ସୁର ନର ତିନି ଭଳି

ଅବଶ୍ୟ ଏମାନଙ୍କର ଲାଗୁଥିବ କଳି ।

ଏଥକୁ ଶ୍ରୀକୃଷ୍ଣ ହେଉଥିବେ ଅବତାର

ଦୁଷ୍ଟ ନାଶି କରୁଥିଲେ ଥୟ ମହୀଭାର ।

ହେ ଜନ ନାଶିବେ ତୋର କଷ୍ଟ ଗୋସାମଣି

ସଂହାର କରିବେ ଅନ୍ତକାଳେ ଶୂଳପାଣି ।

ପୃଥୀ ଭଲ ମନ୍ଦ ପାଳୁଥିବେ ଦେବଲୋକେ

ତେବେ ସେ ସୁସ୍ଥ ହୋଇଣ ରହିବେ ତ୍ରିଲୋକେ ।

ଏମନ୍ତ ପ୍ରକାର ମୁହିଁ ବିହିଛି ସଂସାରେ

ପ୍ରାଣୀଙ୍କ ଗତି କହିଲି ଅନେକ ପ୍ରକାରେ ।

ପୁରାଣ ପୁରୁଷ ଯେହୁ ନିତ୍ୟ ନିରାକାର

ବିଜୟ କରି ଅଛନ୍ତି ଅଶେଷ ଘଟର ।

ସକଳ ଦେବତା ଥାନ୍ତି ଅଶେଷ ଘଟର

ଯୋଗାମାୟା ବସାଇ ଯେ ବହୁ ପରକାରେ ।

କାମକ୍ରୋଧ ଲୋଭ ମୋହ ହିଂସା ଭାବ ଘେନି

କ୍ଷୁଧା ତୃଷା ନିଦ୍ରା ବସେ ଜଠର ଯେ ଅଗ୍ନି ।

ଏହି ଆଠକୁ ଆୟତ୍ତ କରଇ ଯେ ନର

ଜନ୍ମ ମରଣ ନ ବାଧେ ତାକୁ ନିତ୍ୟାଚାର ।

ଏହି ଅଷ୍ଟ ଖଣ୍ଡି ଘେନି ପଚିଶ ପ୍ରକୃତି

ଶରୀର ମଧ୍ୟରେ ଏହୁ କରନ୍ତି ଅନୀତି ।

ଏହାଙ୍କୁ ବଶ କରି ଯେ ଚିହ୍ନେ ପରଭୂତ

ସେହି ସେ ଭବସାଗରୁ ତରିବ ନିଶ୍ଚିତ ।

ଆପ ତେଜ ବାୟୁ ଆଉ ପୃଥୀବୀ ଆକାଶ

ଏଥିର ଭିତରେ ଜାଣ ସତ୍ୟ ପରକାଶ ।

ସେ ସତ ପୁରୁଷଙ୍କୁ ଯେ ଚିହ୍ନି ସର୍ବ ଘଟେ

ତାହାକୁ ମୁକୁତି ବାଟ ଦିଶଇ ନିକଟେ ।

ମୁକତି ବାଟର ପୁଣି ମହିମା ଏସନ

ଦୟା କ୍ଷମା ଶାନ୍ତି ଆଉ କୋମଳ ବଚନ ।

ଏ ରୂପରେ ଆଚରଣ କରିବେ ଯେ ପ୍ରାଣୀ

ଅଚିନ୍ତେ ତରିବେ ଯେହୁ ଭବନଦୀ ପାଣି ।

ଜ୍ଞାନ ଲଭି ଇନ୍ଦ୍ରିୟକୁ ଯେ ବଶ କରନ୍ତି

ଜନ୍ମ ମରଣ ଦିଶଇ ତାଙ୍କୁ ଦିବାରାତି ।

ଜଠରେ ବାସ କରି ଯେ ଭବେ ଜାତହୋଇ

ସଂସାରେ ଯେ ଭ୍ରମୁଥାଏ ମହା କଷ୍ଟ ପାଇ ।

ଏମନ୍ତ କରିଣ ମୁହିଁ ପ୍ରାଣୀଙ୍କି କହିଲି

ପାପ ପୁଣ୍ୟ ଦୁଇଗୋଟି ଉଦେ କରାଇଲି ।

ଯେ ଯାହା ଆବୋରିବ ଯେ ସେ ଫଳ ପାଇବ

ମୋତେ ନିନ୍ଦା କଲେ ଘୋର ନରକେ ପଡ଼ିବ ।

ଏମନ୍ତ ପ୍ରକାରେ ମୁହିଁ ବିହିଛି ସଂସାରେ

ପୂର୍ବର କରମ ବଶେ ତୁମ୍ଭର ଆଜ୍ଞାରେ ।

ଜମ୍ବୁ ଶାଳ୍ମଳୀ ଯେ ଶ୍ଵେତ କ୍ରୌଞ୍ଚ କୁଶ ଶାକ

ସିଂହଳ ପଦ୍ମ ଆବର ଅଟଇ ଯେ ପକ୍ଷ ।

ଆବର ମୁଁ ନବ ପୁତ୍ର ମନୁ କଲି ଜାତ

ଧୀର ସୁନ୍ଦର ସେମାନେ ମୋହର ସଞ୍ଜାତ ।

ଏ ବିଧିରେ ନବପୁତ୍ର ହେଲେ ଅବତାର

ସୃଷ୍ଟି ପାଳିବାକୁ କଲେ ସମସ୍ତେ ବିଚାର ।

ପୁତ୍ରଙ୍କ ବିବାହ ଦେଖି ମନରେ ବିଚାରି

ନବଖଣ୍ଡ କରି କାଟିଦେଲି ବସୁନ୍ଧରୀ ।

ସେ ନବ ପୁତ୍ରଙ୍କୁ ଦେଲି ବାଣ୍ଟିକରି ତାହା

ଯେ ଯାହା ବାଣ୍ଟରେ ସେହୁ ହେଲେ ନରନାହା ।

ଆପଣାର ନାମେ ସେହୁ ମେଦିନୀ ଭିଆଇ

ରହିଲେ ସେ ପରଜାଙ୍କୁ ପାଳି ତୋଷହୋଇ ।

ମେଦିନୀ ବାଣ୍ଟିଲି ମୁହିଁ ଯେଉଁ ଗାର କାଟି

ସେହି ସେ ହୋଇଲା ଜାଣ ସିନ୍ଧୁ ସାତଗୋଟି ।

ଲବଣ ଯେ ଇକ୍ଷୁ ସୁରା ଘୃତ ଦଧି କ୍ଷୀର

ସଲିଳ ସିନ୍ଧୁକୁ ଘେନି ସପତ ସାଗର ।

ଏଥିର ଭିତରେ ଅଛି ପୃଥ୍ଵୀ ନବଖଣ୍ଡ

ଏଥିରେ ସଞ୍ଚରଣ ହୋଇଲା ବ୍ରହ୍ମାଣ୍ଡ ।

ପୃଥିବୀରେ ନରଇନ୍ଦ୍ର ସ୍ଵର୍ଗେ ସୁରପତି

ପାତାଳରେ ନରନାହା ଅନନ୍ତ ମୂରତି ।

ଯଶୋବନ୍ତୀ ପରେ ହେଲା ବିଧାତାର ବାସ

ପାତାଳ ବଇକୁଣ୍ଠରେ ବିଜେ ପିତବାସ ।

କଇଳାସରେ ଈଶ୍ଵର ଯମ ସଂଯମନୀ

ଅଳକାପୁରେ କୁବେର ସାଗରରେ ଅଗ୍ନି ।

ଲବଣେ ବରୁଣ ଦଧି ମଧ୍ୟେ ନିଶାକର

କ୍ଷୀର ସାଗର ଘେନିଣ ରହିଲେ ସମୀର ।

ଜ୍ୟୋତିପୁରରେ ଆଦିତ୍ୟ କୋଣେ ଅଷ୍ଟବସୁ

ବିଶ୍ଵଦେବା ରହିଲେ ଯେ ଭୁବନ ସିତାଂଶୁ ।

ବିଶ୍ଵକର୍ମା ରହିଲେ ଯେ ଚିତ୍ରଶାଳାପୁର

ଜୟନ୍ତୀପୁରେ ରହିଲେ ଅଶ୍ଵିନୀ କୁମାର ।

ରତ୍ନରେଖା ପୁର ମଧ୍ୟେ ରହିଲେ ଜାହ୍ନବୀ

ରହିଲେ ଯେ ଅଷ୍ଟଗିରି ପଦେ ମହାଦେବୀ ।

ତିଥି ବାର ଯୋଗ ଲଗ୍ନ କରଣ ଯେ ରାସି

ବେଳକାଳ ଗ୍ରହଗଣ ନକ୍ଷତ୍ର ବିଶେଷି ।

ଦିବାନିଶି କରିବେ ଏ ସଂସାର ଭିଆଣ

ଶୁଭାଶୁଭ ଭଲମନ୍ଦ କରି ନିରୀକ୍ଷଣ ।

ଚତୁର୍ମୁଖ ବ୍ରହ୍ମା ସଙ୍ଗେ ଋଷିଗଣ ଘେନି

ବେଦବାକ୍ୟ ପାଳିବେ ସେ ସଂସାର ମେଦିନୀ ।

ଚାରିମେଘ ବରଷିବେ ବେଳ କାଳ ଜାଣି

ଅଶେଷ ଅଦୋଷ ଦୋଷ ସହିବ ଧରଣୀ ।

ବାସୁକୀ ନାଗ ସହିବ ପୃଥ୍ଵୀ ଭରାଭର

ରହିବେକ ମେରୁ ଆଶ୍ରେକରି ତିନିପୁର ।

ବିଷ୍ଣୁଙ୍କୁ ଆଶ୍ରୟ କରି ରହିଲେ ଜଗତେ

ସେହି ବିଷ୍ଣୁ ସର୍ବଘଟ ପ୍ରାଣ ପଞ୍ଚଭୂତେ ।

ବିଷ୍ଣୁ ନାମ ଗୋଟି ସାର ସକଳ ବ୍ରହ୍ମାଣ୍ଡେ

ଅଧିକାରୀ ଅଟନ୍ତି ସେ ବିଷ୍ଣୁ ସର୍ବ ପିଣ୍ଡେ ।

ବିଷ୍ଣୁଙ୍କୁ ଆଶ୍ରେ କରିଣ ତରନ୍ତି ଯେ ପ୍ରାଣୀ

ତାହାଙ୍କୁ ସଂସାର ମଧ୍ୟେ ସାର କରି ଗଣି ।

ସକଳ ଜନ ଉପରେ ଦୁର୍ଲ୍ଲଭ ସେ ଜନ

ସଂସାରରେ ବିଷ୍ଣୁଭକ୍ତ ଜନ ମୋକ୍ଷପାନ ।

ବିଷ୍ଣୁ ନାଥଙ୍କ ଅଭାବେ ବଞ୍ଚନ୍ତି ଯେତେକ

ସେମାନଙ୍କ ମୋକ୍ଷପଦ ନୁହଇ ଶାଶ୍ଵତ ।

ଅଙ୍ଗାରର ଯେହ୍ନେ ସ୍ଵାଦ ବାସନା ନ ଥାଇ

ବିଷ୍ଣୁର ଅପ୍ରୀତି ଲୋକ ତେସନ ଅଟଇ ।

ଏମନ୍ତ ଅନେକ କଥା କହିଲେ ସଂସାରେ

ଯେ ଯେମନ୍ତ ଲୋକ ତାକୁ ରଖିଲି ସେ ପୁରେ ।

ଗୋଲୋକ ଭୁବନେ ଆଉ ବାଞ୍ଛାବଟ ମୂଳେ

ଯେ ଅଲେଖପୁର ତଳେ ଗୋମାତା ରହିଲେ ।

ରହିଲେକ ଠୁଳ ଶୂନ୍ୟପରେ ଜଗଜ୍ୟୋତି

ଯୋଗମାୟା ସବୁଠାରେ ଧରି କାମମୂର୍ତ୍ତି ।

ରହିଲେ ତାହାକୁ ଆଶ୍ରେକରି ଚତୁର୍ଦ୍ଦଶ

ସମ୍ପୂର୍ଣ୍ଣ ହୋଇ ପୂରିଲେ ଭୁବନ ଆକାଶ ।

କେଉଁଠାରେ ରହିବି ମୁଁ ଅବା ପିତାମହ

ପରଂବ୍ରହ୍ମ ନାଥ ମୋତେ ବିଚାରିଣ କହ ।

ବ୍ରହ୍ମା ବୋଇଲେ ବାବୁରେ ସକଳ ତୋହର

ରହ ତୋର ଇଚ୍ଛା ତୋର ଯୋଗାଇ ଯେ ପୁର ।

ଏତେ ବୋଲିଣ ବିଧାତା କରେ ଶାଢ଼ୀ ଘେନି

ଋଷିନ୍ଦ୍ର ପଣେ ବାନ୍ଧିଲେ ଦକ୍ଷର ମୂର୍ଦ୍ଧନୀ ।

ବିଦାୟ ନେଇଣ ଦକ୍ଷ ସେଠାରୁ ଅଇଲେ

ନିଜ ମନୋନୀତ ସ୍ଥାନ ଖୋଜିଣ ବୁଲିଲେ ।

ଜୀବଜନ୍ତୁ ସୃଷ୍ଟିକରି ଲଭିଲେ ସେ ସ୍ଥାନ

ଦୀନ ହୀନ ହରି ଦାଶ କରଇ ରଚନ ।

•••

 

ମରୁତ ଋଷିଙ୍କ କନ୍ୟାଙ୍କୁ ଦକ୍ଷ ନାରଦ ବିଭା

 

ଏଥୁଅନ୍ତେ ବିଚାରିଲେ ଗଣେଶ ଜନନୀ

ଦକ୍ଷ କଥା କୁହ ନାଥ ଘେନି ମୋ ଦୟନୀ ।

ଭୂତେଶ କହିଲେ ସବୁ ଠିକ ଠିକ କରି

ବୁଝାଇ କହୁଛି ଶୁଣ ଶ୍ରବଣକୁ ଡେରି ।

ଦକ୍ଷ ପ୍ରଜାପତି ବ୍ରହ୍ମା ହସ୍ତୁ ଶାଢ଼ୀ ପାଇ

ବାହୁଡ଼ି ଅଇଲେ ସେହୁ ଓଳଗି ଯେ ହୋଇ ।

ମଞ୍ଚପୁରରେ ମିଳିଲେ ଆସି ପ୍ରଜାପତି

ମନ୍ଦର ଗିରି ଦକ୍ଷିଣ ଭାଗର ଯେ କତି ।

ସର୍ବ ସାଧବୀ ମେଦିନୀ ନାମେ ଗିରି ତଳେ

ଶାଖାବତୀ ନଗର ଯେ ଅଟେ ତହୁଁ କୂଳେ ।

ସେ ବନେ ଛନ୍ତି ମରୁତ ନାମେ ମହାଋଷି

ତାହାଙ୍କ ଆଗରେ ଦକ୍ଷ ମିଳିଲେକ ଆସି ।

ଦେଖିଣ ମରୁତ ଋଷି ହେଲେ କୃତ୍ୟ କୃତ୍ୟ

ଦକ୍ଷବ୍ରହ୍ମାଙ୍କର ପାଦେ କଲେ ପ୍ରଣିପତ ।

କହିଲେ କରପତ୍ର ଯୋଡ଼ ମହାମୁନି

କେଉଁ କାର୍ଯ୍ୟେ ଏଥକୁ ହେ ବିଜେ ବ୍ରହ୍ମଜ୍ଞାନୀ ।

 

 

ପ୍ରଜାପତି ମରୁତକୁ ସକଳ କହିଲେ

ଯେ ରୂପେ ସକଳ ଜୀବ ପୃଥ୍ଵୀରେ ସଞ୍ଚିଲେ ।

ସକଳ ଜୀବଜନ୍ତୁଙ୍କୁ ଗତି ଜ୍ଞାନ ଦେଇ

ତୋଠାକୁ ଏବେ ଆସିଛି କିଛି କାର୍ଯ୍ୟ ପାଇଁ ।

କନ୍ୟା ଗୋଟାଏକ ମୋତେ କରନ୍ତୁ ପ୍ରଦାନ

ଶୁଣି ସନ୍ତୋଷ ଗାର୍ଗବ ଋଷିଙଅକ ନନ୍ଦନ ।

ଦକ୍ଷକୁ ରଖାଇ ତହିଁ ଋଷି ତପୋବନ୍ତ

ଦୋହରୀ ଅନଳେ ସେହୁ ସମର୍ପିଲେ ଘୃତ ।

ଅତ୍ୟନ୍ତ ସୁନ୍ଦରୀ କନ୍ୟା ଅନଳୁ ଜନ୍ମିଲେ

ବେନି ଗୋଟି ତାଙ୍କ ଅଙ୍କ ସମ ହେମ ତୁଲେ ।

ଜ୍ୟେଷ୍ଠା ନାମ ଚନ୍ଦକାନ୍ତି ଦୁଜେ ହେମମାଳୀ

ସମ୍ପୂର୍ଣ୍ଣ ଚନ୍ଦ୍ରମାମୁଖୀ ସେ ନବୀନା ବାଳୀ ।

ତ୍ରିପୁର ମୋହିନୀ କିବା ଲାବଣ୍ୟ ପ୍ରତିମା

ଅମୂଲ୍ୟ କନକ କାନ୍ତି ଦେଖି ବିନି ଜେମା ।

ମରୁତ ଋଷି ସେ ବେନି କନ୍ୟା ସଙ୍ଗେ ନେଇ

କର ଦୁଇ ଯୋଡ଼ି ଦକ୍ଷ ବିହି ଆଗେ କହି ।

ବୋ ମହାଋଷି ଜଗତ କରତା ଈଶ୍ଵର

ଯାହାର ମନୁ ଉଦୟ ହେଲା ଏ ସଂସାର ।

ମୁଁ ତୋତେ ତୋଷିବି ଅବା କେଉଁ ଦ୍ରବ୍ୟ ଦେଇ

ଆଜ୍ଞାରେ ଅପ୍ରର୍ବ କନ୍ୟା ଜାତ କଲି ଦୁଇ ।

ରୂପ ଗୁଣେ ସୁନ୍ଦରୀ ଦିବ୍ୟଗୁଣେ ଶୋଭା

ମନକୁ ଯୋଗାଇଲେ ହେ ହୁଅ ଆପେ ବିଭା ।

ପ୍ରଜାପତି ବୋଇଲେକ ମୋହର ସଦୃଶ

ସାନଭାଇ ଅଛି ମୋର ପିତାଙ୍କର ପାଶ ।

ନରଦ ତାହାର ନାମ ସେହି ମହାଜ୍ଞାନୀ

ବେଦଶାସ୍ତ୍ର ପୁରାଣରେ ପ୍ରସିଦ୍ଧ ସେ ମୁନି ।

ତାହାଙ୍କୁ ପ୍ରଦାନ କର କନିଷ୍ଠ ଝିଅକୁ

ଆମ୍ଭେ ବିଭା ହେବୁ ତୋର ବଡ଼ କନ୍ୟାଟିକୁ ।

ମରୁତ ବୋଇଲେ ଯାହା ଯୋଗାଏ ଆମ୍ଭଙ୍କୁ

ନାସ୍ତିକି କରି ପାରିବି ମୁଁ ତୁମ୍ଭ କଥାକୁ ।

ମରୁତ ମହାଋଷିର ସନମତ ବାଣୀ

ସାନନ୍ଦ ହୋଇଲେ ଦକ୍ଷ ତପ୍ରଜାପତି ଶୁଣି ।

ନାରଦ ଋଷିଙ୍କି ତହୁଁ ସୁମରିଲେ ମନେ

ତକ୍ଷଣେ ନାରଦ ଆସି ହେଲେ ସନ୍ନିଦାନେ ।

ପ୍ରଜାପତି ପାଦତଳେ କଲେ ମନସ୍କାର

ନାରଦଙ୍କୁ ନମସ୍କାର କଲେ ମୁନିବର ।

ଯେ ଯାର ଉଚିତ ମାନ୍ୟେ ଗଉରବ କରି

ମରୁତ ଋଷି ବ୍ରହ୍ମାଙ୍କ ସୁତକୁ ଯେ ବରି ।

ସଙ୍କଳ୍ପ କରି ଯେ ବିଧି ତହିଁ ଦେବ ବାକ୍ୟେ

ଅତ୍ୟନ୍ତ ହରଷ ହୋଇ ମନର ଉତ୍ସୁକେ ।

ଜ୍ୟେଷ୍ଠ ଝିଅ ନାମ ଗୋଟି ଅଟେ ଚନ୍ଦ୍ରକାନ୍ତି

ସେ କନ୍ୟାକୁ ବିଭା ହେଲେ ଦକ୍ଷ ପ୍ରଜାପତି ।

କନିଷ୍ଠ ଦୁହିତା ନାମ ଅଟେ ହେମମାଳୀ

ଅମୂଲ୍ୟ ହେମ ପରାୟ ତାର ଅଙ୍ଗ ଝଳି ।

ସେ କନ୍ୟା ଗୋଟି ନାରଦ ମୁନି ବିଭାଦେଲେ

ମହା ସନ୍ତୋଷେ ମରୁତ ଋଷି ବିଭାହେଲେ ।

ସେ କନ୍ୟାଙ୍କୁ ପାଇକରି ବ୍ରହ୍ମାଙ୍କ କୁମରେ

ଆନନ୍ଦ ମନେ ରହିଲେ ଯେ ଯାହା ସ୍ଥାନରେ ।

ଯଶୋବନ୍ତୀ ପୁରେ ଯାଇ ରହିଲେ ନାରଦ

ମାନସ ମଧ୍ୟରେ ବହି ଅତ୍ୟନ୍ତ ପ୍ରମୋଦ ।

ଚନ୍ଦ୍ରକାନ୍ତି କି ଘେନିଣ ଦକ୍ଷ ପ୍ରଜାପତି

ମଠେକ କରି ରହିଲେ ମନ୍ଦରାଦି କତି ।

ପୁଣି ଭଦ୍ରା ନଦୀକୂଳେ ନିରାକୁଳ ବନ

କରୁଣା ବଟେକ ଅଛି ସେହି ସନ୍ନିଧାନ ।

ସେ ବଟତଳେ ଗୋଟିଏ ମଠ ସଜକରି

ରହିଲେ ସେ ଦକ୍ଷବ୍ରହ୍ମା ତପୀରୂପ ଧରି ।

ସଙ୍ଗେ ରହିଲେ ଘରଣୀ ମରୁତଙ୍କ ଜେମା

ପରମ ସାଧବୀ ତାଙ୍କୁ ନାହିଁ ଯେ ଉପମା ।

ସ୍ଵାମୀଙ୍କ ଚରଣ ସେହୁ ସେବା କରୁଥାଇ

ଆନନ୍ଦେ ଦିନ ନିଅନ୍ତି ପତି ପତ୍ନୀ ଦୁଇ ।

ଜଗତ ନିମନ୍ତେ କରୁଥାନ୍ତି ପୁଣି ଯାଗ

ଯାଗଯଜ୍ଞ କରିଣ ସେ ଦ୍ୟନ୍ତି ହବିର୍ଭାଗ ।

ଦେବ ଶାସ୍ତ୍ର ପୁରାଣ ଯେ ଶ୍ଳୋକ ଗୀତା ଅର୍ଥ

ନାନା ବିଦ୍ୟାମାନ ତହିଁ କରନ୍ତି ବିଖ୍ୟାତ ।

ବାରବ୍ରତ ଓଷା ଆଦି ଦେବ ପୂଜା ବିଧି

ଭବିଷ୍ୟତ କଥାମାନ ଜଉତିଷ ଆଦି ।

ଜ୍ଞାନ ଉପଦେଶ ଆଉ ସାଧନା ବିବେକ

ଗୋଟିକା ଅଞ୍ଜନ ପୁଣି କୁହୁକ ଉଲୁକ ।

ଗାରଡ଼ି ମହାଖଳା ଯେ ଧାରଣା ଧରଣ

ଛତିଶ ବିଦ୍ୟା ସହିତ ଯେତେକ ଭିଆଣ ।

ଆମ୍ଭର ବିଚାର ନ୍ୟାୟ ନୀତି ଶାସ୍ତ୍ରମାନ

ମାନ ଗଉରବ ଆଦି ଯାବତ ବିଧାନ ।

ଦେଶଚାର ବାଣୀ ଆଉ କୁଳାଚାର ଧର୍ମ

ଆବର ଆରାଧିବା ଯେ ଜାତି ଦଶକର୍ମ ।

ଭକ୍ଷ ବୋଜନାହିଁ ଆଦି ବାଣିଜ୍ୟ ବେଉସା

ଦେବା ଦୟା ଧର୍ମ ପୂର୍ଣ୍ଣ ଯାଚକର ଆଶା ।

ଯେଉଁ ପୁର ଲୋକଙ୍କର ଯେଉଁ ଆଚରଣ

ଦକ୍ଷବ୍ରହ୍ମା ଯେ ସମସ୍ତ କରନ୍ତି ଭିଆଣ ।

ଜନଙ୍କ ହିତ ନିମନ୍ତେ କରନ୍ତି ବିଖ୍ୟାତ

ମୁକ୍ତି ଅର୍ଥେ ତପ ଅର୍ଥେ କରନ୍ତି ଯାବତ ।

ସକଳ ବ୍ରହ୍ମାଣ୍ଡର ଯେ ଏକଇ କରତା

ଏହି ସେ ବ୍ରହ୍ମା ପୁରୁଷ ବିହନ୍ତି ବିଧାତା

ଜଗତ ଜନ୍ତୁମାନଙ୍କୁ ସୁଖ ଭୋଗ ଦେଇ

ଆପଣେ ତପ କରନ୍ତି ବନବାସୀ ହୋଇ ।

ସକଳ ଜନଙ୍କ ପରେ ସେ କର୍ତ୍ତା ଈଶ୍ଵର

ଚଉଦ ଭୁବନେ ଖ୍ୟାତ ମହିମା ଯାହାର ।

ଇନ୍ଦ୍ର ଆଦି ସହିତରେ ଦଶଦିଗପାଳେ

ନିତ୍ୟ ଆସି ଖଟିଥାନ୍ତି ତାଙ୍କ ପାଦତଳେ ।

ସକଳ ପୁରର ଲୋକେ ଆଜ୍ଞା ପାଳିଥାନ୍ତି

ଏକକୁ ଆରେକ ଖଳ ବଳ ଯେ ନୁହନ୍ତି ।

ଶୁଣିକରି ଉମାଦେବୀ ହୋଇଲେ ସନ୍ତୋଷ

ଅଜ୍ଞାନୀ ହରି ଦାସ ୟା କରଇ ପ୍ରକାଶ ।

•••

 

ଚନ୍ଦ୍ର ପୁରାଣ

ଚନ୍ଦ୍ରଙ୍କ ଜନ୍ମ

 

ଶିବଙ୍କୁ ପୁଚ୍ଛିଲେ ଉମା ଯୋଡ଼ି ବେନିହସ୍ତ

ଚନ୍ଦ୍ରଙ୍କର କଥା ମୋତେ କହ ପ୍ରାଣନାଥ ।

ଶଙ୍କର ବୋଲନ୍ତି ପ୍ରିୟେ ଚନ୍ଦ୍ର ଜନ୍ମ କଥା

ତାଙ୍କ ବଂଶାବଳୀ ଆଦି ସକଳ ବାରତା ।

ଶୁଣିବାକୁ ଯେବେ ଶ୍ରଦ୍ଧା କଲେ ପ୍ରାଣଧନ

ବିସ୍ତାରି କହୁଛି ସବୁ ଶୁଣ ଦେଇ ମନ ।

ବ୍ରହ୍ମାଙ୍କର ଅଷ୍ଟପୁତ୍ର ମଧ୍ୟେ ଯେ ତନୟ

ନାମ ଗୋଟି ବହିଛନ୍ତି ପ୍ରସିଦ୍ଧ ଆତ୍ରେୟ ।

ଅନୁସୂୟା ନାମେ କନ୍ୟା ବିଭା ହୋଇ ମୁନି

ସୁଖେ ତା ସଙ୍ଗେ ବଞ୍ଚନ୍ତି ଦିବସ ରଜନୀ ।

ଏହି ରୂପେ କେତେଦିନ ଅତୀତ ହୋଇଲା

ଦିନେ ଅନୁସୂୟା ସତୀ ଋତୁମତି ହେଲା ।

ଚତୁର୍ଥ ନିଶି ଯାଆନ୍ତେ ପଞ୍ଚମ ଦିନରେ

ପ୍ରାତଃକାଳୁ ଚଳିଗଲେ ସ୍ନାନ କରିବାରେ ।

ମିଳିଲେ କ୍ଷୀରସିନ୍ଧୁରେ ଯାଇଁ ଅନୁସୂୟା

ଏ ସମୟେ ମୁନି ଘରେ ନ ଦେଖିଣ ପ୍ରିୟା ।

 

 

ଆକୁଳ ହୋଇ ଖୋଜନ୍ତି ତାଙ୍କୁ ଚଉକତି

ଗୃହରେ ଭେଟ ନ ପାଇ ପଦରେ ଦେଖନ୍ତି ।

ଲୋଡ଼ନ୍ତି ପୁର ବାହାରେ ନାହିଁ ଅନୁସୂୟା

ଏଥୁଅନ୍ତେ ମୁନିଘରେ ନ ଦେଖିଣ ପ୍ରିୟା ।

ବିଚାରିଲେ କେଉଁଆଡ଼େ ଗଲା ପ୍ରାଣସହୀ

କେଉଁଠାରେ ଭେଟିବି ମୁଁ ଏବେ ତାକୁ ଯାଇ ।

ପୁଣି ବୋଲନ୍ତି ବିଶାଖା ହେବି ତୋହ ବିନା

ଶ୍ରୀଘ୍ର କରି ଆସ ପ୍ରିୟେ ଦେଖାଦିଅ କିନା ।

ଦୀନଦୁଃଖୀ ପରକାରେ ନ ସରେ ମୋ ଦିନ

ତୁ କାମ କ୍ଷୁଧାକୁ ମୋର ଅଟୁ ସୁଧାପାନ ।

ଦେହେ ଯେହ୍ନେ ଥାନ୍ତି ଜୀବ ପରମ ଏ ଦୁଇ

ଜଣେ ଭକ୍ଷିଲେ ଆରେକ ସନ୍ତୋଷ ହୁଅଇ ।

ସଂସାରେ କର୍ତ୍ତାକୁ ଜାଣେ ସେହିରୂପେ ପତ୍ନୀ

ଏକକୁ ଆରେକ ଥାନ୍ତି ସେହି ଭାବ ଘେନି ।

ଏମନ୍ତ ବୋଲି ଚାହିଁଲେ ଯାଇ ଦଶ ଦିଗେ

ଆକୁଳ ହୋଇ ତାହାଙ୍କୁ ପଚାରନ୍ତି ଆଗେ ।

ଆହେ ଦିଗମାନେ ତୁମ୍ଭେ ଜାଣିଥିଲେ କହ

କେଣେ ମୋର ପ୍ରିୟା ଗଲା ଅପୂର୍ବ ତା ଦେହ ।

ତାର ବିହୁନେ ନ ପାରେ ମୁହିଁ ଦେହ ରଖି

ହେଲାଣି ମୋ ତନୁ କ୍ଷୀଣ ଚକ୍ଷୁରେ ନ ଦେଖି ।

ମୁଁ ତାହାର ଆତ୍ମା ସେହୁ ଅଟେ ପିଣ୍ଡ ମୋର

ପିଣ୍ଡ ନ ଥିଲେ କି ସୁଖ ଅଛି ଏ ଆତ୍ମାର ।

ଏହି ରୂପେ ପତିପତ୍ନୀ ଦୁହେଁ ଏକ ପ୍ରାଣ

ଦୁଇ ନ ଥିଲେ ଆଶୋଭା ଦିଶେ ଏକ ପ୍ରାଣ ।

ଦିଗକୁ ଛାଡ଼ି ବୃକ୍ଷକୁ ପଚାରନ୍ତି ପୁଣି

ହେ ବୃକ୍ଷେ ଦେଖି ଅଛକି ମୋହର ତରୁଣୀ ।

ଆଜି ପ୍ରଭାତରୁ ମୁଁ ନ ଦେଖି ନେତ୍ର ଭାଗେ

ଘଡ଼ିକ ବେଳେ ମୋତେ ତ ଲାଗିଲାଣି ଯୁଗେ ।

ଏମନ୍ତେ ବୋଲି ପୃଥ୍ଵୀକୁ ଅତ୍ରି ପୁଣି ଚାହିଁ

ଗୋମାତା ବସୁଧା ଦେଖିଥିଲେ ଦିଅ କହି ।

କାହିଁଗଲା ପ୍ରିୟା ମୋର ତୋତେ ଥିବ ଜଣା

ମୋତେ ସିନା ଏ ସଂସାରେ ପଥ ଅଟେ ବଣା ।

ଶତକ୍ରୋଶ ବା ସହସ୍ର ଯୂଣେ ଥାଉ ତୁହି

ଯେ ଯହିଁ ଥିବ ଅଜଣା ତୋତେ କାହିଁ ନାହିଁ

ଏଣୁ ଗୋ ବସୁଧା କହ କାହିଁ ମୋର ସଖୀ

କେଉଁଠାରେ ଅଛି ମୋର ପୂର୍ଣ୍ଣଚନ୍ଦ୍ରମୁଖୀ ।

ନ କହିଲେ ମୁଁ ମରିବି ତୋତେ ଦେଲି ଶାପ

ଏହା ଶୁଣି ବସୁମତୀ ହସିଲେ ଅଳପ ।

 

 

ମୁନିଙ୍କି କହିଲେ ଉଭାହୋଇ ମୃଦୁବାଣୀ

ଭୋ ମୁନି ଯେତେ ଖୋଜୁଛ ଭାରିଯାକୁ ପୁଣି ।

ତୁମ୍ଭର ଘରଣୀ ପରା ପାକାସ୍ପର୍ଶ ହୋଇ

ଶୁଦ୍ଧସ୍ନାନେ ସୁମୁଦ୍ରକୁ ଯାଇଅଛି ସେହି ।

ସ୍ତିରୀଙ୍କ ହେଲେ ଏ କଥା ସଙ୍କୋତ ନୁହେ କି

ଗୋଧାଇବା କଥା କେହି କାନ୍ତକୁ କହେ କି ।

ସ୍ତିରୀ ବିଷୟ ସ୍ତିରୀଏ ସିନା ଜାଣିପାରୁ

ପୁରୁଷେ ଶୁଣିଲେ ତାହା ଲଜ୍ଜା କରି ମରୁ ।

ସହଜେ ଅଶୁଦ୍ଧ ନାରୀ ପ୍ରଥମୁ ନ ଛୁଇଁ

ଦ୍ଵିତୀୟ ଦିନ ଛୁଇଁଲେ ଆୟୁ ହାନି ହୋଇ ।

ତୃତୀୟେ ଛୁଇଁଲେ ହରେ ବାର ବ୍ରତ ଯାକ

ଚତୁର୍ଥେ ପାଣି ନ ପାନ୍ତି ତାର ପିତୃଲୋକ ।

ପଞ୍ଚମ ଚାତ୍ରରେ ପ୍ରିୟା ପାଶେ ଚଳିଗଲେ

ତହିଁ କିଛି ଦୋଷ ନାହିଁ ବସୁଧା କହିଲେ ।

ଏ ବିଷୟ ଯେ ତୁମ୍ଭଙ୍କୁ କିଛି ଜଣା ନାହିଁ

ଋତୁସ୍ନାନର ନିମନ୍ତେ ଯାଇଅଛି ସେହି ।

ଯେବେ ଲୋଡ଼ୁଛ ତାହାଙ୍କୁ ଆକୁଳ ଚିତ୍ତରେ

ଦେଖିବ ଯାଅ ଅଛି ସେ କ୍ଷୀରସିନ୍ଧୁ ତୀରେ ।

ଏହା ଶୁଣି ଅତ୍ରି ମୁନି ହୋଇଲେ ସନ୍ତୋଷ

ବସୁଧା ବଚନେ ଶୀଘ୍ର ଗଲେ ପ୍ରିୟା ପାଶ ।

ପ୍ରିୟାକୁ ଦେଖିଣ ହର୍ଷେ କୋଳରେ ଧରିଣ

କହନ୍ତି ମୁନି ଗଦ୍‌ଗଦେ ମଧୁର ବଚନ ।

ନ କହି ସଖୀ କି ରୂପେ ଅଇଲୁ ତୁ ମୂର୍ଚ୍ଛି

ନ ଦେଖିଲେ ତୋତେ କ୍ଷଣେ ନ ପାରଇ ବଞ୍ଚି ।

ଅନୁସୂୟା ବୋଇଲା ମୁଁ ନିସ୍ତରିଲି ତେବେ

ମୋ ଛାର ସ୍ତିରୀକି ଦୟା ଥାଏ ଚିତ୍ତେ ଯେବେ ।

ସହଜେ ତ ଭାରିଯାର ପତି ଅଟେ ଗତି

ପତିଙ୍କି ସେବିଲେ ନାରୀ ମୁକତି ଲଭନ୍ତି ।

ସ୍ତିରୀମାନଙ୍କର ଏଣୁ ଗୁରସ୍ତହିଁ ବିଷ୍ଣୁ

ନାରୀଏ ତାଙ୍କ ପାଖରେ ସର୍ବଦା ସହିଷ୍ଣୁ ।

ପତିଠାରେ ବିଷ୍ଣୁ ନାମ ଗୋଟି ପ୍ରବର୍ତ୍ତଇ

ନାରୀ ଭଜିଥିଲେ ଏକା ମୁକ୍ତି ଫଳ ପାଇ ।

ପତି ବିଷ୍ଣୁ ସେବା ଛାଡ଼ି ଯେ ଆନେ ଗମନ

ମୁକ୍ତି ଛାଡ଼ି ଚିରଦିନ ନରକେ ପତନ ।

କାଳ କାଳକୁ ତା କଥା ପୃଥ୍ଵୀରେ ରହଇ

ଅନିଚ୍ଛା ନାରୀକି ପୁଂସ ନ ପାରିବ ଛୁଇଁ ।

ଅଣୁମାତ୍ର ଥିଲେ ଆଶା ନାରୀମାନଙ୍କର

ସେ ଆଶା ଅନଳେ ଝାସ ଦ୍ୟନ୍ତି କାମୀନର ।

ଚୋରା ପୀରତି ଗୋପନ ହୋଇ ନ ରହଇ

ପକ୍ଷେ ମାସେ ବରଷେ ତା ବିକାଶି ବସଇ ।

ସେ ବାସନାରୁ ମହତ ସରେ ନାରୀଙ୍କର

ତିନି ଭୁବନରେ ଗତି ନାହିଁ ତାହାଙ୍କର ।

ଯେଣୁ ମୁଁ ଅନ୍ତର ହୋଇ ଆସିଥିଲେ ନାଥ

ଯଦି ତୁମ୍ଭେ ରଖିଥାଅ ବୁଝି ମୋ ଚରିତ ।

ଅନ୍ୟ କେଉଁ ଆଶା ମୋର ନାହିଁ ପ୍ରାଣପତି

ତୁମ୍ଭେ ତପେ ଥିଲ ମୁହିଁ ହେଲି ରଜୋବତୀ ।

ପ୍ରଥମ ଚତୁର୍ଥ ଯାଏ ନ ଛୁଅଁନ୍ତି କାନ୍ତେ

ତେଣୁ ପ୍ରଭାତୁ ଆସିଛି ମୁହିଁ ସ୍ନାନେ ଅର୍ଥେ ।

କାହା ମୁଖ ନ ଚାହିଁଣ ଯିବି ଜଳଘାଟେ

ରବି ଉଦେ ନୋହୁ ଶୁଚି ହେବ ଅଛି ପାଠେ ।

ତେବେ ସେ ଯୁବତୀକି ନ ଲାଗେ ଦୋଷାଦୋଷ

ସେଦିନ ରାତ୍ରେ କରିବ ସ୍ଵାମୀ ସହବାସ ।

ତାହାର କୋଳେ ସୁପୁତ୍ର ନିଶ୍ଚେ ଜାତ ହୁଏ

ରବି ଉଦେ ସ୍ନାନ ଯିବା ନିଷେଧ ବୋଲାଏ ।

ଭଲ ମନ୍ଦ ଦୁଇକଥା ଜାଣିଅଛି ମୁହିଁ

ତେଣୁ ସକାଳୁ ଅଇଲି ଛାମୁରେ ନ କହି ।

କୁତ୍ସାତ ରମଣୀ ସିନା ପୁରୁଷେ ଜଣାଏ

ସ୍ନାନେ ଶୁଚି ନୋହି ପୁଣି ଗୃହେ ବସିଥାଏ ।

ଏ ସମୟେ ଯେ ଦର୍ଶନ ଦେଲେ ମୋତେ ଆସି

ସ୍ତିରୀଙ୍କି ନ ମିଳେ ଥିଲେ ଗଙ୍ଗାଜଳ ଝାସି ।

ଶୁଣି ଏହା ଅତ୍ରି ମୁନି ହୋଇଲେ ସନ୍ତୋଷ

ପ୍ରିୟାକୁ ବୋଲେ ଏଥି କରିବା କେଳି ରସ ।

କେତେକ ଭୂମି ନିର୍ମଳ ତଟ କ୍ଷୀରସିନ୍ଧୁ

ଏ ସ୍ଥାନେ ପୁତ୍ର ଜନ୍ମିଲେ ବୋଲାଇବ ବନ୍ଧୁ ।

ତିରିଶ ଅହୋରାତ୍ରଟି ଯେବେ ହେବ କେଳି

ତେବେ ତୋ ପୁତ୍ର ହୋଇବ ସୁଧାଂଶୁ ମଉଳି ।

ଦିନେ ଉଣା ହେଲେ ହେବ ଛିଦ୍ର ପ୍ରାୟ ବାଳେ

ଏମନ୍ତ ଦିଶୁଛି ସଖୀ ମୋତେ ଧ୍ୟାନବଳେ ।

ଶୁଣ ଆଗୋ ପ୍ରିୟା ସେହି ଅନୁସୂୟା ମତି

ପତିବ୍ରତା ନାରୀ ବୋଲି ନ କଲେ ସେ ନାସ୍ତି ।

ମୁନିଙ୍କର ହୃଦୟରେ ପୀଡ଼ଇ ଅନଙ୍ଗ

ବଚନ ନ ମେଣ୍ଟି ଦୁହେଁ ହେଲେ ଏକ ଯୋଗ ।

ପ୍ରାଣାଦି ପଞ୍ଚ ପବନ ଦୁହେଁ କରି ଏକ

ନିଶ୍ଚଳ କରିଣ ମନ କ୍ରୀଡ଼ନ୍ତି ଅନେକ ।

ମୁନିଙ୍କ କଳ୍ପନାରୁ ନ ଟଳେ ବ୍ରହ୍ମବୀର୍ଯ୍ୟ

ଘନ ଘନ ବିନ୍ଧୁଅଛୁ କନ୍ଦର୍ପ ନାରାଚ ।

ଏହି ମତେ ପଞ୍ଚଦଶ ଦିନ ଯାନ୍ତେ ବହି

ରମଣର ଚେଷ୍ଟା ସତୀ ନ ପାରିଲେ ସହି ।

ଲଜ୍ଜା ତ୍ୟକ୍ତ କରି ସ୍ଵାମୀ ଆଗେ ଜଣାଇଲେ

ଏଥର ମୋ ଗର୍ଭେ ବୀର୍ଯ୍ୟ ନ ପଡ଼ୁ ବୋଇଲେ ।

ଶରୀର ଆସକ୍ତ ମୋର ନ ଇଚ୍ଛଇ ମନ

ବିନ୍ଦୁ ଚାଳନା ନ କର ଘେନି ନିବେଦନ ।

ଏମନ୍ତ କହନ୍ତେ ପ୍ରିୟା ମାନ ମୁନିବର

ପ୍ରଣୟ ସୁଖରୁ ବର୍ତ୍ତି ହୋଇଲେ ଅନ୍ତର ।

ବିଚାରିଲେ ପ୍ରିୟା ଯେବେ ହେଲାଣି ଆସକ୍ତ

ଏତେବେଳେ ଆଉ ତାକୁ ନ କରି ବରକ୍ତ ।

କିନ୍ତୁ ବ୍ରତଗୋଟି ମୋର ନହୋଇଲା ପୂରା

ପୁତ୍ର ଜନ୍ମିଲେ ଦିଶିବ ଛିଦ୍ର ତନୁ ପରା ।

ପକ୍ଷେ କେଳି ହେବା ହେତୁ ବଢ଼ିବ ସେ ପକ୍ଷ

ଆର ପକ୍ଷ ଛିଡ଼ି ଛିଡ଼ି ଯିବା ଦେହଯାକ ।

ଏ ରୂପେ ଏ ପୁତ୍ର ସିନା ହେବ ଉତପତ୍ତି

ନ କରିବା କେଳି କଷ୍ଟ ନ ପାଉ ଯେ ସତୀ ।

ଭାରିଯା ଦୁଃଖ ଲଭିଲେ ସେ ଦୁଃଖ ସ୍ଵାମୀର

ଏତେ ଭାଳି ମୁନି କେଳି ତେଜିଲେ ସତ୍ଵର ।

ଦେହ ଶୁଦ୍ଧ କରିବାକୁ ହୋଇଣ ପ୍ରୟାସୀ

ତହିଁ ଯାଇ ମୁନି କ୍ଷୀରସିନ୍ଧୁ ନୀରେ ପଶି ।

ଖସି ଆସିଥିଲା ଯେଉଁ ଧାତୁ ଲିଙ୍ଗ ଚକ୍ରେ

ତାହାକୁ ମୁନି ଉର୍ଦ୍ଧ୍ଵକୁ ଟେକିନେଲେ ବକ୍ରେ ।

ବ୍ରହ୍ମରନ୍ଧ୍ର ଖସି ସେହୁ ଆସୁଥିଲା ଝରି

ଲହରୀ ପ୍ରାୟେ ଟେକିଲେ ତାକୁ ବ୍ରହ୍ମାଚାରୀ ।

ଲେଉଟି ରଖିବା ତାକୁ ବିନ୍ଦୁ ଘରେ ନେଇ

ଏତେ ଭାଳି ନାଭି ଚକ୍ର ହୃଦଚକ୍ରେ ଥୋଇ ।

କଣ୍ଠ ଚକ୍ରେ ଆଣି ତାକୁ ରଖିଲେ ଲଲାଟେ

ତହିଁ ରଖି ନ ପାରି ସେ ବହେ ଚକ୍ଷୁ ବାଟେ ।

ନେତ୍ରରୁ ବହନ୍ତେ ବିନ୍ଦୁ ଲୁହ ବୋଲାଇଲା

ନେତ୍ରରୁ ବହନ୍ତେ ବିନ୍ଦୁ ଲୁହ ପଡ଼ିଲା ।

ଏ ସମୟେ ଅତ୍ରି ଋଷି ପ୍ରିୟାକୁ ଡାକିଣ

ଜଳେ ପଡ଼ିଥିବା ବିନ୍ଦୁ ହେଲେ ଦେଖାଇଣ ।

ବୋଇଲେ ଦେଖରେ ପ୍ରିୟା ଯାଏ ଯେଉଁ ବିନ୍ଦୁ

ଜଳବିମ୍ବେ ଦେଖାଯାଏ କିବା ପୂର୍ଣ୍ଣଇନ୍ଦୁ ।

କ୍ଷୀରସିନ୍ଧୁ ଜଳେ ପଡ଼ି ସଞ୍ଚରିଲା ପିଣ୍ଡ

ଉଜ୍ଜ୍ଵଳ କରିବ କିବା ମହୀ ନବଖଣ୍ଡ ।

ଏକାଳେ ସେ ତେଜ ଦେଖି ଜଳ ଅଧୀଶ୍ଵର

ଧ୍ୟାନବଳେ ଜାଣି ମୁନି ପାଶେ ଅଗ୍ରସର ।

କୃତାଞ୍ଜଳି ପୁଟେ ବୋଲେ ହେ ମୁନି ତିଳକ

କୃପାକରି ଦିଅ ମୋତେ ଏ ତୁମ୍ଭ ବାଳକ ।

ମୋର ପୁତ୍ର ବୋଲି ଏହା ଜାଣନ୍ତୁ ସକଳେ

ନିର୍ଲୋଭ ଦିଅ କୃପାରେ ବଢୁ ମୋର ଆଳେ ।

ମୁନି ବୋଇଲେ ପ୍ରିୟାକୁ ଶୁଣ ପ୍ରାଣେଶ୍ଵରୀ

ଏ ପୁତ୍ରକୁ ମାଗୁଅଛି ଜଳ ଅଧିକାରୀ ।

ତୋର ହେତୁ ଏ କୁମର ଧଇଲା ବିକୃତି

କେଳିପୂର୍ଣ୍ଣ ହୋଇଥିଲେ ଦେଖନ୍ତୁ ଏ ମୂର୍ତ୍ତି ।

ଯାହାହେଉ ଶୁଣ ପ୍ରିୟେ ମାଗନ୍ତି ବରୁଣ

ନିରାଶ କଲେ କରିବ ବଡ଼ ଦୁଃଖମନ ।

ପତି ବଚନେ ବୋଇଲେ ଅନୁସୂୟା ସତୀ

ତୁମ୍ଭ କଥାକୁ କି ନାଥ କରିବଇଁ ନାସ୍ତି ।

ଶୁଣି ଆତ୍ରେୟ ବୋଇଲେ ଘେନ ମୋ କୁମର

କିନ୍ତୁ ଏ ରହିବ ନାହିଁ ପାଶରେ ତୁମ୍ଭର ।

ସମୟେ ପୁତ୍ର ମୋହର ହେବ ନିଶାପତି

ପକ୍ଷେ ହେବ କ୍ଷୀଣତନୁ ପକ୍ଷେ ପୂର୍ଣ୍ଣାକୃତି ।

ଏହା ଯୋଗେ କୃଷ୍ଣ ଶୁକ୍ଳପକ୍ଷ ଜଣାଯିବ

ଶୀତଳ କରିଣ ୟାର ଜଗତ ମୋହିତ ।

ଶ୍ରଦ୍ଧାରେ ଦେଉଛୁ ଏହା ଘେନ ହେ ବରୁଣ

କାଳେ କାଳେ ହେଉ ଏହି ତୁମ୍ଭର ନନ୍ଦନ ।

ଏହା କହିଣ ସେ ପୁତ୍ର ତୋଳି ଟେକିଦେଲେ

କାଖେ ଘେନିଣ ବରୁଣ ମୁନିଙ୍କ ନମିଲେ ।

ପତି ପତ୍ନୀଙ୍କୁ ନମିଣ ବିଦାୟ ମାଗିଣ

ଆପଣା ଭୁବନେ ଯାଇ ପାଳିଲେ ନନ୍ଦନ ।

ଏଥୁଅନ୍ତେ ଅନୁସୂର୍ୟା ବୋଇଲା ହେ ନାଥ

କଲ୍ୟାଣ କର ଦୀର୍ଘାୟ ହେଉ ଆମ୍ଭ ସୁତ ।

ଯହିଁ ତହିଁ ଥିଲେ ଆମ୍ଭେ ନେତ୍ରେ ଦେଖୁଥିବା

ଦେଖିଲେ କି ଆନନ୍ଦିତ ମନେ ନ ଲଭିବା ।

ଶୁଣି ଆତ୍ରେୟ ବୋଇଲେ ହେଉରେ ତରୁଣୀ

ଦେଲି ବର ଅଜ୍ରାମର ହେଉ ପୁତ୍ରମଣି ।

କ୍ଷୀରସିନ୍ଧୁ ମଧ୍ୟେ ଯେଣୁ ପଡ଼ି ମୋର ବିନ୍ଦୁ

ପୁତ୍ର ଜନ୍ମିଲା ତା ନାମ ଦେଲି ଜାଣ ଇନ୍ଦୁ ।

ନେତ୍ରରୁ ଜନ୍ମିଲା ଯୋଗ ନିଶାପତି ହେଉ

ଯେ ତିଥି ଜନ୍ମ ସେ ତିଥି ଦ୍ଵିତୀୟା ବୋଲାଉ ।

ପକ୍ଷେ ବଢ଼ୁ ପକ୍ଷେ ପଛେ ଛିଡୁ ଏହି ପୁତ୍ର

ଗଗନରେ ଉଦେ ହୋଇ ମୋହୁ ଏ ଜଗତ ।

ଘୋର ନିଶାରେ ପ୍ରକାଶୁ ଏହା ବିଦ୍ୟଜ୍ୟୋତି

ବିରାଜିବ ଶୁକ୍ଳାମ୍ବର ରୂପେ ଦେହ କାନ୍ତି ।

ସବୁସ୍ଥାନେ ସମ ଦିଶି ସୋମ ନାମ ବହୁ

ନେତ୍ରରୁ ଜନ୍ମିଲା ସର୍ବ ନେତ୍ରପିୟ ହେଉ ।

ଏ ଚନ୍ଦ୍ରବେଳେ ଶୁଭରେ ଗମନ କରିବେ

ବାରରାଶିଯାକ ଆଉ ବାଧା କେ ନ ଦେବେ ।

ବାରରାଶିଯାକ ହେବ ଚନ୍ଦ୍ର ମୂଳେ ଭୋଗ

ମେଷ ବୃଷ ମିତୁନ ଯେ କରକଟ ସିଂହ ।

କନ୍ୟା ତୁଳା ବିଛା ଧନୁ ମକ୍ର କୁମ୍ଭ ମୀନ

କୀଟ ବ୍ରହ୍ମଯାଏ ଚଳୁ ଏହି ବାର ଲଗ୍ନ ।

ସଇତାଶ କନ୍ୟା ସଙ୍ଗେ ଏହା ଦିନ ସରୁ

ରାଶିକେ ଏ କନ୍ୟା ପଦେ ଲେଖା ଭୋଗ କରୁ ।

ଏହାର ଉଦୟେ ଦଶଦିଗ ଶୋଭା ପାଉ

ବ୍ରହ୍ମାଣ୍ଡେ ଏ ପୁତ୍ର ତୁଲ୍ୟ ଅନ୍ୟ ସମ ନୋହୁ ।

ଏମନ୍ତ ବର ଦେଇଣ କରିବେ କଲ୍ୟାଣ

ପୁଣି ପ୍ରିୟେ ଏ ପୁତ୍ର ମୋ ହେବ ଗୁଣବାନ

ତାହାର ବିଷୟଯାକ ଧ୍ୟାନେ ହୁଏ ଦୃଶ୍ୟ

ତେଣୁ ତୁମ୍ଭର ଆଗେ ମୁଁ କଲି ପରକାଶ ।

ଯାହା ଜାଣିଲି ଏତିକି ଆଜି ଆମ୍ଭ ସୁତ

ପରେ ପ୍ରକାଶ ପାଇବ ହୋଇ ପରଗୋତ୍ର ।

•••

 

ସମୁଦ୍ର ମନ୍ଥନ

 

ଏଥୁଅନନ୍ତରେ ଉମା ଶୁଣ ମନଦେଇ

ଏ ଚନ୍ଦ୍ରଙ୍କ ଜନ୍ମକଥା ଗୋପନ ଅଟଇ ।

ଆତ୍ରେୟ ମୁନିଙ୍କ ପୁତ୍ର କେହି ନ ଜାଣନ୍ତି

ସକଳେ ଜାଣନ୍ତି ଚନ୍ଦ୍ର ସମୁଦ୍ରୁ ଉତ୍ପତ୍ତି ।

ସମୁଦ୍ରରୁ କେଉଁ ରୂପେ ହୋଇଛନ୍ତି ଜାତ

ସେ କଥା କହୁଛି ପ୍ରିୟେ ଶୁଣ ଦେଇ ଚିତ୍ତ ।

ପୃଥିବୀ ଏ ରୂପେ ଆଦ୍ୟେ ହୋଇଲା ବସାଣ

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ତୂର୍ଣ୍ଣ ଜୀବଗଣ ।

ଧରଣୀରେ ନାନା ଶସ୍ୟ ହେଲା ଉତପନ୍ନ

ଦେବାସୁର ନର ଖାଇ ଧରିଲେ ଜୀବନ ।

ଜୀବଙ୍କ ଶରୀରେ ତହିଁ ରୋଗ ହେଲା ଜାତ

ସେ ହେତୁ ଜୀବଙ୍କ ହେଲା ଶରୀର ଅସୁସ୍ଥ ।

ସେ ରୋଗକୁ କି ଉପାୟେ ହରିବା ବିଚାରି

ଧ୍ୟାନେ ସ୍ମରଣେ କରିଲେ ବ୍ରହ୍ମା ଦେବ ହରି ।

ଧ୍ୟାନେ ସ୍ମରେଣନ୍ତେ ବିଷ୍ଣୁ ମିଳି ଧାତା ପାଶେ

ବୋଇଲେ ଚିନ୍ତିଲ ମୋତେ ତୁମ୍ଭେ କି ସକାଶେ ।

 

 

ବ୍ରହ୍ମା ବୋଇଲା ତୋ ବୋଲେ ରଚିଲି ସମସ୍ତ

ରୋଗମାନଙ୍କୁ ଔଷଧ କର ଆହେ ନାଥ ।

ବ୍ରହ୍ମାଙ୍କୁ ବୋଇଲେ ହରି କର ମୋ ବଚନ

ସୁରାସୁର ଘେନିକରି ସମୁଦ୍ର ମନ୍ଥନ ।

ଅମୃତ ଉତ୍ପତ୍ତି ହେବ ମନ୍ଥିଲେ ସାଗର

ସୁଧା ପାନେ ଦେବଗଣ ହୋଇବେ ଅମର ।

ସର୍ବ ମୌଷଧି ରହିଛି ବାରିଧି ଗର୍ଭରେ

ମନ୍ଥ ଏବେ ମନ୍ଦରକୁ ପକାଇ ସାଗରେ ।

ବିଷ୍ଣୁ ଆଜ୍ଞା ପାଇ ଧାତାଦେବ ଦୈତ୍ୟ ତୁଲେ

ମନ୍ଦର ତୋଳିବା ପାଇଁ ବହୁ ଯତ୍ନ କଲେ ।

ବଡ଼ ଉଚ୍ଚ ପର୍ବତ ସେ ସ୍ପରଶେ ଗଗନ

ଊର୍ଦ୍ଧ୍ଵେ ଉଚ୍ଚ ଏକାଦଶ ସହସ୍ର ଯୋଜନ ।

ତୋଳି ନ କାରି ଫେରିଣ ବିଷ୍ଣୁଙ୍କୁ କହିଲେ

ପୁଣି ତାଙ୍କୁ ଆଜ୍ଞା ଘେନି ଆଣିବାକୁ ଗଲେ ।

ବହୁତ କଷ୍ଟେ ଆଣିଲେ କନ୍ଧେ ଶିରେ ବୋହି

ସାଗର ଭିତରେ ତାକୁ ପକାଇଲେ ନେଇ ।

ଅଗାଧ ସାଗର ମଧ୍ୟେ ପର୍ବତ ପୁଡ଼ିଲା

ଦେଖି ଦେବ ଦାନବଙ୍କୁ ବୁଦ୍ଧି ନ ସ୍ପୁରିଲା ।

କହନ୍ତି ସିନ୍ଧୁ ତୀରରେ ରହି ସୁରାସୁର

ହେ ରତ୍ନାକର ଏକାଳେ ମନ୍ଦରକୁ ଧର ।

ବରୁଣ ବୋଲେ ମନ୍ଦର ଅତ୍ୟନ୍ତ ବିସ୍ତାର

ଧରି ନପାରିବି ମୁହିଁ ମହାଭାର ତାର ।

ମୋ ବୋଲେ ନାରାୟଣଙ୍କୁ କରହେ ସ୍ମରଣ

ସେ ପ୍ରଭୁ ସର୍ବ ବିପଦ କରିବେ ଖଣ୍ଡନ ।

ନାରାୟଣଙ୍କ କୃପାରେ ସିନ୍ଧୁ ସେ ମନ୍ଥିବେ

କିନ୍ତୁ ମୋ ସର୍ବ ସମ୍ପତ୍ତି ଉଜାଡ଼ି ଘେନିବେ।

ଏତେ ଭାଳି ବିଷଦରେ ସେଠାରୁ ଫେରିଲେ

ଆପଣାର ଭୁବନରେ ଜାଗ୍ରତ ରହିଲେ ।

ବରୁଣ ବାକ୍ୟେ ବିଷ୍ଣୁଙ୍କୁ ସର୍ବେ କଲେ ସ୍ତୁତି

ସେହିକ୍ଷଣି ସୁପ୍ରସନ୍ନ ହେଲେ ଶିରୀପତି ।

ଭକତଙ୍କ ପ୍ରିୟ ପ୍ରଭୁ ଭକତ ଜୀବନ

କୂର୍ମରୂପ ଧରି ଜଳେ ପଶିଲେ ବହନ ।

କର୍ମଠ ପୃଷ୍ଠରେ ପ୍ରଭୁ ମନ୍ଦର ଧଇଲେ

ମନ୍ଥନରେ ଖୁଆଦଣ୍ଡ ସେ ଗିରିକି କଲେ ।

ଏ ରୂପେ ପୃଷ୍ଠେ ମନ୍ଦର କରିଣ ସ୍ଥାପନ

ବାସୁକୀକୁ ରଜ୍ଜୁ କଲେ କରିଣ ଚିନ୍ତନ ।

ରଜ୍ଜୁ କରି ସର୍ପରାଜ ବାସୁକୀ ନାଗକୁ

ଦେବତା ଅସୁର ମିଳି ମନ୍ଥିଲେ ସିନ୍ଧୁକୁ ।

ଲାଞ୍ଜକୁ ଧଇଲେ ଦେବେ ମୁଣ୍ଡ ଦୈତ୍ୟଗଣ

ଧରି ଦୁଇପାଖେ ରଜ୍ଜୁ କଲେ ସଞ୍ଚାଳନ ।

ଦଧି ନଉନିରେ ଖୁଆ ଚାଳିବା ସମାନ

ମହାସମୁଦ୍ର ସେ ରୂପେ କରିଲେ ମନ୍ଥନ ।

ମନ୍ଥନ ଶବଦ ଘାତେ ପୃଥିବୀ କମ୍ପିଲା

ସପ୍ତଦ୍ଵୀପ ସପ୍ତସିନ୍ଧୁ ଉଛୁଳି ପଡ଼ିଲା ।

ସ୍ଵର୍ଗ ମର୍ତ୍ତ୍ୟ ଅନ୍ତରୀକ୍ଷ ସପତ ପାତାଳ

କମ୍ପେ ବନଗିରି ବୃକ୍ଷ ଅଷ୍ଟ କୁଳାଚାର ।

ମନ୍ଦର ଘର୍ଷଣେ ନାଗ ନିଃଶ୍ଵାସ ଛାଡ଼ଇ

ତୁହିଁ ଧୂମ ଉପୁଜିଣ ଆକାଶ ବ୍ୟାପଇ ।

ଯେ ଧୂମରୁ ମେଘମାନ ଉତପତ୍ତି ହେଲେ

ବରଷା କରି ସୁରଙ୍କ ଶ୍ରମ ନିବାରିଲେ ।

ନାଗ ଗର୍ଜ୍ଜନରେ ତିନି ଭୁବନ କମ୍ପାଇ

ଜଳମଧ୍ୟେ ନ ରହିଲେ ଜୀବଜନ୍ତୁ କେହି ।

ଗିରିରାଜ ସବୁବେଳେ କରନ୍ତେ ଭ୍ରମଣ

ଭିନ୍ନ ଭିନ୍ନ ହେଲେ ଶିଖସ୍ଥିତ ତରୁଗଣ ।

ପୁଣି ପୁଣି ହେଉ ବୃକ୍ଷେ ବୃକ୍ଷେ ଘରଷଣେ

ଅନଲ ଜନମି ତାହା ଜଳିଲା ପବନେ ।

ବୃକ୍ଷଲତା ତରୁ ତୃଣ କଲା ଭସ୍ମୀଭୂତ

ପ୍ରଚଣ୍ଡ ଧୂଆଁରେ ହେଲେ ଗଗନ ଆବୃତ୍ତ ।

ସୁରରାଜା ଇନ୍ଦ୍ର ତହିଁ ବରଷିଣ ଜଳ

ତତକ୍ଷଣେ ଲିଭାଇଲେ ପ୍ରଚଣ୍ଡ ଅନଳ ।

ଔଷଧି ବୃକ୍ଷ ଘର୍ଷଣେ ରସ ଉପୁଜିଲା

ମହୌଷଧି ରସ ସିନ୍ଧୁ ମଧ୍ୟରେ ପଡ଼ିଲା ।

ବୃକ୍ଷ ମହୌଷଧି ଅଟେ ଅମୃତ ସମାନ

ତହୁଁ ଅମରତ୍ଵ ପ୍ରାପ୍ତ ହେଲେ ଦେବଗଣ ।

ସେ ରସ ହୁଅନ୍ତେ ସିନ୍ଧୁ ଜଳରେ ମିଶ୍ରିତ

ଲବଣ ଜଳ ହୋଇଲା କ୍ଷାରେ ପରିଣତ ।

ନିର୍ଜୀବ ହୋଇଣ ଜଳ ଜୀବ ପଡ଼ିଥିଲେ

ସେ ରସ ସ୍ପରଶ ମାତ୍ରେ ଜୀବନ ପାଇଲେ ।

ଏହିରୂପେ ସୁରାସୁର ସମୁଦ୍ର ମନ୍ଥିଲେ

ବହୁ ପରିଶ୍ରମ କରି ସୁଧା ନ ପାଇଲେ ।

ବିମୁଖ ହୋଇଣ ଦେବ ଗଲେ ବ୍ରହ୍ମାପାଶ

ଜଣାଇଲେ ଆମ୍ଭେମାନେ ହୋଇଲୁ ନିରାଶ ।

ଆପଣଙ୍କ ଆଜ୍ଞା ମାନି ମନ୍ଥିଲୁ ସାଗର

ସୁଧା ନ ପାଇଲୁ ହେଲା ପରିଶ୍ରମ ସାର ।

କେତେକାଳୁ ହେଲୁ ସିନ୍ଧୁ ମନ୍ଥନେ ନିଯୁକ୍ତ

ଆଜିଯାଏ ଅମୃତ ତ ନ ହୋଇଲା ଜାତ ।

ସହାୟ ନୋହିବେ ଯେବେ ଦେବ ନାରାୟଣ

ନ ପାରିବୁ କରି ଆମ୍ଭେ ସମୁଦ୍ର ମନ୍ଥନ ।

ଦେବତାଙ୍କ କଥା ଶୁଣି ସେହୁ କୁଶଧର

ପୂର୍ବକଥା ଜାଣି ମନେ କରନ୍ତି ବିଚାର ।

ବରୁଣ ପାଳିଣ ଥିବା କୁମର ଦୁଲ୍ଲଣୀ

ନାମ ଯାହାଙ୍କର ଅଟେ ଚନ୍ଦ୍ର କମଳିନୀ ।

ଲକ୍ଷ୍ମୀ ବିନା ନ ଶୋଭନ୍ତି ଦେବ ନାରାୟଣ

ଚନ୍ଦ୍ର ନଥିବାରୁ ଶୋଭା ନ ପାଏ ଗଗନ ।

ତାଙ୍କ ବଳ ଘେନି ପୁଣି ସମୁଦ୍ର ମନ୍ଥିବା

କମଳା ଜନ୍ମିଲେ ନେଇ ତାଙ୍କୁ ଯୋଗାଇବା ।

ଏତେ ଭାଳି ଜଣାଇଲେ ବିହି ବିଷ୍ଣୁ ପାଶ

ବିନୟ କରି ତାହାଙ୍କୁ କହିଲେ ଲୋକେଶ ।

ଆପଣଙ୍କ ବଳ ଯେବେ ନ ପାଇବେ ଦେବେ

ସିନ୍ଧୁ ମନ୍ଥନେ ସମର୍ଥ ନ ହୋଇବେ କେବେ ।

ଶୁଣି ବିଷ୍ଣୁ ଆପଣାର ତେଜ ଯାଚିଦେଲେ

ଦେବାସୁର ତାହା ପାଇ ବଳବାନ ହେଲେ ।

ପୁନରପି ସମୁଦ୍ରକୁ କରିଲେ ମନ୍ଥନ

ସମୁଦ୍ରର ଜଳ ସବୁ ହେଲା ଆନ୍ଦୋଳନ ।

ବରୁଣଙ୍କ ନିକଟରୁ ବିଦାୟ ନେଇଣ

ସେହି ସମୟରେ ଚନ୍ଦ୍ର ଉପୁଜିଲେ ପୁଣ ।

ସେ ଚନ୍ଦ୍ର ଧାରଣ କରି ସୁଧା ଷୋଳକଳା

ଦ୍ଵିଲକ୍ଷ ଯୋଜନ ଉଚ୍ଚେ ବ୍ୟୋମେ ସ୍ଥିତି କଲା ।

ଅଖିଳ ଜନଙ୍କ ତୃପ୍ତି ହେଲା ଦର୍ଶନରେ

ଦୀପ୍ତି ପ୍ରକାଶ ପାଇଲା ବ୍ରହ୍ମାଣ୍ଡ ଯାକରେ ।

ଦେଖିଣ ହରଷ ହେଲେ ସୁରାସୁର ନର

ଏ ରୂପେ ଚନ୍ଦ୍ରମା ପୁଣି ହେଲେ ଅବତାର ।

ତାଙ୍କୁ ସକଳ ଲକ୍ଷଣ ପୂର୍ଣ୍ଣ ଦେଖି ବିହି

ଏତେ ଗୋଟି ତାହାଙ୍କର ନାମ ଛନ୍ତି ଦେଇ ।

ହିଂମାଶୁ ଚନ୍ଦ୍ରମା ଚନ୍ଦ୍ର ଯେ ମାତୃକ ଅବ୍‌ଜ

କୁମୁଦ ବାନ୍ଧବ ଇନ୍ଦୁ ସୋମ ଦ୍ଵିଜରାଜ ।

ଔଷଧିଶ ନିଶାପତି ମୃଗାଙ୍କ ଶୁଭ୍ରାଂଶୁ

କଳାନିଧି ନକ୍ଷତ୍ରେଶ ଆବର ସୁଧାଂଶୁ ।

କ୍ଷମାକର ବିଧଗ୍ଲଭ ପୁଣି ଶଶଧର

ଏହିରୂପେ ବିଂଶ ନାମ ଦେଲେ ବେଦବର ।

ଏକ ଏକ ନାମ ମହିମା କହିବା ପଶ୍ଚାତେ

ସମୁଦ୍ର ମନ୍ଥନ କଥା ଶୁଣ ଏଥୁଅନ୍ତେ ।

ପୁନଶ୍ଚ ମନ୍ଦର ଖୁଆ କରିଲେ ମନ୍ଥନ

ଐରାବତ ହସ୍ତୀ ତହିଁ ହେଲା ଉତପତ୍ନ ।

ଆବର ଉତ୍ପନ୍ନ ହେଲା ଉଚ୍ଚୈଶ୍ରବା ଅଶ୍ଵ

ପାରିଜାତ ପୁଷ୍ପ ତରୁ ହୋଇଲା ପ୍ରକାଶ ।

ପୁଣିହିଁ ଅମୃତ ଭାଣ୍ଡ କାଖେ ଘେନିକରି

ଅପୂର୍ବ ମୂର୍ତ୍ତିରେ ଜନ୍ମ ହେଲେ ଧନ୍ଵନ୍ତରୀ ।

ଅଷ୍ଟ ଅପସରା ପୁଣି ହେଲେ ଉତପତ୍ତି

ତାହାଙ୍କୁ ରଖିଲେ ସ୍ଵର୍ଗ ଦେବ ଶଚୀପତି ।

ଅଷ୍ଟରତ୍ନ ଉପୁଜିଲା ଦେଖି ଦେବଗଣ

ଆନନ୍ଦରେ ପୁଣି ସିନ୍ଧୁ କରନ୍ତି ମନ୍ଥନ ।

ମନ୍ଦରର ଆନ୍ଦୋଳନେ ବ୍ୟାକୁଳ ବରୁଣ

ପରାମର୍ଶ କଲେ ଘେନି ପାତ୍ରମନ୍ତ୍ରୀଗଣ ।

ଲଭିଥିଲି ଚନ୍ଦ୍ର ପୁରା ପୁତ୍ରକୁ ଅର୍ପିଲି

ତେବେ ମନ୍ଥୁଛନ୍ତି ଭାଳେ କି କରିବି ବୋଲି ।

ପଦ୍ମବନୁ ଯେଉଁ କନ୍ୟା ହୋଇଛି ଉତ୍ପତ୍ତି

ତେବେ ମନ୍ଥୁଛନ୍ତି ଭାଳେ କି କରିବି ବୋଲି ।

ପଦ୍ମବନୁ ଯେଉଁ କନ୍ୟା ହୋଇଛି ଉତ୍ପତ୍ତି

ବିଷ୍ଣୁଙ୍କୁ ଦେବା କହିଲେ ଏହା ଜଳପତି ।

ଯୁଗେ ଯୁଗେ ସେ ମୋ ପୋଷାକନ୍ୟା ବିଷ୍ଣୁ ବାମା

ମୁନି ଶାପେ ଏଥେ ଛନ୍ତି ସାକ୍ଷାତେ ସେ ଉମା ।

ବିଷ୍ଣୁଙ୍କୁ ଦେବାକୁ ଯହୁଁ ବରୁଣ କହିଲେ

ପାତ୍ରମନ୍ତ୍ରୀଗଣ ସର୍ବେ ସମ୍ମତ୍ତି କରିଲେ ।

ବିଷ୍ଣୁଙ୍କୁ କମଳା ଦେଇ କରିବା ବିନତି

ସିନ୍ଧୁ ମନ୍ଥନରୁ ସର୍ବେ ରହନ୍ତୁ ବିରତି ।

ପାତ୍ର ମନ୍ତ୍ରୀ ପରିଷଦମାନଙ୍କ ବିଚାର

ଶୁଣି ସୁଖୀ ହୋଇକରି ଜଳ ଅଧୀଶ୍ଵର ।

ତହିଁ ଚତୁର୍ଦ୍ଦୋଳ କରି ରତ୍ନରେ ମଣ୍ଡନ

ଲକ୍ଷ୍ମୀଙ୍କି ତହିଁରେ ବିଜେ କରାଇ ବରୁଣ ।

ବୋଇଲେ ମୋ ମାତା ମୋର ଘରେ ବହୁଦିନ

ଥିବାରୁ ଦେବେ କରନ୍ତି ସମୁଦ୍ର ମନ୍ଥନ ।

ତୁମ୍ଭଙ୍କୁ ଦେଖିଲେ ସର୍ବେ ସନ୍ତୋଷ ହୋଇବେ

ବିଷ୍ଣୁ ନ ଶୋଭନ୍ତି ମତ ତୁମ୍ଭର ଅଭାବେ ।

ଏତେ କହି ପୁତ୍ର ସହ ଆପଣେ ବରୁଣ

କାନ୍ଧରେ ବଡ଼ ସଧୀରେ କରିଲେ ଗମନ ।

କମଳା ବୋଇଲେ ପିତା ଏହା ଅନୁଚିତ

ମୋତେ କାନ୍ଧେ ବହି ତୁମ୍ଭେ ନ ଚାଲ ହେ ପଥ ।

ତେଣୁ ପାତ୍ର ମନ୍ତ୍ରୀମାନେ କାନ୍ଧରେ ବହିଲେ

ଲକ୍ଷ୍ମୀଙ୍କ ଆଗରେ ତହିଁ ବରୁଣ କହିଲେ ।

ଆଲୋ ମାତ ତୁହି ଅଟୁ ସାକ୍ଷାତେ କମଳା

ତୋତେ କିସ ଦେବି ବୁଦ୍ଧି ଭାଗ୍ୟେ ପାଶେ ବଳା ।

ତୋତେ କାନ୍ଧେ ବହିବାରୁ ଦୋଷ ବିଚାରିଲୁ

ବର୍ତ୍ତମାନ ଜ୍ଞାନ ହେତୁ ସିନା ମନା କଲୁ ।

ପୁତ୍ର କନ୍ୟା ଜାତହେଲେ ପିତାମାତା କୋଳେ

ପିଲାଙ୍କ ବାହନ ହ୍ଵନ୍ତି ପିତା ମାତା କାଳେ ।

କାଳେ କନ୍ଧେ ବହି ତାଙ୍କୁ କରନ୍ତି ପାଳନ

ବହନ କରିଛୁ ପୁଣି ହେଉ ଯା ବାହନ ।

ସହଜେ ମୋ ଝିଅ ବୋଲି ନାମ ଗନ୍ଧ ତୋର

ମୁଁ ଜାଣେ ତୁ ମାତ ଅଟୁ ଜଗତ ଜନର ।

କାଳେ କାଳେ ଏହି ଦୟା ଥିବାରୁ ମୋ ପରେ

ତେଣୁ କେତେଦିନ ଜନ୍ମି ରହୁ ମୋର ଘରେ ।

ଏହିପରି ଜଳପତି ଭାବ ପ୍ରକାଶିଲା

ଚତୁର୍ଦ୍ଦୋଳ ଚାଲିବାକୁ ତତ୍ପରେ ବୋଇଲା ।

କମଳାଙ୍କୁ ଘେନିକରି ହୁଅନ୍ତେ ବାହାର

ଦାସୀ ପରିବାରୀ ଘେନି ପକାନ୍ତି ଚାମର ।

ସହସ୍ର ଫଣାରେ ଅହି ଧରିଛନ୍ତି ଛତ୍ର

କମଳ ରୂପରେ ଶୋଭା ସମସ୍ତ ଜଗତ ।

କମଳ ଜିଣି ସର୍ବାଙ୍ଗ ଅତି କୋମଳତା

କମଳ ଚରଣ ବେନି ଚକ୍ଷୁ ପୁଣି ପତା ।

ଯୁଗଳ କମଳ ପାଦ କମଳ ଆନନ

ବିଦ୍ୟୁତ ବରନୀ ନାନା ରତ୍ନରେ ଭୂଷଣ ।

ଯୁଗଳ କମଳ ଶୋହେ କର କମଳରେ

ବାହାରିଲେ ଚତୁର୍ଦ୍ଦୋଳ ବରୁଣ ସଙ୍ଗରେ ।

ସ୍ଥାବର ଜଙ୍ଗମ କ୍ଷିତି ବାରିଧି ଗଗନ

ଦରଶନେ ସମସ୍ତଙ୍କ ଉଲ୍ଲସିତ ମନ ।

ଜୀବାତ୍ମା ବିହୀନେ ଯଥା ମୃତ କଳେବର

ଲକ୍ଷ୍ମୀଙ୍କ ବିହୀନେ ଯଥା ଥିଲେ ତିନିପୁର ।

ବାରାଙ୍ଗନା ନୃତ୍ୟକଲେ ଦୁନ୍ଦୁଭି ବଜାଇ

ତିନିପୁରେ ଜୟ ଜୟ ଚହଳ ପଡ଼ଇ ।

ପୁରନ୍ଦର ଧାତା ଆଦି ଦଶଦିଗ ପାଳେ

କରଯୋଡ଼ି ପ୍ରଣମୁଲେ ଲକ୍ଷ୍ମୀ ପାଦତଳେ ।

ଚତୁର୍ଦ୍ଦିଗେ ଋଷିଗଣ କଲେ ବହୁ ସ୍ତୁତି

ଉପସ୍ଥିତ ହେଲେ ତହିଁ ଦେବ ଶିରୀପତି ।

ନାରାୟଣଙ୍କୁ ସାଷ୍ଟାଙ୍ଗେ ନାମେ ରତ୍ନାକର

ଆଜ୍ଞା ପାଇ ଉଠି ଉଭା ଯୋଡ଼ି ବେନିକର ।

ଗଦଗଦେ ଭାଷେ ତହିଁ ବିନୟ ଭାବରେ

ସ୍ତୁତିକଲା ପ୍ରଭୁଙ୍କୁ ଯେ ନାନାଦି ପ୍ରକାରେ ।

ଆପଣ ଯେ ସୂକ୍ଷ୍ମସ୍ଥୂଳ ଅଟ ସର୍ବରୂପୀ

ବ୍ରହ୍ମା ବିଷ୍ଣୁ ମହେଶ୍ଵର ତୁମ୍ଭେ ସର୍ବବ୍ୟାପୀ ।

ସ୍ଥାବର ଜଙ୍ଗମ ତୁମ୍ଭେ ସିନ୍ଧୁ ଧରାଧର

ଆକାଶ ପାତାଳ ତୁମ୍ଭେ ସୁର ନାଗ ନର ।

ତୁମ୍ଭର ସୃଷ୍ଟିରେ ପ୍ରଭୁ ଏ ତିନି ଭୁବନେ

ସ୍ଥାନେ ସ୍ଥାନେ ଅଛୁ ସର୍ବେ ତୁମ୍ଭ ନିୟୋଜନେ ।

ଇନ୍ଦ୍ରେ ସ୍ଵର୍ଗେ ଯମେ ଦେଲେ ସଞ୍ଜିବନୀ ପୁର

କୁବେରକୁ କରିଅଛ ଧନ ଅଧୀଶ୍ଵର ।

ଏକ ଜଳ ମଧ୍ୟରେ ମୋତେ ଦେଇଛ ବସତ

ତୋ ବାଞ୍ଛାରେ ଚିରଦିନ ରହିଅଛି ଏଥି ।

ତବ ଶ୍ରୀଚରଣେ ଦେବ ଦୋଷୀ ମୁଁ ନୁହଇ

ତେବେ କିମ୍ପାଇ ପ୍ରମାଦ ଦିଅ ଭାବଗ୍ରାହୀ ।

ପ୍ରକାଣ୍ଡ ସୁମେରୁ ପ୍ରାୟ ପର୍ବତ ମନ୍ଦର

ତା ପକାଇ ଅବିରତ ମନ୍ଥନ୍ତି ମୋ ପୁର ।

ଧରଣୀ ପଞ୍ଚଶ କୋଟି ଜୀବଙ୍କ ବିହର

ସେ ଧରଣୀ ତିଳବତ ଶିରେ ରହେ ବୀର ।

ସେହି ଶେଷ ସହାୟରେ ସୁରାସୁରଗଣ

ଦଧି ପ୍ରାୟ ଜଳ ମୋର କରନ୍ତି ମନ୍ଥନ ।

ସମୁଦ୍ର ମଧ୍ୟରେ ଯେତେ ଜୀବଜନ୍ତୁ ରହି

ଜୀବନରେ ବର୍ତ୍ତୀ ମଧ୍ୟ ଗୋଟିଏ କେ ନାହିଁ ।

ବହୁକାଳ ସମୁଦ୍ରରେ ଦେଇଥିଲ ବାସ

ଏବେ ମୁଁ କାହିଁ ରହିବି କହ ପୀତବାସ ।

ବରଣ କରୁଣ ବାଣୀ ଶୁଣି ରମାପତି

ବୋଇଲେ ମନରୁ ଚିନ୍ତା ତେଜ ଜଳପତି ।

ଦୁର୍ବାସାଙ୍କ ଶାପେ ଲକ୍ଷ୍ମୀ ଛାଡ଼ି ନିଜ ସ୍ଥାନ

ବାସ କରୁଥିଲେ ଆସି ତୁମ୍ଭର ଭୁବନ ।

ଲକ୍ଷ୍ମୀ ବିନେ ତ୍ରିଭୁବନ ହେଲା ଶିରୀହୀନ

ସେହି କାରଣରୁ କଲେ ସମୁଦ୍ର ମନ୍ଥନ ।

ଲକ୍ଷ୍ମୀ ଆଦି ପ୍ରାପ୍ତ ହେଲା ମନ୍ଥନେ କି କାର୍ଯ୍ୟ

ବିଶେଷ ତୁମ୍ଭଙ୍କୁ କ୍ଲେଶ ହେଲା ଜଳରାଜ ।

ଏମନ୍ତ କହି ମନ୍ଥନ ନିବାରଣ କଲେ

ତାହା ଦେଖିଣ ବରୁଣ ଆନନ୍ଦ ହୋଇଲେ ।

ଅପ୍ରାପତ ରତ୍ନସାର ତ୍ରୈଲୋକ୍ୟ ଦୁର୍ଲଭ

ହରି ଗଳେ ଲମ୍ବାଇଲେ ମଣି କଉସ୍ତୁଭ ।

ରବି ଶଶୀ ପ୍ରଭା ଜିଣି କିରଣ ଯାହାର

ସେ ମଣି ପ୍ରଭୁଙ୍କୁ ଗଳେ ଦିଶିଲା ସୁନ୍ଦର ।

ଲକ୍ଷ୍ମୀଙ୍କି ବିଷ୍ଣୁଙ୍କ ପାଶେ ସମର୍ପି ବରୁଣ

ବିଦାୟ ମାଗି ଚଳିଲା ଆପଣା ଭୁବନ ।

କମଳାଙ୍କୁ ପାଇ ତୋଷ ଦେବ ନାରାୟଣ

ବିଜେ କରିଗଲେ ପ୍ରଭୁ ଗୋଲକ ଭୁବନ ।

ଏଥୁଅନନ୍ତରେ ଶୁଣ ଆହେ ସୁଜ୍ଞାନର

ସିନ୍ଧୁ ମନ୍ଥନ ହେବାର ନ ଜାଣନ୍ତି ହର ।

ସୁରାସୁର ଯକ୍ଷ ରକ୍ଷ ଭୁଜଙ୍ଗ କିନ୍ନର

ମହାଦେବ ଛଡ଼ା ସର୍ବେ ମନ୍ଥିଲେ ସାଗର ।

ଏହା ଦେଖି ନାରଦଙ୍କ ନ ସହିଲା ମନ

ଶିବଙ୍କୁ କହିଲା ସିନ୍ଧୁ ହୋଇଲା ମନ୍ଥନ ।

ହେ ଶିବ ସୁରେ ଅସୁରେ ବାରିଥି ମନ୍ଥିଲେ

କମଳା କୌସ୍ତୁଭମଣି ଶ୍ରୀହସ୍ତେ ପାଇଲେ ।

ଐରାବତ ଉଚ୍ଚୈଶ୍ରବା ନେଲା ଆଖଣ୍ଡଳ

ନାନା ରତ୍ନ ନେଲେ ସର୍ବେ ମେଘ ପ୍ରାପ୍ତ ଜଳ ।

କଳ୍ପତରୁ ସୁଧା ନେଲେ ଅମର ସକଳେ

ନାନାଦି ମୌଷଧି ପୁଣି ନରଲୋକେ ନେଲେ ।

ଏହା ଦେଖିଣ ମୋ ଚିତ୍ତ ହୋଇଲା ବ୍ୟାକୁଳ

ତେଣୁ ଆପଣଙ୍କୁ ଆସି କହିଲେ ଚଞ୍ଚଳ ।

ତ୍ରିଭୁବନ ପ୍ରାଣୀ ଯିଏ ଯେମନ୍ତେ ପାଇଲେ

ତୁମ୍ଭେ ଈଶ୍ଵର ଆମ୍ଭଙ୍କୁ କିସ ଅବା ଦେଲେ ।

ଏ ରୂପେ କହିଲେ ଯହିଁ ନାରଦ ବଚନ

ତାହା କର୍ଣ୍ଣେ ନ ଘେନିଲେ ଦେବ ପଞ୍ଚାନନ ।

ଥିଲେ ତହିଁ ଉମା ପୁଣି ହୋଇଲେ କମ୍ପିତ

ନିଜ ସ୍ଵାମୀଙ୍କି ଛଳାଇ କହିଲେ ବହୁତ ।

କାହା ଆଗରେ ଏକଥା କୁହ ମୁନିବର

ବଧିରକୁ କହିଲେକ କରିବ ଉତ୍ତର ।

ଗଳେ ଶୋଭା ହାଡ଼ମାଳ ଭୂଷଣ ଯାହାର

କଉସ୍ତୁଭ ମଣି ରତ୍ନେ କି କାର୍ଯ୍ୟ ତାହାର ।

କି କାର୍ଯ୍ୟ ଚନ୍ଦନେ ଯାର ବିଭୂତି ବୋଳିଟି

ଅମୃତେ କି କାର୍ଯ୍ୟ ଯାର ଭକ୍ଷ ସିଦ୍ଧ ବୁଟି ।

ହସ୍ତୀରେ କି କାର୍ଯ୍ୟ ଯାର ବଳଦ ବାହନ

କିବା କାର୍ଯ୍ୟ ପାରିଜାତ ଦୁଦୁରା ଭୂଷଣ ।

ସେ ସବୁ ଭାଳି ସର୍ବାଙ୍ଗ ଜଳର ମୋହର

ପୂର୍ବବାର୍ତ୍ତା ଜାଣିଛ ତ ତୁମ୍ଭେ ମୁନିବର ।

ଜାଣି ଦକ୍ଷ ପ୍ରଜାପତି ପୂଜା କଲେ ନାହିଁ

ସେହି ଅଭିମାନେ ତନୁ ତେଜିଥିଲି ମୁହିଁ ।

ଉମା ବାକ୍ୟ ଶୁଣି ଶିବ ହସିଣ କହନ୍ତି

ସକଳ ପ୍ରମାଣ ଯାହା କହୁ ପ୍ରିୟବତୀ ।

ବାହନ ଭୂଷଣ ମୋର ପ୍ରୟୋଜନ ନାହିଁ

ଆମ୍ଭେ ଯାହା ଘେନୁ ତାଳେ ଅନ୍ୟ ନ ଘେନଇ ।

ଅମ୍ଲାନ ବସନ ଦିବ୍ୟ ପରିଧାନ ବାସ

ଭକ୍ତ ବଶ କରିଣ ସେ ମାଗିନେଲେ ଦାସ ।

ଘୃଣାକରି ନେଲେ ନାହିଁ କେହି ବ୍ୟାଘ୍ରାମ୍ବର

ତେଣୁ ସେହି ପରିଧାନ ହୋଇଲା ଆମ୍ଭର ।

କୁଙ୍କୁମ କସ୍ତୁରୀ ନେଲେ ଅଗୁର ଚନ୍ଦନ

ବିଭୂତି ନନେଲେ କେହି ହେଲ ତ ଭୂଷଣ ।

ମଣି ରତ୍ନହାର ନେଲେ ମୁକୁତା ପ୍ରବାଳ

କେହି ନ ନେବାରୁ ଆମ୍ଭେ ନେଲୁ ହାଡ଼ମାଳ ।

ଦୁଦୁରା ଫୁଲକୁ କେହି ନକଲେ ଗ୍ରହଣ

ତେଣୁ ତା ପୁଷ୍ପକୁ ଆମ୍ଭେ କରିଲୁ ଗ୍ରହଣ ।

ସର୍ବେ ନେଲେ ରଥ ଗଜ ଘୋଟକ ବିଧାନ

କେହି ନ ନେବାରୁ କଲି ବଳଦ ବାହନ ।

ଆଦ୍ୟରେ ଦକ୍ଷ ଆମ୍ଭଙ୍କୁ ନ ପୂଜିଲା ଯହୁଁ

ପଶ୍ଚାତେ ପାଇଲା ଦଣ୍ଡ ସମୁଚିତ ତହୁଁ ।

ପଶୁଙ୍କ ସଦୃଶ ହେଲା ଛାଗଳର ମୁଣ୍ଡ

ମୂତ୍ର ପରିସ୍ରାରେ ପୂର୍ଣ୍ଣହେଲା ଯଜ୍ଞକୁଣ୍ଡ ।

ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ଯମ ବରୁଣ ତପନ

ମୋତେ ନ ପୂଜିଣ ପ୍ରିୟେ ଅଛି କେଉଁ ଜନ ।

ଉମା କହେ ଦାରପୁତ୍ରେ ଗୃହୀ ଯେ ଅଟଇ

ଏପରି କରିବା ତାର ଉଚିତ ନୁହଇ ।

ବିଭୂତି ବୈଭବ ବିଦ୍ୟା ଅର୍ଜ୍ଜନ କାରଣେ

କେ ଅବା ବିମୁଖ କାହିଁ ଅଛଇ ଭୁବନେ ।

ଏ କଥାକୁ ସଂସାରେ ଯେ ବିମୁଖ ହୁଅଇ

ସେହି କାପୁରୁଷ ତାର ସୁଖ କାହିଁ ନାହିଁ ।

ଧାତା ବିଷ୍ଣୁ ଇନ୍ଦ୍ରେ ତୁମ୍ଭେ ଯେପରି ପୂଜନ

ସେପିର ତୁମ୍ଭଙ୍କୁ କେବା କରିଲା ଗଣନ ।

ରତ୍ନାକର ମନ୍ଥି ସର୍ବେ ନେଲେ ରତ୍ନ ବୋହି

କେ ସୁଦ୍ଧା ତୁମ୍ଭଙ୍କୁ ପଦେ ପଚାରିଲେ ନାହିଁ ।

ଉମା ଛଳନାରେ କୋପୀ ହୋଇ ପଶୁପତି

ସର୍ବାଙ୍ଗ କମ୍ପାଇ ହେଲେ ଭୟଙ୍କର ମୂର୍ତ୍ତି ।

ନନ୍ଦୀକି କହିଣ ଶୀଘ୍ର ଆଣିଲେ ବୃଷଭ

ତାର ପୃଷ୍ଠେ ଆରୋହଣ କଲେ ସଦାଶିବ ।

ନିର୍ଧୂମ ଅନଳ ଜିଣି ଦିଶଇ ବଦନ

ଫଣୀ ମୁକୁଟ ବଦନେ ଦିଶେ ଶୋଭାବନ ।

ଶାର୍ଦ୍ଦୁଳ ଚର୍ମ ବସନ ପିନ୍ଧି ଦିଗବାସ

ନାଗକଟି ବାଳ ବାନ୍ଧି ନେଲେ ମୃଗ ପାଶ ।

ଗଳେ ହାଡ଼ମାଳ କରେ ତ୍ରିଗୁଣ କୋଦଣ୍ଡ

ସଙ୍ଗେ ଘେନି ରୁଦ୍ରବଳ ମୂରତି ପ୍ରଚଣ୍ଡ ।

କ୍ଷୀରସିନ୍ଧୁ ତୀରେ ଯାଇଁ ପ୍ରବେଶ ହୋଇଲେ

ଦେଖି ସୁରାସୁର ସର୍ବେ ପ୍ରଣାମ କରିଲେ ।

କିମ୍ପା ମନ୍ଦର ସ୍ଥକିତ ବୋଇଲେ ଶଙ୍କର

ଶେଷ ହେଲାଣି ମନ୍ଥନ କହେ ପୁରନ୍ଦର ।

ମନ୍ଥନ ନିବୃତ୍ତ କଲେ ଗୋଲକବିହାରୀ

ଶୁଣି କୋପରେ ବୋଇଲେ ତହିଁ ଶୂଳଧାରୀ ।

ଆମ୍ଭଙ୍କୁ ଅବଜ୍ଞା କଲ ଗର୍ବ ବହି ମନେ

ରତ୍ନାକର ମନ୍ଥି ରତ୍ନ ନେଇ ତୁମ୍ଭେମାନେ ।

କେହି ମନେ କଲ ନାହିଁ ଅଛନ୍ତି ଶଙ୍କର

ଯାହା କଲ ସେ ଦୋଷକୁ ନ ଧରେ ତୁମ୍ଭର ।

ଏବେ ମୋ ଆଜ୍ଞାରେ ସିନ୍ଧୁ ମନ୍ଥ ସର୍ବେ ମିଳି

ଉତ୍ତର ନ ଦେଇ ନତ କରିଲେ ମଉଳି ।

ଦେବତାଏ ନିରୁତ୍ତର ହୋଇଣ ରହିଲେ

କରଯୋଡ଼ି ମୁନିରାଜ କଶ୍ୟପ ବୋଇଲେ ।

ଶ୍ରବଣ କରନ୍ତି ଦେବ ପାର୍ବତୀ ରମଣ

କହୁଅଛି କ୍ଷୀରସିନ୍ଧୁ ମନ୍ଥନ କାରଣ ।

ଲକ୍ଷ୍ମୀଙ୍କ ଅଭାବେ ପୃଥ୍ଵୀ ହେଲା ହତଶିରୀ

ତ୍ରିଭୁବନ ଜୀବଙ୍କର କଷ୍ଟ ହେଲା ଭାରି ।

ସବୁଙ୍କରି ଦୁଃଖ ବ୍ରହ୍ମା ବିଷ୍ଣୁଙ୍କୁ କହିଲେ

ତେଣେ ସିନ୍ଧୁ ମନ୍ଥିବାକୁ ହରି ଆଜ୍ଞା ଦେଲେ ।

ମନ୍ଥନେ ବରୁଣପୁରେ ଉତ୍ପାତ ଘୋଟିଲା

ଲକ୍ଷ୍ମୀ ଦେଇ ହରି ପାଦେ ଶରଣ ପଶିଲା ।

ମନ୍ଥନେ ନିବୃତ୍ତ କରି ଗଲେ ପୀତବାସ

ପୁଣି ମନ୍ଥିବାକୁ ଆଜ୍ଞା ଦିଅ ଦିଗବାସ ।

ବିଷ୍ଣୁ ତେଜେ ସୁରାସୁର ଥିଲେ ବଳୀୟାର

ନିସ୍ତେକ ହେଲାଣି ଏବେ ତାଙ୍କ କଳେବର ।

ମନ୍ଥନର ରଜ୍ଜୁ ଦେଖ ନାଗଙ୍କର ଶେଷ

ହାତଶରେ ଶୋଇଛନ୍ତି ଲଭି ଏତେ କ୍ଲେଶ ।

ତାହାଙ୍କ ସର୍ବାଙ୍ଗ ଅସ୍ଥି ହୋଇଲାଣି ଚୂର

ସହସ୍ର ମୁଖରୁ ଝାଞ୍ଜି ବହୁଛି ପ୍ରଚୁର ।

ରତ୍ନାକର କଷ୍ଟ ଯେତେ କହିଲେ ନ ସରେ

ଆଦେଶ ନ ଦିଅ ଦେବ ସିନ୍ଧୁ ମନ୍ଥନରେ ।

ଶିବ ବୋଇଲେ ମନ୍ଥନ କରି ଏକଥର

ଆସିବାର ଅକାରଣ ନ ହେଉ ମୋହର ।

ଶିବଙ୍କର ବାକ୍ୟ କେହି ଭାଙ୍ଗି ନ ପାରିଲେ

ପୁଣି ସୁରାସୁର ମିଶି ବାରିଧି ମନ୍ଥିଲେ ।

ମନ୍ଥିବାର ଲୋକ ଶ୍ରମେ ହୋଇଲେ ଆସକ୍ତ

ହସ୍ତପଦ ନ ଚଳିଲା ଶରୀର କମ୍ପିତ ।

ସହି ନ ପାରିଲେ ଶେଷ ଅତ୍ୟନ୍ତ ଘର୍ଷଣ

ନିଃଶ୍ଵାସ ବହିଲା ଖଞ୍ଜା ପବନ ସମାନ ।

ଅତିଶୟ ଶ୍ରମ ପାଇ ଏ ଘଟଣା ହେଲା

ସହସ୍ର ମୁଖୁଁ ଗରଳ ବହିଣ ପଡ଼ିଲା ।

ବାରିଧି ମନ୍ଥନ ଅଗ୍ନି ଅହିର ଗରଳ

ସୁରାସୁର ଶ୍ଵାସ ଅଗ୍ନି ମନ୍ଦର ଅନଳ ।

ଚାରି ଅଗ୍ନି ମିଶି ପୁଣି ଏକତ୍ର ହୋଇଲା

ବାରାନିଧି ମଧୁ ମହାତେଜ ପ୍ରକାଶିଲା ।

ପ୍ରାତଃକାଳୁ ସୂର୍ଯ୍ୟ ଯେସନକ ଯେ ବଢ଼ଇ

ଦାବାନଳ ଜନ୍ମି ଯେହ୍ନେ ଅରଣ୍ୟ ପୋଡ଼ଇ ।

ଯୁଗାନ୍ତର କାଳେ ଯେହ୍ନେ ପ୍ରଳୟର ଜଳ

ସେହିପରି ସବୁଦିଗେ ବ୍ୟାପିଲା ଅନଳ ।

ସୁରାସୁରେ ଯକ୍ଷ ରକ୍ଷ ଯେତେ ରହିଥିଲେ

ବିଷର ଜ୍ଜାଳାରେ ସର୍ବେ ପଳାଇଣ ଗଲେ ।

ଶିବଙ୍କ ଚରଣେ ନମି କଲେ ବହୁ ସ୍ତୁତି

ରକ୍ଷାକର ଭୂତନାଥ ଅଗତିର ଗତି ।

ତୁମ୍ଭ ବିନା ରକ୍ଷାକର୍ତ୍ତା କେହି ନାହିଁ ଆଉ

ସଂସାର ହୋଇଲା ନଷ୍ଟ ତୁମ୍ଭେ ଥାଉଁ ଥାଉଁ ।

ସୁରଗଣଙ୍କର ଶୁଣି କାର୍ପଣ୍ୟ ବଚନ

ବିଷେ ଦଗ୍‌ଧ ହୁଏ ସୃଷ୍ଟି ଦେଖି ତ୍ରିଲୋଚନ ।

ସମୁଦ୍ରୁ ବାହାରୁ ବିଷ ସ୍ପରଶେ ବଚନ

ଗଣ୍ଡଷକେ ପାନ କଲେ ଦେବ ପଞ୍ଚାନନ ।

କୌତୁକ ଦେଖନ୍ତି ରହି ତିନିପୁର ଲୋକେ

ବିଷ ପାନ କଲେ ହର ସବୁ ଏକ ଢୋକେ ।

ସତ୍ୟ ଅଙ୍ଗୀକାର ଧର୍ମ ପାଳନ ନିମନ୍ତେ

ନ ଢୋକି ରଖିଲେ ବିଷ ନେଇ କଣ୍ଠାଗ୍ରତେ ।

ନ ଢୋକି ରଖିଲେ ବିଷ ନେଇ କଣ୍ଠାଗ୍ରତେ ।

ନୀଳବର୍ଣ୍ଣ ବିଷପାନ କଲେ ଯହୁଁ ହର

ନୀଳବର୍ଣ୍ଣ ନାମ ତହୁଁ ବିଦିତ ସଂସାର ।

ଆଶ୍ଚର୍ଯ୍ୟ ହୋଇଣ ତହୁଁ ତ୍ରିଭୁବନ ଜନ

କୃତାଞ୍ଜଳି ହୋଇ କଲେ ଶିବଙ୍କୁ ପୂଜନ ।

ଦେବତାଙ୍କୁ ବାରେ ଆଜ୍ଞା ଦେଲେ ବିଶ୍ଵନାଥ

ଯାଥାସ୍ଥାନେ ରଖି ଆସ ମନ୍ଦର ପର୍ବତ ।

ସେ ଗିରିକି ନେଇ ନିଜ ସ୍ଥାନରେ ରଖିଲେ

ସିନ୍ଧୁ ମନ୍ଥନରୁ ସର୍ବେ ମୁକତି ପାଇଲେ ।

ତଦପରେ ଦୈତ୍ୟସବୁ ଏକତ୍ର ହୋଇଣ

ଦେବତାଙ୍କଠାରୁ ସୁଧା ନେଲେ ଛଡ଼ାଇଣ ।

ବୋଇଲେ ସିନ୍ଧୁ ମନ୍ଥିଲୁ ମୁଳି ଆମ୍ଭେ ସର୍ବେ

ଯାହା ପ୍ରାପ୍ତ ହେଲା ତାହା ନେଇଗଲ ତୁମ୍ଭେ ।

 

 

ସୁଧାଭାଣ୍ଡ ରଖି ପୁଣି କରିବାକୁ ପାନ

ଏମନ୍ତ କରିଣ ଗୋଳ କଲେ ଦୈତ୍ୟଗଣ ।

ଦେବ ଦାନବଙ୍କ କଳି ଦେଖି ମହେଶ୍ଵର

ବୋଇଲେ ବୃଥାରେ କଳି ପାହିଁପାଇଁ ।

ସୁଧା ବାଣ୍ଟିନେବ ସର୍ବେ ସବୁରି ଅର୍ଜିତ

ଶିବଙ୍କ ବଚନେ ଦ୍ଵନ୍ଦ୍ଵ ହୋଇଲା ନିବୃତ୍ତ ।

•••

 

ନାରାୟଣଙ୍କ ମୋହିନୀ ରୂପ ଧାରଣ

 

ସେ ସମୟେ ରମାକାନ୍ତ ମୋହିନୀ ବେଶରେ

ଅକସ୍ମାତେ ଉଭାହେଲେ ତାଙ୍କର ମଧ୍ୟରେ ।

ସେ ଅପୂର୍ବ ରୂପେ ସର୍ବେ ହୋଇଲେ ମୋହିତ

ଏକାଗ୍ର ଚିତ୍ତେ ଅନାଇ ଦେଲେ ଜଡ଼ ବଡ ।

ମର୍ମେ ଫୁଲଶର ଭେଦ କଲା ଅଚେତନ

ଦେବ କି ଦାନବଙ୍କର ନ ରହିଲା ଜ୍ଞାନ ।

ମୋହ ତେଜି ଚକ୍ଷୁ ମେଲି ରହିଲେ ଅନାଇଁ

କେଉଁଠୁ ଅଇଲ ତୁମ୍ଭେ ରହିଥିଲ କାହିଁ ।

ସୁରାସୁର ମୁହିଁ କନ୍ୟା ବୋଇଲେ ବଚନ

ଏହି କ୍ଷୀରସିନ୍ଧୁ ମଧ୍ୟେ ମୋର ବାସସ୍ଥାନ ।

ମୋହିନୀ ମୋହର ନାମ ଅଯୋନି ଉତ୍ପତ୍ତି

ତୁମ୍ଭର କଳହ ଶୁଣି ପ୍ରବେଶିଲି ଏଥି ।

ଏପରି ଶୁଣି ତାହାଙ୍କୁ ବୋଇଲେ ସମସ୍ତେ

ଦେବ ଦାନବଙ୍କ କଳି ଅମୃତ ନିମନ୍ତେ ।

ଶୁଭବେଳେ ତୁମ୍ଭ ସଙ୍ଗେ ହୋଇଲା ମିଳନ

ମଧ୍ୟସ୍ଥ ହୋଇଣ କଳି କଲ ନିବାରଣ ।

 

 

ସୁଦା ବାଣ୍ଟିଦେଲେ କଳି ସମାଧାନ ହେବ

ସମସ୍ତେ ଆଜ୍ଞା ପାଳିବେ ତୁମ୍ଭେ ଯା କହିବ ।

ଏମନ୍ତ କହିଣ ସର୍ବେ କଲେ ତହିଁ ସତ୍ୟ

କପଟ ଭାବେ ମୋହିନୀ କହନ୍ତେ ଏମନ୍ତ ।

ଯଦ୍ୟପି ପାଳିବ ତୁମ୍ଭେ ମୋହର ବଚନ

ସୁଧାଭାଣ୍ଡ ଆଣିଦିଅ ମୋର ସନ୍ନିଧାନ ।

ତୁମ୍ଭେ ଦୁଇଦଳ ବସ ଦୁଇ ଧାଡ଼ି ହୋଇ

ମୁଁ ନିଜେ ପରଶି ଦେବି ଏତେ ଆନ ନାହିଁ ।

ମାୟ ମୋହିନୀ କଥାରେ ସର୍ବେ ଭୁଲିଗଲେ

ସୁଧାଭାଣ୍ଡଟିକି ଆଣି ମୋର କରେ ଦେଲେ ।

ପିଢ଼ା ଆସନରେ ଯାଇ ବସିଲେ ଦିଧାଡ଼ି

ପରଷିଲେ ସେ ମୋହିନୀ ଭାଣ୍ଡ ମଧ୍ୟୁ କାଢ଼ି ।

ବରୁଣ କୁବେର ଯମ ଅଗ୍ନି ହୁତାଶନ

ଅଗ୍ରେ ଦେବଙ୍କ ଧାଡ଼ିରେ କରିଲେ ବଣ୍ଟନ ।

ଅବଶେଷ ସବୁ ପାନ କଲେ ବ୍ରହ୍ମରାଶି

ଏ ସମୟେ ଊର୍ଦ୍ଧ୍ଵେ ଡାକଦ୍ୟନ୍ତି ରବି ଶଶୀ ।

ଦେଖ ଦେବ ରାହୁ ଦୈତ୍ୟ ସୁଧା କରେ ପାନ

ଦେଖି ଚକ୍ରେ ବେନି ଖଣ୍ଡ କଲେ ନାରାୟଣ ।

ତଥାପି ସେ ନ ମରିଲା ସୁଧାପାନ ହେତୁ

ମୁଖଖଣ୍ଡ ହେଲା ରାହୁ ଗଣ୍ଡି ହେଲା କେତୁ ।

ଛିନ୍ନମୁଣ୍ଡ ରାହୁ କରି ଶୂନ୍ୟେ ଆରୋହଣ

ପ୍ରାଣ ବିକଳେ ଛାଡ଼ିଲା ଅତ୍ୟନ୍ତ ଗର୍ଜ୍ଜନ ।

ତାହାର କବନ୍ଧ ଗୋଟି କମ୍ପଇ ଜଗତ

ସେହିକ୍ଷଣି ପୃଥିବୀରେ ହୋଇଲା ପତିତ ।

ସେହି ଦିନୁ ଚନ୍ଦ୍ର ସୂର୍ଯ୍ୟ ସଙ୍ଗେ ରାହୁଦୈତ୍ୟ

ପ୍ରତିହିଂସା ପାଇଲେ ଯେ ଶତ୍ରୁତା ସତତ ।

ଆଜିଯାଏ ରାହୁ ଚନ୍ଦ୍ର ସୂର୍ଯ୍ୟ ଗ୍ରାସ କରେ

ଏହା ଦେଖି କୋପାନଳ ହୋଇଲେ ଅସୁରେ ।

ଅସ୍ତ୍ର ଶସ୍ତ୍ର ଧରି କରେ ଭୀଷଣ ସମର

ମାୟା ମୋହିନୀକି ଘେନି ଆରିଆଡ଼ୁ ମାର ।

ଦୈତ୍ୟମାନଙ୍କ ବିକ୍ରମ ଦେଖି ଗଦାପାଣି

ମୋହିନୀ ରୂପକୁ ପ୍ରଭୁ ଛାଡ଼ି ସେହିକ୍ଷଣି ।

ସେହି ସମୁଦ୍ର ତୀରରେ ଯୁଦ୍ଧ ଆରମ୍ଭିଲେ

ଦେବତାଏ ତାଙ୍କ ସଙ୍ଗେ ସାହାଯ୍ୟ କରିଲେ ।

ଦେବାତଙ୍କୁ ମାର ବୋଲି ଦାନବେ କହନ୍ତି

ଦେବତାଙ୍କୁ ବୃଷ୍ଟି କଲେ ଗଦା ଚକ୍ର କାତି ।

ନାନା ଅସ୍ତ୍ର ଶସ୍ତ୍ର ଦିଗ ହୋଇଲା ଅନ୍ଧାର

ଅପ୍ରମିତ ରଣ କଲେ ତହିଁ ଦେବାସୁର ।

ଅମୃତ ପାନେ ବଳିଷ୍ଠ ସମସ୍ତ ଅମର

ମନ୍ଥନରେ ଦାନବଙ୍କ କ୍ଳାନ୍ତି କଳେବର ।

ଶରାଘାତେ ଦୈତ୍ୟେ କଲେ ରୁଧିର ବମନ

ନ ପାରିଣ ଛିନ୍ନଛତ୍ରେ କଲେ ପଳାୟନ ।

କେହି ବା ଲୁଚିଲା ଯାଇଁ ଭୟେ ସିନ୍ଧୁଜଳେ

କେହୁ ବା ଅରଣ୍ୟେ କେହୁ ଆକାଶ ପାତାଳେ ।

ସୁରଗଣେ ଜୟଲାଭ କରି ଆନନ୍ଦରେ

ବିଷ୍ଣୁଙ୍କୁ ପ୍ରଣମି ଗଲେ ଯେ ଯାହାର ପୁରେ ।

ତହୁଁ ହରି ଇନ୍ଦ୍ରେ ସୁଧା ମଣ୍ଡଳକ ଦେଲେ

ତାହା ଘେନି ଶଚୀପତି ସ୍ଵର୍ଗରେ ରହିଲେ ।

ଗୋଳକପୁରେ ରହିଲେ ପ୍ରଭୁ ନାରାୟଣ

ଦୀନ ହରି ଦାସେ ପ୍ରଭୁ କର ପରିତ୍ରାଣ ।

•••

 

ଶିବ କାହିଁକି ଚନ୍ଦ୍ରଧାରଣ କଲେ

 

ପୁନରପି ପୁଚ୍ଛାକଲେ ହୈମବନ୍ତ ଝିଅ

ହେ ନାଥ ତବ ଶ୍ରୀପଦେ କରୁଛି ବିନୟ ।

ଚନ୍ଦ୍ର ତ ସାମାନ୍ୟ ପୁଣ ନୁହନ୍ତି କଦାପି

ତାଙ୍କୁ ମସ୍ତକେ ଧାରଣ କରିଛ ଅଦ୍ୟାପି ।

କେ ହେତୁ ଆପଣ ତାକୁ ବହିଛ ଶିରରେ

ଏକଥା ବୁଝାଇ ନାଥ କୁହ ମୋ ଆଗରେ ।

ମୋତେ ଯେଉଁପରି ବାମ ଅଙ୍ଗରେ ବହିଛ

ସେପରି ଅର୍ଦ୍ଧ ଚନ୍ଦ୍ରକୁ ଶିରରେ ବହିଛ ।

ଏକଥା ଆଶ୍ଚର୍ଯ୍ୟ ମଣେ ଆହେ ପ୍ରାଣନାଥ

ବୁଝାଇ ସନ୍ତୋଷକର ଏ ମୋହର ଚିତ୍ତ ।

ଏପରି ପୁଚ୍ଛିଲେ ଯହୁଁ ଉମା ଭକ୍ତିଭରେ

କହିଲେ ମହେଶ ତାଙ୍କୁ ଅତି ହରଷରେ ।

ଶୁଣ ଗୋ ସୁନ୍ଦରି ଏହି ପିଷୟ ଗୁପତ

ଆଜି ତୋ ଆଗେ କହୁଛି କରିଣ ବ୍ୟକତ ।

ଦକ୍ଷଙ୍କ ପ୍ରଥମ କନ୍ୟା ତୁମ୍ଭ ନାମ ସତୀ

ତୁମ୍ଭଙ୍କୁ ମୋତେ ପ୍ରଦାନ କଲେ ପ୍ରଜାପତି ।

 

 

ତୁମ୍ଭଙ୍କୁ ମିଶାଇ ତାଙ୍କ ଚଉସ୍ତରୀ କନ୍ୟା

ସକଳ ଅଟନ୍ତି ଜାଣ ରୂପ ଗୁଣେ ଧନ୍ୟା ।

ସକଳ ଦେବତା ଋଷି ତାଙ୍କର ଜୁଆଇଁ

ସକଳ ଜାମତା ମଧ୍ୟେ ଜ୍ୟେଷ୍ଠ ଅଟେ ମୁହିଁ ।

ଦକ୍ଷ ପ୍ରଜାପତି ଏକ ଯଜ୍ଞ ଆରମ୍ଭିଲେ

ସକଳ ଜ୍ଵାଇଁମାନଙ୍କୁ ନିମନ୍ତ୍ରଣ କଲେ ।

ମୋର ଏ ଯୋଗୀ ସ୍ଵଭାବେ କରି ଅନାଦର

ନିମନ୍ତ୍ରଣେ ନ ବରିଲା ଆଗୋ ନାରୀବର ।

ଏ କାଳେ ନାରଦ ଆସି କହିଲେ ସତୀଙ୍କୁ

ନିମନ୍ତ୍ରି ନାହାନ୍ତି ତୁମ୍ଭ ପିତା କି ତୁମ୍ଭଙ୍କୁ ।

ତୁମ୍ଭ ପିତାଙ୍କର ସର୍ବ ଜ୍ଵାଇଁ ଅଇଲେଣି

ଆସି ଅଛନ୍ତି ତୁମ୍ଭର ସକଳ ଭଉଣୀ ।

ଏପରି ଶୁଣିଲେ ଯହୁଁ ରାଗିଯାଇ ସତୀ

ପିତା ଘର ଯିବା ପାଇଁ କହିଲା ମୋ କତି ।

ମୁଁ ବୋଇଲି ପିତା ଯେବେ ନ ଲୋଡ଼ିଲା କାର୍ଯ୍ୟେ

ତୁମ୍ଭେ ଏହି ସ୍ଥାନକୁ ଗୋ ଯିବ କେଉଁ ଲାଜେ ।

ବରଣ ନ ପାଇ ଯେହୁ ଯାନ୍ତି ଯାହା ଘର

ଅନୁମାନ କରି ବାର୍ତ୍ତା କହନ୍ତି ଯେ ନର ।

ଆପଣା ଇଚ୍ଛାରେ ଯେହୁ ହୁଅନ୍ତି ମଧ୍ୟସ୍ଥ

ଧନ ଥାଉଁ ଯାର ବଳେ ଯାଚକରେ ଚିତ୍ତ ।

ମନ୍ତ୍ରୀକି ଦୂତ କରନ୍ତି ଯେବଣ ନୃପତି

ନୀଚଲୋକ ସଙ୍ଗତରେ ଯେ ବଢ଼ାଏ ପ୍ରୀତି ।

ଦରିଦ୍ର ହୋଇଣ ଯେହୁ ରହେ ବନ୍ଧୁ ପାଶେ

ସ୍ଵଦ୍ଵାର ଉପେକ୍ଷି ଯେହୁ ପରଦ୍ଵାରେ ରସେ ।

ଅସମ୍ମାନଠାରେ ଯେହୁ ରହେ ବାସକରି

ବାପଘରେ ଛାଡ଼ନ୍ତି ଯେ ନେଇ ୟୁବାନାରୀ ।

ଭୃତ୍ୟ ପଦାର୍ଥକୁ ସ୍ଵାମୀ କରେ ଯେବେ ଆଶ

ବଳଦ ନଥାଇ ଯେହୁ କରଇଟି ଚାଷ ।

ସଙ୍ଖାଳି ନ ଥାଇ କରେ ବାଣିଜ୍ୟ ଯେ ଜନ

ବସ୍ତ୍ର ନ ଥାଇ ଯେ କରେ ଯାତ୍ରାକୁ ଗମନ ।

ଦିବସେ ଶୋଇଣ ଯେହୁ ବୁଲେ ନିଶାକାଳେ

ଘଡ଼ିଆଳ ନୋହୁ ଯେହୁ ଲାଗେ ସର୍ପ ମେଳେ ।

ମଇତ୍ର ଘରକୁ ଯେହୁ ଯାନ୍ତି ଋଣ କରି

ପରପଦାର୍ଥରେ ଯେହୁ ହୁଏ ଲଗାହାରୀ ।

ଜଳ ଅନଳେ ଦେଖାନ୍ତି ଯେହୁ ପରାକ୍ରମ

ପ୍ରଭୁ ବଚନକୁ ସେବା କରେ ମତେ ତମ ।

ନଟବୃତ୍ତି ଦେଖିକରି ହରନ୍ତି ଯେ ଦିନ

ଭଣ୍ଡାରୀର ଭୃତ୍ୟୁ ପାଣି ହୁଅନ୍ତି ଯେ ଜନ ।

ଶ୍ଵଶୁରର ଅନ୍ନ ଖାଇ ରହେ ଯେ ଜୁଆଇଁ

ଏତେ ଜନଙ୍କୁ ଅଧର୍ମୀ ବୋଲିକରି କହି ।

ତୁ କେମନ୍ତେ ଅବରଣେ ଯିବୁ ପିତାଘର

ଏଥୁ ବଳି ଲଜ୍ଜା ଆଉ କି ଅଛି ବିଚାର ।

ଶୁଣି ସତୀ କିଛିକ୍ଷଣ ବିସ୍ମୟ ହୋଇଲେ

ପୁନରପି ଯିବାପାଇଁ ମୋ ପାଶେ କହିଲେ ।

ତା ରାଗ ପ୍ରକୃତି ଜାଣି ଯେତେ ମନାକଲି

ନ ମାନି ବେଶ ଭୂଷଣେ ଗଲା ବେଗେ ଚାଲି ।

ପିତାଙ୍କର ଅଭିମାନ ମନେ ମାନ ଧରି

ପିତାଙ୍କ ଗୃହେ ପ୍ରବେଶ ହେଲା ଯାଇକରି ।

ପିତା ଦେଖିକରି ତାଙ୍କୁ ଏମନ୍ତ ବୋଇଲା

ଏ କଳହୀ ଆସିକରି ସର୍ବ ନଷ୍ଟ କଲା ।

ଜାଣି ମୁଁ ଯୋଗି ଆଣୀକି ବରିଣ ନ ଥିଲି

ଯହୁଁ ସତୀକି କହିଲେ ସେ ଏମନ୍ତ ବୋଲି ।

ପିତାଙ୍କର ଏହିପରି କର୍କଶ ବାଣୀରେ

ଡେଇଁ ପଡ଼ିଲା ଯେ ସତୀ ଯେ ଯଜ୍ଞ କୁଣ୍ଡରେ ।

ସେ ପ୍ରଚଣ୍ଡ ଯଜ୍ଞକୁଣ୍ଡେ ଭସ୍ମ ହେଲା ପୋଡ଼ି

ଏ ବାର୍ତ୍ତା ପାଇ ଦକ୍ଷର ମୁଣ୍ଡ ଦେଲି ମୋଡ଼ି ।

ସତୀକି ନ ପାଇ ମୋର ଶାନ୍ତି ନ ଜନ୍ମିଲା

କାହିଁରେ ମୋହର ଆଉ ମନ ନ ଲାଗିଲା ।

କୁଣ୍ଡ ମଧ୍ୟେ ସତୀ ହାଡ଼ ଗଳାରେ ପକାଇ

ଦିଗମ୍ବର ବେଶେ ବନେ ବୁଲିଲଇଁ ଯାଇଁ ।

ସବୁବେଳେ ସତି ରୂପ ନାଚିଲା ନୟନେ

ବାତୁଳ ପରାୟେ ଯାଇଁ ଭ୍ରମିଲି କାନନେ ।

ତପସ୍ୟା କରିବା ପାଇଁ ଗଳି ନଦୀତୀରେ

ତହୁଁ ପୁଣି ବସିଲି ମୁଁ ଯାଇ ଉଦ୍ୟାନରେ ।

ବୃକ୍ଷମୂଳେ ନଦୀକୂଳେ ପର୍ବତର ତଳେ

ମନ୍ଦର କନ୍ଦର ଜଳେ ସ୍ଥଳେ ଯେ ପାତାଳେ ।

ବୁଲି ବୁଲି ଜାଣ ପ୍ରିୟେ ମନ ହେଲା ସ୍ଥିର

ପୁନଶ୍ଚ ତପସ୍ୟା ମହିଁ କରିଲି କଠୋର ।

ଯେଉଁ ଯେଉଁ ବୃକ୍ଷମୂଳେ କଲି ମୁହିଁ ତପ

ସେ ସକଳେ ଦଗ୍‌ଧ ହେଲେ ପାଇ ମୋର ତାପ ।

ପର୍ବତ କନ୍ଦର ପୋଡ଼ିଗଲା ଗୋ ସୁସ୍ତନି

ଲାଗିଗଲା ମହୀ ମଣ୍ଡଳରେ ତପ ବହ୍ନି ।

ଚନ୍ଦ୍ର ସୂର୍ଯ୍ୟଙ୍କର ତେଜ ହୋଇଲା ନିଊନ

ଜରା ଦେହକୁ ଧାରଣ କରିଲେ ଶମନ ।

କି କହିବି ପ୍ରିୟସହୀ ଅଧିକ ମୁଁ ତୋତେ

ତିନିପୁରବାସୀ ଦେବ ଦାନବ ସହିତେ ।

ମୋ ତପସ୍ୟା ତେଜେ ହେଲେ ସମସ୍ତେ ବ୍ୟାକୁଳ

ନିଜେ ଦେବରାଜ ଘେନି ଦେବତା ସକଳ ।

ବ୍ରହ୍ମାଙ୍କ ଭୁବନେ ସର୍ବେ ପ୍ରବେଶିଲେ ଯାଇ

ମନ୍ଦର ଭୂଧର ଶୃଙ୍ଗ ତଳେ ଅଛି ମୁହିଁ ।

ବ୍ରହ୍ମାଙ୍କୁ କହିଲେ ଇନ୍ଦ୍ର ଆହେ ପିତାମହ

ଅଗ୍ନି ନିବାରଣ ହେବ କେଇଁପରି କହ ।

କାହୁଁ ଏ ଅନଳ ଜାତ ହୋଇଲା କିପରି

ନିଶ୍ଚୟ ଏଥିରେ ପୋଡ଼ିଯିବ ତିନିପୁରୀ ।

ଇନ୍ଦ୍ରର ଏ କତା ଶୁଣି କହିଲେ ବିଧାତା

ଆହେ ଦେବରାଜ ଶୁଣ କହୁଛି ସେ କଥା ।

ତ୍ରିଭୁବନ ଯାର ତେଜେ ହେଉଛି ଦହିର୍ଯ୍ୟ

ସେହି ଦେବ ମହାଦେବ ବିଶ୍ଵରୂପୀ ଆଜି ।

ତାହାଙ୍କ ପ୍ରଭାବ ଜାଣ ମୋତେ ଅଗୋଚର

ତୁମ୍ଭ ହିତ ନିମନ୍ତେ ମୁଁ ତାର ପ୍ରତିକାର ।

କରିବି ଏକ୍ଷଣି ମୁହିଁ ନ କର ଭାବନା

ଏହି କହି ସେମାନଙ୍କୁ କରିଲେ ସାନ୍ତ୍ଵନା ।

ଦକ୍ଷଯଜ୍ଞେ ମରିବାରୁ ସତୀଙ୍କୁ ନ ପାଇ

ଘୋର ତେଜେ ପୋଡ଼ୁଛନ୍ତି ସପ୍ତଦ୍ଵୀପା ମହୀ ।

ଚାଲ ଆମ୍ଭେମାନେ ଚନ୍ଦ୍ର ଦେବତାଙ୍କୁ ନେବା

ଯୋଗେଶ୍ଵର ପୁରୁଷଙ୍କ ମୁଣ୍ଡରେ ସ୍ଥାପିବା ।

ଚନ୍ଦର ଚନ୍ଦ୍ରଙ୍କୁ ଦେଖି ଶାନ୍ତିକି ଲଭିବେ

ପତ୍ନୀର ବିଚ୍ଛେଦ ଦୁଃଖ ବାବ ପାସୋରିବେ ।

ଚନ୍ଦ୍ରଙ୍କ ପ୍ରଭା ତାଙ୍କର ସନ୍ତାପ ହରିବ

ବ୍ରହ୍ମାଙ୍କର ଏ ବଚନ ଶୁଣିଣ ବାସବ ।

ଚନ୍ଦ୍ରକାନ୍ତି ମଣି ଆଣି ତାର ସାହାଯ୍ୟରେ

ସୁଧା ଘଟ ବିଷ ଘଟ ଧଇଲେ ହସ୍ତରେ ।

ଦେବତାମାନଙ୍କୁ ଘେନି ମୋର ପାଶେ ଗଲେ

ବ୍ରହ୍ମା ଆଦି ଦେବେ ମୋତେ ବିନୟେ କହିଲେ ।

ଆହେ ଦେବ ଦେବ ଶିବ ଏ ଅମୃତ ଘଟ

ଗ୍ରହଣ କଲେ ଆପଣ ହେବୁ ଆମ୍ଭେ ତୃପ୍ତ ।

ଏହା କହିଣ ଅର୍ପିତ କଲେ ମୋ ପାଶରେ

ଏ ଅମୃତ କୁଣ୍ଡୁ ଯେଉଁ ସୁଗନ୍ଧ ବାହାରେ ।

ତହିଁରେ ସେ ବନସ୍ଥଳୀ ହେଲା ସୁବାସିତ

ଚନ୍ଦନ କର୍ପୀର ପୁଷ୍ପ ନୋହିବ ତେମନ୍ତ ।

ତାର ସୁବାସିତ କଥା କି କହିବି ମୁହିଁ

ମୋର ଚିତ୍ତ ବିହ୍ଵଳିତ ହେଉଥିଲା ସହୀ ।

ସେ ଗନ୍ଧଆ ମୋଦେ ମୁଗ୍‌ଧ ହେଲା ମୋର ମନ

ସେ ଅମୃତ ତୁମ୍ଭଙ୍କ ମୁଁ ଘେନିଲି ବହନ ।

ହସ୍ତରେ ଘେନିବା ମାତ୍ରେ ଆଗୋ ଗିରିସୁତେ

ମସ୍ତକରେ ଚନ୍ଦ୍ରରେଖା ହେଲା ଅକସ୍ମାତେ ।

ସେ ସୁନ୍ଦର ଚନ୍ଦ୍ରରେଖା କରି ଦରଶନ

ପୂର୍ବପରି କ୍ରମେ କ୍ରମେ ସ୍ଥିର ହେଲା ମନ ।

ସତୀର ବିରହ ଦୁଃଖ ହରଣ ହୋଇଲା

ଯେତେକ ସନ୍ତାପ ସବୁ ଦୂର ହୋଇଗଲା ।

ଦେଖି ଦେବତାଏ ମୋତେ କଲେ ବହୁ ସ୍ତୁତି

ଚନ୍ଦ୍ରଶେଖର ନାମ ମୋ ଦେଲେ ପ୍ରଜାପତି ।

ସେହି ଦିନୁ ଚନ୍ଦ୍ରମାକୁ ଧରିଲି ଶିରରେ

ଏ ଗୁପ୍ତ କଥା କହିଲି ତୁମ୍ଭର ଆଗରେ ।

ଆଖ୍ୟାନ ଗୋଟି ପ୍ରିୟେ ଯେ ଲୟରେ ଶୁଣିବ

ତାର ରୋଗ ଦୁଃଖ ସବୁ ବିନାଶ ହୋଇବ ।

ଚନ୍ଦ୍ରଙ୍କ ଚରିତ ପ୍ରିୟେ ଅତି ମନୋରମ

ଶାନ୍ତି ସୁକମୟ ଦିଏ ରଶ୍ମି ଗୁଣ ସମ ।

•••

 

ଚନ୍ଦ୍ର ଶଶାଚିହ୍ନ କିପରି ଧାରଣ କଲେ ତା’ର ବିବରଣ

 

ଆବର କଥାଏ ନାଥ ପଚାରୁଛି ମୁହିଁ

ଚନ୍ଦ୍ରଙ୍କ ଅଙ୍ଗେ କି ଚିହ୍ନି କାଳିଆ ଦିଶଇ ।

ଶଶାଟିଏ ବସିଛି କି ଦିଶଇ ତେମନ୍ତ

କେଉଁ କାରଣେ ୟା ଦିଶେ କହ ପ୍ରାଣନାଥ ।

ସମ୍ପୂର୍ଣ୍ଣ ଉର୍ଜ୍ଜ୍ଵଳ ଅଙ୍ଗେ ଏ କିସ ମଳିନ

କହିଣ ମୋହର ପ୍ରଭୁ ଶାନ୍ତିକର ମନ ।

ମହେଶ କହିଲେ ପ୍ରିୟେ ଗୁପ୍ତ ଏ ଚରିତ

ତୋର ଆଗେ ସେହି କଥା କରୁଛି ବ୍ୟକତ ।

ବୈଶାଖ ଶୁକଳ ପକ୍ଷ ଚତୁର୍ଥୀ ସେ ଦିନ

କୃତ୍ତିକା ନକ୍ଷତ୍ର ସୌରି ବାର ବିଦ୍ୟମାନ ।

ସେଦିନ ଆଦିତ୍ୟ ଉଦେ ହେଲେ ତେଜ ଘେନି

ଗଗନେ ଘୋଟିଲା ଯେହ୍ନେ ପ୍ରଚଣ୍ଡ ବହନି ।

ଘୋର ଗ୍ରାଷମକୁ ଘେନି ବହଇ ପବନ

ଝାଡ଼ ମଧ୍ୟେ ଥାଇ ଆର୍ତ୍ତ ଜୀବ ଜନ୍ତୁଗଣ ।

ଶଶାଟିଏ ଆତୁରରେ ଜଳ ଅନୁସରି

ବନ ମଧ୍ୟୁ ଆସେ ଜଳ ଖୋଜି ଖୋଜି କରି ।

 

 

ତୃଷାର ଆତୁରେ ଶଶା ଲୋଡ଼ଅଛି ଜଳ

ଖରାକୁ ଡରି ରହଇ ଖୋଜି ଛାୟାତଳ ।

ଉଠଇ ବସଇ ତୃଷା କରେ ଜ୍ଞାନଶୂନ୍ୟ

ବିଚାରଇ କେଣିକି ମୁଁ କରିବି ଗମନ ।

ଚାଲନ୍ତେ ଖରା ତାପରେ ଗୋଡ଼ ଯାଏ ପୋଡ଼ି

ପୁଣି ଛାୟାତଳେ ପାଦ ଦିଅଇ ଛିଞ୍ଚାଡ଼ି ।

ହିଂସ୍ର ଜନ୍ତୁ ଆସିବାକୁ ଭୟ କରି ମନ

ଶବଦକୁ ଲୟ କରି ଟେକିଥାଏ କାନ ।

ଭୂମି ତତଲାକୁ ଡରି ନ ପାରଇ ଯାଇ

କୋଡ଼ିଏ ଦଣ୍ଡ ପର୍ଯ୍ୟନ୍ତ ରହିଲାକ ତହିଁ ।

ପ୍ରହରକଠାରୁ ଗଣ୍ଡ ଛାଇରେ ରହିଲା

ଏମନ୍ତ ଚଉଦ ଘଡ଼ି ସମୟ ବଞ୍ଚିଲା ।

ଆଦିତ୍ୟର ଖର ରଶ୍ମି ହୁଅନ୍ତେ ନିଊନ

ବୃକ୍ଷ ତଳୁ ସେ ଶଶାଟି କରିଲା ଗମନ ।

ତୃଷା ଆତୁରେ ବିକଳ ତାହାର ଶରୀର

ବନଗିରି ଛଉକତି ଲୋଡ଼ଇ ସେ ନୀର ।

ଘୋର ନିଦାଘ ସମୟ କାହିଁ ନାହିଁ ଜଳ

ନଦୀ ପୁଷ୍କରିଣୀ ଆଦି ଶୁଖିଛି ସକଳ ।

ଏମନ୍ତ ନିରାଟ କାଳେ ଶଶା ଜୀବଗୋଟି

ତୃଷାର ଆରତେ ଜଳ ଖୋଜି ଖୋଜି ଫୁଟି ।

ଏ ସମୟେ ଦିବା ଶେ। ପ୍ରବେଶିଲା ରାତି

ଦିବା ପ୍ରାୟେ ଦେଖାଗଲା ପୂର୍ଣ୍ଣଚନ୍ଦ୍ର କ୍ରାନ୍ତି ।

ବୁଲୁ ବୁଲୁ ଶଖା ଖରେ ଚାହିଁ ପୂର୍ବଦିଗେ

ଦେଖିଲା ପୂର୍ବ ଚନ୍ଦ୍ରମା ଉଦେ ଶୂନ୍ୟମାର୍ଗେ ।

ନିର୍ମଳ ଜଳ ପରାୟେ ସୁଧାକର କାନ୍ତି

ଦିଗ ପୂରଣ ଦିଶିଲା ଗଙ୍ଗାଜଳ ଜ୍ୟୋତି ।

ଭୟ ଭୀତି ଶଶା ଆଉ ନ ଗଣଇ କାହିଁ

ଚାଲେ ବେଗ ବେଗ ହୋଇ ଚନ୍ଦ୍ରଙ୍କୁ ଅନାଇ ।

ଶଶା ଯାଆନ୍ତେ ଚନ୍ଦ୍ରମା ଗମଇ ଗଗନେ

ନିକଟ ବୋଲିଣ ଶଶା ଆଶା କରି ମନେ ।

ବିଚାରି ଏହିକ୍ଷଣି ପାଇବି ମୁଁ ଜଳ

ପିଅନ୍ତେ ମୋହର ଆତ୍ମା ହୋଇବ ଶୀତଳ ।

ବେଳୁ ବେଳ ବଢ଼ାଇଲା ଶଶା ବେଶୀ ଆଶା

ଅଲସ ନ କରି ଧାଏଁ ଲାଗିବାରୁ ତୃଷା ।

ଏମନ୍ତ ରଜନୀ ଆସି ହେଲା ଦଣ୍ଡ ଆଠ

ଶଶା ଚାଲି ଚାଲି ଗଲା ବିଂଶକ୍ରୋଶ ବଟ ।

ପୁଣି କିଛିଦୂର ଶଶା ବୋଲିଣ ଧାଇଁଲା

ଚାରିକୋଶ ଯାଇ ପୁଣି ଟେକି ଅନାଇଲା ।

ଦେଖିଲା ମଥା ଉପରେ ବିଜେ ନିଶାମଣି

ନିରେଖି ଚାହିଁଲା ଶଶା ନୁହଇ ସେ ପାଣି ।

ସ୍ଵରୂପ ସେ ଜାଣିପାରି ଛାଡ଼ ସବୁ ଆଶ

ଗଗନକୁ ଚାହିଁ ତାର ଉଡ଼ିଲା ସାହସ ।

ପାଣି ନ ପାଇଣ ଶଶା ତାଟକା ହୋଇଲା

ଚନ୍ଦ୍ରକୁ ଚାହିଁଣ ତାର ଜୀବନ ଛାଡ଼ିଲା ।

ଯମଦୂତମାନେ ଆସି ତାକୁ ଘେନିଗଲେ

ଜନ୍ତୁପତି ନିକଟରେ ନେଇ ଶୁଆଇଲେ ।

ଚିତ୍ରଗୁପତ ଦେଖିଲେ ପାଞ୍ଜିକି ଫିଟାଇ

ସେ ଶଶା ଗୋଟିରେ କିଛି ପାପ ଦୋଷ ନାହିଁ ।

ଆଉ ସାତବର୍ଷ ଅଛି ଏହାର ଆୟୁଷ

ନ ବିଚାରି କିମ୍ପା କଲ ଏ ଜନ୍ତୁକୁ ନାଶ ।

ଜନ୍ତୁପତି ଦୂତ ହୋଇ ଅବିଚାର କଲେ

ଜୀବ ଜନ୍ତୁମାନେ ଆଉ ବର୍ତ୍ତିବେକି ଭଲେ ।

ଏ ଶଶାକୁ ଆଣି କଲ ରାଜାର ଅକୀର୍ତ୍ତି

ଆମ୍ଭଙ୍କୁ ନ ପଚାରିଲ ଆରେ ଦୁଷ୍ଟମତି ।

ଦୂତ ବୋଇଲେ ଆମ୍ଭର ନାହିଁ ଏଥି ଦୋଷ

ଶୁଣନ୍ତୁ ଏ ଯେଉଁପରି ହୋଇଅଛି ନାଶ ।

କୁମୁଦ ପର୍ବତେ ଶଶା କରିଥିଲା ବସା

ଗ୍ରୀଷମ ଋତୁରେ ଏହି ପାଇ ବଡ଼ ତୃଷା ।

ଦ୍ଵିପ୍ରହରେ ଖରାବେଳେ ସେ ଶଶା ବାହାରି

ଗୋଡ଼ ପୋଡ଼ିଯାଏ ବୁଲେ ଜଳ ଅନୁସରି ।

ଯେତେବେଳେ ପୋଡ଼ିଯାଏ ବେଶି ପାଦତଳ

ବୃକ୍ଷଛାୟା ଆଶ୍ରା ନିଏ ହୋଇଣ ଆକୁଳ ।

ତୃଷା ଆତୁରରେ ଜଳ ଲୋଡ଼ି ନ ପାଇଲା

ସନ୍ଧ୍ୟା ହେଲା ପୂର୍ବେ ଚନ୍ଦ୍ର ଉଇଁବା ଦେଖିଲା ।

ଜଳପ୍ରାୟେ ମଣିକରି ଆଶା ବଢ଼ାଇଣ

ବହୁଦୂର ପଥ ସେହୁ କରିଲା ଗମନ ।

ବହୁଦୂର ଗଲା କିନ୍ତୁ ନ ପାଇଲା ନୀର

ନିରାଶ ହୋଇଣ ଏହୁ ଛାଡ଼ିଲା ଶରୀର ।

ଏହାର ପ୍ରାଣ ହତର ଚନ୍ଦ୍ର ହେଲା କେତୁ

ତେଣୁକରି ଲଭିଲା ଏ ଶଶା ଅପମୃତ୍ୟୁ ।

ଆପଣା ଇଚ୍ଛାରେ ଯେଣୁ ଛାଡ଼ିଲା ଶରୀର

ତେଣୁ ଏହାକୁ ଆଣିଲୁ ସଞ୍ଜିମନୀ ପୁର ।

ଚିତ୍ରଗୁପତ ବୋଇଲେ ନାହିଁ ତୁମ୍ଭ ଦୋଷ

ଏବେ ୟା ପ୍ରାଣ ନେଇ ତା ପିଣ୍ଡେ ଛାଡ଼ି ଆସ ।

ଏହାକୁ ଶୀତଳ ଜଳ ଦିଅ ତୁମ୍ଭେ ଆଣି

ସୁଖରେ ଜୀବନ ରହୁ ଶଶା ପିଣ୍ଡ ଘେନି ।

କାଳ ବିକାଳ କହିଲେ ଏହା ପିଣ୍ଡଗୋଟି

ଆମ୍ଭେ ଦେଖନ୍ତେ ଭକ୍ଷିଲେ ଜମ୍ବୁକ ଦୁଇଟି ।

ଅସ୍ଥି ଚର୍ମ ରକ୍ତମାଂସ କିଛି ନାହିଁ ତାର

ଛାଡ଼ିବୁ କାହିଁରେ ନେଇ ଆତ୍ମାକୁ ଏହାର ।

ଯମ ପାଶେ ଚିତ୍ରଗୁପ୍ତ କହନ୍ତି ବୁଝାଇ

ଏ ଶଶାର ସାତବର୍ଷ ଆୟୁ ଥିବ ରହି ।

ସାତବର୍ଷ ଆୟୁ ଥାଉଁ ଏ ଜୀବ ଅଇଲା

ଏ ଜୀବନ ହତ୍ୟାଭାଗୀ ଚନ୍ଦ୍ରମା ହୋଇଲା ।

ତୃଷାର ଆରତେ ଏହୁ ଲୋଡ଼ନ୍ତେଣ ଜଳ

ଗନରେ ଚନ୍ଦମାକୁ ଦେଖିଣ ଶୀତଳ ।

ନୀର ପ୍ରାୟେ ମଣି ପିଇବାକୁ କରି ଆଶ

ଚନ୍ଦ୍ରମାକୁ ଚାହିଁଗଲା ଚତୁର୍ବିଂଶ କୋଶ ।

ନିରାଶ ହୋଇଣ ପରେ ଛାଡ଼ିଲା ଶରୀର

ଜମ୍ଭୁକମାନେ ୟା ପିଣ୍ଡ କରିଲେ ଆହାର ।

ଏ ଶଶାଟି ମଲା ଚନ୍ଦ୍ରମାକୁ କରି ଆଶ

ଚନ୍ଦ୍ର ନିଶ୍ଚୟ ବହିବେ ଏହା ହତ୍ୟା ଦୋଷ ।

ଚିତ୍ରଗୁପତ ମୁଖରୁ ଏ ବଚନ ଶୁଣି

ଯମ ବୋଲେ ଚନ୍ଦ୍ର ହେଲେ ଏ ହତ୍ୟାକାରେଣି ।

ଆରେ ଦୂତେ ଏ ଜୀବକୁ ଯାଅ ଘେନି ବେଗେ

ନେଇକରି ଥୁଅ ଚନ୍ଦ୍ର ଦେବତାର ଆଗେ ।

ବୋଲିବ ତୁମ୍ଭର ଯୋଗେ ଗଲା ଏହା ପ୍ରାଣ

ୟାକୁ ଅଙ୍ଗେ ବହ ତୁମ୍ଭେ କହିଛନ୍ତି ଯମ ।

ଶୁଣି ସେ କାଳ ବିକାଳ ଚନ୍ଦ୍ର ପାଶେ ଗଲେ

ଏ ଶଶା ତୁମ୍ଭର ହେତୁ ମରିଲା ବୋଇଲେ ।

ତୃଷାରେ ଆତୁର ହୋଇ ନ ପାଇଣ ଜଳ

ବହୁ ପଥଶ୍ରମୀ ହୋଇ ହୋଇଣ ଆକୁଳ ।

ଗଗନେ ତୁମ୍ଭଙ୍କୁ ଦେଖି ଜଳ ପ୍ରାୟ ମଣି

ଚଉବିଂଶ କୋଶ ପଥ ଗଲା ଜଳ ମଣି ।

କାଳେ ତୁମ୍ଭେ ହେଲ ମୃଗତୃଷ୍ଣା ଜଳ ପ୍ରାୟ

ତାଟକା ହୋଇଣ ଶଶା ହୁଡ଼ିଲା ତା କାୟ ।

ସାତ ବରଷକୁ ଅଛି ଏହାର ଆୟୁଷ

ତୁମ୍ଭଙ୍କୁ ଆଶ୍ରାକରି ଏ ଶଶା ହେଲା ନାଶ ।

ହତ୍ୟାଦୋଷୀ ହେଲ ତୁମ୍ଭେ ଏହାର ଯୁକତେ

ଯମ ବୋଇଲେ ବହିବ ୟାକୁ ହୃଦଗତେ ।

ସାତ ବରଷ ତୁମ୍ଭର ଅଙ୍ଗେ ଏହୁ ଥିବ

ଆୟୁ ଶେଷହେଲେ ଅନ୍ୟ ଜନମ ଲଭିବ ।

ଏମନ୍ତ ଶୁଣି ସେ ଚନ୍ଦ୍ର କୋପେ ବୋଲେ ବାଣୀ

ମୋ ଆଗୋ ନ କହ ତୁମ୍ଭେ ଏ ଅବଧି ପୁଣି ।

ଜନ୍ତୁପତି ତୁମ୍ଭର କି ହାରିଲାଣି ଜ୍ଞାନ

ଆମ୍ଭ ପରେ ଲଗାଉଛି ମର୍ତ୍ତ୍ୟ ପାପମାନ ।

ନ ରହ ମୋ ପାଶେ ବେଗେ ହୁଅ ଅନ୍ତର୍ହିତ

ଶୁଣିଣ ଭୟେ ଫେରିଲେ ସେହି ଚିତ୍ରଗୁପ୍ତ ।

ସେ ଶଶା ପ୍ରାଣକୁ ଘେନି ଯମ ପାଶେ ହେଲେ

ଚନ୍ଦ୍ରମାଙ୍କ କଥା ସବୁ ବିସ୍ତାରି କହିଲେ ।

ଯମ ଜନ୍ତୁଙ୍କୁ ଉପରେ ଅଟେ ଅଧିକାରୀ

ମଞ୍ଚପୁର ଲୋକମାନେ ଥିବେ ତାକୁ ଡରି ।

ଆମ୍ଭେ ଦେବତା ଆମ୍ଭଙ୍କୁ ଡରାଇ ନ ପାରେ

ଶଶାଚିହ୍ନ ବହିବାକୁ କହୁଛି ଗର୍ବରେ ।

ଜୀବନରେ ଆଶା ଥିଲେ ମୋ ପାଶରୁ ଯାଅ

ମୋ ପାଶରେ ଥିଲେ ତୁମ୍ଭ ପ୍ରାଣର ସଂଶୟ ।

ଏହା ଶୁଣି ଭୟେ ପ୍ରଭୁ ପଳାଇ ଅଇଲୁ

ଯାହା କହିଥିଲେ ତାହା ପାଶେ ଜଣାଇଲୁ ।

ଶୁଣିକରି ଜନ୍ତୁପତି ମଇଁଷି ଆରୋହୀ

ଶଶା ପ୍ରାଣ ଘେନିଗଲା ଯହିଁଛନ୍ତି ବିହି ।

ତାଙ୍କ ପାଦେ ପଡ଼ି ସର୍ବ ବିଷୟ କହିଲା

ସେହି ଶଶା ପ୍ରାଣ ତାଙ୍କ ପାଶରେ କହିଲା ।

ପୁଣି ବୋଲେ ତୁମ୍ଭେ ସିନା ସୋତେ ଶାଢ଼ୀ ଦେଲ

ଜଗତର ପାପ ପୁଣ୍ୟ ବୁଝିବୁ ବୋଇଲ ।

ତୁମ୍ଭ ଆଜ୍ଞା ପ୍ରମାଣେ ମୁଁ ବୁଝଇ ସକଳ

ଏତେ ଦିନଯାଏ ତ ନଥିଲା ଖଳବଳ ।

ଗତକାଲି ଏହି ଶଶା ଗ୍ରୀଷ୍ମେ ତୃଷାତୁର

ଦ୍ଵିପ୍ରହରୁ ଜଳ ଲୋଡ଼ି ସନ୍ଧ୍ୟା ସମୟରେ ।

ହତଜ୍ଞାନ ପୂର୍ବଦିଗେ ଚନ୍ଦ୍ର ଦେଖିକରି

ଜଳ ବୋଲି ଧାଇଁଲା ସେ ତୃଷାକୁ ନିବାରି ।

ଚତୁର୍ବିଂଶ କୋଶ ଗଲା ନ ପାଇଲା ନୀର

ପରିଶେଷ ଚନ୍ଦ୍ର ଜାଣି ତେଜିଲା ଶରୀର ।

ସାତ ବରଷକୁ ତାର ରହିଛି ଆୟୁଷ

ଚନ୍ଦ୍ରକୁ ଆଶ କରିଣ ହେଲା ସେ ବିନାଶ ।

ଧର୍ମ ଶାସ୍ତ୍ର ଅନୁସାରେ ବୁଝିଲି ସ୍ଵରୂପ

ଚନ୍ଦ୍ର ଦେବଙ୍କୁ ଲାଗିଲା ଏହି ହତ୍ୟା ପାପ ।

ସାତ ବରଷ ସେ ଯଦି ଅଙ୍ଗେ ବହିଥାନ୍ତା

ପୁନରପି ସେ ଶଶକ ଜନମ ଲଭନ୍ତା ।

ଏହିପରି ଦୂତଙ୍କୁ ମୁଁ କହି ବାରମ୍ବାର

ଚନ୍ଦ୍ର ପାଶକୁ ପେଶନ୍ତେ ଶୁଣି ନିଶାକର ।

ମୋର ଦୂତଙ୍କୁ କହିଲେ ମଞ୍ଚ ଜନ୍ତୁବୀରେ

ଏ କ୍ଷମତା ଚଳାଇବ ନ କହି ମୋଠାରେ ।

ଆମ୍ଭେ ଦେବତା ଆମ୍ଭରେ ଦୋଷ ଆରୋପଇ

ପଳାଅ ମରିବ ଥିଲେ ମୋ ପାଶରେ ରହି ।

ସେମାନେ ପଳାଇ ଆସି ଭୟରେ କହିଲେ

ମୁଁ ଆସିଣ ଜଣାଇଲି ଆପଣଙ୍କ ତୁଲେ ।

ଆଉ ମୁହିଁ କେଉଁ କଥା ବୁଝିବି ଗୋସାଇଁ

ଦେବେ ଦୋଷକଲେ ଦୋଷୀ ନୋହିତେ ତ ସେହି ।

ଲୋକମାନେ ଆଉ କିମ୍ପା ପାପକୁ ଡରିବେ

ଇଚ୍ଛା ଅନୁସାରେ ଯିଏ ଯା କରି ପାରିବେ ।

ଆପଣ ଏ କଥା ଯେବେ ନ ବୁଝିବ ଆଜ

ଜନ୍ତୁପତି ପଣେ ମୋର ଆଉ ନାହିଁ କାର୍ଯ୍ୟ ।

ଏହା କହି ମଉନ ହୁଅନ୍ତେ ଜନ୍ତୁପତି

ବିଧାତା କହିଲେ ଚିନ୍ତା ମନେ କରୁ ଭୀତି ।

ଧର୍ମାନୁସାରେ କରିଛୁ ତୁ ଯେଉଁ ବିଚାର

ଅବଶ୍ୟ ଭୋଗିବ ତାହା ଅଙ୍ଗେ ଶଶଧର ।

ଗର୍ବ ଭାବେ ଚନ୍ଦ୍ର ଯଦି ଲଙ୍ଘିଲା ତୋ ବୋଲ

ଶଶା ଚିହ୍ନି ଗୋଟି ସେହୁ ବହୁ ଚିରକାଳ ।

ଆମ୍ଭର ଆଜ୍ଞାକୁ କେହୁ ପାରିବ କି ମେଣ୍ଟି

ଯାଅ ତୁ ବେଗ ହୋଇରେ ଶଶାଜୀବ ଗୋଟି ।

ଚନ୍ଦ୍ରମାର ହୃଦଗତେ ବସ ତୁହି ମାଡ଼ି

କାନ୍ଥରେ ପ୍ରତିମା ଥାଏ ଯେଉଁପରି ଝଡ଼ି ।

ସାତ ବରଷକୁ ସିନା ନାସ୍ତି କଲା ସେହି

ତେଣୁ ତାର ଅଙ୍ଗେ ବସ ଚିରଦିନ ପାଇଁ ।

ଯାବତ ଚନ୍ଦ୍ର ଗଗନେ ଉଦୟ ହୋଇବ

ତାହାର ଚନ୍ଦ୍ରମା ପଣ ଯେତେଦିନ ଥିବ ।

ତେତକାଳ ଯାଏ ତୋତେ ନ ପାରିବ ହୁଡ଼ି

ଶଶାଚିହ୍ନ ଚନ୍ଦ୍ର ଅଙ୍ଗେ ରହିଛି ଗୋ ଜଡ଼ି ।

ଏ ଅତି ଗୁପତ କଥା ଜାଣ ପ୍ରିୟସହୀ

ଚନ୍ଦ୍ର ପୁରାଣେ ଏ କଥା ବିଦିତ ଅଛଇ ।

ତୋ ଯୋଗେ ଶୁଣି ତରିବେ ସଂସାରର ଜନ

ଦୀନ ହରି ଦାନ ପଦ୍ୟେ କରଇ ରଚନ ।

ସାଧୁଜନମାନେ ମୋର ନ ଧରିବ ଦୋଷ

ଲେଖିଲି କରୁଣା ଯେଣୁ କଲେ ପୀତବାସ ।

•••

 

ପବନଙ୍କ ଜନ୍ମ ଓ ନାମକରଣ

 

ଏଥୁଅନନ୍ତରେ ଉମା ଶୁଣ ହେତୁକରି

ପବନ ଦେବତା ଜନ୍ମ ହେଲେ ଯେଉଁପରି ।

ଏହି ରୂପ ସାଗରକୁ କରିଲେ ମନ୍ଥନ

ତହିଁରେ ଅନେକ ଦୈତ୍ୟ ହୋଇଲେ ନିଧନ ।

ଦିତିଙ୍କ ସମସ୍ତ ପୁତ୍ର ହୁଅନ୍ତେ ବିନାଶ

ଦୁଃଖିତ ହୋଇ କହିଲେ କଶ୍ୟପଙ୍କ ପାଶ ।

ଆପଣଙ୍କ ପୁତ୍ରମାନେ ମୋ ପୁତ୍ରକୁ ବେଢ଼ି

ସୁବୁଙ୍କୁ ମାରିଣ ମୋତେ କଲେ ଆଣ୍ଠୁକୁଡ଼ି ।

ଏ ହେତୁ ମୁଁ ଶତ୍ରୁହନ୍ତା ପୁତ୍ର କାମନାରେ

ତପସ୍ୟା କରିବି ଯାଇ ବିଚାରେ ମନେର ।

ତପସ୍ୟା କରିବି କିନ୍ତୁ ଆପଣ ଯେ ମୋତେ

ଅତି ବଳବନ୍ତ ପୁତ୍ର ଦେବ ଦୟା ଚିତ୍ତେ ।

ଦିତିଙ୍କ ବଚନ ଶୁଣି କହିଲେ କଶ୍ୟପ

ଶୁଣ ଆଗୋ ପ୍ରିୟସହି କହୁଛି ସ୍ଵରୁପ ।

ନିଶ୍ଚୟ ସଫଳ ହେବ ପ୍ରାର୍ଥନା ତୁମ୍ଭର

ଶୂଚିରେ ରହିପାରିଲେ ସହସ୍ର ବତ୍ସର ।

 

 

ତେବେ ଆମ୍ଭ ଅଉରସେ ଇନ୍ଦ୍ର ନାଶକାରୀ

ତ୍ରୈଲୋକ୍ୟ ବିଜୟୀ ପୁତ୍ର ପାଇବ ସୁନ୍ଦରୀ ।

ଏହି ପ୍ରକାରେ ଦିତିଙ୍କୁ କଶ୍ୟପ ବୁଝାଇ

ତପେ ଗଲେ ତା ଦେହରେ ହସ୍ତକୁ ବୁଲାଇ ।

କଶ୍ୟପ ଠିକେ ବସିଲେ ଯାଇ ତପ ସ୍ଥାନେ

ଦିତି ଗଲେ କୁଶପ୍ଳବ ନାମେ ତପୋବନେ ।

ସେଠାରେ ବସି କଠୋର ତପ ଆରମ୍ଭିଲେ

ଇନ୍ଦ୍ର ସେଠାରେ ତାହାଙ୍କ ସେବାରେ ରହିଲେ ।

ଏହି ରୂପେ ବହିଗଲା ସହସ୍ର ବତ୍ସର

ସମ୍ପୂର୍ଣ୍ଣକୁ ବାକିଥିଲା ଦଶ ସମ୍ବତ୍ସର ।

କହିଲେ ଦିତି ଇନ୍ଦ୍ରଙ୍କୁ ନିକଟକୁ ଡାକି

ତପ ପୂରିବାକୁ ଅଛି ଦଶବର୍ଷ ବାକି ।

ଏହି ଦଶବର୍ଷ ପୂର୍ଣ୍ଣ ତୁମ୍ଭ ଅମଙ୍ଗଳ

ଘଟାଇ ଥାଆନ୍ତି ଜାଣ ଆହେ ଆଖଣ୍ଡଳ ।

ଆମ୍ଭେ ତୁମ୍ଭ ନାଶ ପାଇଁ ବଳିଷ୍ଠ ନନ୍ଦନ

ତୁମ୍ଭ ପିତାଠାରୁ ଭିକ୍ଷା କରିଅଛୁ ଜାଣ ।

ଏହି ଦଶବର୍ଷ ଅନ୍ତେ ଯେ ପୁତ୍ର ଜନ୍ମିବ

ତୁମ୍ଭେମାନେ ତା ହସ୍ତରେ ବର୍ତ୍ତି ନ ପାରିବ ।

ତୁମ୍ଭର ସେବାରେ ଆମ୍ଭେ ସନ୍ତୁଷ୍ଟ ହୋଇଣ

କହୁଛ ତା ହସ୍ତେ ହେବ ତୁମ୍ଭେ ପରିତ୍ରାଣ ।

ଜନ୍ମ ହେଲେ ତାକୁ ତୁମ୍ଭ ପାଖରେ ରଖିବୁ

ତୁମ୍ଭ ସେବାରେ ତାହାକୁ ନିଯୁକ୍ତ କରିବୁ ।

ତାର ତ୍ରୈଲୋକ୍ୟ ବିଜୟୀ ପ୍ରତାପରେ ତୁମ୍ଭେ

ମହାସୁଖୀ ହେବ ପୁତ୍ର କହୁଅଛୁ ଆମ୍ଭେ ।

ଏ ରୂପେ ଇନ୍ଦ୍ରକୁ ସବୁ ଦିତି କହୁ କହୁ

ଦିବସର ମଧ୍ୟଭାଗ ଆସି ହେଲା ଯହୁଁ ।

ମସ୍ତକ ରଖିବା ସ୍ଥାନେ ପାଦ ଦୁଇ ରଖି

ଦିତିଦେବୀ ଘୋର ନିଦ୍ରା ଗଲେ ହୋଇ ସୁଖୀ ।

ଏହି ଅଶୁଚି ଦେଖିଣ ଇନ୍ଦ୍ର ହାସ୍ୟ କଲେ

ହରଷେ ଦିତିଙ୍କ ଯୋନିବିଳ ମଧ୍ୟେ ଗଲେ ।

ଗର୍ଭରେ ପଶି ଗର୍ବର ଶିଶୁକୁ ଧରିଣ

ଶତପର୍ବ ବଜ୍ର ଦ୍ଵାରା କରିଲେ ଦହନ ।

କାଟିବା ବେଳରେ ଶିଶୁ ଅତି ଉଚ୍ଚସ୍ଵରେ

ରୋଦନ କରନ୍ତେ ଇନ୍ଦ୍ର କହିଲେ ତାହାରେ ।

କାଟିବା କହି କରିଲେ ଅଣଚାଶ ଖଣ୍ଡ

ତେବେ ଇନ୍ଦ୍ର ନୋହିଲା ସେ ଶିଶୁକାନ୍ଦ ତୁଣ୍ଡ ।

ସେ ରୋଦନ ଶୁଣି ଦିତି ଜାଗରିତ ହେଲେ

କାଟନା କାଟନା ବୋଲି ଇନ୍ଦ୍ରଙ୍କୁ କହିଲେ ।

ମାତା ବାକ୍ୟ ଶୁଣି ଇନ୍ଦ୍ର ବାହାର ହୋଇଣ

କୃତାଞ୍ଜଳି ପୁଟେ ତାକୁ କହିଲେ ଏସନ ।

ମାତା ଆପଣ ଚରଣ ମସ୍ତକ ସ୍ଥାନରେ

ଚରଣ ସ୍ଥାନେ ମସ୍ତକ ଥୋଇ ଶୋଇବାରେ ।

ଏହି ଅଶୁଚି ଦେଖିଣ ତୁମ୍ଭ ଗର୍ଭେ ଗଳି

ବଳେ ମୋହର ଶତ୍ରୁକୁ ସାତଖଣ୍ଡ କଲି ।

କ୍ଷମାଗୁଣେ ଆପଣ ମୋ ସେହି ଅପରାଧ

କ୍ଷମା କରି ତେଜ ମାତ ମନରୁ ଏ କ୍ରୋଧ ।

ଏହା କହି ଦେବରାଜ ମଉନ ହୋଇଲେ

ଦିତିଦେବୀ ତାକୁ ଶାପ ଦେଇ ନ ପାରିଲେ ।

ଅଣଚାଶ ଖଣ୍ଡ ଗର୍ଭେ ହୁଅନ୍ତେ ଛେଦନ

ଜାଣି ଦିତି ଅତି ଦୁଃଖେ କରିଲେ ରୋଦନ ।

ସହସ୍ରାକ୍ଷଙ୍କୁ ଅନାଇ କହିଲେ ବିନୟେ

ମୋ ଦୋଷେ ଗର୍ଭରେ ଶିଶୁ ଖଣ୍ଡ ଖଣ୍ଡ ହୁଏ ।

ଏଥିରେ ତୁମ୍ଭର ବାବୁ ଦୋଷ ନାହିଁ କିଛି

ମୋର ଅଭିଳାଷ ଯାହା ଶୁଣ କହୁଅଛି ।

ଏ ଚିହ୍ନ ଗର୍ଭରେ ପ୍ରିୟ ସମ୍ପାଦନ କର

ମୋ ପିତ୍ର ହେବେ ସର୍ବଦା ଅଧୀନ ତୁମ୍ଭର ।

ସପତ ମେରୁ ଲୋକରେ ଅଧିପତି ହେବେ

ଗଗନ ମଣ୍ଡଳେ ଯାଇ ବିହାର କରିବେ ।

ଏମାନେ ଦିବ୍ୟରୂପକୁ କରିବେ ଧାରଣ

ମରୁତ ନାମେ ବିଖ୍ୟାତ ହେବେ ସପ୍ତଜଣ ।

ଆହେ ସୁରଶ୍ରେଷ୍ଠ ହେଉ ତୁମ୍ଭର ମଙ୍ଗଳ

ସକଳେ ତୁମ୍ଭ ଶାସନେ ରହିବେ ମୋ ବାଳ ।

ବ୍ରହ୍ମ ଲୋକରେ ଗୋଟିଏ କରିବି ବିହାର

ତୁମ୍ଭ ଲୋକରେ ରହିବ ଦ୍ଵିତୀୟ କୁମର ।

ତୃତୀୟ କୁମର ବାୟୁ ରହିବ ଆକାଶେ

ଆଉ ଚାରୋଟି ବୁଲିବେ ଯାଇ ଦଶଦିଶେ ।

ଆଉ ବୟାଳିଶ ବାୟୁ ଦିଗଦିଗାନ୍ତରେ

ସଂସାରେ ପୂରି ରହିବେ ବାହାର ଭିତରେ ।

ଏ ରୂପେ ଦିତି ବଚନ ଶୁଣି ପୁରନ୍ଦର

କୃତାଞ୍ଜଳି ହୋଇ ତାକୁ କହିଲେ ଏ ଗୀର ।

ଯାହା ଭାଳିଛ ମାତ ସେ କଥା ସମୁଦାୟ

ମୁହିଁ କହୁଅଛି ତାହା ହୋଇବ ନିଶ୍ଚୟ ।

ଏ ରୂପେ କହିଣ ଇନ୍ଦ୍ର ସ୍ଵର୍ଗ ଲୋକ ଗଲେ

ଯଥା ସମୟରେ ଦିତି ପୁତ୍ର ଜନ୍ମ କଲେ ।

ଗୋଟିଏ କୁମର ହେଲା ଅଣଚାଶ ମୂର୍ତ୍ତି

ମରିବା ସକାଶେ ଇନ୍ଦ୍ର ଦେଇଛି କରତି ।

ତୃତୀୟ ବ୍ରହ୍ମାଙ୍କ ଶାପ ଏ ସୃଷ୍ଟି ମଧ୍ୟରେ

ତାହାଙ୍କ ବାକ୍ୟକୁ କିଏ ଆନ କରିପାରେ ।

ଇନ୍ଦ୍ର ଅହନ୍ତାରେ ପାପ ଅର୍ଜିଲା ଏତକ

ବୃଥା ନୋହି ହୋଇଲା ସେ ଏକରୁ ଅନେକ ।

କଶ୍ୟପ ଦେଖି ଅତ୍ୟନ୍ତ ଆନନ୍ଦ ହୋଇଲେ

ସେହି ପୁତ୍ରଗଣଙ୍କର ନାମମାନ ଦେଲେ ।

ଉନ୍ମଦ ପ୍ରଫୁଲ୍ଲ ପୁଣି ନିର୍ମଳ ଉଲ୍ଲାସ

ନିରନ୍ତରେ ଅପ୍ରକାର ଆବର ବତାଶ ।

ଏହି ରୂପେ ଅଣାଚାଶ ନାମ ପବନର

ଶ୍ରଦ୍ଧା ନାମ ଏଥିମଧ୍ୟେ ରଖିଲି ପନ୍ଦର ।

ଶୋଷକ ତାମକ ମୃଦ୍ୟୁ ମଳୟ କଶ୍ୟପି

ଅତିବହ ଶୀତକର ପୁଣି ସର୍ବବ୍ୟାପୀ ।

ପବନ ଯେବଣ ଦିନ ହୋଇଲେ ଜନମ

ଜୀବଜନ୍ତୁଏ ହୋଇଲେ ଆନନ୍ଦିତ ମନ ।

ସମସ୍ତଙ୍କ ହୃଦୟଟି ହେଲା ପ୍ରଫୁଲ୍ଲିତ

ପିତା ଆଜ୍ଞାରେ ପବନ ପୂରିଲେ ଜଗତ ।

ସେହୁ ବାୟୁ ସେବୁଙ୍କରି ଅଟନ୍ତ ଜୀବନ

ଧ୍ୟାନ ଧାରଣାରେ ବାୟୁ କରନ୍ତି ସେ ବନ ।

ପବନର ଖେଳ ବସୁ ବ୍ରହ୍ମାଣ୍ଡ ମଧ୍ୟରେ

ପବନ ନଥିଲେ କିଛି ନୁହନ୍ତା ସଂସାରେ ।

ଦୟାମୟ ଚିନ୍ତାମଣି କମଳା ବିଳାସ

ଚିନ୍ତିଣ କହଇ ଦୀନ ହୀନ ହରି ଦାସ ।

•••

 

ଚନ୍ଦ୍ର ପୁରାଣ

ପବନ ଗରୁଡ଼ ଯୁଦ୍ଧ

 

ପବନଙ୍କ ଜନ୍ମ ଶୁଣି ସେ ଦେବୀ ପାର୍ବତୀ

ଅତି ଆନନ୍ଦେ କରିଲେ ତାଙ୍କ ପଞ୍ଚମତି ।

ପୁଚ୍ଛାକଲେ ଯାହା ମୋତେ କହିଲେ ଆପଣ

ଅନ୍ଧାର ସଂସାର ମଧ୍ୟେ ଦେଲେ ଦିବ୍ୟଜ୍ଞାନ ।

ସଂସାର ବିଷୟ ଅତି ଗହନ କାନନ

ବୁଝିଲେ ସଂସାରେ ସାର ପ୍ରକୃତି ପବନ ।

ତାହାଙ୍କର କି କି ଲୀଳା ଅଛି ସଂସାରରେ

ଜାଣିଥିଲେ କୃପାକରି କହ ମୋ ଆଗରେ ।

ମହେଶ କହିଲେ ପ୍ରିୟେ ବାୟୁଙ୍କ ଚରିତ

କହି ବସିଲେ ହୋଇବ ପୋଥି ଏକଶତ ।

ସଂକ୍ଷେପେ ସାର ବୁଝାଇ କହୁଅଛି ମୁହିଁ

ସ୍ଥିରଭାବେ ଏକମନେ ଶୁଣ ମନଦେଇ ।

ଗରୁଡ଼ ପବନ ଯୁଦ୍ଧ ସମୟେକ ବାର୍ତ୍ତା

ପଚାରିବାରୁ କହୁଛି ଏକ ଏକ କଥା ।

ଖଗ ସଙ୍ଗେ ବାୟୁ ଯୁଦ୍ଧ ଯେପରି କରିଲେ

ଆଦ୍ୟପ୍ରାନ୍ତ କରି ସବୁ କହୁଛି ତୋ ତୁଲେ ।

 

 

ପ୍ରଜାପତିଙ୍କ ଉଦ୍‌ଯୋଗେ ଜନ ସୃଷ୍ଟି ହେଲେ

ଦେବ ଗନ୍ଧର୍ବ ଦାନବ ମାନବ ଜନ୍ମିଲେ ।

ଖଗ ମୃଗ ତପୀ ଋଷି ବିପ୍ର ଯୋଗୀ କୁଳ

ଏ ରୂପେ ପୂର୍ଣ୍ଣ ହୋଇଲା ଜଗତ ସକଳ ।

ପୁରୁଷାନୁକ୍ରମେ ଜୀବ ବଂଶାନୁ ବଢ଼ିଲା

ବାର ତିଥି ଦିନ ମାସ ସ୍ଵୟମ୍ବର ହେଲା ।

ଏହି ରୂପରେ ସଂସାରେ ହୁଅଇ ବର୍ଦ୍ଧିତ

ଗରୁଡ଼ ପବନ ଯୁଦ୍ଧ ଶୁଣ ଦେଇ ଚିତ୍ତ ।

ସନ୍ତାପନ ଦୁଇ ପୁତ୍ର ପରମ ସୁନ୍ଦର

ସୁପ୍ରତାପ ବିଭାଗ ଯେ ନାମ ଦୁହିଁଙ୍କର ।

ପିତା ମୃତ୍ୟୁକାଳେ ଧନ ଜ୍ୟେଷ୍ଠ ହାତେ ଥିଲା

ତହିଁରୁ ସାନକୁ ଭାଗ ଯହୁଁ ଯେ ନ ଦେଲା ।

ଧନ ଶୋକରେ କନିଷ୍ଠ ହୋଇଲା ଦୁଃଖିତ

ଜ୍ୟେଷ୍ଠକୁ କହିଲା ଭାଗ ଦିଅ ସୁମୁଚିତ ।

ଜ୍ୟେଷ୍ଠ କହେ ପିତା ଭାଗ ନ କରିଲେ ଭିନ୍ନ

ତୁ କିମ୍ପା ମୋତେ ଜଞ୍ଜାଳ କରୁ ଅକାରଣ ।

ଧନ ନ ପାଇ କନିଷ୍ଠ ବିକଳ ହୋଇଲା

ବିଶିଷ୍ଠ ଋଷିଙ୍କ ପାଶେ ଯାଇ ପହୁଞ୍ଚିଲା ।

ତାହାଙ୍କୁ କହିଲା ସର୍ବ ବିଷୟ ବୁଝାଇ

ପିତାଧନ ଜ୍ୟେଷ୍ଠଭାଇ ଭାଗ ଦେଉ ନାହିଁ ।

କେତେ ଅଂଶ ପାଇବି ମୁଁ କୁହନ୍ତୁ ଆପଣ

ସେହି ଦାବୀକରି ନେବି ଭାଇଠାରୁ ଧନ ।

ବଶିଷ୍ଠ ବୋଇଲେ ଅଛି ବେଦର ବିଚାର

ପଞ୍ଚ ଅଂଶରୁ ଦ୍ଵିଅଂଶ ଅଟଇ ତୁମ୍ଭର ।

କନିଷ୍ଠ କହିଲା ଜ୍ୟେଷ୍ଠ ଭାଇ ପାଶେ ଯାଇ

ପିତା ଧନ ଦୁଇଅଂଶ ନ ଦେଉ କିମ୍ପାଇଁ ।

ମୁହିଁ ଯାଇଥିଲି ଭାଇ ବଶିଷ୍ଠଙ୍କ ପାଶ

ସେ କହିଲେ ପାଞ୍ଚଅଂଶୁ ନେବୁ ଦୁଇ ଅଂଶ ।

ଜ୍ୟେଷ୍ଠ କହେ କନିଷ୍ଠରେ ତୁ କି କର୍ମ କଲୁ

ଗୃହଛିଦ୍ର ମୁନିଙ୍କର ଆଗରେ କହିଲୁ ।

ହୀନ ଲୋକ ଜ୍ଞାନେ ମୁନି ଦେଲେ ଏ ବିଚାର

ଧନ ଲାଗି ହେଲା ଚିତ୍ତ ଚଞ୍ଚଳ ତୋହର ।

ବାରମ୍ବାର ମନା କଲା ନ ଶୁଣିଲୁ କାନେ

ବୁଲରେ ପାପିଷ୍ଟ ଗଜ ହୋଇ ବନେ ବନେ ।

ଏ ରୂପେ ଜ୍ୟେଷ୍ଠ କନିଷ୍ଠ ଯହୁଁ ଦେଲା ଶାପ

କନିଷ୍ଠ କ୍ରୋଧେ କହିଲା ତୁ ହୁଅରେ କଚ୍ଛପ ।

ଦୁହିଁଙ୍କର ଶାପେ ଜନ୍ମ ହେଲେ ଦୁଇଜଣ

କନିଷ୍ଠ ହସ୍ତୀ ଦେହକୁ କରିଲା ଧାରଣ ।

ଦଶ ଯୋଜନ ତା ଦେହ ହୋଇଲା ବିସ୍ତାର

ଗର୍ଜ୍ଜନ କରି ପ୍ରବେଶ ହେଲା ବନଘୋର ।

କଚ୍ଛପ ଯାଇ ଜଳରେ କଲା ବାସସ୍ଥାନ

ଏତୁଅନ୍ତେ କଥା ପ୍ରିୟେ ଶୁଣ ଦେଇ ମନ ।

ଯେଉଁ ଜଳ ମଧ୍ୟେ ଯାଇ କୁର୍ମ ରହିଥିଲା

ଦଇବେ ତୃଷାରେ ହସ୍ତୀ ସେ ସ୍ଥାନକୁ ଗଲା ।

ସରୋବରେ ପସି ଜଳ କରୁଅଛି ପାନ

ଗଜ ଦେଖି କଚ୍ଛପର ହୋଇଲା ସ୍ମରଣ ।

ପୂର୍ବକଥା ମନେକରି କଚ୍ଛପ ସତ୍ଵରେ

ଧାଇଁଯାଇଁ ଗଜମୁଣ୍ଡ ଧରିଣ ଓଟାରେ ।

କଚ୍ଛପ ଜଳକୁ ଗଜ ବନକୁ ଟାଣଇ

ଏହି ରୂପେ ଟଣାଟଣି ହେଲେ ଦୁଇଭାଇ ।

କେ କାହାକୁ ନ ଛାଡ଼ଇ ଦୁହେଁ ବଳବନ୍ତ

ଟଣାଟଣି ହୋଇଲେକ ବରଷେ ପର୍ଯ୍ୟନ୍ତ ।

କାତର ହୋଇଣ ଗଜ ଉଚ୍ଚେ ଡାକଦେଲା

ପଶୁଜନ୍ମୁ ତ୍ରାହିକର ଆହେ ଚାକାଡୋଳା ।

ରକ୍ଷାକର ଏ ବିପଦୁଁ ଆହେ ଭାବଗ୍ରାହୀ

ଏ ପାପୀ କୂରୁମ ମୋତେ ଛାଡ଼ି ନ ଦିଅଇ ।

ତୁମ୍ଭେ ଅନାଥର ନାଥ ଆରତନାଶନ

ବାରେ କର୍ଣ୍ଣ ଡେରି ଶୁଣ ମୋର ନିବେଦନ ।

ପିତାଙ୍କର ସର୍ବଧନ ଚଣ୍ଡଳା ରଖିଲା

ମାଗନ୍ତେ ତୁ ଗଜ ହୁଅ ଏହି ଶାପ ଦେଲା ।

ନ ଜାଣି ଜଳ ପିଇବା ପାଇଁ ମୁଁ ଅଇଲି

ପୁନଶ୍ଚ ଲୋଭୀ କୂର୍ମର ହାବୁଡ଼େ ପଡ଼ିଲି ।

ହେ ପ୍ରଭୁ କରୁଣାମୟ ଜଗତ ଠାକୁର

ତୁମ୍ଭଙ୍କୁ ବା କେଉଁ କଥା ଅଛି ଅଗୋଚର ।

ଏଣୁ ତୁମ୍ଭ ପଦ୍ମପାଦେ ଜଣାଉଛି ଏହା

ମାଇଲେ ମାର ବା ରଖ ତୁମ୍ଭ ଇଚ୍ଛା ଯାହା ।

ଏହି ସମୟେ ଗରୁଡ଼ ହୋଇଲା ଜନମ

ଅତ୍ୟନ୍ତ ଭୀଷଣ ମୂର୍ତ୍ତି ଅତି ତେଜୀୟାନ ।

ଜନମ ହୋଇ ମାତାକୁ ମାଗିଲେ ଆହାର

ମାତା କହିଲେ ତୁ ଯା ସମୁଦ୍ରର ତୀର ।

ତହିଁଛନ୍ତି ସେ ରାକ୍ଷସେ ତାହାକୁ ଖାଇବୁ

ତଦପରେ ଯହିଁ ଇଚ୍ଛା ତହିଁକି ତୁ ଯିବୁ ।

ମାତା ବଚନେ ଗରୁଡ଼ ସେ ସ୍ଥାନକୁ ଗଲା

ସମୁଦ୍ର ତୀର ରାକ୍ଷସମାନଙ୍କୁ ଖାଇଲା ।

ସେହି ସ୍ଥାନକୁ ଖାଇଣ ବାହୁଡ଼ି ଅଇଲା

ତାର ପିତା କଶ୍ୟପକୁ ବାଚରେ ଭେଟିଲା ।

ପାଦେ ପଡ଼ି ଉଭାହେଲା ଯୋଡ଼ିଣ ଚରକୁ

କଲ୍ୟାଣ କରି କଶ୍ୟପ ପଚାରିଲେ ତାକୁ ।

ବୋଇଲେକ ବତ୍ସ ତୋର ବହୁତ କୁଶଳ

ଗରୁଡ଼ କହିଲା ତୁମ୍ଭ କୃପାରୁ ମଙ୍ଗଳ ।

କିଛି କହିବି ହେ ତାତ କରନ୍ତୁ ଶ୍ରବଣ

ମାତାଙ୍କ ବାକ୍ୟେ ଖାଇଲି ନିଶାଚରଗଣ ।

ତହିଁରେ ମୋହର କ୍ଷୁଧା ନୋହିଲା ନିବୃତ୍ତ

ଉଦର ଜଳୁଚି ଦିଅ ଖାଇବାକୁ ତାତ ।

କଶ୍ୟପ କହିଲେ ତହୁଁ ଶୁଖ ଖଗେଶ୍ଵର

ମହାଗଭୀର ପ୍ରସିଦ୍ଧ ଅଛି ସରୋବର ।

ଗଜ କୂର୍ମ ଦୁହେଁ ତହିଁ ଯୁଦ୍ଧ କରୁଛନ୍ତି

ତାହାଙ୍କୁ ଖାଇଲେ ତୋର କ୍ଷୁଧା ହେବ ଶାନ୍ତି ।

କଶ୍ୟପଠାରୁ ଏପରି ଶୁଣି ଖଗପତି

ସେଠାକୁ ଯାଇ ଆକାଶେ ଉଠିଲା ଝଟତି ।

କେଉଁଠାରେ ସରୋବର ଅଛି ଚାହୁଁଥିଲା

ଦଇବେ ଗଜର ଆର୍ତ୍ତବାଣୀ ସେ ଶୁଣିଲା ।

ତଳକୁ ଚାହିଁବା ମାତ୍ରେ ଦେଖିଲା ନେତ୍ରରେ

ଗଜ କୂର୍ମ ଟଣାଟଣି ହୁଅନ୍ତି ଜଳରେ ।

ଝାମ୍ପ ଦେଇ ଗଜ ପୃଷ୍ଠ ଧରିଣ ଉଠାନ୍ତେ

ତାହା ସଙ୍ଗେ ଉଠିଗଲା କଚ୍ଛପ ସହିତେ ।

ଦୁହିଁଙ୍କି ନଖରେ ଧରି ଆକାଶେ ଉଡ଼ିଲା

କାହିଁ ବସିଣ ଖାଇବି ମନରେ ଭାବିଲା ।

ଦେଖିଲା ସିନ୍ଧୁର ତୀରେ ବଟେକ ଅଛଇ

ତାହାର ଯେତେକ ଉଚ୍ଚ କଳନା ନୁହଇ ।

ତାର ଚାରଡାଳ ମୋଟ ପର୍ବତ ସମାନ

ପ୍ରତ୍ୟେକ ଡାଳ ବିସ୍ତାର ଶତେକ ଯୋଜନ ।

ଗଜ କଚ୍ଛପକୁ ନେଇ ଡାଳରେ ବସନ୍ତେ

ଭାରା ନ ସହି ସେ ଡାଳ ଭାଙ୍ଗିଲା ତୁରିତେ ।

ମୁନିଏ ମରିବେ ଡାଳ ପଡ଼ିଲେ ଭୂମିରେ

ଏହା ଭାବି ଡାଳ ପକ୍ଷୀ ଧରିଲା ଥଣ୍ଟରେ ।

ବୁଲି ବୁଲି ଦେଖିଲା ସେ ଚଣ୍ଡାଳଙ୍କ ସାହି

ସେ ଡାଳ ଫିଙ୍ଗନ୍ତେ ମଲେ ସର୍ବେ ଚାପ ପାଇ ।

ବହୁ ପାପେ ହୋଇଥିଲେ ଚଣ୍ଡାଳ ଜନମ

ଗରୁଡ଼ ଯୋଗେ ସେ ପାପୁ ହୋଇଲେ ମୋଚନ ।

ଗଜ କଚ୍ଛପକୁ ଧରି ଗଲା ବ୍ରହ୍ମା ପାଶ

ବୋଲେ କହ କାହିଁ ବସି କରିବି ମୁଁ ଗ୍ରାସ ।

ବ୍ରହ୍ମା ବୋଇଲେ ସହିବ କିଏ ଏଡ଼େ ଭାର

ଏହାକୁ ନେଇ ତୁ ଯାଅ ସୁମେରୁ ଶିଖର ।

ସେହିଠାରେ ବସି ୟାକୁ କର କୁ ଭକ୍ଷଣ

ବ୍ରହ୍ମାଙ୍କ ବଚନେ ପକ୍ଷୀ ଚଳିଲା ବହନ ।

ସୁମେରୁ ଶିଖରେ ବସି ଖାଉଛି ଗଜକୁ

ଏମନ୍ତ ବେଳେ ପବନ ଦେଖିଲେ ତାହାକୁ ।

ବୋଇଲେ ପାପୀ ଏଠାକୁ ଅଇଲୁ କିମ୍ପାଇଁ

ଦେବତାଙ୍କ ବାସସ୍ଥାନ ତୁ କି ଜାଣୁ ନାହିଁ ।

ପଳା ପଳା ଏ ସ୍ଥାନରେ ଆଉ ତୁ ନ ବସ

ଅନ୍ୟସ୍ଥାନେ ବସି ଏହା ସୁଖେ କର ଗ୍ରାସ ।

ପବନ ଦେବଙ୍କ ଡାକ ନ ଶୁଣେ ଗରୁଡ଼

ନିଃଶଙ୍କେ ଚୋବାଉଥାଏ ହାଡ଼ କଡ଼ ମଡ଼ ।

ଏହା ଦେଖି ପବନଙ୍କ ମନେ ହେଲା କ୍ରୋଧ

ବୋଇଲେ ନିର୍ଲ୍ଲଜ ପକ୍ଷୀ ତୁ ଏଡ଼େ ନିର୍ବୋଧ ।

ମନା କରୁଛି ଏଠାରୁ ନ ଯାଉ କିମ୍ପାଇଁ

କିଏ ରଖିବ ଆଜି ତୋ ଶିର ଛେଦିବଇଁ ।

ଯା ଯାରେ ପାପୀ ଚଣ୍ଡାଳ ମାଂସସୀ ଏଠାରୁ

ତୋର ବାପର ଖରିଦା ନୁହଇ ଏ ମେରୁ ।

ଗରୁଡ଼ ବୋଇଲା ତୁମ୍ଭେ କିମ୍ପା ଗାଳିଦିଅ

ଉପଯୁକ୍ତ ଶାସ୍ତି ଦେବି ତୁନି ହୋଇ ରହ ।

ଗରୁଡ଼ ବାକ୍ୟ କହିଲେ ପବନ ରାଗରେ

ତୋ ସହିତ ଫିଙ୍ଗି ଦେବି ଗିରି ସିନ୍ଧୁନୀରେ ।

ଗରୁଡ଼ କହେ ପବନ ବଡ଼ାଇ ନ କର

ସୁମେରୁକୁ ଫୋପାଡ଼ିବୁ ଏଡ଼େ ବଳ ତୋର ।

ଗରୁଡ଼ ବାକ୍ୟେ ପବନ କ୍ରୋଧରେ ଚଳିଲା

ଗିରିସହ ତାକୁ ଫିଙ୍ଗି ଦେବାକୁ ଇଚ୍ଛିଲା ।

ପ୍ରଳୟ ବତାସ ପରି ବହିଲେ ବେଗରେ

ସତେକ ଗିରି ଉପାଡ଼ି ଫିଙ୍ଗିଲେ ଜଳରେ ।

ଏହା ଦେଖିଣ ଗରୁଡ଼ ଅତି କ୍ରୂଧ ହେଲେ

ସହସ୍ର ଯୋଜନ ନିଜ ଡେଣା ବଢ଼ାଇଲେ ।

ତାହାର ପକ୍ଷୀ ଅଟେ ବଜ୍ରର ସମାନ

ତହିଁରେ ଘୋଡ଼ାଇ ଦେଲା ଗିରିକି ବହନ ।

ପବନରେ ବଡ଼ ବଡ଼ ଶିଳାମାନ ଉଡ଼ି

ଗରୁଡ଼ ପରରେ ବାଜି ପଡ଼ୁଛନ୍ତି ଝଡ଼ି ।

ଏହି ରୂପେ ସାତଦିନ ରାତ୍ର ସେ ବହିଲେ

ଅଟ୍ଟାଳିମାନ ଭାଙ୍ଗନ୍ତେ ପ୍ରଜା ନାଶଗଲେ ।

ଦେଉଳ ମଣ୍ଡପ ଭାଙ୍ଗି ହୋଇଗଲା ଚୂର୍ଣ୍ଣ

ସିନ୍ଧୁଜଳେ ନାଶଗଲା ବହୁତର ଗ୍ରାମ ।

ପ୍ରଳୟ କାଳେ ଯେସନେ ହୁଏ ସୃଷ୍ଠି ନାଶ

ଏପରି ଉତ୍ପାତ ଦେଖି ସକଳ ତ୍ରିଦଶ ।

ଅତି ଭୟେ ବ୍ରହ୍ମାଙ୍କର ନିକଟକୁ ଗଲେ

ଅଭୁତେ ପ୍ରଳୟ କିମ୍ପା ହୁଏ ପଚାରିଲେ ।

ଦେବତାମାନଙ୍କ କଥା ଶୁଣି ପ୍ରଜାପତି

ତାଙ୍କୁ ଘେନିଗଲେ ଯହୁଁ ପବନ ଅଛନ୍ତି ।

ପବନକୁ ଚାହିଁ ବ୍ରହ୍ମା କହିଲେ ଏସନ

କି ହେତୁ ପ୍ରଳୟ କର କହ ସେ କାରଣ ।

ସର୍ଜନ ମୁଁ କଲି ସୃଷ୍ଟି ଅତିଶୟ କ୍ଳେଶେ

ସେ ସୃଷ୍ଟିକି ନାଶକର କେଉଁ ଅଭିଳୀଷେ ।

ଶୁଣି ନ ଶୁଣିଲା ହୋଇ କହିଲେ ପବନ

ଯେସନେ ପ୍ରଳୟ ହେବ କରିବି ତା ଜାଣ ।

ପବନଙ୍କଠାରୁ ବ୍ରହ୍ମା ଶୁଣି ଏ ଉତ୍ତର

ବିରସେ ଗରୁଡ଼ ପାଶେ ଗଲେକ ସତ୍ଵର ।

ବୋଇଲେକ ଶୁଣ ଆହେ ପକ୍ଷୀରାଜ ତାକ୍ଷ୍ୟ

ମୁଁ ସୃଷ୍ଟି କଲି ନ ଭାଙ୍ଗ ତୁମ୍ଭେ ତାକୁ ରଖ ।

କେଉଁ ଦିଗୁ ହେଉ ପଛେ ପକ୍ଷୀ ଟେକି ଦିଅ

ମୋ ବଚନ ରକ୍ଷାକର ବିନତାର ପୁଅ ।

ବ୍ରହ୍ମାଙ୍କ ବଚନ ଶୁଣି ଗରୁଡ଼ ହସିଲା

ତୁମ୍ଭ ବାକ୍ୟ ମୁହିଁ ପକ୍ଷ ଟେକିବି ବୋଇଲା ।

ତହୁଁ ବ୍ରହ୍ମା ବୋଇଲେକ ଆହ୍ଲାଦିତ ହୋଇ

ଯାହାର ଯେପରି ବଳ ତାହା ମୁଁ ଜାଣଇ ।

ଶତ ଯୁଗ କଦାଚିତ ବାୟୁ ତୁମ୍ଭ ସମ

ହୋଇ ନ ପାରଇ ଜାଣ ହେ ପକ୍ଷୀରାଜନ ।

ଗରୁଡ଼ କହିଲା ଶୁଣ ପ୍ରଭୁଙ୍କ ଭାରତୀ

ପ୍ରଭୁ ମୁହିଁ ଅଟଇ ତ ହୀନ ପକ୍ଷୀ ଜାତି ।

ମୋତେ ଏଡ଼େ ପରଶଂସା କରୁଛ କିମ୍ପାଇ

ଆପଣଙ୍କ ଆଜ୍ଞା ମୁହିଁ ଭାଙ୍ଗି ନ ପାରଇ ।

ଏମନ୍ତ କହିଣ ପାଖେ ଡ଼େଣା ଟେକି ଦେଲା

ଡେଣା ଟେକନ୍ତେ ସେ ଗିରି ଟଳମଳ ହେଲା ।

ଏହି ସମୟେ ପବନ ଝୁଙ୍କାଏ ମାଇଲେ

ମନ୍ଦର ଗିରିରୁ ଶୃଙ୍ଗ ଖଣ୍ଡେ ଭାଙ୍ଗିଦେଲେ ।

ତାହାକୁ ଉଠାଇ ନେଇ ଫିଙ୍ଗିଲେ ସିନ୍ଧୁରେ

ବିଧାତା ତା ନାମ ଲଙ୍କା ରଖିଲେ ସଂସାରେ ।

ଅସୀମ ବଳ ବିକ୍ରମ ପବନଙ୍କ ଅଟେ

ଶୁଣିଣ ସନ୍ଦେହ ନାଶ ତୋର କର୍ଣ୍ଣପୁଟେ ।

ଶୁଣିକରି ଉମାଦେବୀ ହୋଇଲେ ସନ୍ତୋଷ

ଭାଷା ପ୍ରବନ୍ଧେ ଲେଖଇ ଦୀନ ହରି ଦାସ ।

•••

 

ତାରା ଚନ୍ଦ୍ରଙ୍କ ପ୍ରଣଙ୍କ ଓ ବୁଧଙ୍କ ଜନ୍ମ

 

ଶଙ୍କର ବୋଇଲେ ପ୍ରିୟେ ଶୁଣ ହେତୁକରି

ସକଳ ବିଷୟ ତୋତେ କହୁଛି ବିସ୍ତାରି ।

କଶ୍ୟପ ଋଷିଙ୍କ ହେଲେ ବହୁତ ନନ୍ଦନ

କିନ୍ନର ଅସୁର ସୁର ନର ଯକ୍ଷଗଣ ।

ଭୂତପ୍ରେତ ପିଶାଚ ଯେ ନାଗଗଣମାନ

ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ବର୍ଣ୍ଣ ।

ସାଧକ ସେ ସିଦ୍ଧଲୋକ କଳ୍ପୀ ଜଳଚର

କଶ୍ୟପ ଋଷିଙ୍କ ତହୁଁ ହେଲେ ଅବତାର ।

ମୋହର ଗୋଚର ତାଙ୍କୁ ଦେଲା ତପଚାରୀ

ବୋଇଳା ଏହାଙ୍କୁ ଦିଅ ଏକ ଏକ ପୁରୀ ।

ଏମାନଙ୍କ ଦ୍ଵାରା ଯେଉଁ ଯେଉଁ କାର୍ଯ୍ୟ ହେବ

ତାଙ୍କୁ ଆଜ୍ଞାକର ଯେ ସେ କାର୍ଯ୍ୟ ତୁଲାଇବ ।

କଶ୍ୟପ ବଚନ ଶୁଣି ଆଗୋ ପାଣସହି

ଚଉଦ କୋଟି ଭୁବନ ଗଡ଼ାଇଲି ମୁହିଁ ।

ସେ ଭୁବନ ନାମ ତୋତେ କହେ ଏକ ଏକ

ପ୍ରତମରେ ବ୍ରହ୍ମଲୋକ ଦ୍ଵିଜେ ପଦ୍ମଲୋକ ।

 

 

ତୃତୀୟରେ ଭୀତଗଣ ଚତୁର୍ଥେ ପିଶାଚ

ପଞ୍ଚମରେ କୂର୍ମଲୋକ ହୋଇଲା ପ୍ରକାଶ ।

ଷଷ୍ଠରେ ମଣ୍ଡୁଳ ସପତମରେ ଉରଗ

ଅଷ୍ଟମରେ ନରଲୋକ ନବମେ ଦେବାଙ୍ଗ ।

ଅଷ୍ଟମରେ ନରଲୋକ ଏକାଦଶେ ଧର୍ମଲୋକ

ଦ୍ଵାଦଶରେ ଚନ୍ଦ୍ରଲୋକ ତେରେ ସୂର୍ଯ୍ୟଲୋକ ।

ତହିଁର ଉପରେ ଜାଣ ନିରଞ୍ଜନ ମହୀ

ଏହିରୂପେ ସମସ୍ତଙ୍କୁ ସ୍ଥାନ ଦେଲି ମୁହିଁ ।

ଚାରିବର୍ଗ ମୂଳେ ଚଉରାଶି ବର୍ଗଲୋକ

ଛତିଶ ଆବୃତ୍ତି ଶାସ୍ତ୍ରେ ବର୍ତ୍ତନ୍ତି ତ୍ରୈଲୋକ୍ୟ ।

ଚଉଦ ଭୁବନେ ସମସରି ସର୍ବଜନେ

ବସିଲେ ଉତ୍ତମ ବୃନ୍ଦାରକେ ସ୍ଵର୍ଗ ସ୍ଥାନେ ।

ଯେବଣ ଭିଆଣ ହୋଇ ଅଛଇ ସମସ୍ତ

ତୋହର ଆଗରେ ପ୍ରିୟେ କହିଲି ନିୟତ ।

କଶ୍ୟପଙ୍କ ବଂଶେ ପୂର୍ଣ୍ଣ ହୋଇଲେ ଜଗତ

ଯେ ଯାହାର ଅନୁରୀପ ରହିଲେ ସମସ୍ତ ।

କଶ୍ୟପ ଋଷିଙ୍କ ଜ୍ୟେଷ୍ଠ କୁମର ମଘବା

ସର୍ବଗୁଣେ ପରିପୂର୍ଣ୍ଣ ରୂପେ ଅତି ଶୋଭା ।

ଇନ୍ଦ୍ରପଣରେ ଯାହାକୁ ସ୍ଵର୍ଗେ କଲେ ରାଜା

ଚଉଦ ଭୁବନେ ଲୋକେ କରିବେ ତା ପୂଜା ।

ସକଳ ଦେବତା ତାର ବୋଲେ ରହିଥିବ

ତାର ଆଶ୍ରୟେ କରିବେ ସକଳ ଯେ ଦେବେ ।

ସକଳ ଭୁବନେ ସେହୁ ପାଳିବେ ସୁଧର୍ମେ

ବୁଝିଲେ ପ୍ରାଣୀଙ୍କ ପାପ ପୁଣ୍ୟ ଯମ ଧର୍ମେ ।

ଚନ୍ଦ୍ର ସୂର୍ଯ୍ୟ ବରୁଣ ଯେ କୁବେର ନୈଋତ

ଅନଳ ଦେବ ସହିତେ ଆବର ମରୁତ ।

ଶୁଭ ଅଶୁଭ ମଣିବେ ଦସଦିଗପାଳ

ଚାରିମେଘ ବରଷିଣ ପାରିବେ ଶୟଳ ।

ହରିଙ୍କି ଲାଗିଲା ପ୍ରିୟେ ସମସ୍ତଙ୍କ ଚିନ୍ତା

ଦୁର୍ଗମ ଭାର ନାଶନେ ମୋହର କ୍ଷମତା ।

ଚତୁର୍ମୁଖ ବ୍ରହ୍ମା ଯେହୁ ବିଷ୍ଣୁର କୁମର

ବିଧାତା ପଣରେ ସେହୁ ସାଧିବେ ସଂସାର ।

ତାହାର ତହୁଁ ସେ ଜାତ ହେଲେ ଋଷିଗଣ

ତାହାର ହାର ଲଭିବ ଜଗତ କାରଣ ।

ଏହିରୂପେ ଚତୁର୍ଦ୍ଦଶ ଭୁବନେ ହୋଇଛି

ଯେ ଯାହା ଭୁବନେ ସେ ତା ଭୁବନେ ରହିଛି ।

ଦୁଇଲକ୍ଷ ଯୋଜନରେ ସୂର୍ଯ୍ୟଙ୍କ ଭୁବନ

ଲକ୍ଷ ଯୋଜନେ ଚନ୍ଦ୍ରଙ୍କ ଅଟେ ବାସସ୍ଥାନ ।

ଏ ଚନ୍ଦ୍ରଙ୍କ ଭୁବନଟି ଅଟେ ରମଣୀୟ

ସବୁବେଳେ ଜଳୁଥାଏ ଦର୍ପଣ ପରାୟ ।

ନାହିଁ ଜରାମୃତ୍ୟୁ ତହିଁ ନାହିଁ ରୋଗ ଶୋକ

ଅତି ପବିତ୍ର ଭୁବନ ନାହିଁ ତୃଷା ଭୋକ ।

କ୍ଷୀରୋଦସିନ୍ଧୁରୁ ଚନ୍ଦ୍ର ହୋଇଣ ଉଦୟ

ଚନ୍ଦ୍ର ଲୋକରେ ହୋଇଲା ତାହାଙ୍କ ଆଳୟ ।

ଦ୍ଵିତୀୟା ଦିନରୁ ଚନ୍ଦ୍ର ପୂର୍ଣ୍ଣମୀ ପର୍ଯ୍ୟନ୍ତ

ଆଲୋକିତରେ କରନ୍ତି ଆଲୋକ ଜଗତ ।

ଦ୍ଵିତୀୟା ଦିନରୁ ଚନ୍ଦ୍ର କ୍ରମେ ବଢ଼ି ବଢ଼ି

ଚତୁର୍ଦ୍ଦଶ ଦିନକୁ ସେ ସବୁ ଯାନ୍ତି ଛିଡ଼ି ।

ଅକ୍ଷୟ ହୋଇଣ ଚନ୍ଦ୍ର ରହିଲେକ ଶେଷ

ସେ ସମୟେ ବିଚାରନ୍ତି ମନେ ରଜନୀଶ ।

ଆକାଶେ ରହିଲେ ମୋତେ ସକଳ ଦେଖିବେ

କି ରୂପରେ ଆମାବାସ୍ୟା ତିଥି ଜଣାଯିବେ ।

ଏହି ପରକାରେ ଚନ୍ଦ୍ର ବିଚାରିଣ ମନେ

ଯାଉଛି ରହିବି ଲୁଚି ଗୁରୁଙ୍କ ଭୁବନେ ।

ବୃହସ୍ପତିଙ୍କି କହିଣ ପାଠ ପଢ଼ୁଥିବି

ଆମାବାସ୍ୟା ପ୍ରତିପଦା ଅନ୍ତେ ଉଦେ ହେବି ।

ଏତେ ମନେ ପାଞ୍ଚି ଚନ୍ଦ୍ର ଚତୁର୍ଦ୍ଦଶ ଅନ୍ତେ

ପ୍ରବେଶ ହୋଇଲେ ଯାଇ ଗୁରୁଙ୍କ ଅଗ୍ରତେ ।

ବୃହସ୍ପତିଙ୍କି ଭେଟିଣ ବିନୟ ହୋଇଲେ

ମୋତେ ରଖ ଅମାବାସ୍ୟ ପର୍ଯ୍ୟନ୍ତେ ବୋଇଲେ ।

ଆଜ୍ଞା ହେଲେ ମାସକରେ ଦିନେ ଆସୁଥିବି

ଅମାବାସ୍ୟା ପ୍ରତିପଦା ଅନ୍ତେ ଉଦେ ହେବି ।

ଏ ମଧ୍ୟେ ଆପଣ ମୋତେ ପଢ଼ାଇଲେ ପାଠ

ଏହି ଆଜ୍ଞା କର ମୋତେ ଅଙ୍ଗିରାର ଚାଟ ।

ଶୁଣି ବୃହସ୍ପତି ବୋଲେ ସୁଖଏ ଆସି ରହ

କାହାକୁ ହିଁ ଜଣାନୋହୁ ମୋର ଘରେ ଥାଅ ।

ସବୁକାଳେ ଏ ବଚନ ମୋହର ଯେ ରହୁ

ଚନ୍ଦ୍ରକୁ ଅମାବାସ୍ୟାରେ ନ ଦେଖନ୍ତୁ କେହୁ ।

ଏମନ୍ତ ବୋଲିଣ ଆଜ୍ଞା ଦେଲେ ଯେଣୁ ଗୁରୁ

ରହିଲେ ସୁଖରେ ଚନ୍ଦ୍ର ଅଚିନ୍ତେ ସେଠାରୁ ।

ଦେବଗୁରୁ ବୃହସ୍ପତି ସର୍ବଜ୍ଞାନେ ଶ୍ରେଷ୍ଠ

ଭକ୍ତିଭରେ ନିଶାକର ଆରମ୍ଭିଲେ ପାଠ ।

ବୃହସ୍ପତିଙ୍କ ରମଣୀ ନାମ ଅଟେ ତାରା

ଅପୂର୍ବ ସୁନ୍ଦରୀ ସେହି ଅଟେ ନାରୀହୀରା ।

ଚନ୍ଦ୍ର ଯେତେବେଳେ ବିଦ୍ୟା ଆରମ୍ଭିଲେ ବସି

କଳା କବାଟିରେ ତାର ଚାହେଁ ପୁରୁ ଆସି ।

ଯେତେବେଳେ ଗୁରୁ ପାଶେ ଚନ୍ଦ୍ର ଆସିଲେଣି

ତେବେବେଳୁ ଦେଖି ତାରା ତାଙ୍କୁ ରସିଲାଣି ।

ସୁକୁମାର ସଉନ୍ଦର୍ଯ୍ୟଯୁକ୍ତ ତନୁ ଦେଖି

ବିରହିତା ହୋଇ ବାମା ବସିଛି ନିରେଖି ।

ଭାଳଇ ଚନ୍ଦ୍ର ଏକାକୀ ହେବ ଯେତେବେଳେ

ନିଶ୍ଚେ ଧରି ବସିବଇଁ ୟାକୁ ଘେନି କୋଳେ ।

ଏ ଉତ୍ତାରେ ବୃହସ୍ପତି ଚନ୍ଦ୍ରେ ଆଜ୍ଞାଦେଲେ

ସ୍ମାହାନ ମଣୋହି ଏବେ ସାର ଯା ବୋଇଲେ ।

ଗୁରୁଙ୍କ ଆଜ୍ଞାରେ ଚନ୍ଦ୍ର ଉଠେ ଛାଡ଼ି ପାଠ

ଏକାକୀ ହୁଅନ୍ତେ ବାଳି ଓଗାଳିଲା ବାଟ ।

ପୁଣି ବେନିକର ଯୋଡ଼ି ଦୂରେ ଉଭା ହେଲା

ହାସ ପରିହାସ କରି ଚନ୍ଦ୍ରକୁ କହିଲା ।

କାମେ ଦ୍ରବିଭୂତ ହୋଇ କହେ ବଳେ କଥା

ଯେସନେ ପତି ପାଶରେ କହଇ ବନିତା ।

ସେହିରୂପେ ବିନୟରେ ଚନ୍ଦ୍ର ପାଶେ ସତୀ

ବୋଇଲେ ମୋ ପୁରେ ଯିବା ଆସ ନିଶାପତି ।

କି ଯୋଗେ ଦେଖିଲି ମୁହିଁ ତୁମ୍ଭ ଚନ୍ଦ୍ରମୁଖ

ଏ କାମ ବିଷମ ଦୁଃଖ ଆଜ ମୋତେ ରଖ ।

ଚନ୍ଦ୍ର ବୋଇଲା ଆସିଛି ଲୁଚିବାକୁ ମୁହିଁ

ଅମାସ୍ୟା ନିଶାରେ ମୋତେ ନ ଦେଖିବେ କେହି ।

ପ୍ରଘଟ ଏ କଥା ତୁମ୍ଭେ ଏବେ କରିବ କି

ଜାଣି ପାରିଲେ ଆଉ ମୁଁ ଲୁଚି ପାରିବ କି ।

ତାରା ବୋଇଲେ ହେ ଚନ୍ଦ୍ର କାହାକୁ ଲୁଚିଲୁ

ଗୁରୁଙ୍କୁ ତ ପ୍ରଥମରେ ଆସି ଦେଖାଦେଲୁ ।

ବସିଲୁ ତୁ ଚାଟ ପିଲା ସଙ୍ଗେ ନାମ ଲେଖି

ଏ ସମୟେ ସଂସାରେ ତୁ ଜଣା ନୋହିଲୁକି ।

ଗୁରୁ ଆଦି ଚାଟ ପିଲା ଦେଖିଲେତ ତୋତେ

ଏ ରୂପେ ଲୁଚିଲେ କାର୍ଯ୍ୟ ହେବ କି ଜଗତେ ।

ଲୁଚିଲୁ ତୁ ଯେବେ ଦିନେ ଦେଖି ନ ଦେଖନ୍ତେ

ତେବେ ଅମାବାସ୍ୟାଦିନ ରହିଲୁ ଗୁପତେ ।

ଚନ୍ଦ୍ର ବୋଇଲେ ଏମନ୍ତ ସ୍ଥାନ ହେଲେ କହ

ଦିନେ ମାତ୍ର ଲୁଚିବାକୁ ଏତେକ ସମୟ ।

ଗୁରୁ ପତ୍ନୀ ବୋଇଲେ ହେ ଶୁଣ ଶଶଧର

ଏମନ୍ତ ସ୍ଥାନେ ରଖିବି ହେବ ଅଗୋଚର ।

ଚନ୍ଦ୍ର ବୋଇଲେ ଏମନ୍ତ ସ୍ଥାନ ଯେବେ ଅଛି

ସବୁ ଅମାବାସ୍ୟାରେ ମୁଁ ପାରିବି କି ଲୁଚି ।

ତାରା ବୋଇଲେ ମୋହର ଚନ୍ଦ୍ର ତାପ ତଳେ

ଲୁଚାଇ ରଖିବି ଜାଣ ଯତ୍ନେ ମୋରି କୋଳେ ।

ଉଆଁସ ଦିନ ରଖିବି ମୁହିଁ କଲି ସତ୍ୟ

ତୁମ୍ଭେ ଆମ୍ଭେ ରହିବାଟି ମିଶି ଦିବାରାତ୍ର ।

ଏତେ କହି ତାରା ଗଲେ ଚନ୍ଦ୍ରମାକୁ ଘେନି

ଏକାନ୍ତ ମନ୍ଦିରେ ଯାଇ ମିଳିଲେ ସେ ବେନି ।

ଶୁଣ ଆଗୋ ପ୍ରିୟେ ଏବେ ସ୍ତିରୀଙ୍କର ମାୟା

ଏ ରୂପେ କଲେ କାର ନ ଟଳିବଟି କାୟା ।

ଗୁରୁପତ୍ନୀ ବୋଲି ଚନ୍ଦ୍ର କରୁଥିଲେ ଲାଜ

ବଳେ ତାରା ଧରିବାରୁ ଟେକେ ମନସିଜ ।

ସହଜେ ଅନଳ ପାଖେ ରଖିଦେଲେ ଜଉ

ତରଳି ନ ପଡ଼ଇ କି କେ ଏହା ଯେ କହୁ ।

ଲବଣ ଭାଣ୍ଡକୁ ରଖିଦେଲେ ଅଗ୍ନି ପାଶେ

କଠିନ ହୋଇକି ସେହି ରହିବ ନିମିଷେ ।

ଯୁବାକୁ ଯୁବତୀ ବଳେ ଯାଚିଦେଲେ ଦେହୀ

ଯେବେ ସେ ମାନୀ ହୋଇଲେ ପାରିବକି ରହି ।

ପ୍ରକୃତ ବଚନ ପ୍ରିୟେ ମନଦେଇ ଶୁଣ

ବଳେ ସ୍ତିରୀଜାତି ହୋଇ କରଇ ରମଣ ।

ମାତା ସରି ହେଲେ ଦୋଷ ନ ଲେଖିବ ତହିଁ

ଦେବ ସାସ୍ତ୍ର ପୁରାଣରେ ଏହା ଅଛି କହି ।

ସହଜେ ନିଗମସ୍ଥାନ ଚନ୍ଦ୍ର ତ ପାଇଲା

ଗୁଗୁପତ୍ନୀ ବୋଲି ଆଉ ମନେ ନ ଭାଳିଲା ।

ସୁଖେ ଲୁଚି କରି ବସି କଲା ସେ ପୀରତି

ଏକେତ ଯୁବା ବୟସ ଦୁହେଁ ଏକ ମତି ।

ଅମୀୟ ସ୍ନେହ ବଢ଼ିଲା ଯେଣୁ ପରଦାରା

ଚନ୍ଦ୍ରଙ୍କର ପ୍ରଣୟରେ ବଶହେଲେ ତାରା ।

କ୍ରୀଡ଼ା କରୁ ଦୁହେଁ ଏକ ଆତ୍ମାପ୍ରାୟହେଲେ

କ୍ଷୀରନୀର ପରାୟେ ସେ ଜଡ଼ିତ ହୋଇଲେ ।

ଚନ୍ଦ୍ରର ଔରସେ ତାରା ଗର୍ଭବତୀ ହେଲା

ପାଠପଢ଼ି ତହିଁ ଆରଦିନ ଚନ୍ଦ୍ର ଗଲା ।

ବୃହସ୍ପତି ବୋଇଲେ ତୁ କାଲି କାହିଁ ଥିଲୁ

ଚତୁର୍ଦ୍ଦଶୀ ଅନ୍ତେ ପତିପଦେ ଦେଖାଦେଲୁ ।

ଆଜଦିନ ଭୋଗ ଗଲେ କାଲି ଉଦେ ହେବୁ

ଏ ରୂପେ ଆସିଣ ତୁହି କି ପାଠ ପଢ଼ିବୁ ।

ଚନ୍ଦ୍ର ବୋଇଲେ ମୁଁ ପାଠପଢ଼ି ଆସୁଥିଲି

ତବ ପତ୍ନୀ ଡାକିବାରୁ ଲେଉଟିଣ ଗଲି ।

ଅନ୍ନପାକ କଲାବେଳେ ପୁଚ୍ଛିଲେ ସେ ବସି

ବୋଇଲେକ କାହିଁପାଇଁ ଆସିଥିଲେ ଶଶୀ ।

ମୁଁ ବୋଇଲି ଆସିଥିଲି ଏଥେ ଲୁଚିବାକୁ

ତାହା ଶୁଣି କହିଲେ ହସିଣ ଆମ୍ଭଙ୍କୁ ।

ବୋଇଲେ ହେ ଚନ୍ଦ୍ର ତୁହି ଲୁଚୁ କେତେବେଳେ

ସବୁଙ୍କୁ ତ ଦେଖାଦେଉ ବସି ଚାଟଶାଳେ ।

ଏଥେ ଲୁଚିବାକୁ ଯେବେ ଅଇଲୁଟି ତୁହି

ଅଗମ୍ୟ ସ୍ଥାନକୁ ଯାଅ ନ ଦେଖନ୍ତୁ କେହି ।

ମୁଁ ବୋଇଲି ଅଗମ୍ୟ ଗୋ କେଉଁଠାରେ ଅଛି

ସେ ବୋଇଲେ ଚନ୍ଦ୍ର ତାପ ମଧ୍ୟେ ରହ ଲୁଚି ।

ଏମନ୍ତ ବୋଲନ୍ତେ ସେହି ଗୁପତେ ରହିଲି

ଚନ୍ଦ୍ରାତପ ମଧ୍ୟେ ରହି ରୂପ ଲୁଚାଇଲି ।

ସୁଖେ କଟାଇ ଅଇଲି ଅମାବାସ୍ୟା ନିଶି

ପ୍ରତିପଦ ଦିନଯାକ ପଢ଼ିବଇଁ ବସି ।

ଦ୍ଵିତୀୟା ହୋଇଲେ ପୁଣି ଯାଇ ଉଦେ ହେବି

ତୁମ୍ଭ ମନକୁ ଆଗୋ କି ଏମନ୍ତ କରିବି ।

ବୃହସ୍ପତି ବୋଇଲେ ୟା ମନକୁ ପାଇଲା

ଚନ୍ଦ୍ରକୁ ଚନ୍ଦ୍ରାତପରେ ଲୁଚାଇ ରଖିଲା ।

ସେ ସ୍ଥାନେ ଅଗମ୍ୟ ଅଟେ କେବା ତହିଁ ଯିବ

ଚନ୍ଦ୍ରାତପ ଖୋଲିକରି ତୁମ୍ଭଙ୍କୁ ଦେଖିବ ।

ଭଳିହେଲା ଅମାବାସ୍ୟା କଟାଇଣ ତହିଁ

ପ୍ରତିପଦାରେ ଆସିବୁ ପଢ଼ିବାର ପାଇଁ ।

ଏମନ୍ତ କହିଣ ଚନ୍ଦ୍ର ଭୁଲାଇଣ ଦେଲା

ମିଛ ସତ ଦୁଇ କହି ନିର୍ଭୟେ ରହିଲା ।

ପ୍ରତିପଦା ଯାକ ରହି ପାଠପଢ଼େ ବସି

ଉଦୟ ହୁଅଇ ପୁଣି ଦ୍ଵିତୀୟାରେ ଆସି ।

ଏହିପରି ମାସକରେ ଥରେ ହୁଏ ଯୋଗ

ଅମାବାସ୍ୟାରେ ତାରାକୁ ଚନ୍ଦ୍ର କରେ ଭୋଗ ।

ତଦନ୍ତରେ ଜାଣ ପ୍ରିୟେ କେତେ ଦିନ ଗଲା

ଦଶମାସ ଅନ୍ତେ ଏକ ପୁତ୍ର ଜନମିଲା ।

ଗର୍ଭେ ପଡ଼ିଥିଲା ବିନ୍ଧୁ ଯେବଣ ତିଥିରେ

ବାଳକ ହୋଇଣ ଜାତ ସେ ତିଥିବେଳାରେ ।

ଅମାବାସ୍ୟା ଛାଡ଼ି ପ୍ରତିପଦା ଲାଗିବାକୁ

ନିଶାପତି ଖସିଯାଇଁ ପୁତ୍ର ଜନ୍ମିବାକୁ ।

ଘଟିଲା ଏ ଚାରିକଥା ଏକ ବେଳକରେ

ଦଇବ ଘଟଣା କେହୁ ଆନ କରିପାରେ ।

ପୁତ୍ରକୁ ଦେଖିଣ ତାର ବହୁ ଶ୍ରଦ୍ଧାକଲେ

ତନୁ ସଂସ୍କାର କରିଣ ଚନ୍ଦ୍ର ନେଇ ଦେଲେ ।

ପୁତ୍ରକୁ ଧରିଣ ଇନ୍ଦୁ ହସି ଗଦଗଦ

ବୋଇଲେ ଏହାର ନାମ କଲି ମୁହିଁ ବୁଧ ।

ନବଗ୍ରହ ତୁଲେ ଏହୁ ଜଣେ ଲେଖା ହେଉ

ପୁତ୍ରକୁ ପାଳନ କର ଆମ୍ଭେ ଏବେ ଯାଉଁ ।

ଏତେ କହି ଚଳିଗଲେ ଚନ୍ଦ୍ର ଗୁରୁ ପାଶେ

ପୁସ୍ତକ ଧରିଣ ପରେ ପାଠ ପଢ଼ି ବସେ ।

ଏଥିଉତ୍ତାରୁ ଚହଳ ଶୁଭେ ପୁତ୍ର ଜନ୍ମ

ଠାବେ ଠାବେ କୁହାକୁହି ହେଲେ ସର୍ବଜନ ।

ଭିତରପୁରୁ ଆସିଣ ବୃହସ୍ପତି ଆଗେ

ଦାସୀ କହେ ଏକ ପୁତ୍ର ଜନ୍ମ ଅନୁରାଗେ ।

ଏହା ଶୁଣି ବୃହସ୍ପତି ଅତି ଶ୍ରଦ୍ଧାଭରେ

ଚଦ୍ରକୁ ସଙ୍ଗରେ ଘେନି ମିଳିଲେ ମନ୍ଦିରେ ।

ଅନ୍ତୁଡ଼ିଶାଳରେ ଯାଇଁ ପ୍ରବେଶ ହୁଅନ୍ତେ

ପୁତ୍ରକୁ ଦେଖିଣ ଗୁରୁ ବିଚାରନ୍ତି ଚିତ୍ତେ ।

ଆମ୍ଭ ମୂର୍ତ୍ତି ପରାୟେ ତ ଦିଶୁନାହିଁ ବଳା

ଜାତକ ବୁଝିଲେ ଅଙ୍କ କରି ମିଶାମିଳା ।

ଜାରଜ ତନୟ ବୋଲି ଚିହ୍ନିଲେ ସେ ଚାଟ

ଜନ ନିନ୍ଦାକୁ ଡରିଣ ନକଲେ ପ୍ରଘଟ ।

ଭାରିଯାକୁ ବୋଇଲେ ତୁ ହେଲୁ ମନ୍ଦବାଟି

ଚନ୍ଦ୍ରଠାରେ ପ୍ରୀତକଲୁ ହୋଇଲୁ ତୁ ନଷ୍ଟୀ ।

ଆମ୍ଭ ପରା ସ୍ଵାମୀଙ୍କି ତୁ କଲୁ ପରିତେଜ୍ୟା

କୁଳ ନ ବିଚାରି କେହ୍ନେ ଛାଡ଼ିଲୁ ତୁ ଲଜ୍ଜା ।

ବ୍ରହ୍ମସ୍ତିରୀ ହୋଇ ପର ପୁରୁଷ ରସିଲୁ

ଶିଷ୍ୟ ପୁତ୍ରକୁ ଘେନିଣ କ୍ରୀଡ଼ାରେ ମାତିଲୁ ।

ବିଟାଳ କରିଲୁ ଏଡ଼େ ଗର୍ବ ବହି ଦେହ

ସବୁ ଅମାବାସ୍ୟାରେ ତୁ ଲୋକେ ନିନ୍ଦା ପାଅ ।

ତହିଁ ଉତ୍ତାରେ ଚନ୍ଦ୍ରକୁ ବୋଇଲେରେ ଦୁଷ୍ଟ

ଗୁରୁ ପତ୍ନୀକୁ ହରିଲୁ ତୁ ଏଡ଼େ ପାପିଷ୍ଟ ।

ଆମ୍ଭଙ୍କୁ ତୋହର ଟିକେ ନ ହେଲାରେ ଭୟ

ବ୍ରୀଡ଼ା ତେଜି କ୍ରୀଡ଼ା କଲୁ ଗୁରୁ ପତ୍ନୀ ସହ ।

ସହଜେ ତ ପଞ୍ଚସ୍ତିରୀ ଛୁଇଁ ନ ଯୋଗାଇ

ତାହାଙ୍କର ନାମ ଶୁଣ ପରାଣେ ଯେ କହି ।

ଗୁରୁପତ୍ନୀ ରାଜପତ୍ନୀ ବ୍ରହ୍ମପତ୍ନୀ ତିନି

ପତିବ୍ରତା ସ୍ତ୍ରୀ ବିଧବା ବ୍ରହ୍ମଣୀକି ଘେନି ।

ଏହି ପାଞ୍ଚ ପୃଥିବୀରେ ମାତ ସମ ସରି

ଏହାକୁ ଲଙ୍ଘଇ ଯେହୁ ପାପକୁ ନ ଡରି ।

ସେ ମୂର୍ଖରେ ମୁକ୍ତି ଆଉ ଅଛି କି ସଂସାରେ

ଗୁରୁଙ୍କ ବିଶ୍ଵାସ ଥାଇ କେତେ ଶିଷ୍ୟଠାରେ ।

ଛାଡ଼ନ୍ତି ଶିଷ୍ୟଙ୍କୁ ପୁତ୍ର ମଣି ମନୁ ଶଙ୍କା

ତାର ପାଶେ ଗୃହଯାକ ସମର୍ପନ୍ତି ଏକା ।

ଶିଷ୍ୟ ଗୁରୁମାନେ ଯେବେ ଘେନନ୍ତା ଅନ୍ତର

ଶିଷ୍ୟ କଦାପି ଭବୁ ନ ହୁଅନ୍ତା ଉଦ୍ଧାର ।

ଗୁରୁ ଶିଷ୍ୟଙ୍କର କେବେ ନୁହେଁ ଭେଦାଭେଦ

ଏଥୁ ଅନ ଘେନିଲେ ନ ମିଳେ ମୋହପଦ ।

ଏଣୁକରି ଚନ୍ଦ୍ର ତୁରେ ହୁଅ ମହାମୂର୍ଖ

ତୋର ଦେହେ ଆଜିଠାରୁ ଉପୁଜୁ କଳଙ୍କ ।

ଶରୀର ଫୁଟି ତୋହର ଦିଶୁ ସଂସାରକୁ

ଏ ବାକ୍ୟ ଆମ୍ଭର ରହୁ ଯେ କାଳ କାଳକୁ ।

ଆବର ଅଇଲୁ ତୁହି ଚତୁର୍ଦ୍ଦଶୀ ଅନ୍ତେ

ପାଠ ପଢ଼ିଣ ଆସିଲୁ ଆମ୍ଭର ଅଗ୍ରତେ ।

ଲଭିଲୁ ତହିଁର ଫଳ ଯାହା ଦେଲୁ ପୁଣି

ତୁହି ପୁଣି ମୂର୍ଖ ହେଲୁ ତହିଁର କାରେଣୀ ।

ଏଣୁ ଏହି ତିନି ଦିନେ ଯେ ପଢ଼ିବ ବିଦ୍ୟା

ତାହାକୁ ଏ ପାପ ବାଧା ଲାଗିବ ସର୍ବଦା ।

ଚତୁର୍ଦ୍ଦଶୀରେ ପଢ଼ିଲେ ଶିଷ୍ୟ ହେବ ଦୋଷ

ଅମାବାସ୍ୟାରେ ପଢ଼ିଲେ ଗୁରୁ ଯିବ ନାଶ ।

ପ୍ରତିପଦାରେ ପଢ଼ିଲେ ପାଠ ନାଶଯାଇ

ତୋର ନେଇ ଏବେ ସେହି ତିଥି ଚିହ୍ନିଲଇଁ ।

ସବୁ ଯୁଗେ ଏହି ଦୋଷ ରହୁ ତିନିତିଥି

ଏତେ କହି ସେ ସ୍ଥାନରୁ ଗଲେ ବୃହସ୍ପତି ।

ଚନ୍ଦ୍ର ଶାପ ପାଇ ପ୍ରତିପଦା ଅନ୍ତେ ଗଲେ

ଦ୍ଵିତୀୟାରେ ଗଗନରେ ଯାଇ ଉଦେ ହେଲେ ।

ଏହି ଚନ୍ଦ୍ରଙ୍କ ବୀର୍ଯ୍ୟରୁ ବୁଧ ହେଲେ ଜାତ

ବୁଧଙ୍କଠାରୁ ହୋଇଲେ ସୋମବଂଶ ଖ୍ୟାତ ।

ତଦପରେ ଯାହା ହେଲା କରିବି ପ୍ରକାଶ

ଦୀନ ହରି ଦାସେ ଦିଅ କୃପା ପୀତବାସ ।

•••

 

ଚନ୍ଦ୍ରଙ୍କ ବିବାହ, ଦକ୍ଷଙ୍କର ସତେଇଶ କନ୍ୟାଙ୍କ ନାମ ଓ ଶୋଭା ବର୍ଣ୍ଣନ

 

ଏଥୁଅନନ୍ତରେ ଶୁଣ ଆଗୋ ପ୍ରିୟସହି

ଚନ୍ଦ୍ରଙ୍କ ବିବାହ କଥା କହୁଛି ବୁଝାଇ ।

ଦକ୍ଷ ପ୍ରଜାପତିଙ୍କର ଷାଠିଏ କୁମାରୀ

ଧର୍ମ ଦେବତାଙ୍କୁ ଦଶ ଦେଲେ ବିଭାକରି ।

କଶ୍ୟପଙ୍କୁ ତେରଗୋଟି କନ୍ୟା କଲେ ଦାନ

ଏ ରୂପେ ତେଇଶି କନ୍ୟା କରିଲେ ପ୍ରଦାନ ।

ଭୃଗୁ ଅଙ୍ଗରା ଆବର ଅସୁରଙ୍କୁ ଏ ତିନି

ଏହାଙ୍କୁ ପ୍ରଦାନ କଲେ ଛଅଟି ନନ୍ଦିନୀ ।

ତାର୍କ୍ଷ୍ୟ ଆଉ କଶ୍ୟପଙ୍କୁ ଦେଲେକ ଚାରୋଟି

ଆବର କନ୍ୟା ରହିଲେ ସତେଇଶ ଗୋଟି ।

ସେ କନ୍ୟାମାନଙ୍କ ନାମ ଶୁଣ ପ୍ରିୟବତୀ

ସେମାନେ ନକ୍ଷତ୍ର ରୂପେ ନଭେ ବିରାଜନ୍ତି ।

ଅଶ୍ଵିନୀ ଦ୍ଵିଜା କୃତ୍ତିକା ଅଶ୍ଳେଶା ରୋହିଣୀ

ଆର୍ଦ୍ରା ମୃଗଶିରା ପୁଷ୍ୟା ପୂର୍ବାଫାଲଗୁନୀ ।

ଉତ୍ତରାଫଲଗୁନୀ ମଘା ଅନୁରାଧା ହସ୍ତା

ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଚିତ୍ରା ।

 

 

ପୂର୍ବଭାଦ୍ରପଦା ମୂଳା ପୂର୍ବଷାଢ଼ା ସ୍ଵାତୀ

ଧନିଷ୍ଠା ବିଶାଖା ଜ୍ୟେଷ୍ଠା ଆବର ରେବତୀ ।

ଉତ୍ତର ଯେ ଭାଦ୍ରପଦ ସତେଇଶ ଜେମା

ଅଶ୍ଵିନୀଙ୍କ ଗର୍ଭୁ ଜାତ କଲେ ଦକ୍ଷବ୍ରହ୍ମା ।

ଦୁହିତାମାନଙ୍କୁ ଘେନି ଦକ୍ଷ ପ୍ରଜାପତି

ମେରୁ ଗିରିତଳେ କରି ଥାଆନ୍ତି ବସତି ।

ସେ କନ୍ୟା ମାନଙ୍କ ରୂପ କି କହିବି ମୁହିଁ

ଦକ୍ଷ ପ୍ରଜାପତିଙ୍କର ପାଶେ ଥାନ୍ତି ରହି ।

ଚାରୁ ସୁଲକ୍ଷଣୀ ସର୍ବକନ୍ୟା ନବଯୁବା

ସେମାନଙ୍କ ରୂପକୁ କି ପଟାନ୍ତର ଦେବା ।

ସମ୍ପୂର୍ଣ୍ଣ କଳାନିଧିର ଯେସନେକ କାନ୍ତି

ତେସନ ପରାୟେ କନ୍ୟାମାନଙ୍କର ଜ୍ୟୋତି ।

ଅଲଙ୍କାରେ ତାଙ୍କ ଅଙ୍ଗ ପୂର୍ଣ୍ଣ ସର୍ବଗୁଣେ

ସେ କନ୍ୟାକୁ ଅନ୍ୟ ତୁଲେ ନାହିଁ ବିଚକ୍ଷଣେ ।

ସକଳେ ଚନ୍ଦ୍ରବଦନୀ ନାସା ତିଳଫୁଲ

ଚାଚେରୀ କବରୀ ଭାର ନୀଳ ମେଘତୁଲ ।

କପାଳେ ଅଳକାପନ୍ତି ସୁଘଟନ ଶୋହେ

ନୟନ ଚକୋର ଚନ୍ଦ୍ର ଆସି କିବା ରହେ ।

ଭାଟଣା ତାଙ୍କର କର୍ଣଣ ପାଟଳୀ ଉପମ

ସୁରଙ୍ଗ ଅଧର ସୋଭୀ ବଧୂଲିର ସମ ।

ହୀରାର ଝଲି ଦର୍ଶନ କୁନ୍ଦ କଢ଼ି ଜାଣି

ସୁରଙ୍ଗ ଅତି କୋମଳ ଦିଶେ ଠାଣି ମାଣି ।

ସୁସଞ୍ଚ ଶଙ୍ଖ ସମାନ ଅଟେ କଣ୍ଠତଟ

ବିସ୍ତୃତ ତ୍ରିବଳୀ ଅତି ସୁରଞ୍ଜିତ ପେଟ ।

ସୁରଭୀର ନାଭି କ୍ରୋଟ ସିଂହମଝା କଟୀ

ବଲିନ ତ ଭୁଜ ବେନି ରମ୍ଭାପତ୍ର ପିଠି ।

ସୁଗଠନ ଜାନୁ ବେନି ସର୍ବେ ସମସରି

ଏହି ରୂପେ ସତେଇଶ ଦକ୍ଷଙ୍କ କୁମାରୀ ।

ସେମାନଙ୍କ ଯୁବାକାଳେ ପ୍ରବେଶ ହୁଅନ୍ତେ

ଦେଖି ଦକ୍ଷ ପ୍ରଜାପତି ବିଚାରନ୍ତି ଚିତ୍ତେ ।

ବ୍ରହ୍ମା ବିଷ୍ଣୁ ମହେଶ୍ଵର ବାସବ କୁବେର

କଶ୍ୟପ ଧର୍ମ ଆଦିଙ୍କ ସେ ଦକ୍ଷ ଶ୍ଵଶୁର ।

ସମସ୍ତଙ୍କୁ କନ୍ୟା ଦେଇ କରିଲେ ଜୁଆଇଁ

ଆଉ ଏ କନ୍ୟାମାନଙ୍କୁ କାହାକୁ ଦେବଇଁ ।

ମନେ ପଡ଼ିଗଲା ଚନ୍ଦ୍ର ରଜନୀର ପତି

ତାଙ୍କୁ ସମର୍ପିବି ମୋର ଏ ସର୍ବ ଦୁହିତି ।

ଏତେ ଭାଳି ଚନ୍ଦ୍ର ପାଶେ କହି ପଠାଇଲା

ଆବର ଜ୍ଵାଇଁ ମାନଙ୍କୁ ନିମନ୍ତ୍ରଣ କଲା ।

ଏଣେ ଦକ୍ଷ ବିଶ୍ଵକର୍ମା ପାଶକୁ ଡକାଇ

ସଭାଗୃହ ମଣ୍ଡିବାକୁ ତାକୁ ଦେଲା କହି ।

ମେରୁଗିରି ନିକଟରେ ସଭାଗୃହ କଲେ

ନିଜେ ବିଶ୍ଵକର୍ମା ଯେଉଁ ପୁରକୁ ମଣ୍ଡିଲେ ।

ସେ ଗୃହକୁ କିଏ ଦେବ କେଉଁ ପଟାନ୍ତର

ସହସ୍ର କ୍ରୋଶ ଅଟଇ ସେ ଗୃହ ବିସ୍ତାର ।

ଆଡ଼ ଦୀର୍ଘରେ ଅଟଇ ସେ ଗୃହ ସମାନ

ପ୍ରଥମେ କଲେ ସେଠାରେ ଭୂମିକି ପତନ ।

ତଦପରେ ଶ୍ରେଣୀ ବନ୍ଧେ ତମ୍ବା ଖମ୍ବା ପୋତି

ତାହାର ଉପରେ ରୂପାଶେଣୀମାନ ପାତି ।

ତା ଉପରେ ରୂପା ସ୍ଵର୍ଣ୍ଣ ବତାକୁ ବିଛାଇ

ଯତ୍ନେ ଗଣ୍ଠିମାନ ଦେଲେ ଦୃଢ଼ତାର ପାଇଁ ।

ତା ତଳେ ନାଲିଆ ମଖମଲର ଚାନ୍ଦୁଆ

ତଳକୁ ଦିଶିଥିଲା ସେ ଅତି ବାହାରିଆ ।

ହୀରା ନୀଳା ମୋତି ମାଳ ଚାନ୍ଦୁଆ ଝାଳର

ଚାରିଆଡ଼େ ଲାଗି ଦିଶେ ଅତି ମନୋହର ।

ହୀରା ନୀଳା ମାଣିକ୍ୟରେ ଦିଶେ ଦାଉ ଦାଉ

ଅମରାବତୀ ପୁରହୁଁ ଶୋଭାପାଏ ସେହୁ ।

ତଳେ କଳା ଧଳା ଶିଳା ଟାଇଲି ପଡ଼ିଲା

ତା ଉପରେ ମଖମଳ ବିଛଣା ହୋଇଲା ।

ସେ ବିସ୍ତାର ସଭାଗୃହ ଦ୍ଵାର ଆଠଗୋଟି

ସେ ଦ୍ଵାରେ ମଣ୍ଡିଲେ ଖଣ୍ଡ ନାନା ଚିତ୍ରପଟି ।

ଏହାପରେ ବିବାବିଧି ଆୟୋଜନ ମାନ

ସଜାଡ଼ି ରଖିଲେ ସବୁ କରି ପରିପୂର୍ଣ୍ଣ ।

ବିବାହ ଦିବସ ଜାଣି ଅମର ନିକର

ପରିବେଶ କରାଇଲେ ଯାଇଁ ନିଶାଚର ।

ନାନା ରତନ ଭୂଷଣ ଚନ୍ଦ୍ରଙ୍କୁ ମଣ୍ଡାଇ

ବସାଇଲେ ଏକ ଦିବ୍ୟ ବିମାନରେ ନେଇ ।

ଦୁନ୍ଦୁଭି ବାଦ୍ୟ ବଜାଇ ଗହଣେ ଚଳିଲେ

ଅଷ୍ଟ ଅପସରୀମାନେ ଆଗେ ନୃତ୍ୟ କଲେ ।

ବରଯାତ୍ରୀ ହେଲେ ସର୍ବ ବୃନ୍ଦାରକଗଣ

ଦକ୍ଷ ଜ୍ଵାଇଁମାନେ କଲେ ପଛରେ ଗମନ ।

ଦକ୍ଷଭୁବନେ ଚନ୍ଦ୍ରମା ହୋଇଲେ ପ୍ରବେଶ

ଜ୍ଵାଇଁକି କରିଣ ନେଲେ ଉତ୍ତମ ଆବସ ।

ଏ ସମୟେ ଜ୍ଵାଇଁମାନେ କଲେ ଆଗମନ

ଐରାବତ ବାହନରେ ଆସେ ମଘବାନ ।

ବଳଦ ବାହନେ ବିଜେ ଦେବ ଶୂଳଧାରୀ

ଗରୁଡ଼ ବାହନେ ବିଜେ କମଳା ବିହାରୀ ।

ଏହି ରୂପେ ଦେବ ଯକ୍ଷ ନାଗ ଭୂତଗଣ

ଗନ୍ଧର୍ବ କିନ୍ନର ସିଦ୍ଧ ସାଧକ ଚାରଣ ।

ସକଳେ ଦକ୍ଷ ଭୁବନେ ପ୍ରବେଶ ହୋଇଲେ

ସମ୍ମାନ ପାଇ ସଭାର ମଧ୍ୟରେ ବସିଲେ ।

ଏଥୁଅନ୍ତେ ବିଭାଘର କାଳ ଉପସ୍ଥିତ

ନିଜେ ବ୍ରହ୍ମା ସେହିଠାରେ ହେଲେ ପୁରୋହିତ ।

ନିଜ ଭୁବନେ ଚନ ଦେବିକା ସୁନ୍ଦର

ଉପରେ ଚାନ୍ଦୁଆ ତଳେ ଚୁତ ପତ୍ରହାର ।

ବେଦୀର ଚାରିକୋଶରେ ପୋତା ରମ୍ଭାତରୁ

ସୁବର୍ଣ୍ଣ ବେଦିକା ଗୋଟି ଦିଶଇ ସୁଚାରୁ ।

ରମଣୀମାନେ କନ୍ୟାକୁ ସୁବେଶ କରିଲେ

କେଶ ବାନ୍ଧିଦେଲେ ଭାଲେ ସିନ୍ଦୂର ମଣ୍ଡିଲେ ।

ନାନା ରତ୍ନ ଅଳଙ୍କାର ଅଙ୍ଗେ ଦେଲେ ଛାଇ

ଅମ୍ଳାନ ବସନମାନ କନ୍ୟାକୁ ପିନ୍ଧାଇ ।

ଓଢ଼ଣୀ ଦୋସରି ପୁଣି ଉପରେ ବେଢ଼ାଇ

ବେଦୀକି କନ୍ୟାକୁ ନେଲେ ହୁଳହୁଳି ଦେଇ ।

କନ୍ୟାକୁ ଘେନି ବସିଲେ ଦକ୍ଷ ପ୍ରଜାପତି

ପୁତ୍ର ପକ୍ଷରେ ବସିଲେ ଜଳପତି ଅତ୍ରି ।

ବ୍ରହ୍ମା ସର୍ବ ଋଷି ମିଳି ବିଭା କଲେ ଶେଷ

ଏଥୁଅନ୍ତେ ବରଯାତ୍ରୀ ବୋଜିରେ ପ୍ରବେଶ ।

ଦକ୍ଷ ଭୋଜି କରିଥିଲେ ନାନା ପରକାର

ଖାଇ ଆନନ୍ଦିତ ହେଲେ ଅମର ନିକର ।

ଜ୍ଵାଇଁକୁ ଦେବାଙ୍ଗ ବାସ ଦକ୍ଷ ପିନ୍ଧାଇଲେ

ବିଭା ଶେଶେ ଚନ୍ଦ୍ରମାକୁ ଯଉତୁକ ଦେଲେ ।

ତଦପରେ ବରକନ୍ୟା କରିଲେ ମେଲାଣି

ସମାରୋହରେ ଚଳିଲେ ଯହୁଁ ଚିନ୍ତାମଣି ।

ସତାଇଶ କନ୍ୟା ଦିବ୍ୟ ହାନ୍ଦୋଳରେ ବସି

ଶଶୀ ପଶ୍ଚାନ୍ତେ ଚଳିଲେ ସର୍ବ ଶଶୀହାସି ।

ଚନ୍ଦ୍ର ଲୋକରେ ଯାଇଣ ପ୍ରବେଶ ହୋଇଲେ

ଅପୂର୍ବ ଭୁବନେ ମଧ୍ୟେ ବିଜୟ କରିଲେ ।

ବରଯାତ୍ରୀମାନେ କରି ଆନନ୍ଦେ ବୋଜନ

ଯେ ଯାହା ପୁରକୁ ସର୍ବେ କରିଲେ ଗମନ ।

ଚନ୍ଦ୍ର ସତାଇଶ ନାରୀ ଗ୍ରହଣ କରିଣ

ସେମାନଙ୍କ ସହିତରେ କଟାଅନ୍ତି ଦିନ ।

ସେ କନ୍ୟାମାନଙ୍କ ମଧ୍ୟେ ସୁନ୍ଦରୀ ରୋହିଣୀ

ତା ପ୍ରେମରେ ସଦା ବଶ ହେଲେ ନିଶାମଣି ।

ଅନ୍ୟ କନ୍ୟାମାନଙ୍କର ଦେଖି ନେତ୍ରେ ଦୁଃଖ

ଚନ୍ଦ୍ରଙ୍କୁ ଶାପ ବିହିଲେ ପ୍ରଜାପତି ଦକ୍ଷ ।

ସେ ଶାପରୁ କ୍ଷୟରୋଗେ ସୋମ କ୍ଷୀଣହେଲେ

ପୁଣି ଦକ୍ଷଙ୍କୁ ପ୍ରସନ୍ନ ଚନ୍ଦ୍ର କରାଇଲେ ।

ଦକ୍ଷଙ୍କର ଶାପ କେଭେ ଖଣ୍ଡନ ନୋହିବ

ଚନ୍ଦ୍ରଙ୍କ ଉଜ୍ଜ୍ଵଳ ଅଙ୍ଗେ କଥା ପକାଇବ ।

କୃଷ୍ଣ ଶୁକଳ ପକ୍ଷରେ ଜାଣ ସେହି କଳା

କ୍ରମେ ଅଦ୍ୟାବଧି ଚନ୍ଦ୍ର କ୍ଷୟ ବୃଦ୍ଧି ହେଲା ।

ଏହି ପରକାରେ ଚନ୍ଦ୍ର କ୍ଷୟ ବୃଦ୍ଧି ତତ୍ତ୍ଵ

ଦୁଇ ପରକାରେ ମୁହିଁ କରିଲି ବ୍ୟକତ ।

ପୁଣି ସେ ଚନ୍ଦ୍ର ସମୟେ ଏମନ୍ତ ରହିଲେ

ଗୁରୁପତ୍ନୀ ଋତୁକାଳେ ସ୍ନାନେ ଯାଉଥିଲେ ।

ଅପୂର୍ବ ସୁନ୍ଦରୀ ସେହି ତାରା ନାମ ତାର

ବଳେ ଗୃହେ ରଖି ସୋମ କରନ୍ତି ଶୃଙ୍ଗାର ।

ଏ ବିଷୟ ବୃହସ୍ପତି ଜାଣି ଦୁଃଖେ ଅତି

ଘରଣୀକି ମାଗିବାକୁ ଗଲେ ତାର କତି ।

ଅନେକ ପ୍ରକାରେ କହି ମାଗିଲେ ତାହାକୁ

କୌଣସିମତେ ନ ମାନି ନ ଦେଲା ତାରାକୁ ।

ଅମାନ୍ୟ କରି ଅନେକ ଅମାନନା କଲା

ନିର୍ଭୟ ମନରେ ପୁରେ ତାହାକୁ ରଖିଲା ।

ତତଃପର ଗୁରୁଦେବ ଚଳିଗଲେ ଖରେ

ସମସ୍ତ କହିଲେ ଫେଡ଼ି ଇନ୍ଦ୍ରଙ୍କ ଆଗରେ ।

ସୋମ ମୋହର ଘରଣୀ ତାରାକୁ ହରିଲା

ବହୁ ବିନୟେ ମାଗିଲି ଫେରାଇ ନ ଦେଲା ।

ଶୁଣି ଇନ୍ଦ୍ର ବାହାରିଲେ ସଙ୍ଗେ ଦେବଦଳ

ଚଳନ୍ତେ ସିନ୍ଧୁ ଗର୍ଜନେ ଶୁଭେ ମୁଖଗୋଳ ।

ଦେବଙ୍କ ଆସିବା ଜାଣି ଗଲା ସୋମ ବାଦେ

ମିଳିଲା ଭରସା କରି ଅସୁରଙ୍କ ମଧ୍ୟେ ।

ଅସୁର ବଳମାନଙ୍କୁ କହି ସଙ୍ଗକରି

ଶୁଣି ସେମାନେ ଧାଇଁଲେ ସୋମ ପକ୍ଷ ଧରି ।

ବାସବଙ୍କ ସହିତରେ ସର୍ବ ଦେବଗଣ

ଏହି ରୂପେ ଦେବାସୁର ମଧ୍ୟେ ହେଲା ରଣ ।

ଉଭୟଙ୍କ ପ୍ରକୋପରେ ବଢ଼ିଲା ସଂଗ୍ରାମ

ବୋଲନ୍ତି ତାରକାମୟ ଏହୁ ଯୁଦ୍ଧ ନାମ ।

ତାରାର ନିମନ୍ତେ ଏହି ଯୁଦ୍ଧ ହେଲା ଯେଣୁ

ତାରକାମୟ ଯୁଦ୍ଧ ଏ ବୋଲାଇଲା ତେଣୁ ।

ଏହି ରୂପେ ଦୁଇଦଳ ଘୋର ଯୁଦ୍ଧ କଲେ

ଦାନବଗଣ ଦେବତାଗଣଙ୍କର ମେଳେ ।

ଦେବଦାନବ ଉଭୟଙ୍କର ଘୋର ରଣେ

ଜାଣି ସେଠାରେ ମିଳିଲେ ବ୍ରହ୍ମା ତତକ୍ଷଣେ ।

ଉଭୟଙ୍କୁ କହି ରଣ କରିଲେ ସ୍ଥକିତ

ସୋମର ଅଗ୍ରତେ ଯାଇ ମିଳିଲେ ତ୍ଵରିତ ।

ଅନେକ ଭର୍ତ୍ସନା କରି ତାହାକୁ କହିଲେ

ତାରା ଆସି ବୃହସ୍ପତି ନିକଟରେ ହେଲେ ।

ବ୍ରହ୍ମା ଦିଅନ୍ତେ ସେ ତାରା ଗୁରୁଙ୍କୁ ଅନାଇ

ତା ଲକ୍ଷଣ ଦେଖି କଲେ ବ୍ରହ୍ମା ମୁଖ ଚାହିଁ ।

ଭୋ ତାତ ତାର ଲକ୍ଷଣ ଦେଖନ୍ତୁ ଅଗ୍ରତେ

ଏ ନିଶ୍ଚୟ ଦେଖ ଗର୍ଭ ଧରିଛି ଗୁପତେ ।

କି ପ୍ରକାରେ ଛୁଇଁବି ମୁଁ ଏହାର ଶରୀର

ଏ ନାରୀର ତାତ ଆଉ ନାହିଁ କାର୍ଯ୍ୟ ମୋର ।

କାହାର ବୀର୍ଯ୍ୟ ତାହାର ଗର୍ବେ ଅଛି ସ୍ଥିତ

ଏଥିର ତଦନ୍ତୁ ମୁହିଁ ଜାଣିବି କେମନ୍ତ ।

ତାହାର ଗର୍ଭକୁ ଗୁରୁ ଚାହିଁକରି କୋପେ

ବୃହସ୍ପତି କହୁଛନ୍ତି ତହିଁ ମନସ୍ତାପେ ।

ଆଉ ଏ ନାରୀକି ମୁହିଁ ଛୁଇଁବି କେମନ୍ତେ

କୋପାନଳେ ଭସ୍ମ ଆଜି କରିବଇଁ ତୋତେ ।

ସ୍ଵାମୀର ମୁଖରୁ ଶୁଣି ଏମନ୍ତ ଉତ୍ତର

ଭୟମନା ହୋଇ କମ୍ପେ ନାରୀର ଶରୀର ।

ସେହି ଭୟରେ ତାରାର ଗର୍ବ ପ୍ରସବିଲା

ଗୋଟିଏ ପୁତ୍ର ସୌନ୍ଦର୍ଯ୍ୟ ଜଗତ ମୋହିଲା ।

ଗର୍ଭୁ ଖସିଣ କାନ୍ଦଇ ପଡ଼ି ଭୂମିଗତେ

ଆଶ୍ଚର୍ଯ୍ୟ ହୋଇଣ ତହିଁ ଦେଖନ୍ତି ସମସ୍ତେ ।

ଅପୂର୍ବ ସୁନ୍ଦର ଦେଖି ତାହାର ବଦନ

ସେ ପୁତ୍ର ପ୍ରତି ରହିଲା ବୃହସ୍ପତି ମନ ।

ଏ ତାର ଗର୍ଭଜ ଗୋଟି ମନ୍ଦନ ମୋହର

ସୋମ ନିରୀକ୍ଷଣ କରି ସେ ବାଳ କୁମର ।

ବୋଇଲା ଏ ନିଶ୍ଚେ ଜାଣ ମୋହର ତନୟ

ଦେଖ ସୁନ୍ଦର ଦିଶଇ ମୋହର ପରାୟ ।

ଗୁରୁ ବୋଲେ ମୋର ପୁତ୍ର ସୋମ ବୋଲେ ମୋର

ଏ ରୂପେ ଅନର୍ଥ ହେଲା ଦୁଇଜଣଙ୍କର ।

ବ୍ରହ୍ମା ସହିତେ ସକଳ ମୁନିଗଣ ତୁଲେ

ଏ କାହା ଗର୍ଭ ତାରାକୁ ବିଶ୍ଵାସେ ପୁଚ୍ଛିଲେ ।

ମୁନିଙ୍କ ବଚନ ଶୁଣି ଅଧୋମୁଖ ହୋଇ

ଉତ୍ତର ନ ଦେଲା ତାରା ରହେ ଲଜ୍ଜା ପାଇ ।

କୁମର ଭୂମିରେ ପଡ଼ି ମାତା ମୁଖ ଚାହିଁ

ବୋଲେ ମୁଁ କାହାର ପୁତ୍ର ଦିଅ ସତ କହି ।

ନୋହିଲେ ନିଶ୍ଚୟ ମୁହିଁ ଶାପ ଦେବି ତୋତେ

ଗୋପନ ନ କର ବଡ଼ ଲଜ୍ଜା ହୁଏ ମୋତେ ।

ଏମନ୍ତ ପ୍ରକାରେ ସେହି ପୁତ୍ରବାକ୍ୟ ଶୁଣି

ତାରାକୁ ପାଶକୁ ରାଇ ଦେବ କୁଶପାଣି ।

ବୋଲନ୍ତି କୋଳେ ବସାଇ କୋମଳ ବଚନ

ଆଗୋ ତାରା ଭୟ ଦୂରକର ତୋର ମନ ।

ଆବର ମନ ମଧ୍ୟରୁ ଲଜ୍ଜା ଦୂରକର

ସତ କରି କହ ଏହୁ କାହାର କୁମର ।

ତାହା ଶୁଣି ତାରା ବୋଲେ ଅଟେ ମୁଖ ହୋଇ

ସୋମଙ୍କ ଆଡ଼ରୁ ଏହି ଗର୍ଭଟି ଅଟଇ ।

ଶୁଣିକରି ତତକ୍ଷଣେ ସୋମ କୋଳକଲେ

ବିଚାରିଣ ତାର ନାମ ବିହି ଏହା ଦେଲେ ।

ବୋଧିଲା ଏ ରୂପଗୁଣ ସୌନ୍ଦର୍ଯ୍ୟରୁ ଯେଣୁ

ଏହାର ନାମ ରଖିଲେ ବୁଧ ବୋଲି ତେଣୁ ।

ଏ ରୂପେ ବୁଧ ଜନମ ହୋଇଛନ୍ତି ପୁଣ

ଯେ ରୂପେ ବୁଝି ପାରିବେ ଆହେ ବିଜ୍ଞଜନ ।

ସରାଗେ କହିଲେ ଫେଡ଼ି ପ୍ରିୟାକୁ ଈଶାନ

ଦୀନ ହରି ଦାସ ଚିତ୍ତ ରହୁ ନିଶିଦିନ ।

•••

 

ସୋମବଂଶ ଚରିତ

 

ଏଥୁଅନନ୍ତରେ ପ୍ରିୟେ ଶୁଣ ଦେଇ ଚିତ୍ତ

ସେହି ସୋମ ଚନ୍ଦ୍ରଙ୍କର କହିଲି ଚରିତ ।

ତାହାଙ୍କ ପୁତ୍ର ହେଲେ ବୁଧ ମହାମତି

ଇଳା ନାମେ ତାଙ୍କ ନାରୀ ଅପୂର୍ବ ଯୁବତୀ ।

ପୁରରବାଙ୍କୁ ସେ ତପୋବନେ କଲା ଜାତ

ଏବେ ଶୁଣ ପ୍ରିୟେ ସୋମବଂଶାନୁଚରିତ ।

ସୁରଭୁବନେ ଦିନେକ ଉର୍ବଶୀ ତରୁଣୀ

ଗନ୍ଧର୍ବ ଗାୟକ ମିତ୍ରା ବରୁଣକୁ ଜିଣି ।

ମିତ୍ର ବରୁଣ ତାହାକୁ ରାଗେ ଶାପଦେଲା

ସ୍ଵର୍ଗେ ନ ରହି ମର୍ତ୍ତ୍ୟରେ ଜନମ ହୋଇଲା ।

ତକ୍ଷଣେ ଉର୍ବଶୀ ମଧ୍ୟେ ପୁରେ ହେଲା ଜନ୍ମ

ସ୍ଵାମୀ ନ ଲଭିଲା ସେହୁ ନିଜ ଆତ୍ମା ସମ ।

ଏ ରୂପେ ଗିରି କନ୍ଦର କରଇ ଭ୍ରମଣ

ଶୁଣିଲା ପୁରରବାଙ୍କ ଯହୁଁ ରୂପଗୁଣ ।

ଆସି ଦେଖିଲା କନ୍ଦର୍ପ ପ୍ରାୟେ ରୂପରାଶି

ନିଜ ତେଜରେ ଗଞ୍ଜଇ ସେହୁ ରବିଶଶୀ ।

 

 

ତାଙ୍କ ନିକଟେ ଉର୍ବଶୀ ମିଳିଲା ଏକାନ୍ତେ

ଉତଫୁଲ ନେତ୍ରେ ଦେଖଇ ହରଷିତ ଚିତ୍ତେ ।

ପୁରରବା ସେ ଉର୍ବଶୀ ମୁଖଚନ୍ଦ୍ର ଚାହିଁ

ରୂପରେ ମୋହିତ କହେ କାମବଶ ହୋଇ ।

ଆସ ସୁନ୍ଦରୀ ମୋହର ନିକଟକୁ ଆସ

ଭଲେତ ମିଳିଛ ତୁମ୍ଭେ ଆସି ମୋର ପାଶ ।

ତୁମ୍ଭର ସୌନ୍ଦର୍ଯ୍ୟେ ବଶ ହେଲି ଗାମାବର

ମୋହର ସଙ୍ଗତେ ସୁଖେ ତୁ ବିହାର କର ।

ରାଜା ବାକ୍ୟରେ ଉର୍ବଶୀ ବୋଲେ ହେ ରାଜନ

ଅନଙ୍ଗ ବାଣେ ପୀଡ଼ିତ ଯେ ମୋହର ମନ ।

ଯେବେ ତୁମ୍ଭେ ମୋର ସଙ୍ଗେ ସତ୍ୟ କରିପାର

ତେବେ ତୁମ୍ଭଙ୍କୁ ବରିବି କରି ମୁହିଁ ବର ।

ଆବର ଏ ମେଷ ଛୁଆ ଦୁଇ ସହୋବର

ଅତ୍ୟନ୍ତ ପ୍ରିୟ ଅଟନ୍ତି ଏ ଦୁହେଁ ମୋହର ।

ଏ ଦୁଇ ମେଷ ପୁତ୍ରକୁ ଯତ୍ନେ ପ୍ରତିପାଳ

ଘାତ ଆହାର ନିମନ୍ତେ ଅଟେ ମୋ କବଳ ।

ତୁମ୍ଭର ଉଲଗ୍ନ ଭାଗ କେବେ ନ ଦେଖିବି

ଏହା ସତ୍ୟ କଲେ ତୁମ୍ଭ ସଙ୍ଗରେ ରମିବି ।

ଉର୍ବଶୀ ମୁଖରୁ ଏହିପରି ବାଣୀ ଶୁଣି

ତାର ବଶ୍ୟ ହୋଇ ସତ୍ୟକାଲା ନୃପମଣି ।

ତଦପରେ ଉର୍ବଶୀକି ବିଶ୍ଵାସ କରିଣ

ଗିରି କନ୍ଦରେ ନିରତେ କରଇ ଭ୍ରମଣ ।

ରଥ ଆରୋହଣ କରି ନାନା ଦିଗ ଭ୍ରମେ

ଉର୍ବଶୀ ତୁଲେ ରମଲ ହରଷିତ ମନେ ।

ଜଳ ବିହାର କରଇ ବୁଲି ନାନା ଦେଶେ

ପ୍ରଫୁଲ୍ଲ ମନେ କୁମଦ ପଦ ଗନ୍ଧ ବାସେ ।

କେଉଁଦିନ ଉର୍ବଶୀର ସଙ୍ଗେ ସଙ୍ଗ ହେଲା

ରାତ୍ର ଦିବସ ସେ ଦିନୁ ରାଜା ନ ଜାଣିଲା ।

ଏଥୁଅନନ୍ତରେ ତୁମ୍ଭେ ଶୁଣ ପ୍ରିୟସହୀ

ଉର୍ବଶୀକୁ ନ ଦେଖିଣ ସ୍ଵର୍ଗେ ଶଚୀସାଇଁ ।

ଗନ୍ଧର୍ବଗଣଙ୍କୁ ଚାହିଁ ବୋଲେ ପୁରନ୍ଦର

ଦେଖି ନ ପାରେ ଉର୍ବଶୀ କାହିଁ ଗଲା ମୋର ।

ଇନ୍ଦ୍ରଙ୍କ ବାକ୍ୟେ ଗନ୍ଧର୍ବେ ବେନିକର ଯୋଡ଼ି

କହିଲେ ସୁରପତିଙ୍କ ପାଦତଳେ ପଡ଼ି ।

ମିତ୍ରା ବରୁଣ ଶାପରେ ଉର୍ବଶୀ ମର୍ତ୍ତ୍ୟରେ

ରହିଅଛି ପୁରରବା ରାଜାଙ୍କ ପାଶରେ ।

ଗନ୍ଧର୍ବ ବଚନେ ଇନ୍ଦ୍ର ବୋଇଲେ ଏସନ

ମର୍ତ୍ତ୍ୟପୁର ଉର୍ବଶୀକି ଆଣ ଯା ବହନ ।

ସ୍ଵର୍ଗ ଭୁବନ ନ ଶୋହେ ତାହାଙ୍କ ବିହୁନେ

ସୂର୍ଯ୍ୟ ନଥିଲେ ନ ଶୋହେ ଦିବସ ଯେସନେ ।

ତକ୍ଷଣେ ଗନ୍ଧର୍ବ ଇନ୍ଦ୍ର ଆଜ୍ଞା ଘେନି ଶିରେ

ପ୍ରବେଶ ହୋଇଲେ ଯାଇ ମର୍ତ୍ତ୍ୟ ଭୁବନରେ ।

ଦିବସ ଶେଷ ହୁଅନ୍ତେ ରାତ୍ର ଅନ୍ଧକାରେ

ମିଳିଲେ ସେ ପୁରରବା ନୃପଙ୍କର ଘରେ ।

ଦେବତାଏ ମିଳି ସର୍ବେ ମାୟା ଭିଆଇଲେ

ଉର୍ବଶୀର ପ୍ରିୟ ମେଷ ଚୋରାଇ ଘେନିଲେ ।

ସେ ଯୁଗଳ ମେଷ ଶୂନ୍ୟେ ଗଲେ ଯେତେବେଳେ

ଉଚ୍ଚ ସ୍ଵରରେ ଶୁଣାଇ ରୋଦିଲେ ବିକଳେ ।

ସେ କାନ୍ଦେ ଶୁଣି ଉର୍ବଶୀ ନିଦ ଭାଙ୍ଗିଗଲା

ଉଚ୍ଚେ କାନ୍ଦେ ମୋର ମେଷ କିଏ ଘେନିଗଲା ।

ଦେଖ ଏ ରାଜା କିପରି ରମଣୀ ପରାୟେ

ଅଚେତନେ ଶୋଇଅଛି ଶୋକ ନିଦ୍ରା ମୋହେ ।

ହୀନବୀର୍ଯ୍ୟ ନପୁଂସକ ଯେଉଁପରି ହୋଇ

ସେ ରୂପେ ଶୋଇଛି ଏହା ଦେଖିଲତ ନାହିଁ ।

ଏହି ରୂପେ ଧିକାରିଣ ରୋଦନ କରନ୍ତେ

ରାଜା ନିଦ୍ରା ଭାଙ୍ଗିଗଲା ଉଠିଲା ତ୍ଵରିତେ ।

ଉର୍ବଶୀର କଟୁବାକ୍ୟ ରୋଦନକୁ ଶୁଣି

ଅଳପ ତେଜି ଉଠିଲା ରାଗେ ନୃପମଣି ।

ବ୍ୟଥିତ ହୋଇଲା ହୃଦ ଉର୍ବଶୀ ବଚନେ

ଉଠିଲା ପ୍ରକୋପ ଉଠେ କୁଞ୍ଜର ଯେସନେ ।

ଦକ୍ଷିଣ କରେ ଖଡ଼ଗ ଦୃଢ଼ ମୁଷ୍ଟି କରି

ଉଲଗ୍ନ ଭାବରେ ଧାଏଁ ସେହି ଦଣ୍ଡଧାରୀ ।

ଅନ୍ଧାର ରାତି ଥିବାରୁ ପଥ ନ ଦିଶଇ

ଗର୍ଜ୍ଜନ ଛାଡ଼ନ୍ତେ ଉଚ୍ଚେ ରେରେକାର କହି ।

ରାଜାର ଉଠିବା ପୁଣି ଶୁଣି ତାଙ୍କ ରଡ଼ି

ତହୁଁ ସେ ଗନ୍ଧର୍ବେ ଦୁଇ ମେଷ ଦେଲେ ଛାଡ଼ି ।

ସେ ମେଷ ଦୁଇକି ରାଜା ଧରି ବାମହସ୍ତେ

ମିଳିଲା ଅତି ବେଗରେ ଉର୍ବଶୀ ଅଗ୍ରତେ ।

ଏହି ସମୟେ ଗନ୍ଧର୍ବେ ଶୂନ୍ୟମାର୍ଗେ ଥିଲେ

କୌଶଳ କରି ବିଜୁଳଇ ତେଜ ପ୍ରକାଶିଲେ ।

ସେ କାଳେ ରାଜ କଟିରେ ପିନ୍ଧାବାସ ନାହିଁ

ଉଲଗ୍ନ ଦେଖି ଉର୍ବଶୀ ମନେ ରୋଷବହି ।

ଆପଣା ମେଷ ଦୁଇକି ଧରି ବେନିହସ୍ତେ

ସେକ୍ଷଣି ଉର୍ବଶୀ ତହୁଁ ଗଲା ଶୂନ୍ୟ ପଥେ ।

ରାଜା ଅନ୍ଧାରେ ନ ଦେଖି ବୋଲଇ ବଚନ

ନିଅ ତୋ ମେଷ ନ ଜାଣି କରୁଛୁ ରୋଦନ ।

ଏମନ୍ତ କହି ଶୟନ ସ୍ଥାନରେ ମିଳିଲା

ଉର୍ବଶୀକି ପଲଙ୍କର ପରେ ନ ଦେଖିଲା ।

ଦୀପ ଲଗାଇ ନୃପତି ଖୋଜେ ତତକ୍ଷଣେ

ଦେଖଇ ଉର୍ବଶୀ ତହିଁ ନାହିଁ ଗଲା କେଣେ ।

ନ ଦେଖିଣ ସେ ବାମାକୁ ମୋହଗତେ ପଡ଼ି

କାନ୍ଦଇ ବିକଳେ ରାଜା ହୃଦେ କରତାଡ଼ି ।

ଉନ୍ମତ୍ତ ପରାୟେ ନରପତି ମହୀ ଭ୍ରମେ

ଗିରିକନ୍ଦର କାନନ ପୁଣି ଦୁର୍ଗ ଗ୍ରାମେ ।

ଏହି ରୂପରେ ଭ୍ରମିଣ ଅତ୍ୟନ୍ତ ବ୍ୟାକୁଳେ

ଯାଇକରି ପ୍ରବେଶିଲା କୁରୁକ୍ଷେତ୍ର ସ୍ଥଳେ ।

ସେ ଉର୍ବଶୀ ସେ ସମୟେ ସଖୀ ସଙ୍ଗମେଳେ

କ୍ରୀଡ଼ା ବିନୋଦ କରଇ ସରସ୍ଵତୀ କୂଳେ ।

ନରପତିଙ୍କର ମୁଖ ଚାହିଁ ଅଧୋମୁଖୀ

ମାନସ ମଧ୍ୟରେ ହୋଇ ଅତିଶୟ ଦୁଃଖୀ ।

ପୁରରବା ସେ ଉର୍ବଶୀ ବଦନକୁ ଚାହିଁ

ଯେତେ ପ୍ରକାର କହିଲା ସ୍ନେହଭର ହୋଇ ।

ରାଜାକୁ ନିକଟେ ଦେଖି ତେଣୁ କ୍ରୋଧଭରେ

କିଛି ନ କହି ଉର୍ବଶୀ ଗଲା କିଛିଦୂରେ ।

ତାହାର ପଛେ ଗୋଡ଼ାଏ ରାଜା କାମବଶେ

ବିନୟ କରି ପୁନଶ୍ଚ କହଇ ବିଶ୍ଵାସେ ।

ଆରେ ପ୍ରାଣସଖୀ ମୋର କ୍ଷଣେ ରହ ରହ

ଭଙ୍ଗ କରି ନ ଯାଅ ତୁ ଏ ମୋହର ସ୍ନେହ ।

ତୁ କିମ୍ପାଇଁ ସଖୀ ମୋତେ ମନୁ ତେଜ୍ୟାକରୁ

ଭାବ ଅଭାବ ବିଷୟ ମନେ ନ ବିଚାରୁ ।

ମୋତେ ଛାଡ଼ିକରି ସଖୀ ନ ଯା କୋପମନେ

ମୁଁ ପରା ସର୍ବଦା ଅଛି ତୋହର ବଚନେ ।

ତୁ ଯେବେରେ ପ୍ରିୟବତୀ ଛାଡ଼ିଯିବୁ ମୋତେ

ଜୀବନ ଛାଡ଼ିବ ମୋର ତୋହର ସାକ୍ଷାତେ ।

ତୋର ବିହୀନେ ନିଶ୍ଚୟ ମୋହର ଶରୀର

ଏକ୍ଷଣି ବକ୍ଷିବେ ସିନା ଶୃଗାଳ କୁକୁର ।

ଭର୍ବଶୀ ବୋଲେ ଭୋ ରାଜା ଶୁଣମୋ ଉତ୍ତର

ନ ଜାଣ ସଂସାରେ ତୁମ୍ଭେ ସ୍ତିରୀଙ୍କ ବିଚାର ।

ସ୍ଵଭାବରେ ଜାଣ ଅଟେ ଯେବା ଦୁଷ୍ଟ ନାରୀ

ତାହାଙ୍କର ସହିତରେ ବିଶ୍ଵାସ ନ କରି ।

ବ୍ୟାଘ୍ର ଭାଲୁ ହିଂସ୍ର ଜନ୍ତୁ ସହିତରେ ନର

ଯେଉଁ ପରକାରେ ଅଟେ ବିଶ୍ଵାସ ବେଭାର ।

ତେସନ ପରାୟ ସ୍ତିରୀ ଦେହେ ଯେତେ ଗୁଣ

ହେ ନରେଶ ତାହା ତୁମ୍ଭେ ଏକମନେ ଶୁଣ ।

ନିର୍ଦ୍ଦୟ ହୃଦୟ ତାଙ୍କ ଅତ୍ୟନ୍ତ କଠିନ

ସାହସ ଯଦି କରିଣ ବଳେ ଚାରିଗୁଣ ।

ଅଳପ କ୍ରୋଧ ହୋଇଲେ ଜୀବନ ଦିଅନ୍ତି

ପତି ପିତୃଙ୍କ ମନର ମଧ୍ୟେ ନ ଗଣନ୍ତି ।

ମୃତ୍ୟୁ ଅଜ୍ଞାନ ଭାବରେ ବଞ୍ଚୁଥାନ୍ତି ନିତ୍ୟେ

ବଞ୍ଚନ୍ତି ସର୍ବଦା ସେହୁ କାମଭୋଗ ଚିତ୍ତେ ।

ସ୍ଵଭାବରେ ନିତ୍ୟ ନିତ୍ୟ କଳ୍ପୁଥାଏ କାମୀ

ଇଚ୍ଛୁଥାନ୍ତି ମନେ ମନେ ନବ ନବ ସ୍ଵୀମୀ ।

ସ୍ତିରୀମାନଙ୍କର ଅଟେ ସ୍ଵଭାବ ଏମନ୍ତ

କିମ୍ପାଇ ତୁ ଆଶାକରୁ ବଳାଇଣ ଚିତ୍ତ ।

ଏବେ ତୁହି ନିଜପୁରେ ଫେରିକରି ଯାଅ

ଅବଶ୍ୟ ପାଳିବି ମୁହିଁ କାଳେ ତୋର ସ୍ନେହ ।

ଅବଶ୍ୟ ଆସିବି ପୁଣି ସମ୍ବତ୍ସର ଅନ୍ତେ

ପୁନଶ୍ଚ ରମିବି ମୁହିଁ ତୋହର ସଙ୍ଗତେ ।

ଋତୁ ସ୍ନାହାନେ ମିଳିବି ଆସି ଏକଦିନେ

ରମିବି ସୁଖରେ ଜାଣ ତୋର ସନ୍ନିଧାନେ ।

ଅବଶ୍ୟ ତୁମ୍ଭ ଔରସୁ ଜନ୍ମିବ ସନ୍ତତି

ଏଥୁକି ଏବେ ଉପାୟ ଚିନ୍ତ ନରପତି ।

ଗନ୍ଧର୍ବଗଣଙ୍କୁ ରାଜା ତୁମ୍ଭେ ପୂଜାକର

ସେମାନେ ଦେବେ ତୁମ୍ଭଙ୍କୁ ସନ୍ତୁଷ୍ଟରେ ବର ।

ସେହି ଗନ୍ଧର୍ବମାନଙ୍କ ପ୍ରସନ୍ନେ ତୁ ମୋତେ

ପାଳିବୁ ହେ ନରପତି ବରଷକ ଅନ୍ତେ ।

ଏହି ପ୍ରକାରେ ଉର୍ବଶୀ ବଚନକୁ ଶୁଣି

ଅତିଶୟ ଆନନ୍ଦିତ ହେଲେ ନୃପମଣି ।

ଗନ୍ଧର୍ବଗଣଙ୍କୁ ରାଜ ଯତନେ ପୂଜିଲା

ଅନେକ ପ୍ରକାରେ ବଳିଭୋଜା ଯୋଗାଇଲା ।

ସ୍ତୁତି ବଚନରେ କହେ ବେନି କରଯୋଡ଼ି

ସେମାନଙ୍କର ଚରଣେ ଶତେ ବାର ପଡ଼ି ।

ରାଜାର ଭକ୍ତି ଏ ରୂପେ ଦେଖିକରି ବନେ

ଅତି ଆନନ୍ଦେ ଗନ୍ଧର୍ବେ ପ୍ରସନ୍ନ ବଦନେ ।

ଏକ ମୃତ୍ତିକା ଭାଣ୍ଡରେ ଅନଳକୁ ଥୋଇ

ରାଜାଙ୍କର ସମୀପରେ ତାହା ଦେଲେ ନେଇ ।

ବୋଇଲେ ନିଶ୍ଚିନ୍ତ ହୋଇ ଏଣେ ଯଜ୍ଞକର

ଉର୍ବଶୀ ଆସିଲେ ନିଶ୍ଚେ ଜାଣେ ତୋର ପୁର ।

ଏହି ପ୍ରକାରେ ରାଜାକୁ ଅଗ୍ନିଭାଣ୍ଡ ଦେଲେ

ବିଦାୟ ହୋଇ ଗନ୍ଧର୍ବେ ଉର୍ବଶୀର ତୁଲେ ।

ସେହିକ୍ଷଣି ଦେଖୁ ଦେଖୁ ଗଲେ ଶୂନ୍ୟମାର୍ଗେ

ସେହି ଅନଳକୁ ରାଜା ଘେନି ବନଭାଗେ ।

ବୁଲି ବୁଲି ପ୍ରବେଶିଲେ କାକ ବୃକ୍ଷମୂଳେ

ଥୋଇଲେ ସେ ଅଗ୍ନିଭାଣ୍ଡ ନିଶି ଅର୍ଦ୍ଧକାଳେ ।

ସେ ଅଗ୍ନି ଭାଣ୍ଡ ଗୋଟିଏ ବୃକ୍ଷତଳେ ଥୋଇ

ନରପତି ବସି ତାକୁ ସର୍ବଦା ଚିନ୍ତଇ ।

ଉର୍ବଶୀର ବଚନକୁ ହୃଦମଧ୍ୟେ ଥୋଇ

ନିଶ୍ଚଳ ଭାବରେ ମନ ଧରି ନ ପାରଇ ।

ଏହି ପରକାରେ ସତ୍ୟଯୁଗ ବହିଗଲା

ଏଥୁଅନନ୍ତରେ ପ୍ରିୟେ ଶୁଣ ଯାହା ହେଲା ।

ତ୍ରେତୟା ଯୁଗ ଆସିଣ ପ୍ରବେଶ ହୁଅନ୍ତେ

ଯେଉଁ ପ୍ରସିଦ୍ଧ ତ୍ରିବେଦ ପ୍ରାଦୁର୍ଭୂତ ଚିତ୍ତେ ।

ଅନଳ ଉଦ୍ଦେଶ୍ୟେ ରାଜା ଦିନେ ତହିଁ ଗଲା

ବନେ ରଖିଥିବା ସ୍ଥାନେ ଅଗ୍ନି ନ ଦେଖିଲା ।

ଯେଉଁ ବୃକ୍ଷର ମୂଳରେ ଅଗ୍ନି ନ ଶୋଇଥିଲା

ସେହି ପାଦପ ଗୋଟିଏ ଅଶତ୍ଥ ହୋଇଲା ।

ସେ ଅଶ୍ଵତ୍ଥ ଗର୍ଭ ମଧ୍ୟେ ଉଠେ ଶମୀବୃକ୍ଷ

ପରୁରବା ସ୍ଵଚକ୍ଷୁରେ ଦେଖଇ ପ୍ରତ୍ୟକ୍ଷ ।

ସେହି ବୃକ୍ଷ ବନ୍ଧନକୁ ଗଲା ରାଜା ଘେନି

ତାହାକୁ କରାଇଲେ ଯେ ଯଜ୍ଞର ଅରଣି ।

ସେହି ଅରଣିର ଦ୍ଵାର ମନ୍ଥନ ଯେ କରି

ନିଗମ ନିଗମ ମନ୍ତ୍ରମାନଙ୍କୁ ଉଚ୍ଚାରି ।

ଉର୍ବଶୀ ସୁନ୍ଦରୀକି ସେ ଧ୍ୟାନ କରି ମନେ

ପୂର୍ଣ୍ଣାହୁତି ଯହୁଁ ଦେଲେ ନେଇ ହୁତାଶନେ ।

ଯଜ୍ଞପୁରୁଷମାନଙ୍କ ମନ୍ତ୍ରର ଆହ୍ଵାନେ

ନିଜେ ହରି ପ୍ରବେଶିଲେ ଯାଇ ସୁପ୍ରସନ୍ନେ ।

ଆନନ୍ତରେ ସେ ଉର୍ବଶୀ ଯଜ୍ଞ କଲେ ଆସି

ପୁରରବା ନରପତି ଗୃହରେ ପ୍ରବେଶି ।

ପୁରରବା ନରପତି ଉର୍ବଶୀର ସଙ୍ଗେ

କୁମର ଜନମାଇଲେ ବଞ୍ଚି ରତି ରଙ୍ଗେ ।

ଅଗ୍ନି ବର୍ଣ୍ଣ ପ୍ରାୟ ଷଡ଼ ପୁତ୍ର ହେଲେ ଜାତ

ସେ ରାଜା ସୁଖେ ଭୋଗିଲେ ତ୍ରେତା ପରିଯନ୍ତ ।

•••

 

ପୁରରବାଙ୍କ ଉର୍ବଶୀ ଗର୍ଭୁ ଷଡ଼ପୁତ୍ର ଜନ୍ମ ଓ ତାଙ୍କ ବଂଶାବଳୀ

 

ଏଥିଉତ୍ତାରୁ ଶୁଣ ତୁ ଆଗୋ ପ୍ରିୟସହି

ସେ ମୋମବଂଶ ଚରିତ କହୁଛି ବୁଝାଇ ।

ଉର୍ବଶୀ ଉଦର ମଧ୍ୟେ ବିଷ୍ଣୁଙ୍କର ତେଜେ

ଜନ୍ମ ହୋଇଲେ କୁମର ପୁରରବା ବୀର୍ଯ୍ୟେ ।

ସୁନ୍ଦର ପଣେ ତାହାଙ୍କୁ ନାହିଁ ଅନୁପମ

ଯେ ଷଡ଼ ନନ୍ଦନଙ୍କର ଶୁଣ ଏବେ ନାମ ।

ଆୟ ଶ୍ରୁତାୟୁ ସତ୍ୟ ଏ ସହୋଦର ନେଇ

ରୟ ବିଜୟ ଜୟ ଯେ ଷଡ଼ଗୋଟି ଭାଇ ।

ଶ୍ରୂତାୟୁର ସୁତ ନାମ ଅଟେ ବସୁମାନ

ଶ୍ରୁତାୟଙ୍ଗ ନାମେ ହେଲା ସତ୍ୟର ନନ୍ଦନ ।

ରୟର ଗୋଟିଏ ପୁତ୍ର ହେଲା ନାମ ଭୀମ

କାଞ୍ଚନ ନାମେ ହୋଇଲ ଭୀମର ନନ୍ଦନ ।

ଜୟ ପୁତ୍ର ଯେ ତା ନାମ ଅଟଇ ଅସିତ

ବିଜୟ ପୁତ୍ର ହୋଇଲା ତାର ନାମ ଖ୍ୟାତ ।

ହୋତ୍ରକ ନାମ ଅଟଇ କାଞ୍ଚନ ଅପତ୍ୟ

ଜନ୍ମୁ ବୋଲିକରି ହେଲେ ତାଙ୍କ ତହୁଁ ଜାତ ।

 

 

ହୋତ୍ରଙ୍କର ଜନ୍ମ ନାମେ ଯେବଣ ତନୟେ

ଗଣ୍ଡୁଷକେ ପିଇଥିଲେ ଗଙ୍ଗାବାରି ସିଏ ।

ଜନ୍ମୁଙ୍କର ପୁତ୍ର ଯେହୁ ପୁର ତାଙ୍କ ନାମ

ବଳାକା ନାମରେ ହେଲେ ତାହାଙ୍କ ନନ୍ଦନ ।

ବଳାକା ପୁତ୍ରଗୋଟିକ କୃଶ ଯେ ବୋଲାଇ

ତାର ତହୁଁ ଚାରିଗୋଟି ପୁତ୍ର ଜନ୍ମ ହୋଇ ।

କୁଶାମ୍ଭୁ, ବୋଲିକରି ଯେ ଅଟଇ ପ୍ରଥମ

ତନୟ ନାମ ଅଟଇ ଦ୍ଵିତୀୟ ସନ୍ତାନ ।

ତୃତୀୟ କୁମର ଗୋଟି ବସୁ ନାମେ ଖ୍ୟାତ

କୁଶନାଭ ବୋଲିକରି ଚତୁର୍ଥ ଯେ ସୁତ ।

ଜ୍ୟେଷ୍ଠ କୁଶାମ୍ଭୁର ସୁତ ହେଲା ଗୋଧି ନାମେ

ଅତ୍ୟନ୍ତ ସୁନ୍ଦର ପଣେ ଶ୍ରେଷ୍ଠ ସର୍ବଗୁଣେ ।

ତାହାଙ୍କର ନକ୍ୟା ନାମ ଅଟେ ସତ୍ୟବତୀ

ତାହାର ବିଷୟ ତୁହି ଶୁଣ ପ୍ରିୟବତୀ ।

ରୁଚିକ ନାମେ ପ୍ରସିଦ୍ଧ ଜଣେ ବ୍ରହ୍ମଋଷି

ସେହି କନ୍ୟାକୁ ମାଗିଲେ ତାର ପାଶେ ଆସି ।

ଦେଖିଣ ନେତ୍ରେ ତାଙ୍କର ବୃଦ୍ଧତା ଶରୀର

ସେ କନ୍ୟା ପାଇଁକି ତାକୁ ନ କରିଲେ ବର ।

ପୁଣି ବୋଇଲେ ରୁଚିକ ମୁଖକୁ ଅନାଇ

ଏ କନ୍ୟାଗୋଟି ଲଭିବୁ ଯେବେ ଇଚ୍ଛୁ ତୁହି ।

କରିବି ନିଶ୍ଚୟ ତୋତେ ମୋର କନ୍ୟା ବର

ତୁ ଏବେ ବିଶ୍ୱାସ କରି ମୋର ବୋଲ କର ।

ସହସ୍ରେକ ଅଶ୍ଵ ମୋତେ ଆଣିକରି ଦିଅ

ଦିଶୁଥିବ ଚନ୍ଦ୍ରଙ୍କର ପରାୟେ ତା ଦେହ ।

କିନ୍ତୁ ବର୍ଣ୍ଣ ହୋଇଥିବି ତାଙ୍କ ଶ୍ୟାମବର୍ଣ୍ଣ

ତେବେ ମୁଁ କହୁଛି ଜାଣ ଦେବି କନ୍ୟାରତ୍ନ ।

ଏହି ପରାୟ କହନ୍ତେ ଗାଧିଙ୍କ ବଚନେ

ଋଚିକ ସେକ୍ଷଣି ଗଲେ ବରୁଣ ଭୁବନେ ।

ଗାଧିଙ୍କର ସନମତ ଭାବ ଜଣାଇଲା

ସେହିକ୍ଷଣି ଜଳପତି ସସ୍ରେ ଅଶ୍ଵ ଦେଲା ।

ସେ ଅଶ୍ଵମାନଙ୍କୁ ଦେଲା ଆଣି ମୁନିବଳା

ସତ୍ୟବତୀଙ୍କୁ ବିବାହ ହୋଇଣ ରହିଲା ।

ଋଚିକ ପତ୍ନୀଙ୍କୁ ଘେନି ପୁତ୍ରର ନିମନ୍ତେ

ବିଚାର କରିଣ ସେହୁ ମାତାର ସହିତେ ।

ପୁତ୍ର କାମନା କରିଣ ପତି ପତ୍ନୀ ବେନି

ଚରୁକୁ ସାଧ କରି ଆଣି ମାହାମୁନି ।

ସେ ଚରୁକୁ ଯତନରେ ଦେଲେ ପତ୍ନୀ ହସ୍ତେ

ଏ ସମୟେ ସେ ଋଚିକ ଗଲେ ସ୍ନାନ ଅର୍ଥେ ।

ଯେବଣ ଋଚି ଅଟନ୍ତି ଋଷି ମହାତମା

ଏକମନେ ଶୁଣ ପ୍ରିୟେ ସେ ଋଚି ମହିମା ।

ଗୋଟିଏ କ୍ଷତ୍ରିୟ ଶୁଣ ବିପ୍ର ଅଟେ ଏକ

ସେ ଚରୁ କିପରି ହେଲା ବିପରୀତ ଦେଖ ।

ମାତା ବୋଲେ ସତ୍ୟବତୀ ମଧୁ ମୁଖ ଚାହିଁ

ହୃଦୟ ମଧ୍ୟରେ ଅତି ଭ୍ରାନ୍ତି ଭାବ ବହି ।

ତୋହର ଚରୁ ମୋହର ହସ୍ତେ ଆଣି ଦିଅ

ଯେବେ କି ମନମଧ୍ୟରେ କରୁ ମୋତେ ସ୍ନେହ ।

ଏମନ୍ତ ବଚନ ମାତା ମୁଖରୁ ସେ ଶୁଣି

ତକ୍ଷଣେ ସମର୍ପି ଦେଲା ରାଜାର ଦୁଲଣୀ ।

ଆପଣାର ଚରୁ ଯାହା ଦେଲା ମାତା ହସ୍ତେ

ପ୍ରିୟ ଭାବମତେ ତାହା ନିଷ୍କପଟ ଚିତ୍ତେ ।

ଏ ରୂପେ ଚରୁ ଭକ୍ଷିଲେ ସେହି ବେନି ନାରୀ

ଏଥୁଅନନ୍ତରେ କଥା ଶୁଣ ଗୋ ସୁନ୍ଦରୀ ।

ଋଚିକ ସ୍ନାନ ସାରିଣ ଫେରିଣ ଅଇଲେ

ଏକାନ୍ତେ ଗୃହେ ରଜନୀକାଳେ ବିଜେ କଲେ ।

ନିମନ ଅବସ୍ଥାରେ ସେ ସତ୍ୟବତୀ ସଙ୍ଗେ

ଦେଖନ୍ତି ପ୍ରଚଣ୍ଡ ତେଜ ବିରାଜେ ତା ଅଙ୍ଗେ ।

ସେ ତେଜର ନିକଟରେ ବସି ନ ପାରଇ

ଏମନ୍ତେ ଦେଖି ବୋଲଇ ପତ୍ନୀ ମୁଖ ଚାହିଁ ।

ଏମନ୍ତ ଅନ୍ୟାୟ କର୍ମ କାହିଁପାଇଁ କଲୁ

ତୋହର ଚରୁକୁ ତୁହି ମାତା ହସ୍ତେ ଦେଲୁ ।

ପ୍ରଚଣ୍ଡ ତେଜରେ ଜନ୍ମ ହୋଇବ ତ ସୁତ

ତାହାର ତେଜରେ ଜାଣ କମ୍ପିବ ଜଗତ ।

ଭ୍ରାତା ଯେ ହୋଇବ ସେହୁ ମହାମୁନି

ସନ୍ତୋଷରେ ଶମଦମ ଶୁଭ ଚିହ୍ନ ଘେନି ।

ଏମନ୍ତ ଶୁଣି ମନରେ ସତ୍ୟବତୀ ଭାଳେ

ଭକ୍ତିଭରେ ପଡ଼ିଲା ସେ ସ୍ଵାମୀ ପାଦତଳେ ।

କହଇ ବିନୟ କରି ଶିରେ ଦେଇ ହସ୍ତ

କରୁଣା କର ପ୍ରଚଣ୍ଡ ନ ହେଉ ମୋ ସୁତ ।

ଶୁଣି ମହାତ୍ମା ଋଚିକ ପତ୍ନୀର ବଚନେ

ଭବିଷ୍ୟ କଥାକୁ ସେହି ସୁମରିଲେ ମନେ ।

ଜାଣିପାରି ବୋଇଲେ ସେ କୁମର ତୋହର

କ୍ଷତ୍ରିୟ ଭାବରେ ସେହୁ ହେଉ ଧୁରନ୍ଧର ।

ଏମନ୍ତ ପ୍ରକାରେ କହୁ ଋଚିକ ବଚନେ

ଜନମ ହୋଇଲା ଏକ ପୁତ୍ର ଧୂମ୍ର ବର୍ଣ୍ଣେ ।

ତାହାର ରୂପ ଦେଖଇ ଯମଦଗ୍ନି ସମ

ତେଜରେ ଅଙ୍ଗ ଦିଶଇ ଅଗ୍ନି ଅନୁପମ ।

ସେହି ପୁତ୍ରକୁ ପ୍ରସବ କରି ସତ୍ୟବତୀ

ଭଜନ କଲା ଇଚ୍ଛାରେ ନଦୀଙ୍କର ଗତି ।

ନଦୀ ରୂପରେ ବହିଣ ସେହୁ ଚଳିଗଲା

ବୋଇଲେକ କଉଶିକ ନାମେ ପୁଣ୍ୟଜଳା ।

ହୋଇଲା ପୁଣି ରେଣୁକା ରେଣୁର ଦୁହିତା

ପୁଣି ପବିତ୍ର ହୃଦୟା ଅତି ଶୁଦ୍ଧଚେତା ।

ଅପୂର୍ବ ସୁନ୍ଦରୀ ସେହୁ ଅତି ସୁକୁମାରୀ

ସେ କନ୍ୟା ବିଭା ହୋଇଲା ଯମଦଗ୍ନି ବରି ।

ତାହାର ଗର୍ଭରେ ସେହୁ ଭୃଗୁପତି ବୀର୍ଯ୍ୟେ

ଜନମ ହୋଇଲା ଏକ ପୁତ୍ର ବିଷ୍ଣୁ ତେଜେ ।

ବସୁମାତାଦି ଭ୍ରାତୃଙ୍କ ତୁଲେ ପର୍ଶୁରାମ

ଉପୁଜିଲେ ବର୍ଣ୍ଣିବ କେ ତାଙ୍କର ବିକ୍ରମ ।

ବସୁଦେବଙ୍କର ପୂର୍ଣ୍ଣଅଂଶରୁ ସେ ଏକ

ହଇହୟ ବଂଶର ସେ ହୋଇଲେ ଅନେକ ।

ପରଶୁ ଗୋଟିଏ ସେହୁ ଦକ୍ଷ କରେ ଧରି

ଭ୍ରମଣ କଲେ ସେ ମହାକୋପେ ବସୁନ୍ଧରୀ ।

ତିନି ସପ୍ତବାରେ ରାଗେ ପର୍ଯ୍ୟଟନ କଲା

ଖୋଜି ଖୋଜି ଧରଣୀକୁ କ୍ଷତ୍ରିହୀନ କଲା ।

ସେ ପରଶୁରାମଙ୍କର ଚରଣେ ଶରଣ

ଦୀନ ହରି ଦାସ ଚିତ୍ତ ରହୁ ଅନୁକ୍ଷଣ ।

 

ଚନ୍ଦ୍ର ପୁରାଣ

ପର୍ଶୁରାମ ଅବତାରେ ସହସ୍ରାର୍ଜ୍ଜୁନାଦି କ୍ଷତ୍ରିୟ ବଧ

 

ଏଥୁଅନ୍ତେ ପୁଚ୍ଛାକଲେ ଦେବୀ ଶାକମ୍ବରୀ

ଅନୁଗ୍ରହ କରି ମୋତେ କହ ଶୂଳଧାରୀ ।

ହୈହୟବଂଶେ ଅନ୍ତକ କିମ୍ପା ପର୍ଶୁ ହେଲେ

ଶୁଣି ସନ୍ତୋଷ ହୋଇବି ସେ କଥା କହିଲେ ।

ସେ ହଇହୟ ବଂଶର କେ ଏଡ଼େ ନୃଶଂସ

କେଉଁ କାରଣରେ କଲା ବିଷ୍ଣୁଠାରେ ଦୋଷ ।

ସେ ହେତୁ ଆକ୍ରୋଶ ସିନା କରେ ଅସ୍ତ୍ର ଧରି

ନିକ୍ଷତ୍ର କରିଲେ ରାଗେ ଭ୍ରମି ବସୁନ୍ଧରୀ ।

ପ୍ରିୟା ବଚନେ କହନ୍ତି ଦେବ ପଶୁପତି

ଶୁଣ ଆଗୋ ପ୍ରିୟସହି ସ୍ଥିର କରି ମତି ।

ସହସ୍ର ବାହି ଅର୍ଜ୍ଜୁନ ନାମେ ବୀର ଅଂଶେ

ଜନମ ହୋଇଣ ଥିଲା ହୈହୟର ବଂଶେ ।

ଉପରେ ମହା ଗରିଷ୍ଟ ସହସ୍ରେକ ଭୁଜ

ଆଣିମାଦି ଅଷ୍ଟନିଧି ତାର ଅଇଶ୍ଵର୍ଯ୍ୟ ।

ମତ୍ତଗର୍ବରେ ଭ୍ରମଇ ଏ ତିନି ଭୁବନେ

ଭ୍ରମନ୍ତି ପ୍ରଚଣ୍ଡେଭେବେ ଯେସନେ ପବନେ ।

 

 

ଏକ ଦିନକରେ ସେହୁ ସ୍ତିରୀଗଣ ସଙ୍ଗେ

ଦିଗ ବିଜୟ କରିଣ ଗଲା ତାଙ୍କ ସଙ୍ଗେ ।

ବହୁ କାମିନୀମାନଙ୍କ ସଙ୍ଗେ ସଙ୍ଗ ଭୋଳେ

କ୍ରୀଡ଼ା କାରଣେ ପଶିଲା ରେବାନଦୀ ଜଳେ ।

ଜଳର ଗତି ନିରୋଧ କଲା କ୍ରୀଡ଼ାକାଳେ

ନଦୀକି ବନ୍ଧନ କଲା ତାର ବାହୁବଳେ ।

ଭୁଜର ଉପରେ ନେଇ ଭୁଜକୁ ଥୋଇଲା

ଏ ରୂପେ କର ବନ୍ଧରେ ଜଳ ବନ୍ଦି କଲା ।

ଏ ରୂପେ କର ବଢ଼ିଲା ନଦୀ ପ୍ରତି ସ୍ରୋତେ

ଦେଖିଣ କାମିନୀମାନେ ହରିଷିତ ଚିତ୍ତେ ।

ତହିଁ ଥିବା ପରବତ ଆଦି ଘୋରବନ

ସ୍ଥାନ ଗଭୀର ହୋଇଲା ସଭା ଜଳପୂର୍ଣ୍ଣ ।

ପ୍ରଳୟ ହୋଇଲା ପ୍ରାୟେ ଆସି ଜଳ ପୁରେ

ଇଚ୍ଛାଏ କାମିନୀଗଣ ଘେନି କ୍ରୀଡ଼ାକରେ ।

ଏମନ୍ତ କାଳେ ବିଶ୍ରବାସୁତ ଦଶାନନ

ଦିଗ ବିଜୟେ ଆସଇ କରି ସେ ଭ୍ରମଣ ।

ପ୍ରବେଶି ସେ ମାହିଷ୍ମତୀ ପୁରର ସମୀପେ

ରଖିବା ପାଇଁ ଶିବିର ତହିଁ ନେଇ ସ୍ଥାପେ ।

ଜଳେ ପ୍ଳାବିତ ଶିବିର ଦେଖି ଦଶଶିର

ମନର ମଧ୍ୟରେ ହେଲା କୋପ ଭୟଙ୍କର ।

ତଦପରେ ଅର୍ଜ୍ଜୁନର ପାଶରେ ମିଳିଲା

ଅନେକ ନିନ୍ଦିତ ବାକ୍ୟ ତାହାକୁ କହିଲା ।

ତାହାର ବାକ୍ୟେ କୁପିତ ହୋଇଣ ଅର୍ଜ୍ଜୁନ

ରାବଣେଶ୍ଵରକୁ କଲା ବହୁତ ଭର୍ତ୍ସନ ।

ହେୟ ଜ୍ଞାନରେ ମର୍କଟ ତୁଲ୍ୟ ବନ୍ଦିକରି

ତତ୍ପରେ ବନ୍ଧନାଗାରେ ନେଇ ତାକୁ ଭରି ।

ଏହି ପ୍ରକାରେ ଅନେକ ଦିନ ସେ ରଖିଲା

ପୌଲସ୍ତିଙ୍କ ବଚନରେ ପୁଣି ଛାଡ଼ିଦେଲା ।

ପୁନରପି ସେ ଅର୍ଜ୍ଜୁନ ଏକ ଦିନକରେ

ଘୋରବନକୁ ଚାଳିଲା ମୃଗୟା ହେତୁରେ ।

ସଙ୍ଗେ ଯାଇଥିଲେ ତାର ଅଶ୍ଵବଳ ଯେତେ

ରବି କିରଣେ ତୃଷିତ ହେଲେଣି ସମସ୍ତେ ।

ଏମନ୍ତ ଭାବେ ବୁଲନ୍ତି ଗିରି ଘୋରବନେ

ମିଳିଲେ ଯାଇଣ ଯମଦଗ୍ନିଙ୍କ ଭୁବନେ ।

ସସ୍ରାର୍ଜ୍ଜୁନ ଆଗମନ ଜାଣି ମୁନିଜନେ

ଆଦିରେ ବସାଇ ତାଙ୍କୁ ସୁବର୍ଣ୍ଣ ଆସନେ ।

ପୁନରପି ପୂଜାକଲେ ନାନା ଉପଚାରେ

ସନ୍ତୋଷ କଲେ କଳ୍ପିତ ଯଜ୍ଞଧେନୁ କ୍ଷୀରେ ।

ଅର୍ଜ୍ଜୁନ ତା ସୈନ୍ୟ ସର୍ବେ ସୁବର୍ଣ୍ଣ ସ୍ଥାନରେ

ଅର୍ଜ୍ଜୁନ ତା କ୍ଷୀର ସୁଧା ତୃଷା କଲା ଦୂରେ ।

ସେ ଅଦ୍ଭୁତ ଗୁଣମାନ ଦେଖି ନୃପମଣି

ସଙ୍କୋଚରେ ରହିକରି ମନେ ମନେ ଗୁଣି ।

ଭୃତ୍ୟମାନଙ୍କୁ ରାଇଣ ରାଜା ଆଜ୍ଞା ଦେଲା

ଏ ଧେନୁକୁ ଘେନି ତୁମ୍ଭେ ଚଳରେ ବୋଇଲା ।

ସେ ଯମଦଗ୍ନି ମୁନିଙ୍କୁ ଅନାଦର କରି

ତତକ୍ଷଣେ ସେହୁଠାରୁ ଗଲା ଦଣ୍ଡଧାରୀ ।

ସେ ଧେନୁ ବତ୍ସା ଦୁହିଁକୁ ରଜ୍ଜୁଦ୍ଵାରା ବାନ୍ଧି

ନେଇକରି ଚଳନ୍ତେ ସେ ଧେନୁ ଦୁଃଖେ କାନ୍ଦି ।

ଧେନୁ ବତ୍ସା ସୈନ୍ୟମହ ରାଜା ଚଳେ ଗ୍ରାମ

ଅରଣ୍ୟ ମଧ୍ୟରେ ତେଣେ ଥିଲେ ପର୍ଶୁରାମ ।

ତିନ ଭାଇଙ୍କ ସଙ୍ଗରେ ରହିଥିଲେ ବନେ

ଅଚିନ୍ତା ଭାବରେ ସେହି ପୁଲକିତ ମନେ ।

ପିତାଙ୍କର ଯଜ୍ଞାହୁତି ଭଗ୍ନ ହେବା ଶୁଣି

ଗୃହ ମଧ୍ୟରେ ପ୍ରବେଶ ହେଲେ ପର୍ଶୁପାଣି ।

ବତ୍ସାର ସହତେ ପୁଣି ଧେନୁ ଗୋଟି ନେଲା

ପିତାଙ୍କୁ ମୋହର ସେହି ଅନାଦର କଲା ।

ଅର୍ଜ୍ଜୁନକୁ ଅନାଦର କରିଣ ମନରେ

ପର୍ଶୁରାମ ତୀକ୍ଷ୍‌ଣ ପର୍ଶୁ ଧରିଣ ହସ୍ତରେ ।

ସ୍ଵପୁରକୁ ବାହୁଡ଼ିଲେ ଆପଣ ଶରୀରେ

କନ୍ଧେ ତୂଣୀର ବାନ୍ଧିଲେ ପୂର୍ଣ୍ଣ ସେ ଅସ୍ତ୍ରରେ ।

ମହାରାଗ ମନେ ଧରି କରିଲେ ଗମନ

କୁଞ୍ଜରକୁ ଦେଖି ସିଂହ ଧାମଇ ଯେସନ ।

ସେହିପରି ଗୋଡ଼ାଇଲେ ଅର୍ଜ୍ଜୁନ ପଛରେ

ସସ୍ରଭୁଜ ଦେଖିଲା ସେ ରହି ଖଣ୍ଡେ ଦୂରେ ।

ଦକ୍ଷିଣ କରେ ପରଶୁ ଅସ୍ତ୍ର ଧରିଛନ୍ତି

ହିରଣ୍ୟ ଚର୍ମ ଶରୀରେ ଯତ୍ନେ ବାନ୍ଧିଛନ୍ତି ।

ସୂର୍ଯ୍ୟ ସଦୃଶ ତାଙ୍କର ଅଙ୍ଗ ବିରାଜଇ

କପିଳଜଟାଙ୍କ ଶିରେ ତେସନ ଶୋଭଇ ।

ଏମନ୍ତ ପରାୟେ ଦେଖି ପର୍ଶୁରାମ ତେଜ

ଘରକୁ ନ ଯାଇ ପଥେ ରହେ ନୃପରାଜ ।

ନିଜ ସୈନ୍ୟମାନଙ୍କୁ ଯେ ଚାହିଁ ଆଜ୍ଞାଦେଲା

ମାରରେ ବୋଲି ସେ ନିଜେ ନାରାଚ ବିନ୍ଧିଲା ।

ଅଶ୍ଵ କୁଞ୍ଜର ଆରୋହୀ ସେନା ଥିଲେ ଯେତ

ଚାରିଆଡ଼ ଘେନି ଅସ୍ତ୍ର ବିନ୍ଧିଲେ ସମସ୍ତେ ।

ଗଦା ଖଡ଼ଗ ଭୂଷଣ୍ଡ କୁନ୍ତ ଶକ୍ତି ସୃଷ୍ଟି

କୋପେ ଚାରିଆଡ଼ୁ ସର୍ବେ କରୁଛନ୍ତି ବୃଷ୍ଟି ।

ସକଳେ ଯୁଝୁ ଅଛନ୍ତି ଅତି କୋପମନେ

ମୁଖରାବ ଶୁଭେ ଯଥା ସମୁଦ୍ର ମନ୍ଥନେ ।

ପରଶୁରାମ ପରଶୁ କୁଠାର ପ୍ରହାରି

ଅର୍ଦ୍ଧନିମିଷ ମାତ୍ରକେ ସବୁଙ୍କୁ ସଂହାରି ।

ଅର୍ଜ୍ଜୁନର ସୈନ୍ୟ ଯେତେ ଭୁଜ କନ୍ଧ ଛିଡ଼ି

ସକଳେ ପଡ଼ିଲେ ତହୁଁ ଭୂମିପରେ ମାଡ଼ି ।

କ୍ଷଣକେ ରୁଧିର ନଦୀ ତହିଁ ବହଗଲା

ଗଣ୍ଡି ମୁଣ୍ଡ ମାଳ ମାଳ କାହିଁରେ ଭାସିଲା ।

ଏ ରୂପରେ ସପ୍ତଦଶ କ୍ଷୌଣିସୈନ୍ୟ ନାଶ

ସସ୍ରଭୁଜ ରହିଅଛି ମାତ୍ର ଅବଶେଷ ।

ସେ ସୈନ୍ୟ ନିଧନ ଦେଖି ସହସ୍ର ଅର୍ଜ୍ଜୁନ

ପାଞ୍ଚଶତ ଅସ୍ତ୍ର ତହିଁ ଯୋଖିଣ ବହନ ।

ପାଞ୍ଚଶତ ଧନୁକରେ ଧାଇଲା ତକ୍ଷଣ

ପର୍ଶୁରାମ ପରେ ଶର କଲା ବରଷଣ ।

ପ୍ରବଳ ବାତେ ଗଛୁରୁ ପତ୍ର ଯେହ୍ନେ ଝଡ଼େ

ତେସନ ପ୍ରକାରେ ଅସ୍ତ୍ର ପର୍ଶୁପରେ ପଡ଼େ ।

ଏସନ ପ୍ରକାରେ ତାର ଦେଖି ବୀରଗତି

ଅତ୍ୟନ୍ତ ବେଗେ ଧାଇଁଲେ ରାଗେ ଭୃଗୁପତି ।

ସେ ସହସ୍ର ଅର୍ଜ୍ଜୁନର ସହସ୍ରେକ ଭୁଜ

ଛେଦନ କରିଲେ ହେଲେ ଧକ୍ଷ ଭୃଗୁରାଜ ।

ପୁଣି ତୀକ୍ଷ୍‌ଣ କୁଠାରରେ ତାର ମୁଣ୍ଡ ହାଣି

ଭାରା ଉଦ୍ଧାର କରିଲେ ଉଶ୍ଵାସି ଧରିଣୀ ।

ପିତା ମରଣ ଅର୍ଜ୍ଜୁନ ପୁତ୍ରମାନେ ଦେଖି

ଭୟେ ଭାଜି ପଳାଇଲେ ସମର ଉପେକ୍ଷି ।

ତଦପରେ ପର୍ଶୁରାମ ହିଂସା ତେଜି ମନୁ

ହରଷରେ ବାହିରିଲେ ଘେନି କାମଧେନୁ ।

ଯଜ୍ଞପଥେ ମିଳିଲେ ଯେ ପିତାଙ୍କ ଅଗ୍ରତେ

କାମଧେନୁ ଦେଇ ପଦେ ପଡ଼ିଲେ ତୁରିତେ ।

ତଦପରେ ତିନିଭାଇ ସହ ଯୁଦ୍ଧଗତି

ବିସ୍ତୃତ କରି କହିଲେ ସେହି ଭୃଗୁପତି ।

ପର୍ଶୁ ସକଳ କହନ୍ତେ ପିତାଙ୍କ ଅଗ୍ରତେ

ଶୁଣିକରି ଯମଦଗ୍ନି କହିଲେ ଏମନ୍ତେ ।

ଶୁଣ ପୁତ୍ର ହିଂସା ବଶେ କଲୁ ଯାହା ତୁହି

ଘୋର ପାପ ଅରଜିଲୁ ବଧି ନରସାଇଁ ।

ସକଳ ଦେବ ବସନ୍ତି ରାଜାଙ୍କ ଶରୀରେ

ସ୍ଵଭାବରେ ଆମ୍ଭେ ଅଟୁ ବ୍ରାହ୍ମଣ ଜାତିରେ ।

ଶୁଭାଶୁଭ ହିତାହିତ ବିଚାର ନ କଲୁ

ବ୍ରାହ୍ମଣ କୁଳରେ ମାତ୍ର କଳଙ୍କ ରଖିଲୁ ।

ବ୍ରାହ୍ମଣମାନଙ୍କ ଅଟେ କ୍ଷମା ଆଚରଣ

ବ୍ରାହ୍ମଣଙ୍କୁ ନ ଶୋଭଇ ଏସନ କରମ ।

ଦେଖ ବତ୍ସ ବ୍ରହ୍ମା ଅଟେ ଦେବଙ୍କର ଗୁରୁ

କ୍ଷମାରେ ପରିପୂରିତ ଯେଉଁପରି ମେରୁ ।

ସେହି ହେତୁରୁ ବସନ୍ତି ସଦା ସତ୍ୟଲୋକେ

ଅଶେଷ ଲକ୍ଷ୍ମୀ ଭଜନ୍ତି ରହିକରି ଏକ ।

ଯାହାଙ୍କର ହୃଦୟରେ ଜାଣ କ୍ଷମା ରହେ

ବିଷ୍ଣୁ ବସତି କରନ୍ତି ତାହାଙ୍କ ଦେହେ ।

ଏଣୁ କହିଲୁ ନୃପଙ୍କୁ ଯେହୁ ବଧ କରେ

ଦୂରିତମାନଙ୍କରୁ ସେ କଦାପି ନ ତରେ ।

ଏହେତୁରୁ କହୁଛି ମୁଁ ତୀର୍ଥ ସେବାକର

ତୋହର ଏ ଶରୀରରୁ ପାପ ଯାଉ ଦୂର ।

ହୃଦୟେ ଚିନ୍ତା କରିବୁ ଦେବ ନାରାୟଣ

ୟା ନ କଲେ ତୋର ପୁତ୍ର ନାହିଁ ପରିତ୍ରାଣ ।

ଏ ରୂପେ ପୁତ୍ରକୁ ବୋଧି କହିଲେ ସେ ମୁନି

ଦୀନ ହରି ଦାସ ନିତ୍ୟ କରଇ ଦଇନି ।

•••

 

ଯମଦଗ୍ନିଙ୍କ ମୃତ୍ୟୁ ଏବଂ ସପ୍ତଋଷିଙ୍କ ମେଳେ ବାସ

 

ଏଥୁଅନନ୍ତରେ ଉମା ବେନି କରଯୋଡ଼ି

ପୁଚ୍ଛାକଲେ ପିତାଙ୍କର ଚରଣରେ ପଡ଼ି ।

ଏହାପରେ ପର୍ଶୁରାମ ଯେଉଁ କଥା କଲେ

ସେ କଥା ବୁଝାଇ ନାଥ କୁହ ମୋର ତୁଲେ ।

ପ୍ରୟା ବଚନେ କହିଲେ ଦେବ ତ୍ରିପୁରାରି

ଭୃଗୁଙ୍କ ବିଷୟ ତୁହି ଶୁଣ ହେତୁ କରି ।

ପିତା ବାକ୍ୟ ଶିରେ ଘେନି ପଶିଲେ ବନରେ

ସ୍ନାନ କରିଲେ ଭ୍ରମିଣ ଅନେକ ତୀର୍ଥରେ ।

ପୁଶି ପାଦେ ବକ୍ତିଭରେ କଲେ ନମସ୍କାର

କଲ୍ୟାଣ କରିଲେ ମୁନି ପୁତ୍ରକୁ ତାହାର ।

ଏଥୁଅନନ୍ତରେ ପ୍ରିୟେ ଶୁଣ ଅନ୍ୟବାଣୀ

ଭୃଗୁ ଜନନୀ ରେଣୁକା ଗଲା ଜଳ ଆଣି ।

ଗଙ୍ଗାର ନିକଟେ ଯାଇ ପ୍ରବେଶ ହୋଇଲେ

ଚିତ୍ରସେନ ଗନ୍ଧର୍ବକୁ ସେ ଜଳେ ଦେଖିଲେ ।

ଚନ୍ଦ୍ରଙ୍କର କୁମର ସେ ଅଟେ ଚିତ୍ରସେନ

ଜଳକ୍ରୀଡ଼ା କରେ ସଙ୍ଗେ ଘେନି ନାରୀଗଣ ।

 

 

ଅପ୍‌ସରାମାନଙ୍କ ତୁଲେ ସେ ଗଙ୍ଗା ସଲିଳେ

କ୍ରୀଡ଼ା ବିନୋଦେ ମାତିଛି ଅତି କୁତୂହଳେ ।

ରେଣୁକା ଜଳ ଆଣିବା ମନରୁ ଉପେକ୍ଷି

ଏକଦଣ୍ଡ ରହିଗଲେ ସେ ବିନୋଦ ଦେଖି ।

ହୋମର ବେଳକୁ ସେହି ମନେ ନ ସୁମରି

ଗନ୍ଧର୍ବ କ୍ରୀଡ଼ା ବନୋଦେ ଅତି ସ୍ନେହ କରି ।

ପୁନରପି କିଛିକ୍ଷଣେ ବାମା ଜ୍ଞାନ ପାଇ

ସ୍ଵାମୀ ନିକଟେ ମିଳିଲା ଜଳ କୁମ୍ଭ ନେଇ ।

ବିଳମ୍ବ ହେତୁ ସ୍ଵାମୀଙ୍କ ମନେ ଶଙ୍କା ବଳେ

ଜଳ ଘେନିଣ ଆସି ସେ ମନ୍ଦିରେ ମିଳିଲେ ।

ଜଳ କଳସୀ କାଖରୁ କାଢ଼ି ଯଜ୍ଞ ଘରେ

ଥୋଇଲା ନେଇଣ ସେହି ସ୍ଵାମୀ ସମ୍ମୁଖରେ ।

ତଦପରେ କରଞ୍ଜଳି କରି ବେନିକର

ଯଜ୍ଞ ମନ୍ଦିରେ ରେଣୁକା ରହେ ହୋଇ ସ୍ଥିର ।

ବିଳମ୍ବ ହେତୁ ରେଶୁକା ମୁଖ ଚାହିଁ ମୁନି

ପ୍ରଚଣ୍ଡ କୋପ ହୋଇଣ ସେହି ଯମଦଗ୍ନି ।

ଜାଣିପାରିଲେ ରେଣୁକା ଗନ୍ଧର୍ବର ମେଳେ

ମନକୁ କଳ୍ପଇ ଅଛି ଦେଖି ଗଙ୍ଗା ଜଳେ ।

ପର୍ଶୁଙ୍କ କନିଷ୍ଠ ତିନି ସହୋଦର ଭାଇ

ବୋଇଲେ ରେଣୁକା ଶିର କାଟ ବେଗେ ନେଇ ।

ନୀର ଆଣିବାକୁ ଯାଇ ଗନ୍ଧର୍ବକୁ ଦେଖି

ମନ କରିଲା ତା ସଙ୍ଗେ ଏ ନିର୍ଲଜ ମୁଖୀ ।

ସ୍ଵାଭାବରେ ଜାଣିଲେ ଏ ଅଟେ ଦୁଷ୍ଟନାରୀ

ଚାହିଁ ନ ଯୋଗାଏ ଜାଣ ବଦନ ଏହାରି ।

ସେ ତିନି କୁମାର ମାତାଠାରେ ସେହ୍ନକଲେ

ପିତାଜ୍ଞା ଲଙ୍ଘିଲେ ମାତା ଶିର ନ ଛେଦିଲେ ।

ଅତି କୋପଭରେ ମୁନି ପର୍ଶୁରାମେ ଚାହିଁ

ବୋଲେ ମୋ କଥା ଭାଙ୍ଗିଲେ ତୋର ତିନିଭାଇ ।

ମାତାସହ ସେ ତିନିଙ୍କ କାଟ ତୁହି ଶିର

ମୋହର ଏ ଆଜ୍ଞା ବାବୁ ଅନ୍ୟଥା ନ କର ।

ସେ ପର୍ଶୁରାମ ପିତାଙ୍କ ସ୍ଵାଭାବାଦି ଗୁଣ

ଜାଣନ୍ତି ତପସମାଧି ଦକ୍ଷତା ନିପୁଣ ।

ପିତାଜ୍ଞା ଶିରେ ଧରିଣ ଶାଣିତ କୁଠାରେ

ମାତାଦି ତିନିଭାଇଙ୍କୁ କାଟିଲେ ସତ୍ଵରେ ।

ପର୍ଶୁରାମ କର୍ମ ଦେଖି ପିତା ତୋଷ ହେଲେ

ପ୍ରସନ୍ନ ବଦନେ ତାର ମୁଖକୁ ଚାହିଁଲେ ।

ବୋଇଲେ ଯେ ବର ବାବୁ ମାଗିପାରୁ ତୁହି

ନିଶ୍ଚୟ କହୁଛି ତାହା ତୋତେ ମୁଁ ଦେବଇଁ ।

ପିତା ସୁପ୍ରସନ୍ନ ହେବା ଦେଖି ପାଦେ ପଡ଼ି

ପର୍ଶୁରାମ ବୋଇଲେକ ବେନିକର ଯୋଡ଼ି ।

ଭୋ ତାତ ପ୍ରସନ୍ନ ହେଲେ ବର ଦେବ ଯେବେ

ବିନୟ କରି ଶ୍ରୀପଦେ ମାଗୁଛି ମୁଁ ତେବେ ।

ମାତାଦି ତିନି ସୋଦର ଲଭନ୍ତୁ ଜୀବନ

ଏତେ ମାତ୍ର ଶ୍ରୀପଦରେ ମୋର ନିବେଦନ ।

ଅସ୍ତୁ କରିଲେ ପୁତ୍ରର ବାକ୍ୟେ ତପୋଧନ

ମାତା ଆଦି ତିନିଭାଇ ଲଭିଲେ ପରାଣ ।

ନିଦ୍ରିତ ଜନ ନିଦ୍ରାରୁ ଉଠିଲେ ଯେପରି

ଶରୀରୁ ସମ୍ଭାଳି ସର୍ବେ ଉଠିଲେ ସେପରି ।

ପିତାଙ୍କର ତପବଳ କ୍ଷମତାଦି ଜାଣି

ମାତା ଭ୍ରାତାଙ୍କୁ ହାଣିଣ ଜୀଆଇଲେ ପୁଣି ।

ଏମନ୍ତ ପ୍ରକାରେ ରାମ ଘୋର କର୍ମ କଲେ

ପୁନରପି ଉପାୟରେ ସ୍ଵଧର୍ମ ରଖିଲେ ।

ସେହି ପର୍ଶୁରାମଙ୍କର ଅଙ୍ଗ ସଙ୍ଗ ତୁଲେ

ମରଣର ସମ୍ମୁଖରୁ ପୁନଶ୍ଚ ରଖିଲେ ।

ଭାଇମାନଙ୍କୁ ସେ ପର୍ଶୁରାମ ଘେନି ଦିନେ

ପ୍ରବେଶ ହୋଇଲେ ଯାଇଁ ମହାଘୋର ବନେ ।

ତପ ଆରମ୍ଭି ବସିଲେ ଲୟେ ଯୋଗଧ୍ୟାନେ

ଏକତ ଚିତ୍ତେ ପବିତ୍ର ନିଶ୍ଚଳ ଆସନେ ।

ତାଙ୍କର ଧ୍ୟାନେ ବସନ୍ତେ ପଶୁପକ୍ଷୀ କୁଳେ

ଜଳଚର କୀଟଗଣ ବିହରନ୍ତି ଜଳେ ।

ଭୟ ଚିତ୍ତରେ ଶବଦ କେହି ନ କରନ୍ତି

ଏଥୁଅନନ୍ତରେ ପ୍ରିୟେ ଶୁଣ ଦେଇ ମତି ।

ସସ୍ରାର୍ଜ୍ଜୁନର କୁମରେ ପିତା ମୃତ୍ୟୁ ଦେଖି

ଭାଜି ପଳାଇଲେ ସର୍ବେ ସମର ଉପେକ୍ଷି ।

ପିତାରିପୁ ସାଧିବାକୁ ମିଳି ସର୍ବ ଭ୍ରାତ

ସଙ୍ଗତରେ ଘେନିକରି ସଇନ ବହୁତ ।

ଛିଦ୍ର ଅନ୍ଵେଷଣ କରି ରଜନୀ ସମୟେ

ଆସି ପ୍ରବେଶିଲେ ଯମଦଗ୍ନିଙ୍କ ଆଳୟେ ।

ହୃଦୟ ମଧ୍ୟରେ ସେହୁ ସ୍ମରି ଘୋରତମ

ଘେରାଉ କରି ରୁନ୍ଧିଲେ ମୁନିଙ୍କ ଆଶ୍ରମ ।

ସେ ସମୟେ ଯମଦଗ୍ନି ଥିଲେ ଯଜ୍ଞଶାଳେ

ମଙ୍ଗଳମୟ ବିଷ୍ଣୁଙ୍କ ପାଦେ ପୂଜାକରେ ।

ବଇରୀମାନେ ତାହାଙ୍କୁ ବଧିବାର ରୋଷେ

ବନ୍ଧନ କଲେ ତାହାଙ୍କୁ ଧରି ଦୃଢ଼ ପାଶେ ।

ରେଣୁକା ସୁନ୍ଦରୀ ତାଙ୍କୁ ଛାଡ଼ ବୋଲେ

ବିନୟ ଭାବରେ ପଡ଼ି ତାଙ୍କ ପାଦତଳେ ।

ରେଣୁକା ବଚନକୁ ସେ ତିଳେହେଁ ନ ଶୁଣି

ତୀକ୍ଷ୍‌ଣ ଖଡ଼୍‌ଗେ ମୁନିଙ୍କ ମୁଣ୍ଡ ଦେଲେ ଜାଣି ।

ଧନ ସମ୍ପଦ ମୁନିଙ୍କ ସର୍ବ ଯୂରକରି

ତତକ୍ଷଣେ ପ୍ରବେଶିଲେ ଯାଇ ନିଜ ପୁରୀ ।

ପତି ନିଧନେ ରେଣୁକା ଦୁଃଖ ଶୋକଭରେ

ଅତି ବିକଳେ ରୋଦନ କଲେ ଉଚ୍ଚସ୍ୱରେ ।

ଶିର ହୃଦୟରେ ବାମ କରକୁ କଚାଡ଼ି

କାନ୍ଦଇ ଧରଣୀ ପରେ କ୍ରୋଧେ ମୁଣ୍ଡ କୋଡ଼ି ।

ଉଚ୍ଚେ ଡାକିଲା ସେ କାହିଁ ଅଛି ପର୍ଶୁରାମ

ହେ ବାପ ବହନ ହୋଇ ଆସ ତୁ ଆଶ୍ରମ ।

ସଙ୍ଗରେ ଘେନି କରିଣ ତୋର ତିନି ଭାଇ

ଦୁଃଖିନୀରେ ଡାକ ଶୁଣି ବେଗେ ଆସ ଧାଇଁ ।

ଏରୂପେ ମାତାଙ୍କ କାନ୍ଦ ପବନର ବଳେ

ଘୋର ଅରଣ୍ୟେ ଶୁଭିଲା ରାମ କର୍ଣ୍ଣମୂଳେ ।

ମାତା ଡାକରେ ସମାଧି ତେଜି ବୀରମଣି

ଭାଇଙ୍କ ସଙ୍ଗେ ଆଶ୍ରମେ ମିଳିଲେ ସେକ୍ଷଣି ।

ଭୁବନେ ମିଳି ଦେଖିଲେ ନିଜ ପତା ହତ

ଦେଖି ଚାରିଭାଇ ହେଲେ ଅତ୍ୟନ୍ତ ଦୁଃଖିତ ।

ପିତାଙ୍କ ଗୁଣ ସମରି ଅତି ଉଚ୍ଚସ୍ଵରେ

କାନ୍ଦିଲେ କ୍ଷଣକ ଅତି ବିଦୀର୍ଣ୍ଣ ହୃଦରେ ।

ହେ ତାତ ସାଧୁ ଧାର୍ମିକ ସୁଞ୍ଜାନୀ ପଣ୍ଡିତ

ଆମ୍ଭଙ୍କୁ ଅରକ୍ଷ କରି ହେଲା ସ୍ଵର୍ଗପ୍ରାପ୍ତ ।

ଶୋକ ସମ୍ବରଣ କରି ସେ କୁଠାର ବର

ଦେଖିଲେ ପିତାଙ୍କ ଗଣ୍ଡି ନାହିଁ ତହିଁ ଶିର ।

ତିନି ଭାଇଙ୍କୁ ତତ୍ପରେ ଦେଲେ ଏ ଆଦେଶ

ପିତୃ ଯଜ୍ଞ କରଣାର୍ଥେ ତୁମ୍ଭେମାନେ ବସ ।

ଭାଇମାନଙ୍କୁ ଏରୂପେ କହି ପର୍ଶୁଧର

କୁଠାର ହସ୍ତରେ କଲେ ପ୍ରତିଜ୍ଞା ଅପାର ।

ସଂକଳ୍ପ କରିଲେ ପୁଣ ଜଳ କରେ ଘେନି

ନିକ୍ଷତ୍ରୀ କରିବି ଏକା ଭ୍ରମିଣ ମେଦିନୀ ।

କ୍ଷତ୍ରୀୟ ଅନ୍ତ କରଣେ ପର୍ଶୁଧରି କରେ

ବାହାର ହୋଇଲେ ପୁରୁ ଅତି କ୍ରୋଧବରେ ।

ମାହିଷ୍ମତୀ ପୁରେ ଯାଇଁ ହୋଇଲେ ପ୍ରବେଶ

ଶୂନ୍ୟରଥେ ରହିକରି ଦେଖନ୍ତି ତ୍ରିଦଶ ।

ଅର୍ଜ୍ଜୁନର ବଂଶ ସଙ୍ଗେ ମହାଯୁଦ୍ଧ କରି

ଗୋଟିଏ କେ ନ ବର୍ତ୍ତିଲା ସମସ୍ତଙ୍କୁ ମାରି ।

ପର୍ବତ ପ୍ରମାଣେ ସର୍ବ ମୁଣ୍ଡ କଲେ ରୁଣ୍ଡ

ଆପଣା ଗ୍ରାମେ ସ୍ଥାପିଲେ ସେ ରାମ ପ୍ରଚଣ୍ଡ ।

ସେହି କ୍ଷତ୍ରିୟମାନଙ୍କ ମରଣ ରୁଧିରେ

ନଦୀ କି ବଢ଼ି ବହଇ ଅତି ଭୟଙ୍କରେ ।

ତହିଁରେ କଲେ ପିତୃଙ୍କ ପରପଣ ବିଧି

ସେ ନଦୀକି ପୁନରପି ସେତୁବନ୍ଧ ବାନ୍ଧି ।

ସ୍ଥାପି ନକ୍ଷତ୍ର ସେ ଦିଶେ ପୁଣି ମହାରୋଷେ

ଧାଇଁଲେ କ୍ଷତ୍ରିୟ ବଂଶ କରଣେ ନିଃଶେଷେ ।

ତିନି ସପ୍ତବାର ସେହୁ ପୃଥିବୀରେ ଭ୍ରମି

ମହା କ୍ରୋଧଭରେ ସେହୁ ହେଲେ ପଥଶ୍ରମି ।

ଖୋଜି ଖୋଜି କ୍ଷତ୍ରିୟକୁ ବଳେ ଧରି ଆଣି

କୁଠାର ଧାରେ ତାହାଙ୍କ ମସ୍ତକକୁ ହାଣି ।

ରୁଧିରରେ ପରିପୂର୍ଣ୍ଣ ନବକୁଣ୍ଡ କଲେ

ପିତାଙ୍କୁ ସେହି ତର୍ପଣେ ସନ୍ତୁଷ୍ଟ କରିଲେ ।

ଏରୂପେ ସେ କୁରୁକ୍ଷେତ୍ର ମହାଯଜ୍ଞ କରି

ବ୍ରହ୍ମାଣମାନଙ୍କୁ ସେହି ଚାରିବେଦୁ ବରି ।

ପ୍ରସନ୍ନ ଚିତ୍ତେ ଦକ୍ଷିଣା ଦେଲେ ବିପ୍ରହସ୍ତେ

ଏଥୁଅନନ୍ତରେ ପ୍ରିୟେ ଶୁଣ ଏକଚିତ୍ତେ ।

ଶ୍ରୀହସ୍ତରେ ଘେନିକରି ସେହି ଜଳକୁଶ

ପୂର୍ବେ ତାହାଙ୍କୁ ସେ ସ୍ଵଚ୍ଛେ ଦେଲେ ଦାନଦଶ ।

ଦକ୍ଷିଣା ପୁନଶ୍ଚ ସେହୁ ବ୍ରହ୍ମା ହସ୍ତେ ଦେଲେ

ପଶ୍ଚିମ ଦିଗରୁ ସେ ଯେ ଅଧ୍ଵର୍ଯ୍ୟ ବରିଲେ ।

ଉତ୍ତର ଦିଗକୁ ରାମ ଦେଲେ ତାର ହସ୍ତେ

ଏରୂପେ ପ୍ରଦାନ ସେହୁ କରିଲେ ପ୍ରଶସ୍ତେ ।

ବେଦର ଚାରି ଚାରି ସେ କୋଣକୁ ଦକ୍ଷିଣା

ଦେଲେ ବ୍ରହ୍ମାଣମାନଙ୍କୁ କରିଣ କରୁଣା ।

ଦକ୍ଷିଣା ଆଦି କରି ସେ କ୍ଷେତ୍ର ସମେତରେ

କଶ୍ୟପ ହସ୍ତରେ ରାମ ଦେଲେ ହରଷରେ ।

ପ୍ରସିଦ୍ଧ ଯେ ଆର୍ଯ୍ୟବର୍ତ୍ତ ସାର ପୁଣ୍ୟ ଭୂମି

ଉପଦେଷ୍ଟାକୁ ସନ୍ତୋଷେ ସମର୍ପିଲେ ସ୍ଵାମୀ ।

ସଭାପତିଙ୍କି ଆବର କରିଲେକ ତୋଷ

ଅପର ଯେ ଥିଲେ ତାଙ୍କୁ ଦେଲେ ଅବଶେଷ ।

ଅପର ପଶିଶ ସେହୁ ସରସ୍ଵତୀ କୂଳେ

ଯଜ୍ଞର ଅର୍ଥେ ପରଶୁରାମ ସ୍ନାନ କଲେ ।

ସେ ପବିତ୍ର ବ୍ରହ୍ମ ନାରୀ ଜଳ ମଧ୍ୟେ ପଶି

ପ୍ରଚଣ୍ଡ ରବି କିରଣ ପରି ତେଜ ଦିଶି ।

ସେହି ଯଜ୍ଞ ପୁଣ୍ୟକର୍ମ ଫେଳେ ଯମଦଗ୍ନି

ଜ୍ଞାନ ସୁରକ୍ଷଣ ସଂଜ୍ଞା ଯଶ ଦୀପ୍ତ ଘେନି ।

ସପ୍ତ ଋଷିଙ୍କ ମଧ୍ୟରେ ଲଭିଲେ ସେ ଧାମ

ଏ କର୍ମ କରି ସ୍ଥାପିଲେ ତାଙ୍କୁ ପର୍ଶୁରାମ ।

ସେ ପଦ୍ମ ଲୋଚନ ରାମ ଭୃଗୁଙ୍କ ନନ୍ଦନ

ହବିଷ୍ୟ ମନ ଅନ୍ତରେ ବ୍ରହ୍ମ ବିସ୍ତାରିଣ ।

ଯୋଗ ଅଭ୍ୟାସି ମହନ୍ଦ୍ରେ ପର୍ବତେ ମିଳିଲେ

ନର ଦେହ ହରି ଭୃଗୁବଂଶରେ ଜନ୍ମିଲେ ।

ଦୁଷ୍ଟ କ୍ଷତ୍ରିୟଗଣକୁ ସମୂଳେ ନିବାରି

ହେଳରେ ବସୁନ୍ଧରୀର ଭାରାକୁ ଉଦ୍ଧାରି ।

ସୋମବଂଶେମଧ୍ୟେ ଗାଧିବଂଶେ ହୋଇ ଜନ୍ମ

ସଂସାର ମଧ୍ୟେ ଏରୂପେ କଲେ ଘୋର କର୍ମ ।

କ୍ଷତ୍ରିୟ ବିକ୍ରମ କର୍ମମାନ ଏ ଶୟଳେ

ପୁନରପି ତେଜ୍ୟାକଲେ ତପସ୍ୟାର କାଳେ ।

ବ୍ରହ୍ମା ବଚନରେ ପୁନରପି ଶ୍ରାଦ୍ଧ କଲେ

ମହେନ୍ଦ୍ର ପର୍ବତେ ତପ ଆରାଧି ରହିଲେ ।

ବିଶ୍ଵାମିତ୍ର ଋଷିଙ୍କର ଶତ ଶତ ପୁତ୍ର

ଜନମ ହୋଇଲେ ସେହୁ ଧରି ଶତ ଗୋତ୍ର ।

ସେହି ଗୋତ୍ରରେ ମଧଅୟରେ ମଧୁଛନ୍ଦି ଆଦି

ଜନ୍ମ ଗ୍ରହଣ କରିଲେ ସର୍ବେ ବେଦବାଦୀ ।

ପୁନଃଶେଫକୁ ସେ ପୁତ୍ର କରିଣ ଏକାନ୍ତେ

ବିଚାର କରିଲେ ବସି ଭାର୍ଗବ ସଙ୍ଗତେ ।

ପୁନରପି ନିଜ ପୁତ୍ରେ ଡକାଇଣ ଧୀରେ

ନିଗମ ବୁଝାଇ ତାକୁ କହିଲେ ବେଭାରେ ।

ଏହାକୁ ପୁତ୍ର ସମାନେ ମନେ କଳ୍ପକର

ଗୋ ମଧ୍ୟରେ ନନ୍ଦନ ଯେ ଅଟେ ଏ ତୋହର ।

ହରି ଚନ୍ଦନ ରାଜାଙ୍କୁ ଯଜ୍ଞ ହେବା କାଳେ

ପିତା ବିକ୍ରୟ କରିଣ ଧରେ ତାକୁ ବଳେ ।

ରୋହିତ ବଦଳେ ତାକୁ ପଶୁ ଅର୍ଥେ ହେଲା

ଏହାର ମାଂସରେ ସେହି ଯଜ୍ଞ କରିଥିଲା ।

ସେ ଶୁନଃଶେଫର ପ୍ରତି ଦେବେ ତୋଷହୋଇ

ତକ୍ଷଣେ ତାହାକୁ ସର୍ବେ ମରଣୁ ଜୀଆଇ ।

ଗାଧିଙ୍କର ପୁତ୍ରମାନଙ୍କର ମଧ୍ୟେ ଥାଇ

ସେ ପୁତ୍ରର ନାମ ଦେବରାଜ ଥିଲେ ଦେଇ ।

ସପ୍ତ ଗୋତ୍ର କଳ୍ପଋଷି ଗୋଟି ପ୍ରବେଶିଲେ

ମନ୍ଵନ୍ତେ ଗୋତ୍ର ସ୍ଥାପିବେ ପୁଣି ରବିତଳେ ।

ଭୃଗୁ ବଂଶରେ ଏରୂପେ ହୋଇକରି ଜନ୍ମ

ସେ ରହି ସଂସାର ମଧ୍ୟେ କଲେ ସେତେ କର୍ମ ।

ଚନ୍ଦ୍ର ପୁରାଣରେ ଶୁଣି ସେପରି ଚରିତ

ବୋଲେ ଶିରୀ ହରି ଦାସ ଭବୁ ହେବାମୁକ୍ତ ।

•••

 

ଚନ୍ଦ୍ରବଂଶ ବିବରଣ

 

ଏଥୁଅନନ୍ତରେ ହୈମବତୀ ଯୋଡ଼ି କର

ପତିଙ୍କର ଶ୍ରୀଚରଣେ କରି ନମସ୍କାର ।

ପୁଚ୍ଛାକଲେ କହ ନାଥ ଏହାପରେ କିସ

ଚନ୍ଦ୍ରବଂଶ କଥା କହି କରାଅ ସନ୍ତୋଷ ।

ମହେଶ କହନ୍ତି ପ୍ରିୟେ ଶୁଣ ମନ ଦେଇ

ଶୁଣିବା ପାଇଁକି ଯେଣୁ ତୁହି ଶ୍ରଦ୍ଧାମୟୀ ।

ତୋ ଆଗେ ନ କହିଲେ ମୁଁ କାଆଗେ କହିବି

ଏକମନେ ଶୁଣ ଆରେ ପରାଣ ବାନ୍ଧବୀ ।

ଆୟୁ ନାମରେ ଯେ ଥିଲା ପୁରରବା ସୁତ

ବୁଝାଇ କହୁଛି ମୁହିଁ ତାହାଙ୍କ ଚରିତ ।

ନହୁଷ ନାମରେ ହେଲେ ତାହାଙ୍କ ତନୟେ

ଆବର ଯେ କ୍ଷତ୍ର ବୁଦ୍ଧ ନାମେ ଏକ ହୋଏ ।

ଏହାପରେ ରାଜୀଗର୍ଭ ପୁତ ହେଲେ ଜାତ

ଅନେକାକୁ ମିଶାଇଣ ରହି ପାଞ୍ଚ ସୁତ ।

କ୍ଷତ୍ରବୁଦ୍ଧର ବଂଶ ମୁଁ କହେ ଆଗେ ଶୁଣ

ସୁହୋତ୍ର ନାମରେ ହେଲା ଏହାଙ୍କ ନନ୍ଦନ ।

 

 

ତାହାଙ୍କଠାରୁ ଜନମ ହେଲା ବେନିସୁତ

କଶ୍ୟ ପ୍ରଥମ କୁମର କୁଶ ଗୃତ୍ସମତ ।

ଗୃତ୍ସମତର ସନ୍ତୋନ ଶୁନକ ତା ନାମ

ଶୁନକ ପୁତ୍ର ଶୌନକ ବଡ଼ ମତିମାନ ।

ଜନମ ଗ୍ରହଣ କଲେ ପିତୃ ତେଜ ଘେନି

ବେଦରେ ମହାପାରଗ ହେଲେ ମହାମୁନି ।

କଣ୍ୟର କାଶୀ ନାମରେ ହେଲେ ସୁତ

ରାଷ୍ଟ୍ର ନାମରେ ତାହାର ପୁତ୍ରେ ହେଲା ଜାତ ।

ତାହାର ପୁତ୍ରେକ ହେଲା ଧନ୍ଵନ୍ତରୀ ନାମ

ଦୀର୍ଘତ ନାମ ତାହାର ଜନନୀର ନାମ ।

ସେହି ଧନ୍ଵନ୍ତରୀ ଆୟୁର୍ବେଦ ଭିଆଇଲା

ଯେଉଁ ଔଷଧ ପ୍ରାଣୀଙ୍କ ବ୍ୟାଧି ନାଶକଲା ।

ସେ ମହାପୁରୁଷ ଯଜ୍ଞଭାଗୀ ବିଷ୍ଣୁ ଅଂଶେ

ତାହାଙ୍କୁ ସ୍ମରଣ କଲେ ସର୍ବପାପ ନାଶେ ।

ତାଙ୍କର ସନ୍ତାନ ହେଲେ ନାମ କେହି ନାମ

ଭୀମରଥ ନାମେ ହେଲେ ତାହାଙ୍କ ନନ୍ଦନ ।

ତାହାଙ୍କ ବୀର୍ଯ୍ୟେ ଜାତ ହେଲେ ଦିବୋଦାସ

ଦ୍ୟୁମାନ ନାମେ ତାଙ୍କର ବଂଶେ ଅବତଂସ ।

ପୁଣି ତାହାଙ୍କର ନାମେ ଅଟେ ପ୍ରତଘନ

ଆବର ପୁତ୍ରର ଅଟେ ଶତ୍ରୁଜିତ ନାମ ।

ବତ୍ସରୁତୁଧ୍ଵଜ ବୋଲି ନାମେ ତାର ଖ୍ୟାତ

କୁବଳାୟାଶ୍ଵ ନାମରେ ହେଲା ପ୍ରଚାରିତ ।

ଅଳର୍କ ଆଦି କରଣ ହେଲେ ବହୁ ଜନ୍ମ

ଅଳର୍କ ତାଙ୍କ ମଧ୍ୟରେ ଅଟେ ଶ୍ରେଷ୍ଠତମ ।

ସାନନ୍ଦରେ ସେହିମାନେ ଷଷ୍ଠ ସସ୍ର ବର୍ଷ

ଭୋଗ କରିଲେ ଅକ୍ଳେଶେ ତାଙ୍କର ଆୟୁଷ ।

ଏହି ଅବନୀ ମଧ୍ୟରେ ହୋଇକରି ରାଜା

ଧର୍ମ ଭାବରେ ପାଳିବେ ନଗ୍ର ଜନ ପ୍ରଜା ।

ସନ୍ତତି ନାମରେ ହେଲେ ଅଳର୍କର ପୁତ୍ର

ସୁନିଥ ତାର ଅଂଶର ପୁନଶ୍ଚ ସଂଭୂତ ।

ତାହାର ପୁତ୍ରର ନାମ ଅଟେ ନିକେତନ

ଧର୍ମକେତୁ ନାମେ ହେଲା ତାହାର ନନ୍ଦନ ।

ସତ୍ୟକେତୁ ବୋଲିକରି ତାହାଙ୍କର ସୁତ

ଧୂଷ୍ଟକେତୁ ନାମେ ହେଲା ତାହାର ଅପତ୍ୟ ।

ସୁକୁମାର ନାମେ ଏକ ତାହାର ତନୁଜ

ଅନେକ ଦିନ ପାଳନ କଲା ସେହୁ ରାଜ୍ୟ ।

ତାହାର ତହୁଁ ଜନମ ହେଲା ବୀତିହୋତ୍ର

ଭାଗ ନାମରେ କୁମର ବୀତିହୋତ୍ର ସୁତ ।

ତାହାର କୁମର ନାମ ହେଲା ଭାର୍ଗଭୂମି

ଏଥୁଅନ୍ତେ ଶୁଣ ପ୍ରିୟେ ତାଙ୍କର କାହାଣୀ ।

ଏମାନେ ହୋଇଲେ ଜାଣ କାଶୀବଂଶେ ରାଜା

ଧର୍ମ ପଣରେ ପାଳିଲେ ନଗ୍ର ଜନ ପ୍ରଜା ।

ରାଭର କୁମର ନାମ ବୋଲଇ ରଭସ

ଗମ୍ଭୀର ବୋଲି କରିଣ ଜନ୍ମେ ତାର ବଂଶ ।

ଗମ୍ଭୀର ପୁତ୍ର ନାମଟି ଅଟଇ ଅତ୍ରିୟ

ବ୍ରହ୍ମପଦ ନାମେ ହେଲା ତାହାର ତନୟ ।

ଏବେ ଶୁଣ ପ୍ରିୟେ ତୁହି ଅନେନାର ବଂଶ

ଶୁଣିକରି ତୋର ପଞ୍ଚମନ କର ତୋଷ ।

ଶୁଦ୍ଧ ନାମରେ ହୋଇଲା ଅନେନାର ସୁତ

ତାହାର ତହୁଁ ହୋଇଲା ଶୁଚି ନାମେ ଜାତ ।

ସେ ଶୁଚିର ବେନି ପୁତ୍ର ହୋଇଲେକ ଜନ୍ମ

ଧର୍ମା ସାରଥି ଅଟଇ ପ୍ରଥମ ନନ୍ଦନ ।

ଚିତ୍ର ନାମରେ ହୋଇଛି ଦ୍ଵିତୀୟ ତନୁଜ

ତାହାର ତହୁଁ ଜନମ ହେଲା ଶାନ୍ତି ରଜ ।

ଯେଉଁ ଗୋତ୍ରରେ ସମ୍ଭବ ବ୍ରହ୍ମଜ୍ଞାନୀ ସୁତେ

ଜନ୍ମଲାଭ କରିଛନ୍ତି ଏ ବିଶ୍ଵ ଜଗତେ ।

ଏବେ ରଜୀଭର ପୁତ୍ର ଜାତ ହେଲେ ଯେତେ

ଏକମନେ ଶୁଚି ପ୍ରିୟେ କହେ ତୋ ଅଗ୍ରତେ ।

ତାହାଠାରୁ କୁମରେ ଯେ ହେଲେ ପାଞ୍ଚଶତ

ସେହିମାନଙ୍କ ପ୍ରବଳ ତେଜ ଅପ୍ରମିତ ।

ସେହି କାଳରେ ଅସୁର ଆସି ଅନ୍ତରାଳେ

ଇନ୍ଦ୍ରଙ୍କୁ ଜୟ ଆଶାରେ ଉବାରିଲେ ବଳେ ।

ତାଙ୍କ ଉପଦ୍ରବେ ଇନ୍ଦ୍ର ସହ ଦେବେ ଆସି

ରହି ରାଜା ନିକଟରେ କହିଲେ ବିଶ୍ଵାସି ।

ଭୋ ନରପତି ତୁମ୍ଭର ଯେଉଁ ପୁତ୍ରଗଣେ

ଜିଣିପାରିଲେ ବିକ୍ରମ ଅସୁରଙ୍କୁ ରଣେ ।

ମୋତେ ଏ କଥା କହିଣ ଛନ୍ତି ବୃହସ୍ପତି

ଅନ୍ୟଥା ମୋହର ପ୍ରତି ନାହିଁ ଅନ୍ୟ ଗତି ।

ଏରୂପେ ରାଜାଙ୍କ ପାଶେ କହି ଦେବଯୂଥ

ସଙ୍ଗେ ତହୁଁ ଘେନିଗଲେ ପାଞ୍ଚଶତ ସୁତ ।

ସେମାନେ ସ୍ଵର୍ଗ ଆବୋରି ବହୁ ଯୁଦ୍ଧ କଲେ

ଅନେକ ଅସୁରଙ୍କୁ ସେ ବିନାଶ କରିଲେ ।

ଅସୁରଙ୍କୁ ଜୟ କରି ଇନ୍ଦ୍ରେ ଦେଲେ ରାଜ୍ୟ

ଦେଖିଣ ସନ୍ତୁଷ୍ଟ ହେବେ ସେ ଅମର ରାଜ ।

ପୁନରପି ସ୍ଵର୍ଗ ରାଜ୍ୟ ସେ ରାଜାଙ୍କ ହାତେ

ଅରପଣ କରିଥିଲେ କେ ଇନ୍ଦ୍ର ବିଶ୍ଵାସେ ।

ଇନ୍ଦ୍ରଙ୍କର ସହିତରେ ରଜିଙ୍କର ସୁତେ

ସ୍ଵର୍ଗ ଭୁବନେ ରହିଣ ଥିଲେ ଦିନ କେତେ ।

ଏଥୁଅନନ୍ତରେ ପ୍ରିୟେ କେତେଦିନ ଅନ୍ତେ

ସେ ରଜିରାଜ ପଞ୍ଚତ୍ଵେ ଗଲେ ସ୍ଵର୍ଗ ପଥେ ।

ତଦଅନ୍ତରେ ସେ ଥିଲେ ତାହାର ତନୁଜ

ଅମରପତି ଇନ୍ଦ୍ରଙ୍କୁ ନ ଦେଲେ ସେ ରାଜ୍ୟ ।

ସ୍ଵର୍ଗପୁର ବଳାତ୍କରେ କଲେ ଅଧିକାର

ସେ ଇନ୍ଦ୍ରଙ୍କୁ ମନ ମଧ୍ୟ କଲେ ଅନାଦର ।

ସେ ଇନ୍ଦ୍ର ବିଚାରି ପୁଣି ଦେବ ଗୁରୁ ତୁଲେ

ତାଙ୍କର ବିନାଶ ପାଇଁ ଏକ ଯଜ୍ଞ କଲେ ।

ଯେ ଯଜ୍ଞ କରୁ ଅନଳେ ହେଲେ ଭସ୍ମୀଭୂତ

ଯେତେକ ଥିଲେ ସେଠାରେ ରଜିରାଜ ସୁତ ।

ଇନ୍ଦ୍ର ପାଇଲେ ପୁନଶ୍ଚ ତାଙ୍କ ସ୍ଵର୍ଗସ୍ଥାନେ

ଏରୂପେ ରଜିରାଜଙ୍କ ବଂଶ ବିବରଣ ।

କୁଶ ନାମରେ ଯେ ଥିଲେ କ୍ଷତ୍ରି ବୁଦ୍ଧ ନାତି

ପ୍ରତି ନାମରେ ଅଟଇ ତାହାର ସପ୍ତତି ।

ତାହାର ସନ୍ତାନ ନାମ ଅଟଇ ସଞ୍ଜୟ

ତାହାର ଯହୁଁ ଜନମ ହୋଇଲେ ଯେ ଜୟ ।

ହର୍ଯ୍ୟବଳ ନାମେ ହେଲେ ତାର ଏକ ସୁତ

ତାହା ତହୁଁ ସହଦେବ ହୋଇଲା ସଂଭୂତ ।

ସେ ସହଦବର ପୁତ୍ର ନାମ ଗୋଟି ହୀନ

ହୀନର ପୁତ୍ରର ନାମ ଅଟେ ଜୟସେନ ।

ସଂକୃତ ନାମ ଅଟଇ ତାହାର ତନୟ

ତାହାର କୁମର ନାମ ଅଟେ ପୁଣି ଜୟ ।

ସେ କୁମର କ୍ଷତ୍ରୀ ଧର୍ମ କର୍ମେ ସଦାରତ

ମହାରଧା ନାମରେ ସେ ଜଗତ ବିଖ୍ୟାତ ।

ଏ ସକଳେ ଅଟନ୍ତି ଯେ କ୍ଷତ୍ରି ବୁଦ୍ଧି ବଂଶ

ଚନ୍ଦ୍ର ବଂଶେ ବିସ୍ତାରିତ ଏହିପରି ଅଂଶ ।

ବଂଶାନୁଚରିତ ଶୁଣି ଲଭ ଦିବ୍ୟଜ୍ଞାନ

ଦୀନ ହରି ଦାସ ଶିଷ୍ୟ କରଇ ରଚନ ।

•••

 

ନହୁଷ ବଂଶ ବିବରଣ

 

ଏଥୁଅନନ୍ତରେ ଉମା ପଡ଼ି ପତି ପାଦେ

ପୁନରପି ପୁଚ୍ଛାକଲେ ପ୍ରେମ ଗଦଗଦେ ।

କୁହ ନାଥ ଏହାପରେ ତାହାଙ୍କ ଚରିତ

ଶୁଣିବାକୁ ମନ ମୋର ହୁଏ ଆନନ୍ଦିତ ।

ପ୍ରିୟର ବଚନ ଶୁଣି ଦେବ ଶୂଳପାଣି

ବୋଇଲେରେ ପ୍ରିୟସଖୀ ଶୁଣ ତାଙ୍କ ବାଣୀ ।

ନହୁଷଙ୍କର ବୀର୍ଯ୍ୟରେ ହେଲେ ଷଡ଼ପୁତ୍ରେ

ସେ ଷଡ଼ପୁତ୍ରଙ୍କ ନାମ କହେ ତୋ ଅଗ୍ରତେ ।

ଯତି ଯଯାତି ପୁନଶ୍ଚ ହୋଇଲେ ଶଯ୍ୟାତି

ଆୟତ ବିୟତ ପାର୍ଥ ଆବର ଯେ କୃତି ।

ଦେହୀମାନଙ୍କର ଅଟେ ଇନ୍ଦ୍ରିୟ ଯେସନ

ଜନମ ହୋଇଲେ ତଥା ନହୁଷ ନନ୍ଦନ ।

ଜ୍ୟେଷ୍ଠ ପୁତ୍ର ୟତିକି ଯେ ରାଜପଣ ଦେଲା

ସେ ରାଜଭୋଗକୁ ମନେ ଲବେ ନ ଇଚ୍ଛିଲା ।

ବୋଇଲା ସେ ଭାଳି ମନେ ଦୁଃଖମୟ ଏହି

ଏଣେ ମୋହର ମଜ୍ଜିବା ଲବେ କାର୍ଯ୍ୟ ନାହିଁ ।

 

 

ଆତ୍ମା କିଛି ନ ଜଣାଇ ରହି ରାଜସୁଖେ

ନିରନ୍ତରେ ରହିଥାଏ ମାନସରେ ଦୁଃଖେ ।

ପିତା ତେଣେ ଲଭିକରି ସ୍ଵର୍ଗେ ଅଧିକାର

ଋଷିମାନଙ୍କୁ ଗଣରେ ବୁହାଇଲେ ଭାର ।

ଇନ୍ଦ୍ରାଣୀ ଭୋଗ କାରଣେ ଯାଇଥିଲେ ପଥେ

ଋଷିମାନଙ୍କର କୋପେ ଉଦେ ହେଲା ଚିତ୍ତେ ।

ବହି ନ ପାରିଲେ ସେହି ତାହାଙ୍କର ଭାର

ଅଭିଶାପ ଦେ‌ଲେ ତାକୁ ହୁଅ ଅଜଗର ।

ଋଷିମାନଙ୍କର ଶାପେ ଅଜଗର ହୋଇ

ନିର୍ଜ୍ଜନ ଗହନ ବନେ ପଡ଼ିକରି ସେହି ।

ଦୁଃଖ ଆକୁଳ ଭାବରେ ବହୁକରି ଶୋକ

ଋଷିମାନଙ୍କୁ ବୋଇଲେ ମୋତେ ତାରି ରଖ ।

ତାହାଙ୍କର ବିକଳରେ ପୁଣି ଋଷିଗଣ

ସନ୍ତୁଷ୍ଟ ଚିତ୍ତେ ବୋଇଲେ ହେ ରାଜନ ଶୁଣ ।

ତ୍ରେତୟା ଯୁଗ ଭୋଗର କାଳେ ଅବଶେଷେ

ଧର୍ମ ନନ୍ଦନ ଜନମ ହେବେ କୁରୁବଂଶେ ।

ଭୀମସେନକୁ ଖୋଜିଣ ଆସିବେ ବନସ୍ତେ

ସେହି କାଳରେ ଭେଟିବେ ତୁମ୍ଭର ସଙ୍ଗତେ ।

ସେ ଭୀମସେନକୁ ବାନ୍ଧିଥିବୁ ତୁ ଗୁଡ଼ାଇ

ସେ କାଳେ ଧର୍ମ ମିଳିବେ ତୋର ପାଶେଯାଇ ।

ସେ ଯୁଧିଷ୍ଠିରଙ୍କ ଧର୍ମ ବଚନେ ତୋହର

ଏ ଅଜଗର ରୂପରୁ ହୋଇବୁ ନିସ୍ତାର ।

ଏହି ପରକାରେ କହି ତହୁଁ ମୁନି ଗଲେ

ଯେ ଯୁଧିଷ୍ଠି କାଳଏ ପୁଣି ନହୁଷ ଭେଟିଲେ ।

ଧର୍ମ ଉପଦେଶ କହି ଏକାନ୍ତ ଭାବରେ

ସର୍ପ ଯୋନିରୁ ତାରିଲେ ବିହିତ କାଳରେ ।

ଯୁଧିଷ୍ଠିରଙ୍କ କୃପାରୁ ନିସ୍ତାର ଲଭିଲେ

ଫେରିଆସି ଆପଣାର ମନ୍ଦିରେ ମିଳିଲେ ।

ସେହି କଥାକୁ ନିରତେ ଯତି ସ୍ମରି ମନେ

ବସିବା ପାଇଁ ମଙ୍ଗଳ ନାହିଁ ନୃପାସନେ ।

ଯଯାତି ବୋଲି ସେ ପୁତ୍ର ଭ୍ରାତୃଗଣ ତୁଳେ

ନୃପତି ହୋଇ ବସିଲା ପିତାଙ୍କର ବୋଲେ ।

ସମଗ୍ର ରାଜ୍ୟ ମଣ୍ଡଳେ ହୋଇ କରି ରାଜା

ଧର୍ମ ପଣରେ ପାଳିଲା ପୁତ୍ରବତ୍ ପ୍ରଜା ।

ଶୁକ୍ରଚାର୍ଯ୍ୟଙ୍କ ଦୁହିତା ନାମ ଦେବଯାନୀ

ଆବର ଶର୍ମିଷ୍ଠା ବୃଷପର୍ବାର ଦୁଲଣୀ ।

ଏ ଦୁହିଁଙ୍କ ଆଣି ଯଯାତିଙ୍କି ବରପଣେ

ବିବାହ କାର୍ଯ୍ୟ କରିଲେ ଦେଖି ଶୁଭକ୍ଷଣେ ।

ଏମନ୍ତ ଶୁଣିଣ ଉମା ପୁଚ୍ଛିଲେ ନାଥଙ୍କୁ

ଭୃଗୁବଂଶେ ତାତ ଶୁକ୍ର କିପରି କନ୍ୟାକୁ ।

କ୍ଷତ୍ରିୟ ସଙ୍ଗେ ବିବାହ କଲେ ଦେବମତେ

ଏହା ଶୁଣିଣ ସନ୍ଦେହ ଜନ୍ମେ ମୋର ଚିତ୍ତେ ।

ମହେଶ କହିଲେ ପ୍ରିୟେ ଏଥିର କାରଣ

ବୁଝାଇ କହୁଛି ତୁହି ମନଦେଇ ଶୁଣ ।

ଦିନେକ ବୃଷପର୍ବାର ଶର୍ମିଷ୍ଠା କୁମାରୀ

ଏକ ସସ୍ର ସଖୀ ସହ ଜଳକ୍ରୀଡ଼ା କରି ।

ସ୍ଵଭାବରେ ହୋଇଅଛି ନିଦାଘର କାଳେ

ଶୁକ୍ରାଚାର୍ଯ୍ୟଙ୍କ ଦୁହିତା ଅଛି ତାଙ୍କ ମେଳେ ।

କୃତ୍ରିମ ବନ ମଧ୍ୟରେ ସକଳେ ମିଳିଲେ

ପୁଷ୍ପିତଦ୍ରୁମ ରାଜଇ ସୁଶୀତଳ ଜଳେ ।

ପଦ୍ମବନରେ ବିକାଶ ପୁଷ୍ପସାର ଗନ୍ଧେ

ଭ୍ରମରଗଣ ଭ୍ରମନ୍ତି ପାନ ମକରନ୍ଦେ ।

ପୁଷ୍ପଙ୍କର ଗନ୍ଧବାୟୁ ଚାରିଆଡ଼େ ସ୍ପୁରେ

ଅତ୍ୟନ୍ତ ଶୀତଳ ସେହୁ ଲାଗଇ ଶରୀରେ ।

ସେ ଶୀତଳ ଜଳେ ପଶିଛନ୍ତି ବେନି କନ୍ୟା

ସ୍ଵଭାବରେ ଅଟନ୍ତି ସେ କମଳଲୋଚନା ।

ପୂର୍ବରୁ ବସ୍ତ୍ର ପାଲଟି ରଖି ହ୍ରଦ କୂଳେ

କ୍ରୀଡ଼ା କୌତୁକ କରନ୍ତି ପଶି ସେହି ଜଳେ ।

ଗଡ଼ା ପଡ଼ା ଧରା ଧରି କ୍ରୀଡ଼ା ନାନା ରଙ୍ଗେ

ଜଳ ଫୋପଡ଼ାଫୋପଡ଼ି କେ କରେ କା ଅଙ୍ଗେ ।

ଏମନ୍ତ ସମୟେ ପ୍ରିୟେ ତୁମ୍ଭେ ଆମ୍ଭେ ଦୁଇ

ଦିନେ ଆମ୍ଭ ଯାଇଥିଲୁ ବୃଷଭ ଆରୋହୀ ।

ଆମ୍ଭଙ୍କୁ ସେ ଦେଖି ବେଗେ ଜଳରୁ ଉଠିଲେ

ଯେ ଯାହାର ବସ୍ତ୍ର ନେଇ ବହନ ପିନ୍ଧିଲେ ।

ସଭ୍ରମରେ ବୃଷପର୍ବା ଶର୍ମିଷ୍ଠା ଦୁଲଣୀ

ଦେବୀଯାନୀର ବନସ ପିନ୍ଧିଲା ସେ ଆଣି ।

ତାହା ଦେଖି ଦେବୀଯାନୀ କମ୍ପାଇଣ ଶିର

ଶର୍ମିଷ୍ଠାକୁ ଚାହିଁକରି କହିଲା ଏ ଗୀର ।

ଦାସୀ ମାତ୍ର ହୋଇ ତୋର ଏଡ଼େକ ସାହସ

କେଉଁ ବିଚାରେ ପିନ୍ଧିଲୁ ମୋର ପିନ୍ଧାବାସ ।

ଅବଜ୍ଞା କରି ପିନ୍ଧିଲୁ ତୁ ମୋର ବସନ

ଯଜ୍ଞର ହବି ଭୁଞ୍ଜଇ ଯେଉଁପରି ଶ୍ଵାନ ।

ଦେବତାମାନେ କଠୋର ତପସ୍ୟାର ବଳେ

ସ୍ଵୟଂ ବିଷ୍ଣୁଙ୍କ ବଦନ ମଧ୍ୟୁ ଭୂମି ସ୍ଥଳେ ।

ବ୍ରହ୍ମଣକୁ ସର୍ବଶ୍ରେଷ୍ଠ କରି ଜାତ କଲେ

ସକଳେ ତରି ଯାଆନ୍ତି ଯାହାଙ୍କର ବଳେ ।

ଯଜ୍ଞେ ଭୁଞ୍ଜନ୍ତି ଅଗ୍ରରେ ଯେହୁ ହବିର୍ଭାଗ

ଗୋବିନ୍ଦ ଯାର ବଚନେ ସଦା ଅନୁରାଗ ।

ଭୃଗୁଙ୍କ ବଂଶରେ ପୁଣି ମୋର ଅଟେ ଜାତ

ଆମ୍ଭର ଶିଷ୍ୟ ପୁନଶ୍ଚ ଅଟେ ତୋର ତାତ ।

ମୋହର ବସ୍ତ୍ର ପିନ୍ଧିଲୁ ତୁହି ଗର୍ଭ ମନେ

ଶୂଦ୍ରମାନଙ୍କ ନିକଟେ ବେଦବାକ୍ୟ ଯେହ୍ନେ ।

ଏପରି କହିଲା ଯହୁଁ ଦେବଯାନୀ କଥା

ଶୁଣି ସେ ଶର୍ମିଷ୍ଠା ମନେ ଲଭି ବଡ଼ ବ୍ୟାଥା ।

ସେ ମଧ୍ୟ କହିଲା ତାକୁ ପୁରୁଷ ବଚନେ

ପଶୁରାଜାକୁ କହଇ ଶୃଗାଳ ଯେସନେ ।

ଆପଣାର ଚରିତକୁ ମନରେ ନ ଜାଣି

ମୋତେ ଧିକ୍‌କାରି କହିଲୁ କେତକଟୁ ବାଣୀ ।

ସ୍ଵଭାବରେ ତୁହି ଆଲୋ ଭିକ୍ଷୁକ ବୋଲାଉ

ମୋତେ ଧିକ୍‌କାରୁଛ ତୁହି ଲଜ୍ଜାକି ନପାଉ ।

ନରପତିର ଦୁହିତା ଅଟଇ ଲୋ ମୁହିଁ

ବଢ଼ି ବଢ଼ି ମୋର ଆଗେ କହୁ ଗର୍ବ ବହି ।

ଏମନ୍ତ ପ୍ରକାରେ ବହୁ କୋପରେ କହିଲା

ପୁନଶ୍ଚ ସଖୀମାନଙ୍କୁ ଚାହିଁଣ ଭାଷିଲା ।

ମାର ମାର ଏହାକୁ ଲୋ କହି ତା ବସନ

ଶର୍ମିଷ୍ଠା ନେଇଣ କୂପେ କରିଲା ପତନ ।

ପୁନରପି ତାର ହସ୍ତଧରି କ୍ରୋଧଭରେ

ପକାଇଲା ଟାଣିକରି କୂପର ମଧ୍ୟରେ ।

ସଖୀସହ ଚଳିଗଲା ଆପଣା ମନ୍ଦିର

ଏଥୁଅନନ୍ତରେ କଥା ଶୁଣ ପ୍ରିୟାବର ।

ଯଯାତି ନୃପଈଶ୍ଵର ମୃଗୟା ନିମନ୍ତେ

ଯାଇଥିଲେ ବୁଲନ୍ତି ସେ ନିର୍ଜ୍ଜନ ବନସ୍ତେ ।

ତୃଷାତୁରେ ଜଳ ପାଇଁ କଲେ ଅନ୍ଵେଷଣ

ସେହି କୂପଟି ଭେଟିଲେ ଯାଇ ତତକ୍ଷଣ ।

କୂପ ମଧ୍ୟକୁ ଝୁଙ୍କିଣ ଚାହିଁ ନୃପମଣି

ତାହାର ମଧ୍ୟେ ଦେଖିଲେ ଶୁକ୍ରଙ୍କ ଦୁଲଣୀ ।

ଉଲଗ୍ନ ଭାବରେ ରହି ବସ୍ତ୍ର ଖୋଜେ ଜଳେ

ତାହାର ଏ ଗତି ଦେଖି ରାଜା ଅବହେଳେ ।

ଆପଣାର ଉତ୍ତରୀୟ ବସ୍ତ୍ର ତାକୁ ଦେଲା

କୂପ ଜଳରୁ କନ୍ୟାକୁ ଉଦ୍ଧରି ଇଚ୍ଛିଲା ।

କନ୍ୟା ହସ୍ତେ ହସ୍ତେ ଦେଇ ଊର୍ଦ୍ଧ୍ଵକୁ ଉଠାଇ

ଉପରେ ଛାଡ଼ିଲେ ରାଜା ଅତି ଦୟା ବହି ।

ସେ କନ୍ୟା ନରପିଙ୍କ ମୁଖକୁ ଅନାଇ

ଶୋକଭରେ କହିଲା ସେ ଗଦ ଗଦ ହୋଇ ।

ହେ ପୁରୁଷଶ୍ରେଷ୍ଠ ସୋମବଂଶ ନୃପମଣି

ତୁମ୍ଭେ କୂପରୁ ଟେକିଲ ଧରି ମୋର ପାଣି ।

ତୁମ୍ଭେତ ସହଜେ ଅଟ ପର ପୁରଞ୍ଜୟ

ଏଥିକି ଶୁଣନ୍ତୁ କହେ ନିଗମ ନିର୍ଣ୍ଣୟ ।

ଯେବଣ କୁମାରୀ କାର ହସ୍ତେ ହସ୍ତ ଧରି

ନିଶ୍ଚୟ ବୁଝନ୍ତୁ ସେହି ହୁଏ ତାର ନାରୀ ।

ହସ୍ତ ଯେବେ ଦେଇଅଛ ତୁମ୍ଭେ ମୋର ହସ୍ତେ

ପୁନଶ୍ଚ ମୋ ସ୍ଵାମୀ ପୁଣି ଅଛି କେ ଜଗତେ ।

ଏ ଯେଉଁ ସମ୍ବନ୍ଧ ହେଲା ଯଥା କନ୍ୟାବର

ନିଶ୍ଚୟ ସଞ୍ଚିତ କଲେ ଏକଥା ଈଶ୍ଵର ।

ମୁଁ କନ୍ୟା ସହଜେ ପଡ଼ିଥିଲି କୂପଜଳେ

ତୁମ୍ଭେ ହସ୍ତ ଧରି ମୋତେ ଉଦ୍ଧରିଲ ବଳେ ।

କୂଳରେ ସ୍ଥପିଲେ ମୋତେ ଦୟାଭାବ ବହି

ତୁମ୍ଭର ତହୁଁ ଅନ୍ୟ କେ ମୋର ବର ନାହିଁ ।

ଶାସ୍ତ୍ରମତେ ବିଚାରନ୍ତେ ଏ ନହେ ଉଚିତ

ବ୍ରାହ୍ମଣକେ ନ ବରିବେ ଏହା ଜାଣିଲେତ ।

ପୁନରପି କହେ କର ବୃହସ୍ପତି କଳା

ପୂର୍ବେ ପୁଣି ସେହୁ ମୋତେ ଶାପ ଦେଇଥିଲା ।

ସେ ଶାପ ତାହାର ପୁଣି ନୋହିଲା ଅନ୍ତର

ସେହି କାରଣୁ କ୍ଷତ୍ରିୟ ହେଲା ମୋର ବର ।

ଦଇବ ପୁରୁଷଙ୍କର ସଞ୍ଚିତ ଏ କଥା

କିଏ ସେ ପୁନଶ୍ଚ କରି ପାରିବ ଅନ୍ୟଥା ।

ତାହାର ଏହି ପ୍ରକାରେ କଥା ରାଜା ଘେନି

ସମ୍ମତ କରି ମନରେ ହୋଇଲେକ ତୁନି ।

ଏଥୁଅନନ୍ତରେ ଯଯାତି ନିଜପୁରେ ଗଲା

ସେ କନ୍ୟା ଯିବା ସମୟେ ମନେ ବିଚାରିଲା ।

ଏକଥା କହିବି ଯାଇ ପିତା ଆଗେ ମୁହିଁ

ଯେମନ୍ତ ପ୍ରକାରେ ୟାଙ୍କୁ ବର ଲଭିବଇଁ ।

ଏମନ୍ତ ଭାଳି ରୋଦନ କରି ମନଦୁଃଖେ

ଯାଇଣ କହିଲା ସେହି ପିତାଙ୍କ ସମ୍ମୁଖେ ।

ଶର୍ମିଷ୍ଠା ମୋହରଠାରେ ଯେତେ କର୍ମ କଲା

ଯେମନ୍ତ ରୂପେ ନେଇଣ କୂପେ ପକାଇଲା ।

ଯଯାତି ରାଜା ଉଦ୍ଧାର କରିଲା ଯେମନ୍ତ

କୂପରୁ ତୋଳିଲା ମୋତେ ନେଇ ହସ୍ତ ହସ୍ତେ ।

ଏକଥା ବୁଝନ୍ତୁ ତାତ କେମନ୍ତେ ବିଧାନେ

ଏପରି କହିଲା ସବୁ ପିତା ସନ୍ନିଧାନେ ।

ଶୁକ୍ରାଚାର୍ଯ୍ୟ କନ୍ୟା ମୁଖୁ ଏ ସକଳ ଶୁଣି

ଭବିଷ୍ୟ କଥାକୁ ସେହି ମନ ମଧ୍ୟେ ଗୁଣି ।

ତତ୍ପରେ ବୋଇଲେ ଦୁଃଖେ ମୁଣ୍ଡେଦେଇ ହସ୍ତ

ଧିକ ଧିକ ଏ ମୋହର ହେବା ପୁରୋହିତ ।

ଏମନ୍ତ ପ୍ରକାରେ ସେହୁ ମନେ କୋପ କରି

ଆପଣାର ଦୁହିତାର କର କରେ ଧରି ।

ବୃଷପର୍ବାର ମନ୍ଦିରେ ପ୍ରବେଶ ହୋଇଲେ

କୋପ ପରିହରି ପୁଣି କରୁଣା ବହିଲେ ।

କାହିଁକିନା ଅସୁରଙ୍କ ଦ୍ଵାରା ଶୁକ୍ରାଚାର୍ଯ୍ୟ

ବଳକୌଶଳେ କରିବେ ଜୟ ଦେବରାଜ ।

ଏମନ୍ତ ପ୍ରକାରେ ପୁଣି ଭାଳି ମନ ମଧ୍ୟେ

ପ୍ରଣାମ ଏହି ପରାୟେ କଲେ ପଥମଧ୍ୟେ ।

ସେ ଶୁକ୍ରାଚାର୍ଯ୍ୟଙ୍କ କ୍ରୋଧ ଅଟେ କ୍ଷଣମାତ୍ର

ବିଦିତମାର୍ଗକୁ ଛାଡ଼ି ହୋଇଲେ ଯଞ୍ଚିତ ।

ତହୁଁ ବୃଷପର୍ବା ଶିଷ୍ୟେ ସମସ୍ତ କହିଲେ

ମୋହର କନ୍ୟାର ବାଞ୍ଚ୍ଥା ପୂର୍ଣ୍ଣକର ଭଲେ ।

ଶୁଣି ବୃଷପର୍ବା କନ୍ୟା ଛାଡ଼ି ନ ପାରଇ

ରାଜାଙ୍କୁ ଯେତେ ପ୍ରକାରେ ଶୁକ୍ର କହିଲଇଁ ।

ରାଜା ରହିଲେ ଯେଉଁଠୁ ହୋଇକରି ତୁନି

ଦାସୀ ଭାବେ ଦିଅ କନ୍ୟା କହେ ଦେବଯାନୀ ।

ସେ ରାଜା ଶାପକୁ ଡରି କନ୍ୟା କଲା ଦତ୍ତ

ସେ ଶର୍ମିଷ୍ଠା ତୁଲେ ଦାସୀ ସଖିଙ୍କ ସହିତ ।

ଏହି ପ୍ରକାରେ ଅସୁର ନୃପତିର କଳା

ଏ ପ୍ରକାରେ ଦେବଯାନୀ ଦାସୀ ବୋଲାଇଲା ।

ଶର୍ମିଷ୍ଠା ସୁନ୍ଦରୀ ତହୁଁ ଦାସୀପଣ ବହି

ଦେବଯାନୀ ନିକଟରେ ପାଶ ବନ୍ଧେ ରହି ।

ଏମନ୍ତ ଦେଖି ତତ୍‌କ୍ଷଣେ ଭୃଗୁ ହାସ୍ୟମୁଖ

କ୍ଷଣାର୍ଦ୍ଧ ସେ ବ୍ରାହ୍ମଣଙ୍କ କୋପ ଅତିରେକ ।

ପୁନଶ୍ଚ ବୋଇଲେ ବୃଷପର୍ବା ମୁଖ ଚାହିଁ

ଏ ଯେଉଁ କାର୍ଯ୍ୟ କରିଲେ ବୁଝି କରି ତୁହି ।

ଯେମନ୍ତ ପ୍ରକାରେ ମୋର କନ୍ୟା ହୋଏ ଶାନ୍ତି

ସେଥିକି ବିଚାର ତୁହି କରିଥା ନୃପତି ।

ଏ ପ୍ରକାରେ ଭୃଗୁଙ୍କର ବାଣୀମାନ ଶୁଣି

ସେ ଅସୁରରାଜ ବୃଷପର୍ବା ନରମଣି ।

ଦେବଯାନୀ ନିକଟରେ ପ୍ରବେଶ ହୋଇଲା

ବିନୟ କରିଣ ତାର ଅଗ୍ରତେ କହିଲା ।

ନିଜ କନ୍ୟାର ପ୍ରକାଶ କଲା ଦୋଷମାନ

ସେଥିପାଇଁ ପୁନଶ୍ଚ ସେ କଲା ନିବେଦନ ।

ବୃଷପର୍ବା ରାଜାଙ୍କର ସ୍ତୁତି ବାକ୍ୟ ଶୁଣି

ସନ୍ତୁଷ୍ଟ ହୋଇ କହିଲା ତାକୁ ଦେବଯାନୀ ।

ନିଜର ମନରେ ଥିଲା ଯାହା ଅଭିଳାଷ

ନରପତିଙ୍କ ଅଗ୍ରତେ କଲାକ ପ୍ରକାଶ ।

ପିତା ମୋହର ଯାହାକୁ ସ୍ଵଚ୍ଛେ ମୋତେ ଦତ୍ତ

କରିବାକୁ ଭାବିଛନ୍ତି ଶାସ୍ତ୍ରବିଧି ମତ ।

ମୁଁ ସେହି ପତିଙ୍କ ହେବି ଜାଣ ଶ୍ରେଷ୍ଠ ନାରୀ

ତୁମ୍ଭର କନ୍ୟା ହୋଇବ ମୋର ପରିବାରୀ ।

ଦେବଯାନୀର ମୁଖରୁ ଏସନକ ଶୁଣି

ଅସୁର ରାଜା ମାନିଣ ମନେ ହେଲା ତୁନି ।

ଏଥୁଅନ୍ତେ ଶୁକ୍ରାଚାର୍ଯ୍ୟ ଦୈତ୍ୟ ଗୁରୁ ମନେ

ଶାନ୍ତ ନ ହୋଇ କରନ୍ତି ଚିନ୍ତା ଅନୁକ୍ଷଣେ ।

ଯଯାତି ନର ଈଶ୍ଵର କୂପୂଁ ଉଦ୍ଧାରିଲା

ମୋ କନ୍ୟା ଦେବଯାନୀର ହସ୍ତେ ହସ୍ତ ଦେଲା ।

ମୁଁ ଏବେ କିପରି ବେଦବାକ୍ୟ ଅନୁମତେ

ବ୍ରାହ୍ମଣମାନଙ୍କୁ ମୁହିଁ ବରିବି କେମନ୍ତେ ।

ଏହି ପ୍ରକାରେ ବିଚାର କଲେ ମନେ ମନେ

ସନ୍ତୋଷ ହୋଇଣ ଚିତ୍ତେ ଗୁଣି ଶୁଭଦିନେ ।

ଅସୁର ସୁତା ଶିର୍ମିଷ୍ଠା ଦେବଯାନୀ ତୁଲେ

ଯଯାତିଙ୍କି ବରି ଦୁଇକନ୍ୟା ବିଭାଦେଲେ ।

ବିଭାସାରି ଯଯାତିଙ୍କ ମୁଖ ଶୁକ୍ର ଚାହିଁ

କହିଲେ ମୋହର କଥାଶୁଣ ନରସାଇଁ ।

ଶର୍ମିଷ୍ଠା ସୁନ୍ଦରୀ ସହିତରେ ସହବାସ

କରିଲେ ଲଭିବ ତୁମ୍ଭେ ଜାଣ ଅତି କ୍ଳେଶ ।

ଏଥୁଅନ୍ତରେ ଶର୍ମିଷ୍ଠା ସହ ଦେବଯାନୀ

ସଙ୍ଗତରେ ଏକଶତ ପରିବାରୀ ଘେନୀ ।

ବିଧିମତେ ଖଟିଲେ ସେ ସ୍ଵାମୀ ପାଦଯାନୀ

ଯଯାତି ନରପତିଙ୍କ ସଙ୍ଗେ ଭାବଭୋଳେ ।

ଅସୁର କନ୍ୟା ଶର୍ମିଷ୍ଠା ରୂପଗୁଣ ଦେହେ

ସର୍ବଦା ଯଯାତି ଦେଖି ତାକୁ କାମ ମୋହେ ।

ଦେବଯାନୀର କ୍ରମଶଃ ପୁତ୍ର ହେବା ଦେଖି

ସେ ସର୍ବଦା ଚାରୁହାସୀ ସଦା ମନେ ଦୁଃଖୀ ।

ଏକଦିନେ ରାଜା ପାଶେ ଏକାନ୍ତେ ମିଳିଲା

ନିଜ ପୁତ୍ର ଅର୍ଥେ ବହୁ ପ୍ରାର୍ଥନା କରିଲା ।

ତାହାର ବାକ୍ୟେ ନୃପତି ହୋଇଲା ମୋହିତ

ଦଇବ ବଶରେ ତାଙ୍କ ବୁଦ୍ଧି ହେଲା ହତ ।

ଶୁକ୍ରାଚାର୍ଯ୍ୟଙ୍କ ବଚନ ମନୁ ବିସ୍ମରିଲା

ଶର୍ମିଷ୍ଠା ସୁନ୍ଦରୀ ତୁଲେ ସହବାସ କଲା ।

ଶର୍ମିଷ୍ଠା ଋତୁ ସମୟେ ହେଉ ସଙ୍ଗମେଳ

ତାହାର ଗର୍ଭୁ ପ୍ରସବ ହେଲା ତିନିବାଳ ।

ଯଦୁ ତୁର୍ବସୁ ନାମରେ ଦୁଇଗୋଟି ପୁତ୍ର

ଦେବଯାନୀର ଗର୍ଭରୁ ହେଲେ ସମ୍ଭୂତ ।

ଶର୍ମିଷ୍ଠା ଗର୍ଭରୁ ହେଲେ ଯେଉଁ ପୁତ୍ର ତିନି

ସାକ୍ଷାତରେ ନୃପତିଙ୍କ ଅଂଶ ସେହି ଘେନି ।

ପ୍ରଥମ ପୁତ୍ରଟି ଦ୍ରୁହ୍ୟୁ ଅନ୍ୟନାମେ ବେନି

ପୁରୁକୁ ଘେନି ଏରୂପେ ଜାତ ହେଲେ ତନି ।

ଏହା ଦେଖି ଦେବଯାନୀ ଅତି କୋପଭରେ

ଘରକୁ ଯାଇ କହିଲା ପିତାଙ୍କ ଆଗରେ ।

ଅତ୍ୟନ୍ତ ଦୁଃଖେ ପିତାଙ୍କ ପାଦତଳେ ପଡ଼ି

କାନ୍ଦଇ ସେ ଦେବଯାନୀ ଶିରେ କରଯୋଡ଼ି ।

ଶର୍ମିଷ୍ଠାର ସହିତରେ ନରପତି ନିତ୍ୟେ

ରାତ୍ର ଦିବସ ବଞ୍ଚିଲେ ତାହାର ସଙ୍ଗତେ ।

ତାହାର ନିକଟରେ ସେ ବଶ ପ୍ରାୟ ରହେ

କୋପ ନୟନେ ସର୍ବଦା ମୋର ପ୍ରତି ଚାହେଁ ।

ସେ ଶର୍ମିଷ୍ଠା ସୁନ୍ଦରୀର ପ୍ରେମବନ୍ଧ ଆଶେ

କେବେହେଁ ଦିନେ ନମିଲେ ମୋହର ଆବାସେ ।

ଏହି ପ୍ରକାରେ କହନ୍ତେ ଦୁହିତା ବଚନେ

ଶୁଣିଲାକ୍ଷଣି ବସିଲା କୋପ ଶୁକ୍ର ମନେ ।

ସେହିକ୍ଷଣି ମିଳିଲା ସେ ରାଜାର ସମୀପେ

ଗରୁଡ଼ ଆଗେ ପଡ଼ିଲା ଯେଉଁପରି ସର୍ପେ ।

ବୋଇଲେକ ଶୁକ୍ରାଚାର୍ଯ୍ୟ କୋପଭର ହୋଇ

ମୋ କଥା ଲଙ୍ଘି ଅଧର୍ମ ଅରଜିଲୁ ତୁହି ।

ମୋହର ଶାପେ ତୁ ଏବେ ଜରାରୂପ ବହି

ଶୟନ ଗୃହେ ସର୍ବଦା ରହିଥାଅ ଶୋଇ ।

ଏମନ୍ତ ପ୍ରକାରେ ତାକୁ ଶାପଦ୍ୟନ୍ତେ ମୁନି

ତକ୍ଷଣେ ବସିଲେ ସେହୁ ବୃଦ୍ଧ ଦେହ ଘେନି ।

ଉଠି ବସିବାକୁ ତାର କ୍ଷମତା ନୋହିଲା

ରାତ୍ର ଦିବସ ଗୃହରେ ଶୟନ କରିଲା ।

ତାହାର ଔରସେ ବେନି କନ୍ୟାଗର୍ଭୁ ଜାତ

ହୋଇଅଛନ୍ତି ଜାଣ ତ ପାଞ୍ଚଗୋଟି ସୁତ ।

ସେ ପାଞ୍ଚପୁତ୍ର ବଢ଼ନ୍ତି କ୍ରମେ ଦିନେ ଦିନେ

ପ୍ରଚଣ୍ତ ତେଜ ପଞ୍ଜରେ ତପନ ଯେସନେ ।

ଦିନେ ସେ ଯଯାତି କାନ୍ଦି ଜୀବନ ବିକଳେ

ପଡ଼ି ଜଣାଇଲେ ସେହୁ ଭୃଗୁ ପାଦତଳେ ।

ତାହାର ବିକଳ ଦେଖି ଶୁକ୍ରାଚାର୍ଯ୍ୟଙ୍କ ମନ

ନିଷ୍ଠୁର ଥିଲେ ହେଁ ବଦଳିଲା ତତକ୍ଷଣ ।

ସ୍ୱଭାବେ ଯଯାତି ଅଟେ ଦୁହିତାର ପତି

ତାହାର ବିନୟ ଶୁଣି ଉପାୟ ସେ ଚିନ୍ତି ।

ବୋଇଲେ ଯଯାତି ରାଜା ମୁଖକୁ ଅନାଇ

ମୋହର ଶାପ କଦାପି ଆନ ହେବ ନାହିଁ ।

ଯଦି ତୋହର ପୁତ୍ରକୁ ଜରା ରୂପ ଦେଇ

ସଂସାରରେ ଭୋଗକାର୍ଯ୍ୟ କରିପାରୁ ତୁହି ।

ଏମନ୍ତ ଶୁଣି ଯଯାତି ପୁତ୍ରଙ୍କୁ ଡକାଇ

ବୋଇଲେ ସେହିମାନଙ୍କୁ ପାଶରେ ବସାଇ ।

ହେ ପୁତ୍ରଗଣ ମୋହର ଦେଖୁଛତ ରୂପ

ତବ ଅଜା ଭୃଗୁ ମୋତେ ଦେଲେ ଅଭିଶାପ ।

ବୃଦ୍ଧ ଅବସ୍ଥା ହୋଇଲେ ମୋର ଯୁବାକାଳେ

ତପନ ଯେଉଁ ପ୍ରକାରେ ହ୍ଵନ୍ତି ସାୟଂକାଳେ ।

ଦେଖି ଏ ଅପୂର୍ବ ଜନ୍ମ ମାନବ ଶରୀର

କେବଳ ଅଟଇ ଜାଣ ଭୋଗର ମନ୍ଦିର ।

ଇନ୍ଦ୍ରିୟ ଭୋଗ ଲାଳସା ଜୀବ ସଦା ରହେ

ଯଜ୍ଞପୁରୁଷ ବିରାଜମାନ କରେ ଦେହେ ।

ଦେବତାମାନେ ବାଞ୍ଚ୍ଥନ୍ତି ଏ ପୁଣ୍ୟ ଶରୀର

ଲୋଭ କରିଣ ନିଷ୍ଫଳ ହୋଇଲା ମୋହର ।

ପାଞ୍ଚ ପୁତ୍ରର ପ୍ରଥମେ ଦ୍ରୁହ୍ୟୁକୁ ବୋଇଲେ

ତୁ ପୁତ୍ର ମୋହର ବୋଲି ପାଳିବୁ କି ଭଲେ ।

ମୋର ଏ ଜରା ଶରୀର ତୁହି ପୁତ୍ର ନିଅ

ତୋର ଏ ଯୁବା ବୟସ କିଛିଦିନ ଦିଅ ।

ଭୋଗ ମାର୍ଗରେ ବଞ୍ଚିଣ ମୁହିଁ ଦିନା କେତେ

ପୁନଶ୍ଚ ତୋର ବୟସ ଯାଚି ଦେବି ତୋତେ ।

ଏମନ୍ତ ପ୍ରକାରେ କହୁ ପିତାର ବଚନେ

ଉତ୍ତର କରିଲା ଦ୍ରୁହ୍ୟୁ ଅତି କ୍ରୋଧମନେ ।

ଲଭିଛି ଯାହା ଦୁର୍ଲ୍ଲଭ ଶରୀର ମୋହର

କେତେ ସୁକୃତରୁ ସେ ମୋ ଭୋଗର ମନ୍ଦିର ।

ଯଜ୍ଞ ପୁରୁଷ ବିଜୟ ସାକ୍ଷାତେ ୟା ମଧ୍ୟେ

ସକଳ ବିଷୟମାନ ଭୁଞ୍ଜନ୍ତି ଆନନ୍ଦେ ।

ଦେବତାମାନ ନ ପାନ୍ତି ଯାହା ଲାଭ କରି

ମୁଁ ତାହା ଲାଭ କରିଣ ଛାଡ଼ିବ କିପରି ।

ଏହିପ୍ରକାରେ କହନ୍ତେ ଦ୍ରୁହ୍ୟୁ ମୁଖୁ ଶୁଣି

ଅତ୍ୟନ୍ତ କୋପେ କହିଲେ ତାଙ୍କୁ ନୃପମଣି ।

ମୋହର ବଚନକୁ ତୁ ଅବଜ୍ଞା କରିଲୁ

ରାଜଭୋଗକୁ ମନରେ ସଙ୍କଳପ କଲୁ ।

ତା ମୁର୍ଦ୍ଧନୀ ପାଟିଯିବ ନିଶ୍ଚେ ସେ ମରିବ

ତୋହର ବଂଶ ମଧ୍ୟରେ ରାଜା ସେ ହୋଇବ ।

ଏହି ପ୍ରକାରେ ଯଯାତି ତାକୁ ଶାପ ଦେଲା

ପୁନଶ୍ଚ ପୁତ୍ରମାନଙ୍କୁ ପାଶକୁ ରାଇଲା ।

ଜଣେ ଜଣେ କରି ସେହୁ ସୁବୁଙ୍କୁ ପୁଚ୍ଛଇ

ତୁର୍ବସୁ ଆବର ଯଦୁ ତିନିଗୋଟି ଭାଇ ।

ଏମାନେ ପିତା ବଚନେ କିଛି ନ କହିଲେ

ମଉନ ଭାବରେ ବସି ତୁନି ସେ ହୋଇଲେ ।

ପୁରୁ ନାମରେ ଯେ ପୁତ୍ର ଥିଲା ସବା ସାନ

ପିତାଙ୍କ ଆଗେ ହୋଇଲା ସେ ଦଣ୍ଡାୟମାନ ।

ଶିରେ ବେନି କରଯୋଡ଼ି ପାଦତଳେ ପଡ଼ି

କହିଲା ପିତାଙ୍କ ଆଗେ ମନଭାବ ଫେଡ଼ି ।

ହେ ତାତ ସଦୟ ଭାବେ ମୋତେ ଆଜ୍ଞାଦିଅ

ତବ ଜରାବସ୍ଥା ଦେଇ ମୋ ବୟସ ନିଅ ।

ମୋର ରୂପ ନେଇକରି ବଞ୍ଚ କିଛି ଦିନ

ଶୁଣିକରି ସେ ଯଯାତି ହରଷିତ ମନ ।

ତଦପରେ ପୁତ୍ରକୁ ସେ ଜରାରୂପ ଦେଇ

ରାଜା ହୋଇଣ ବସିଲା ଲଭି ଦିବ୍ୟ ଦେହୀ ।

ପୁନରପି ଭୋଗ ସେହୁ କଲା ନାନା ମତେ

ଇନ୍ଦ୍ରିୟମାନଙ୍କର ସେ ଲାଳସା ନିମିତ୍ତେ ।

ଏ ସପ୍ତଦୀପ ମଧ୍ୟରେ ହୋଇକରି ରାଜା

ଧର୍ମାନୁସାରେ ପାଳନ କଲା ଜନ ପ୍ରଜା ।

ପୁନଶ୍ଚ ନିଶ୍ଚିନ୍ତ ଭାବେ ଦେବଯାନୀ ସଙ୍ଗେ

ସୁଖ ଭୋଗ ଅଭିଳାଷ ପୂର୍ଣ୍ଣ କଲା ରଙ୍ଗେ ।

ଅପର୍ଯ୍ୟାପ୍ତ ଦାନମାନ କଲେ ସେ ଯଜ୍ଞରେ

ଭକତି ରଖିଣ ବିପ୍ର ବିଷ୍ଣୁ ପାଦଗତେ ।

ଯେଉଁ ନାରାୟଣଙ୍କର ନୋହେ ଏ ଜଗତ

ଆକାଶ ଅମ୍ଵର ମଧ୍ୟେ ଜଳଧାରା ମତ ।

ସେହି ଦୟାମୟ ହରି ପାଦପଦ୍ମ ଚିନ୍ତି

ବିଷୟ ଭୋଗ ସାଧୁଏ କଦା ନ କରନ୍ତି ।

ଇନ୍ଦ୍ରିୟ ସୁଖ ଭୋଗକୁ ନ ପାରିଲେ ଜିଣି

ବିଷୟ ଭୋଗମାନଙ୍କୁ ସଦା ମନେ ଗୁଣି ।

ଏ ରୂପେ ଯଯାତି ସୁଖେ ହରିଲେ ଦିବସ

ଲକ୍ଷ୍ମୀନାରାୟଣ ଚିନ୍ତି କହେ ହରି ଦାସ ।

•••

 

ଦେବଯାନୀ ସହ ଯଯାତି ରାଜା ପୂର୍ବଛାଗର ଇତିହାସ ଦୃଷ୍ଟାନ୍ତ ଦେବା

 

ଏଥିଅନନ୍ତରେ ପୁଣି ପୁଚ୍ଛିଲେ ଗଉରୀ

ଏହାପରେ କଥା ନାଥ କହ କୃପା କରି ।

ଭୂତନାଥ ପ୍ରିୟା ଭାବେ ହୋଇ ସୁପ୍ରସନ୍ନ

ବୋଇଲେରେ ଅର୍ଦ୍ଧ ଅଙ୍ଗୀ ଶୁଣ ଦେଇମନ ।

ଯଯାତି ନାନା ସମ୍ଭୋଗେ ବଞ୍ଚୁଥିଲେ ଦିନ

ଦିନେ ପ୍ରକାଶିଲା ତାର ମନେ ଦିବ୍ୟଜ୍ଞାନ ।

ଭୃଗୁକନ୍ୟା ଦେବଯାନୀ ନିକଟରେ ଥାଇ

ବୋଇଲ ସସ୍ନେହେ ତାର ମୁଖକୁ ଅନାଇ ।

ଶୁଣ ଗୋ ସୁନ୍ଦରୀ ମୁହିଁ ତୋହର ଅଧୀନ

ବିଷୟାରସେ ତୋଠାରେ ସଦା ମୋର ମନ ।

ପ୍ରସନ୍ନ ହୋଇଛି ପ୍ରିୟେ କାମ ଅଧିକାରେ

ଭାସ୍କର ଦେବ ବିଜୟ ଯଥା ଅନ୍ଧକାରେ ।

ଶୁଣ ଆଗେ ଦେବଯାନୀ ମୋର ଏକ କଥା

ବହୁ ଦିବସର ଏହି ଇତିହାସ ବାର୍ତ୍ତା ।

ଗୋଟିଏ ଛାଗଳ ଛାଗୀ ସଙ୍ଗତେ ବିହରି

ଦିନ ହରୁଥାଏ ସେହି ସୁଖ ଭୋଗ କରି ।

 

 

ଏହିରୂପେ କେତେଦିନ ହୋଇଗଲା ଗତ

ଦୈବେ ଛାଗୀ ଗୋଟି ହେଲା କୂପରେ ପତିତ ।

ଛାଗୀଟି କୂପେ ପତିତ ହୋଇବାର ଦେଖି

କର୍ମକୁ ନିନ୍ଦିଣ ଛାଗ ମନେ ଦେଲା ଦୁଃଖୀ ।

କିପରି ଉଦ୍ଧାର ହେବ ଉପାୟ ଚିନ୍ତିଲା

ସେ କୂପ ନିକଟେ ଯାଇଁ ପ୍ରବେଶ ହୋଇଲା ।

ନୃପର ପାର୍ଶ୍ଵେ ମୃତ୍ତିକା ଖୋଳିଲା ଶୃଙ୍ଗରେ

ନିଗମ ପଥ ଗମନ କରି ହେଲା ତୀରେ ।

ସେ ଛାଗୀ ସେହି ପଥରେ କୂପରୁ ତରିଲା

ଛାଗର ସଙ୍ଗତେ ଆସି ଅଭିଳାଷ କଲା ।

ଅଦ୍ୟାପି କୌଣସି ମତେ ନ ଲଭିଲା ତୃପ୍ତି

ଅନଳ ମଧ୍ୟରେ ଯେଉଁପରି ଘୃତାହୁତି ।

ଅନ୍ୟାନ୍ୟ ଛାଗୀ ସକଳ କାମପୂର୍ଣ୍ଣ ଆଶେ

ସ୍ଵଇଚ୍ଛାରେ ମିଳିଲେକ ସେ ଛାଗର ପାଶେ ।

ସେ ଛାଗ ସ୍ଥୂଳ ଶରୀର ଗୋଟି ଶ୍ମଶ୍ରୁ ମୁଖ

ରେତ ସେଚନ ବିଷୟେ ସେତୁ ଅତି ଦକ୍ଷ ।

ଏରୂପେ ବଳିଷ୍ଠ ତାକୁ ଦେଖି ସର୍ବ ଛାଗୀ

ପାଶେ ମିଳନ୍ତି ତା ପ୍ରତି ହୋଇ ଅନୁରାଗୀ ।

ସେ ଏକ ପୁରୁଷ ମାତ୍ର ହୋଇ କରି ଛାଗ

ଅନେକ ଛାଗୀଙ୍କ ପ୍ରତି କରେ ଅନୁରାଗ ।

ଏରୂପେ ହୋଇଣ ସେହୁ କାମେ ମୋହଗ୍ରସ୍ତ

ଛାଗୀମାନଙ୍କ ସଙ୍ଗରେ ସଦା ହେଲା ରତ ।

ପୂର୍ବେ ସେ ଛାଗୀ କୂପର ମଧ୍ୟେ ପଡ଼ିଥିଲା

ସେ ବଞ୍ଚିତେ ଦେଖିକରି ନିଜ ଅବହେଳା ।

ସେ କାମୀଛାଗକୁ କରି ମନ ମଧ୍ୟୁ ତ୍ୟାଗ

ତାହାର ପ୍ରତି ବହିଣ ମନରେ ବିରାଗ ।

ତାହାର ନିକଟୂ ଛାଗୀର ବେଗେ ଗଲା ଚଳି

ତାହାକୁ ନ ଦେଖି ନେତ୍ରେ ଛାଡ଼ିଲା ବୋବାଳି ।

ଚାରିଆଡ଼େ ଧାଇଁ ଧାଇଁ କେତେ ଧନ୍ଦି ହେଲା

କେଉଁଠାରେ ସେ ଛାଗୀର ଭେଟ ନପାଇଲା ।

ସେ ଛାଗୀ ଯାହାର ସେହୁ ଅଛି ସ୍ଵାମୀଘରେ

ଯାଇଣ ଭେଟିଣ ଛାଗୀ ଦେଖିଲା ସେଠାରେ ।

କାମମତ୍ତେ ସେ ଛାଗର ଲମ୍ଵିଣ ବୃଷଣ

ଅସଭ୍ୟ ଦେଖି ବ୍ରାହ୍ମଣେ କରିଲେ ଛେଦନ ।

ସେ କଥା ଦୂଷଣ ହେଲା ତତ୍ତ୍ଵଜ୍ଞାନୀ ଜନେ

ବିଚାର କରି କାମରେ ଭୋଗ ସ୍ମରି ମନେ ।

ପୁନରପି ତା ବୃଷଣ ନେଇ କରି ଗଲେ

ତା ସହିତେ ସଂଯୋଜିତ ମନ୍ତ୍ରେ ବଶ କଲେ ।

ଏମନ୍ତ ପୂର୍ବ କଥାଏ କହିଲି ତୋ ଆଗେ

ପୁନଶ୍ଚ ଛାଗ ମାତିଲା ଛାଗୀର ସଂଭୋଗେ ।

ସେ ଛାଗ ଛାଗୀ ସହିତେ ବଞ୍ଚି ବହୁଦିନେ

କଦାପି ବଞ୍ଚିତ ତାର ନୋହିଲାକ ମନ ।

ଇନ୍ଦ୍ରିୟ ଲାଳସେ ତାର ନବ ନବ ମତି

ସନ୍ତୋଷ ନ ଲଭେ ସେହୁ କ୍ଷଣ କାଳ ପ୍ରତି ।

ସେହି ଛାଗ ସଦୃଶରେ ଜାଣ ତୋର ସଙ୍ଗେ

ସର୍ବଦା ବୁଡ଼ି ରହିଛି ମୁହୁଁ ପ୍ରେମରଙ୍ଗେ ।

ତୋହର ମାୟାରେ ମୁହିଁ ହୋଇଣ ମୋହିତ

କେତେବେଳେ ନ ଜାଣିଲି ମୋର ଯେବା ହିତ ।

ସପ୍ତଦ୍ଵୀପ ପୃଥିବୀରେ ନରପତି ହୋଇ

ଅଜ୍ଞାନ ଭାବରେ ରହି ବଞ୍ଚାଇଲି ଦେହୀ ।

ଭୂମିର ମଧ୍ୟରୁ ଯେତେ ଧାନ୍ୟ ଫଳୁଥାନ୍ତି

ସୁବର୍ଣ୍ଣ ଯବ ସହିତେ ପୁଣି ପଶୁ ଜାତି ।

ଯେବଣ ପ୍ରାଣୀ ହୁଅଇ କାମଦେବ ବଶ

ଏମାନେ ପୁଣ୍ୟ କରମ କରିବେ ବା କିସ ।

କାମୀ ପୁରୁଷ ଅଟନ୍ତି ଯେବଣହିଁ ଜନ

ତାଙ୍କର ମନ ନୁହଇ କେଭେ ସଂଯମନ ।

ନିତ୍ୟ ଭ୍ରମଣ କରନ୍ତି ସେହୁ କାମଭୋଗେ

ଅନଳ ଯେଉଁ ପ୍ରକାରେ ଘୃତର ସଂଯୋଗେ ।

ସକଳ ଭୃତ୍ୟଜନଙ୍କ ସଙ୍ଗ ଛାଡ଼ି ଦେଇ

ଯେ ଆତ୍ମା ଭାବକୁ ଇଚ୍ଛି ସୁଖରେ ବଢ଼ଇ ।

ନିଜକୁ ଦେଖେ ମୁକୁର ପରି ସର୍ବ ଦେହେ

ଆବର ସକଳ ଦିଗ ତାର ଶୂନ୍ୟମୟେ ।

ଏସନ ପ୍ରାୟେ ଦୁର୍ମତି ଜନଙ୍କର ଗତି

ତୃଷାକୁ ଦଣ୍ଡେ ନିମିଷକେ ଛାଡ଼ି ନ ପାରନ୍ତି ।

ଯିଏ କି କରି ପାରଇ ସର୍ବ ଦ୍ରବ୍ୟ ଭକ୍ଷ

ତୃଷା ଗୋଟିକ କାରଣେ ନୋହିପାରେ ଦକ୍ଷ ।

ଭଗିନୀ କନ୍ୟା ବାନ୍ଧବ ବନ୍ଧୁ ସୁଖମେଳେ

କେବେହେଁ ସେ କେତେବେଳେ ନଥିବ ନିଶ୍ଚଳେ ।

ମନ ଗୋଟିକ ଅଟଇ ଇନ୍ଦ୍ରିୟଙ୍କ ଗ୍ରାମ

ବଳରେ କେ ପୁଣି ତାକୁ ନାହିଁ ସରିସମ ।

ପଣ୍ଡିତ ଜନଙ୍କ ମାନସକୁ ହରେ

ଏଥୁ କହଇ କେ ଅବା ନାରୀ ସଙ୍ଗତରେ ।

ଦେଖ ଆଗୋ ପ୍ରିୟସହି ସହସ୍ର ବରଷେ

ନିରନ୍ତରେ ରମିଲି ମୁଁ ଯାଇ କାମବଶେ ।

ନିରବଧି ରହିଲି ମୁଁ ବିଷୟ ବ୍ୟସନେ

ମନ ଗୋଟିକ ହରିଲା ମୋର ପ୍ରତିଦିନେ ।

ଏବେ ବିଚାରି ହରିଲି ମୁଁ ବିଷୟ ବ୍ୟସନେ

ବିଷ୍ଣୁଙ୍କ ଚରଣ ଗୋଟି ମନମଧ୍ୟେ ଧରି ।

ବିମୋହିତ ହୋଇକରି ମୁହିଁ ଏକସ୍ଥଳେ

ରହିବି ସିନା ପଛକୁ ପଶୁଗଣ ମେଳେ ।

ଦୃଷ୍ଟି ଆବର ଶ୍ରୁତିକି ମିଥ୍ୟା ମନେ କରି

ପୁନରପି ଧ୍ୟାନ ମମ୍ଭବକୁ ପରିହରି ।

ଯେବଣ ସଂସ୍କୃତ ଅଟେ ଆତ୍ମାର ବିନାଶ

ଏହାକୁ ଅନବରତ ଆତ୍ମା କରେ ଆଶା ।

ଏମନ୍ତ ପ୍ରକାରେ ରାଜା ପ୍ରିୟ ଆଗେ କହି

ପୁରୁ ପୁତ୍ରକୁ ଡକାଇ ପାଶରେ ବସାଇ ।

ତାହାର ଯୁବା ବୟସ ତାକୁ ସମର୍ପିଲା

ଆପଣା ବୃଦ୍ଧ ଶରୀର ଆପେ ଆବୋରିଲା ।

ପୁତ୍ରଙ୍କୁ ଭାର ଦେଇଣ ରାଜ୍ୟେ କଲା ରାଜା

ବୋଇଲା ଭଲେ ପାଳିବୁ ତୁହି ଜନପ୍ରଜା ।

ତୁର୍ବସୁ ପୁତ୍ରକୁ ସେହି ପଶ୍ଚିମକୁ ଦେଲା

ଅନୁନାମେ ଯେ କୁମର ଉତ୍ତରେ ସ୍ଥାପିଲା ।

ଦ୍ରୁହ୍ୟୁକୁ ପୂର୍ବଦିଗରେ ବସାଇଲେ ନେଇ

ଯଦୁ ପୁତ୍ରକୁ ଦକ୍ଷିଣଦିଗେ ଭାଗ ଦେଇ ।

ଏହି ପ୍ରକାରେ ବଣ୍ଟନ କରି ପୁତ୍ରଗଣେ

ବିଦାୟ ନେଇ ତକ୍ଷଣେ ପଶିଲା ଅରଣ୍ୟେ ।

ଆତ୍ମାର ମଧ୍ୟରେ ପଶି ଆତ୍ମାଧ୍ୟାନ କରି

ରହିଲେ ସେ ଯୋଗ ଅଭ୍ୟାସରେ ମନ ଧରି ।

କେତେକ ଦିନେ ପରମ ବ୍ରହ୍ମେ ସେ ପଶିଲା

ବିଷ୍ଣୁଙ୍କ ମାୟା ଚକ୍ରରୁ ସେ ମଧ୍ୟ ତରିଲା ।

ଜଗନ୍ନାଥ ଭାବାମୃତ ପାନ କରି ମନ

ନିରବଧି ନାମ ଗାଇ ହେବାକୁ ମୋଚନ ।

ହେ ବୁଧଜନେ କେବଳ ନାମ ଅଟେ ତରୀ

ଭବ ସମୁଦ୍ର ତରିବ ଥିଲେ ଆଶ୍ରେକରି ।

ମନମଧ୍ୟେ ଆଶ୍ରାକରି ଅଛି ହରି ଦାସ

ପୂର୍ଣ୍ଣ କରିବେ ସତେକି କମଳା ବିଳାସ ।

କରନ୍ତୁ ବା ନ କରନ୍ତୁ ନ ଛାଡ଼ିବି ମହିଁ

ପ୍ରାଣ ମୋର ଯାଉ କିନ୍ତୁ କୃଷ୍ଣ ନାମ ଗାଇ ।

•••

 

ଚନ୍ଦ୍ର ପୁରାଣ

ଭରତ ରାଜା ଚରିଚ

 

ହେମବନ୍ତର ତନୟା ବେନି କରଯୋଡ଼ି

ପତିଙ୍କର ଶ୍ରୀଚରଣ କମଳରେ ପଡ଼ି ।

ପୁଚ୍ଛାକଲେ କହ ନାଥ ଏହାପରେ କିସ

ଶୁଣିଲେ ମୋହର ମନ ହୋଇବ ସନ୍ତୋଷ ।

ପ୍ରିୟାର ଏ ଶ୍ରୋତାଭାବ ଶୁଣି ଭୂତନାଥ

ବୋଇଲେ ଏ ଅନ୍ତେ ଯାହା ଶୁଣି ଦେଇ ଚିତ୍ତେ ।

ପୁରୁ ବଂଶର କାହାଣୀ ତୋ ଆଗେ କହିବା

ତୋହର ମନରୁ ସଖୀ ସନ୍ଦେହ ଫେଡ଼ିବା ।

ସେହି ବଂଶେ ରାଜଋଷି ଜନ୍ମିଥିଲେ ଯେତେ

ସଂକ୍ଷେପ ଭାବେ ବୁଝାଇ କହୁଅଛି ତୋତେ ।

ଏକପୁତ୍ର ଜନ୍ମିଥିଲେ ଜନ୍ମେଜୟ ନାମ

ସେ ପୁରୁ ବଂଶ ମଧ୍ୟରେ ଅଟେ ପୁଣ୍ୟଧାମ ।

ତାହାର ଗୋଟିଏ ପୁତ୍ର ହୋଇଲା ଜନମ

ସେହି କୁମରର ନାମ ଅଟେ ପ୍ରଚିନ୍ନାନ ।

ପ୍ରବୀର ହୋଇଲା ପ୍ରିୟେ ତାହାର କୁମର

ମନୁଷା ନାମରେ ଏକ ତାର ବଂଶଧର ।

 

 

ତାହାର ତନୟ ଏକ ନାମ ଚାରୁପଦା

ସ୍ଵଦ୍ୟୁ ତାହାର ଯେ ପୁତ୍ର ଅଟେ ମହାଯୋଦ୍ଧା ।

ତାହାର ନନ୍ଦନ ନାମ ଅଟେ ମହାଗବ

ସଞ୍ଜତି ତାହାର ତହୁଁ ହୋଇଲା ସମ୍ଭବ ।

ଅହଂଜାତି ନାମେ ହେଲା ତାହାର ସନ୍ତତି

ତାହାର ତହୁଁ ରୌଦାଶ୍ଵ ହେଲା ଉତପତ୍ତି ।

ରେଦାଶ୍ଵ ଔରସୁ ପୁଣି ହୋଇଲେ ଉଦୟ

ଅତିଅନ୍ତ ରୂପବନ୍ତ ଦଶଟି ତନୟ ।

ଘୃତାଗ୍ନି ଅପସରା ସ୍ଵର୍ଗେ ବିଦ୍ୟାଧରୀ ଗର୍ଭେ

ପୁତ୍ରମାନେ ଅବତାର ହେଲେ ବହୁଭାବେ ।

କିସ ଅବା ସେମାନଙ୍କୁ କରିବା ଉପାମ

ଏବେ ଆଗୋ ପ୍ରିୟସହି ଶୁଣ ତାଙ୍କ ନାମ ।

ଚୁତେୟ କଷେୟୁ ବଡ଼ ମଧ୍ୟମ ଏ ବେନି

ସଣ୍ଡଳେୟ କୃତେୟୁ ଯେ ଏମାନଙ୍କୁ ଘେନି ।

ଜଳେୟ ସନ୍ନତେ ଏହୁ ବେନିଗୋଟି ଭାଇ

ଧର୍ମେୟୁ ସତେୟୁ ଘେନି ହେଲେ ଆଠ ଏହି ।

ବ୍ରତେୟୁ ବନେୟ ତୁଲେ ହେଲେ ଭ୍ରାତା ଦଶ

ଏରୂପେ ଅପ୍‌ସରାଗଣ ଖ୍ୟାତ ପୁରୁବଂଶ ।

ବିଷ୍ଣୁଙ୍କର ଅଂଶେ ଏହିମାନେ ଜାତ ହୋଇ

ନିଯୁକ୍ତ ଭାବରେ ରହି ପାଳିଲେକ ମହୀ ।

ଜ୍ୟେଷ୍ଠ ରୂତୟୁର ହେଲା ସୁ ତରନ୍ତିନାବ

ରନ୍ତିନାବାଠାରୁ ତିନି କୁମର ସମ୍ଭବ ।

ସେ ତିନି ପୁତ୍ର ସୁମତି ଧ୍ରୁବା ପ୍ରତିରଥ

କଣ୍ଵନାମରେ ଅପ୍ରତି ରଥଙ୍କର ସୁତ ।

ତାହାର ତନୟ ନାମ ଅଟେ ମେଧାତିଧି

ପ୍ରସ୍ୟାନ ନାମରେ ସଖୀ ତାହାର ସନ୍ତତି ।

କଣ୍ଵଙ୍କ ବଂଶରୁ ଏହିମାନେ ଜାତ ହୋଇ

ସଂସାର ମଧ୍ୟରେ ଏହୁ ବ୍ରାହ୍ମଣ ବୋଲାଇ ।

ରନ୍ତିନାବଙ୍କର ଅଟେ ସେହୁ ଜ୍ୟେଷ୍ଠ ସୁତ

ସୁମତି ନାମ ତାଙ୍କର ଜଗତ ବିଖ୍ୟାତ ।

ରେଭି ନାମରେ ହୋଇଲା ସୁମତିର ସୁତ

ଦୂଷ୍ମନ୍ତ ଏହା ବୀର୍ଯ୍ୟରୁ ହୋଇଲା ସଂଭୂତ ।

ଏହା ସୁନ୍ଦର ପଣକୁ ନାହିଁ ଅନ୍ୟ ସୀମା

ଶୁଣ ଏବେ ପ୍ରିୟସହୀ ଏହାଙ୍କ ମହିମା ।

ଏହି ଦୁଷ୍ମନ୍ତ ନରେଶ ଏକ ଦିନକରେ

ମୃଗୟା କାରଣେ ପଶି ବୁଲନ୍ତି ବନରେ ।

କଣ୍ଵଋଷିଙ୍କ ଆଶ୍ରମେ ଯାଇଣ ମିଳିଲେ

ଅପୂର୍ବ ସୁନ୍ଦରୀ କନ୍ୟା ସେଠାରେ ଦେଖିଲେ ।

ନାନାରତ୍ନ ଭୂଷଣରେ ଅଙ୍ଗ ଝଟକଇ

ଲକ୍ଷ୍ମୀଙ୍କ ସଦୃଶ ତାର ତନୁ ବିରାଜଇ ।

ସେ କନ୍ୟାରୂପ ଦୁଷ୍ମନ୍ତ ଦେଖି କାମବଶେ

ସମ୍ଭୋଗ ସୁଖ ତା ସଙ୍ଗେ କରିବାକୁ ଆଶେ ।

ତା ରୂପ ସୌନ୍ଦର୍ଯ୍ୟ କିବା ଦେବୀ ମାୟାମାୟୀ

ଦେଖି ତା ମନ ଆୟତ୍ତେ ରହି ନ ପାରଇ ।

ଅଳପ ଜନ ଘେନିଣ ଆପଣାର ସଙ୍ଗେ

ନିଜେ ଦୁଷ୍ମନ୍ତ ମିଳିଲେ ଯାଇ ତାର ଆଗେ ।

ଆନନ୍ଦ ଲଭିଣ ରାଜା ତାର ଦରଶନେ

ମୁଗ୍‌ଧ ହୋଇଣ ବୋଇଲେ ପରିଗ୍ରହମାନେ ।

ମୃଦୁହାସ୍ୟ ବଦନରେ ମିଳି ତାର ପାଶେ

ମଧୁର ବାକ୍ୟ କହିଣ ତାର ମନ ତୋଷେ ।

ପୁନରପି ପଚାରିଲେ ଆଗୋ ଚନ୍ଦ୍ରାନନ

କହି ପାରିବକି ତୁମେ କାହାର ନନ୍ଦିନୀ ।

ଏ ଘୋର ନିର୍ଜନ ବନେ କାହିଁକି ରହୁଛୁ

ମନମଧ୍ୟରେ କାହାକୁ ବର ବା ଇଚ୍ଛିଛୁ ।

ତୋର ଏ ଅପୂର୍ବ ରୂପ କେବା ଅଛି ସମ

କହ କହ ଚାରୁହାସୀ କିବା ତୋର ନାମ ।

ଅନୁମାନରେ ତୁ ହେତୁ ଜାରଜ ନନ୍ଦିନୂ

ଜାଣି ପାରୁଅଛି ତୋର ସୌନ୍ଦର୍ଯ୍ୟକୁ ଘେନି ।

ବିଖ୍ୟାତ ପୁରୁ ବଂଶରେ ଅଟେ ମୋର ଜାତ

ଅଧର୍ମ କାର୍ଯ୍ୟେ କଦାପି ନବଳେ ମୋ ଚିତ୍ତ ।

ରାଜାର ବଚନ ଶୁଣି ଶକୁନ୍ତଳା କହେ

ମୋହର କଥା ଶୁଣିବା ହେଉ ମହାଶୟେ ।

ବିଶ୍ଵାମିତ୍ର ଋଷିଙ୍କ ଅଟେ ମୁଁ ନନ୍ଦିନୀ

ମେନକା ଅପ୍‌ସରା ଆଟେ ମୋହର ଜନନୀ ।

ମୋତେ ପ୍ରସବି ଜନନୀ ତେଜି ଗଲା ବନ

ପକ୍ଷୀମାନେ ରଖିଛନ୍ତି ମୋହର ଜୀବନ ।

ପକ୍ଷୀଏ ପାଳିଅଛନ୍ତି ମୋତେ ସ୍ନେହବହି

ଏ ଘୋର ଅରଣ୍ୟ ମଧ୍ୟେ ଭକ୍ଷଭୋଜ୍ୟ ଦେଇ ।

ମୁହିଁ ଯେ ଅଟଇ ଜାଣ ଶକୁନ୍ତର ବାଳା

ତେଣୁକରି ମୋର ନାମ ଅଟେ ଶକୁନ୍ତଳା ।

ମୋହର ଯେତେକ କଥା ଜନ୍ମ କର୍ମମାନ

ସକଳ ଜାଣି ଅଛନ୍ତି ମହାମୁନି କଣ୍ଵ ।

ତୁମ୍ଭେ ଯଦ୍ୟପି ହୋଇବ ମୋହର ବିଶ୍ଵାସ

ପ୍ରନ୍ନ ଚିତ୍ତେ ଆସିଣ ମୋର ପାଶେ ବସ ।

ମୋହର ପୂଜା ଘେନନ୍ତୁ ଦେଉଅଛି ମୁହିଁ

ନିବାର ମୋହର କଷ୍ଟ ଭକ୍ଷ ଭୋଜ୍ୟ ଦେଇ ।

ଏହି ପ୍ରକାରେ କହନ୍ତେ ମୃଦୁ ମଞ୍ଜୁବାଣୀ

ଆନନ୍ଦ ମନେ ତା କଥା ଶୁଣି ନରମଣି ।

ବୋଇଲେ ତେବେ ତୁ ଜାତ କୁଶିକର ବଂଶେ

ପ୍ରସନ୍ନ ହୋଇ ତୋହର ଇଚ୍ଛାମନ ତୋଷେ ।

ଯଦି ସୁନ୍ଦରୀ ବରଣ କରିଅଛୁ ମୋତେ

ଏ ମୋର ସତ୍ୟବଚନ ଯେବା ବେଦମତେ ।

ଏହା ପ୍ରକାରେ ରାଜନ ସତ୍ୟ ତାକୁ କରି

ଗାନ୍ଧର୍ବ ବିବାହ ମତେ ସେ କନ୍ୟାକୁ ବରି ।

ସ୍ଵଭାବରେ ସର୍ବଦର୍ଶୀ ପଣ୍ଡିତ ରାଜନ

ଭଲରୂପେ ଜଣା ତାଙ୍କୁ ସକଳ ବିଧାନ ।

ଗନ୍ଧର୍ବ ମତେ ବିବାହ ହୋଇ ତାର ସଙ୍ଗେ

ସେ ରାତ୍ରେ ବଞ୍ଚିଲେ ରାଜା ତହିଁ ନାନାରଙ୍ଗେ ।

ସେ ରାତ୍ରେ ଅମୋହ ବୀର୍ଯ୍ୟ ରାଜାଙ୍କ ସ୍ଵଭାବେ

ରହିଲା ଅଖଣ୍ଡ ହୋଇ ଶକୁନ୍ତଳା ଗର୍ଭେ ।

ପ୍ରଭାତ ହୁଅନ୍ତେ ରାଜା ଗଲେ କାର ପୁର

ଏହା ପରେ ଶୁଣ ପ୍ରିୟେ ଜନ୍ମିଲା କୁମର ।

ସେହି ଅରଣ୍ୟ ମଧ୍ୟରେ କଣ୍ଵଋଷି ଥିଲେ

ବିଧାନେ ସେ କୁମାରର ଜାତକର୍ମ କଲେ ।

ସାମାନ୍ୟ ସେ ଶିଶୁଗୋଟି ଅଟେ ରାଜା ବାଳା

ସ୍ଵଭାବେ ବଶରେ ତାର ତେଜ ଅନର୍ଗଳା ।

ଅରଣ୍ୟ ମଧ୍ୟେ ସିଂହାକୁ ବାମଭୁଜେ ଧରି

ଖେଳଇ କ୍ରୀଡ଼ା କୌତୁକ ପ୍ରାୟେ ତାକୁ କରି ।

ରଜ୍ଜୁରେ ବାନ୍ଧି ସିଂହାକୁ ଧରି କେବେ ଖେଳେ

ତାହା ପ୍ରତି ଭୟ ତାର ଚିତ୍ତେ ନାହିଁ ତିଳେ ।

ପୁତ୍ରର ଏହି ପ୍ରକାରେ ଦେଖି ବାଳଲୀଳା

ବିଚକ୍ଷଣ ତା ଅତ୍ୟନ୍ତ ତେଜ ଅନର୍ଗଳା ।

ବିଷ୍ଣୁଙ୍କର ବଂଶଧର ସେ ପୁତ୍ରକୁ ମଣି

ଅତ୍ୟନ୍ତ ପୁଲକ ମନେ ଋଷିଙ୍କ ନନ୍ଦିନୀ ।

ସେ କୁମର ହସ୍ତ ହସ୍ତେ ଧରି ଅତିବେଗେ

ମିଳିଲା ସୁନ୍ଦରୀ ନିଜ ସ୍ଵାମୀଙ୍କର ଆଗେ ।

ନରପତି ନିଜ ପରି ତା ପୁତ୍ରକୁ ଦେଖି

ବିସ୍ମୟ ହୋଇ ତକ୍ଷଣେ ବୁଜେ ବେନି ଆଖି ।

ଦାରା ପୁତ୍ର ଦୁହିଁଙ୍କୁ ସେ ଚିହ୍ନି ନ ପାରିଲା

ଅରଣ୍ୟେ ମିଳନ ଯୋଗ ମନୁ ଉପେକ୍ଷିଲା ।

ତା ବିସ୍ମୟ ହେବା ଜାଣି ହେଲା ଦୈବବାଣୀ

ରାଜା ସହିତ ସକଳ ଲୋକମାନେ ଶୁଣି ।

ଆତ୍ମାର ସ୍ଵରୀପେ ଏହି କୁମରଟି ଜାତ

ମିଥ୍ୟା ନ ମଣ ଏ ନିଶ୍ଚେ ତୋର ଦାରାସୁତ ।

ଯେଉଁ କୁମର ଗୋଟିକ ଜାତ ନିଜଠାରୁ

ସେ ନିଶ୍ଚେ ଉଦ୍ଧାର କରି ପାରଇ ନର୍କରୁ ।

ତୁମ୍ଭେ ଅରଣ୍ୟେ କରିଛ ତାର ଗର୍ଭାଧାନ

ଏହା ହେତୁ କର ରାଜା ନୁହେଁ କଦାଚନ ।

ଆକାଶ ବାଣୀ ଏରୂପେ ଶୁଣି ଶ୍ରବଣରେ

ତଦପରେ ବିଶ୍ଵାସ ସେ କରିଲେ ମନରେ ।

ଆଶ୍ଵାସନା କଲେ ସ୍ନେହେ ଘେନି ପୁତ୍ର ନାରୀ

ଆପଣା ଗୃହେ ସ୍ଥାପିଲେ ସେ ନର କେଶରୀ ।

ଏଥୁଅନନ୍ତରେ ପ୍ରିୟେ ଦୁଷ୍ମନ୍ତର ଅନ୍ତେ

ସେହି ପୁଣି ନୃପମଣି ହୋଇଲେ ଜଗତେ ।

ପ୍ରତ୍ୟକ୍ଷେ ସେ ଜାତ ହୋଇଅଛି ବିଷ୍ଣୁଅଂଶେ

ସର୍ବାଙ୍ଗଯାକରେ ତାର ବିଷ୍ଣୁ ତେଜ ଦିଶେ ।

ଦକ୍ଷିଣ କରେ ତା ଚକ୍ର ଚିହ୍ନ ବିକାଶଇ

କମଳ ଚିହ୍ନ ତାହାର ପାଦେ ପ୍ରକାଶଇ ।

ତାହାର ପାଶେ ଆସିଣ ମିଳି ଋଷି ଯୂଥ

ଅଭିଷେକ କରାଇଣ କରିଲେ ନିଯୁକ୍ତ ।

ପିତୃ ରାଜ୍ୟରେ ଭରତ ଅଭିଷେକ ହେଲା

ଧର୍ମ ଭାବେ ରହି କରି ପୃଥିବୀ ପାଳିଲା ।

ପୁନରପି ଭରଦ୍ଵାଜ ଋଷିଙ୍କର ବୋଲେ

ସେ ନୃପତି ଅଶ୍ଵମେଧ ଯାଗ ଆରମ୍ଭିଲେ ।

ଏରୂପେ ପଞ୍ଚ ପାଦଶ ଯଜ୍ଞ ଅଶ୍ଵମେଧେ

କ୍ରମେ ଦୀକ୍ଷିତ ହୋଇ ସେ ଗଙ୍ଗାତଟେ ସାଧେ ।

ଯଜ୍ଞରେ ବରଣ କରି ବାହୁ ଦ୍ଵିଜଗଣ

ସନ୍ତୋଷ ରୂପେ ଅନେକ ଦେଲା ଧନ ଦାନ ।

ପୁନରପି କାଳେ ରାଜା ଯମୁନାର ତୀରେ

ଅଷ୍ଟ ସପ୍ତତି ଯଜ୍ଞ ଯେ କରିଲେ ଶ୍ରଦ୍ଧାରେ ।

ଅନଳ ଦେବଙ୍କୁ ସେହୁ ବିଧିରେ ତୋଷିଲା

ବ୍ରହ୍ମାଣମାନଙ୍କୁ ବହୁ ଧେନୁ ଦାନ ଦେଲା ।

ଏହିରୂପେ କରୁ କରୁ ନୃପ ଏକାବେଳେ

ଏକଶ ତେତିଶ ଯଜ୍ଞ କରି ଶେଷକଲେ ।

ତେର ସସ୍ର ଚଉରାଣି ଗୋରୁ କଲେ ଦାନ

ଅଶ୍ଵ ଓଟ ହସ୍ତୀ ଯାନ ବସନ ରତନ ।

ଅଗଣିତ ଦାନ କଲା ଦୁଷ୍ମନ୍ତର ସୁତ

ତାହାର ରାଜ୍ୟେ ନଥିଲେ କେହି ଅରକ୍ଷିତ ।

ଏ ମହୀ ମଧ୍ୟେ ଭାରତ କର୍ମ କଲା ଯେତ

ଏ କଥା କରି ନୋହିବ ଭୂତ ଭବିଷ୍ୟତେ ।

ସମୟ ପଡ଼ନ୍ତେ ପୁଣି ଦିଗବିଜେ କଲା

ସ୍ଵହସ୍ତେ ଅନେକ ଶତ୍ରୁ ନିଧନ କରିଲା ।

କିରାତ ଆଦି କରିଣ ହୀନ ଯେ ଯବନ

ପଉଣ୍ଡ୍ରକ ସହିତରେ ଯେତେ ରାଜାଗଣ ।

ଶବ ଖଗାଦି ମେଳେଚ୍ଛ ତହିଁଥିଲେ ଯେତ

ସବୁଙ୍କୁ ଛେଦନ କଲେ କରିଲା ଜଗତେ ।

ପୂର୍ବକାଳେ ଯେ ବଳିଷ୍ଠ ଦାନବ ସକଳେ

ଦେବତା ଗଣଙ୍କୁ ଯେହୁ ଜିଣିଥିଲେ ବଳେ ।

ଦେବ ଅଙ୍ଗନାମାନଙ୍କୁ ବଳେ ଧରି ନେଇ

ପାତାଳ ଭୁବନ ମଧ୍ୟେ ଲୁଚିଥିଲେ ଯାଇଁ ।

ଭରତ ଦିଗ୍‌ବିଜେ କାଳେ ସେମାନଙ୍କୁ ମାରି

ତାଙ୍କ ପାଶରୁ ଦେବସ୍ତ୍ରୀମାନଙ୍କୁ ଉଦ୍ଧାରି ।

ଭରତ ରାଜା ରାଜତ୍ଵ କରିବାର କାଳେ

ରହିଥିଲା ଏ ପୃଥିବୀ ସ୍ଵର୍ଗ ଏକତୁଲେ ।

ପ୍ରଜା ପୁଞ୍ଜଙ୍କର ଯାହା ଅଭିଳାଷମାନ

ସମସ୍ତ ସୁଚାରୁ ରୂପେ କଲା ସମ୍ପାଦନ ।

ତ୍ରିଅଷ୍ଟ ତ୍ରିସସ୍ର ବର୍ଷ ଲଭିଣ ଆୟୁଷ

ଏ ରୂପେ କେତେ ବରଷ ପାଳିଥିଲେ ଦେଶ ।

ଶକ୍ତିର ଲୋକ ପାଳନ ସମାନରେ ଶିରୀ

ସକଳ ଦିଗ ମାର୍ଗରେ ରହିଥିଲା ପୁରି ।

ରାଜ୍ୟ ପାଳଇ ଏମନ୍ତେ କେତେ କାଳ ଅନ୍ତେ

ସୁଭାଗ୍ୟ ଉଦେ ବୈରାଗୀ ଜନ୍ମିଲା ତା ଚିତ୍ତେ ।

ବିଭବ ରାଜ୍ୟ ସମ୍ପତ୍ତି ସୈନ୍ୟ ଆତ୍ମା ପ୍ରାଣ

ଏ ସମସ୍ତ ପଦାର୍ଥକୁ କଲା ଆତ୍ମାଜ୍ଞାନ ।

ବିଷୟ ତୃଷ୍ଣାକୁ ସେହୁ ମନୁ କଲା ତ୍ୟାଗ

ସକଳ ବିଷୟେ ତାର ଜନ୍ମିଲା ବୈରାଗ୍ୟ ।

ଏଥୁଅନନ୍ତରେ ପ୍ରିୟେ ଶୁଣ ମନଦେଇ

ଭରତ ରାଜା ଚରିତ ପବିତ୍ର ଅଟଇ ।

ତାହାର ପତ୍ନୀ ଅଟନ୍ତି ତିନିଗୋଟି ଜାଣ

ରୂପ ଲାବଣ୍ୟ ଆବର ଅଟେ ଶୁଣ ଧର୍ମ ।

ସେ ତନି ରମଣୀଙ୍କର ମଧ୍ୟେ ଏକଜଣ

ପ୍ରସବ କରିବାକାଳେ ଗୋଟିଏ ନନ୍ଦନ ।

ଅପରୂପ ସେ ପୁତ୍ରକୁ ଦେଖି ନୃପମଣି

ପତ୍ନୀକି ଚାହିଁ କହିଲା କେତେ କଟୁବାଣୀ ।

ମୋହର ଅନୁରୂପେ ଏ ନୋହିଛିତ ସୁତ

ଏ ନୋହେ ମୋହର ଅଂଶ କହିଁଲଇଁ ସତ୍ୟ ।

ଅନ୍ୟ ଆବର ଯେ ଦୁଇ ରାଣୀ ରହିଥିଲେ

ସେ ମଧ୍ୟ କାଳେ ପ୍ରସବ ଦୁଇପୁତ୍ର କଲେ ।

ସେ ପୁତ୍ରମାନଙ୍କୁ ନେତ୍ରେ ଦେଖି ଦଣ୍ଡଧାରୀ

ପୂର୍ବପରି କହିଲା ସେ ତାଙ୍କୁ କଟୁ କରି ।

ଏରୂପେ ଲୋପ ପାଇବ ଆପଣାର ବଂଶ

ଦେଖିଣ ଭରତ ରାଜା ଦୁଃଖିତ ବିଶେଷ ।

ଆପଣାର ଅନୁରୂପେ ଜାତହେବ ସୁତ

କେଉଁ ଉପାୟରେ ହେବ ଭାବିଣ ଏକାନ୍ତ ।

ସ୍ଥିର କରିଲେ ମାନସ ହେଳା ନ କରିବା

ମାରୁତ ସୋମ ଯାଗକୁ ଏବେ ଆରମ୍ଭିବା ।

ଯଜ୍ଞ କରନ୍ତେ ମରୁତଗଣ ତୁଷ୍ଟ ହେଲେ

ଭରତ ନରପତିକି ପୁତ୍ର ଦାନ କଲେ ।

ଯେଉଁ ପୁତ୍ର ଜନ୍ମିଲା ତା ନାମ ଭରଦ୍ଵାଜ

ପୂର୍ବେ ସେ ଉତଥ୍ୟଙ୍କର ଅଟନ୍ତି କ୍ଷତ୍ରଜ ।

ଏଥୁଅନନ୍ତରେ ପ୍ରିୟେ ଶୁଣ ଦେଇ ଚିତ୍ତ

ସେଠାବରୁ ଯାହା ଯାହା ହୋଇଲା ଚରିତ ।

ଭାଇଙ୍କର ପତ୍ନୀକି ଯେ ହରେ ବୃହସ୍ପତି

ସ୍ଵଭାବରେ ହୋଇଥିଲା ସେହୁ ଗର୍ଭବତୀ ।

ସେ ବୃହସ୍ପତି ଏକାନ୍ତ କାଳେ କାମ ଭୋଳେ

ସେ ଗର୍ଭବତୀର ସଙ୍ଗେ ମୈଥୁନ ଇଚ୍ଛିଲେ ।

ମୈଥୁନ କାର୍ଯ୍ୟରେ ସେହୁ ହୁଅନ୍ତେ ପ୍ରବୃତ୍ତ

ଅଜ୍ଞାନ ଭାବରେ କାମ ମଦେ ହୋଇ ମତ୍ତ ।

ଗର୍ଭ ମଧ୍ୟରେ ତାହାର ଯେଉଁ ଶିଶୁ ଥିଲା

ତାହାର ବୀର୍ଯ୍ୟକୁ ସେହି ପାଦେ ନିରୋଧିଲା ।

ତେଣୁ ବୃହସ୍ପତି ଅତି ଲଜ୍ଜିତ ହୋଇଲେ

ଗର୍ଭର ଶିଶୁକୁ ସେହୁ ରାଗେ ଶାପ ଦେଲେ ।

ମୋହର ବୀର୍ଯ୍ୟକୁ ତୁହି ଯେଣୁ କଲୁ ରୋଧ

ସେ ହେତୁ ତୁ ଜନ୍ମ ହୁଅ ହୋଇ ଜନ୍ମ ଅନ୍ଧ ।

ଗର୍ଭରେ ଥିବା ଶିଶୁର ପାପ ରୋଧେ ରେତ

ତାହାର ଗର୍ଭ ମଧ୍ୟରେ ନ ପାଇଲା ପଥ ।

ଯୋନି ମଧ୍ୟରେ ବାହ୍ୟକୁ ବାହାର ହୋଇଲା

ପୁଣି ସେ ବୀର୍ଯ୍ୟରୁ ସମସ୍ତ ଭୂମିରେ ପଡ଼ିଲା ।

ଭୂମିରେ ପଡ଼ନ୍ତେ ଏକ ପୁତ୍ର ହେଲା ଜାତ

ତାହା ଦେଖିଣ ମମତା ହୋଇଲା ଚକିତ ।

ଏ ବିଷୟ ଭାରତରେ ହୋଇଛି ବର୍ଣ୍ଣତ

ଶୁଣିଲେ ବଂଶ ତରିବେ ପରମ ପବିତ୍ର ।

ଶୁଣିଲେ ତରିବେ ଜନ ଭବ ତରଙ୍ଗିଣୀ

ଦୀନ ହରି ଦାସ ସଦା ଚିନ୍ତେ ଚକ୍ରପାଣି ।

•••

 

ସୋମବଂଶ କନ୍ୟା ଅହଲ୍ୟାର ବଂଶ ଚରିତ

 

ପାର୍ବତୀ ପୁଚ୍ଛିଲେ ପୁମି କୁହ ପ୍ରାଣନାଥ

ଭରତ ବଂଶ ଚରିତ ସର୍ବ ଆଦ୍ୟ ଅନ୍ତ ।

ପ୍ରିୟା ବଚନେ କହିଲେ ଦେବ ଶୂଳପାଣି

କହୁଛି ଶୁଣ ଭରତ ବଂଶର କାହାଣୀ ।

ଭରତ ବଂଶ ବରତ ପୁତ୍ର ମନୁ ହେଲା

ବୃହତ୍‌କ୍ଷେତ୍ରୀ ତାହାଠାରୁ ଜନମ ହୋଇଲା ।

ବୃହତ୍‌କ୍ଷେତ୍ରଙ୍କର ହେଲା ସେହୁ ଜ୍ୟେଷ୍ଠସୁତ

ଜୟ ନାମରେ ତା ପଛେ ହୋଇଲାକ ଜାତ ।

ତୃତୀୟରେ ଜାତ ହେଲା ମାହାବୀର୍ଯ୍ୟ ନାମ

ଚତୁର୍ଥରେ ନର ନାମେ ପୁତ୍ର ହେଲା ଜନ୍ମ ।

ପଞ୍ଚମ ପୁତ୍ର ଯେ ହେଲା ଗର୍ଗ ନାମ ଖ୍ୟାତ

ଏହି ଭାବରେ ଏ ପାଞ୍ଚ ପୁତ୍ର ହେଲେ ଜାତ ।

ନର ନାମେ ଯେ କୁମର ତା ପୁତ୍ର ସନ୍ତତି

ତାହାରଠାରୁ ଜନମ ଦୁଇଟି ସନ୍ତତି ।

ପ୍ରଥମ ପୁତ୍ର ଗୋଟିକ ଗୁରୁ ନାମେ ଖ୍ୟାତ

ରନ୍ତିଦେବ ବୋଲିକରି ଦ୍ଵିତୀୟ ସେ ସୁତ ।

 

 

ଯାହାର ଯଶ କୀରତି ଇହ ପର ଲୋକେ

ବ୍ରାହ୍ମଣମାନେ ପ୍ରଶଂସା କରୁଥାନ୍ତି ମୁଖେ ।

ଧର୍ମ ଭାବରେ ଅର୍ଜ୍ଜନ କରେ ଧନ ଯେତେ

ନ ଭୂଞ୍ଜିଣ ସ୍ଵହସ୍ତେ ତା ଦାନକରେ ନିତ୍ୟ ।

ନିରନ୍ତର ହୋଇଥାଏ ଅକିଞ୍ଚନ ପ୍ରାୟ

ଆପଣା କୁଟୁମ୍ବ ପ୍ରତି ନ କରଇ ସ୍ନେହ ।

ଏମନ୍ତେ ଯେତକ ଧନ ତା ଗୃହରେ ଥିଲା

ଅତିଥିଙ୍କ ହସ୍ତେ ତାହା ସବୁ ଦାନକଲା ।

ତେଣୁକରି ହୋଇଲା ସେ ଜାଣ ନିସ୍କଞ୍ଚନ

ବହୁତ କଷ୍ଟରେ ରହି ବଞ୍ଚିଥାଏ ଦିନ ।

କ୍ଷୁଧାର୍ତ୍ତ ହୋଇ କରିଣ ବଞ୍ଚିଥାଏ ନିତ୍ୟେ

ଆପଣା କୁଟୁମ୍ବଗଣମାନଙ୍କ ସହିତେ ।

ଅନ୍ନ ଅଭାବରେ ତାର ତନୁ ହୁଏ କ୍ଷୀଣ

ତଦ୍ରୂପ ତାର କୁଟୁମ୍ବ ହେଲେ ଅବସନ୍ନ ।

ଏ ରୂପେ ଅଠଚାଳିଶ ଦିନ ବିତିଗଲା

ଜଳ ମାତ୍ରକ ସ୍ପରଶ ସେହୁ ନ କରିଲା ।

କ୍ଷୁଧା ହେତୁରୁ କମ୍ପିତ ହୁଏ କଳେବର

ଜୀର୍ଣ୍ଣ ଅବସ୍ଥା ପରାୟେ ହେଲା ତା ଶରୀର ।

ଏପରି ଅଠଚାଳିଶ ଦିବସରେ ଅନ୍ତେ

ଦେବଙ୍କ ମାୟାରେ ଖାଦ୍ୟ ମିଳେ ଅକସ୍ମାତେ ।

ଘୃତ ସାୟକ ପିଷ୍ଟକ ଅନ୍ନରସ ପାଣି

ପ୍ରଭାତେ ମିଳନ୍ତେ ତାହା ସଞ୍ଚେ ନୃପମଣି ।

ଏଥୁଅନନ୍ତରେ ପ୍ରିୟେ ଶୁଣ ମନ ଦେଇ

ସେ ଦିନ ତାହାର ହାରେ ମିଳିଲେକ ଯାଇ ।

ବିପ୍ର ଅତିଥି ଆସିଣ ତାର ଦ୍ଵାରେ ମିଳେ

ତାହାର ଅତିଥି ପୂଜା କରିବାରେ ବେଳେ ।

ଅତିଥି ଦେଖି ହରିଙ୍କ ପ୍ରାୟ ତାକୁ ମଣି

ଯାହା ରହିଥିଲା ତାର ପାଶେ ଅନ୍ନପାଣି ।

ଅନନ୍ଦ ମନରେ ଭିକ୍ଷା ଆଣି ତାକୁ ଦେଲା

ତଦଅନ୍ତରେ ଶୂଦ୍ରେକ ଆସିଣ ମିଳିଲା ।

ଯେ ଅବା ଥିଲା ତାହାର ଅବଶେଷ ଅନ୍ନ

ଦ୍ଵିଜର କୁଟୁମ୍ବମାନେ କରନ୍ତେ ଭୋଜନ ।

ଶୂଦ୍ର ଅତିଥିକି ମନେ ବିଷ୍ଣୁ ପ୍ରାୟେ ମଣି

ଯାହା ରଖିଥିଲା ତହୁଁ ଭିକ୍ଷାଦେଲା ଆଣି ।

ସେ ପୁଣି ଭୋଜନ କରି ଗୃହକୁ ଯାଆନ୍ତେ

ମିଳେ ଏକାଳେ ଶବର ଶ୍ଵାନର ସହିତେ ।

ମିଳିଲା ତାହାର ଗୃହେ ରାତ୍ରି କାଳେ ଆସି

ବୋଇଲା ବିନୟୀ ହୋଇ ତାର ଦ୍ଵାରେ ବସି ।

ଭୋ ନର ଶେଖରମଣି ଭିକ୍ଷା ଦିଅ ମୋତେ

ବହୁ କ୍ଷୁଧାର୍ତ୍ତୀ ଭୁଞ୍ଜିବୁ ଶ୍ଵାନର ସହିତେ ।

ଯେବା ବଞ୍ଚିଣ କୁଟୁମ୍ବ ନିରନ୍ତରେ ଥିଲା

ସ୍ଵଚ୍ଛ ମନରେ ତକ୍ଷଣେ ତାର ହସ୍ତେ ଦେଲା ।

ଶ୍ଵାନ ସହିତରେ ଶବର ଅନ୍ନପାଣି ଖାଇ

ସନ୍ତୋଷ ଭାବରେ ସେହୁ ଗଲେ ବିଦାହୋଇ ।

ତଦନ୍ତେ ମିଳିଲା ଆସି ଏକଇ ପୁରୁଷ

ଶୁଣ ଗୋ ପାର୍ବତୀ ସେହି ରାଜାଙ୍କର ପାଶ ।

ବୋଇଲା ନରପତିଙ୍କ ମୁଖକୁ ଅନାଇ

ହେ ନରପୁଙ୍ଗବ ମୋତେ ଭିକ୍ଷା ଦିଅ ତୁହି ।

କ୍ଷୁଧା ଆତୁରରେ ସେହି ଅତିଥି କାତର

ନୃପତି ଦେଖନ୍ତି ତାର କମ୍ପଇ ଶରୀର ।

ଏମନ୍ତ ଦେଖି ତାଠାରେ ଅତି ଦୟାବହି

ଅମୃତମୟ ବଚନ ତାହା ପ୍ରତି କହି ।

ବୋଲଇ ଜଗଦୀଶ୍ଵରଠାରେ ସଦା ମୁହିଁ

ଏକାନ୍ତ ଭବେ ଏମନ୍ତ ପ୍ରାର୍ଥନା କରଇ ।

ଅଣିମା ଆଦି କରିଣ ଅଷ୍ଟ ନିଧି ଯେତେ

ଏହିମାନଙ୍କ ମୁକ୍ତି ମୁଁ ନ ଇଚ୍ଛଇ ଚିତ୍ତେ ।

ପ୍ରାଣୀମାନଙ୍କ ଦୁଃଖରେ ସମସ୍ତ ଦୁଃଖିତ

ହୋଇ ମୋର ଜୀବନଟି ବଞ୍ଚୁ ଯେ ନିରତ ।

ଆହେ ଜଗନ୍ନାଥ ପ୍ରଭୁ ମୋତେ ଦୟାକର

ମୁଁ ଯେଉଁ ପ୍ରକାର କରେ ଲୋକ ଉପକାର ।

ଏମନ୍ତ ସ୍ତୁତି ବାକ୍ୟରେ ବହୁତ ଜଣାଇ

ଏ ଚିନ୍ତାରେ ସବୁବେଳେ ଥାନ୍ତି ନରସାଇଁ ।

ଅନ୍ୟନ୍ତ କ୍ଷୁଧା ତୃଷାରେ ହୋଇକରି ଶାନ୍ତ

ମଥା ଘୁରିଯାଏ ତାର ଅତିଶୟ କ୍ଳାନ୍ତ ।

ତଥାପି ସେ ମନମଧ୍ୟେ ଦୁଃଖ ନ ବିଚାରି

ଶୋକ ବିଷାଦ ଇତ୍ୟାଦି ହୃଦୁଁ ପରିହରି ।

ସେ ଅତିଥି ପୁରୁଷର ଜୀବନ ଧାରଣେ

ତାର ସନ୍ତୋଷ ଉପାୟ ଚିନ୍ତିଲାକ ମନେ ।

ଯେ ଅବଶିଷ୍ଠ ତାହାର ଥିଲା ଜଳ ଅନ୍ନ

ସେ ଅତିଥି ପୁରୁଷକୁ କଲା ସମର୍ପଣ ।

ନିଜେ ସେ ବେଳକୁ ମୃତ୍ୟୁ ପ୍ରାୟେ ହୋଇଲାଣି

ତଥାପି ଅତିଥି ପୂଜା ନ ତେଜଇ ପୁଣି ।

ଏମନ୍ତ ପ୍ରକାରେ ଦେଖି ତାର ଧୈର୍ଯ୍ୟପଣ

ଶଚୀରମଣ ବାସବ ଆଦି ଦେବଗଣ ।

ତାହାର ନିକଟେ ଯାଇ ସକଳେ ମିଳିଲେ

ଆପଣା ଆପଣା ମାୟା ଅନ୍ତର୍ହିତ କଲେ ।

ସନ୍ତୋଷଭାବେ ତାହାର ମୁଖକୁ ଅନାଇ

ବୋଇଲେ ଦେବତାମାନେ ଶୁଣ ନରସାଇଁ ।

ଆଜିଦିନ ବ୍ରାହ୍ମଣାଦି ବେଶଧାରୀ ଯେତେ

ମାୟାବଳରେ ତୋ ପୁରେ ଦେଖାଇଲୁ ତୋତେ ।

ଆମ୍ଭେ ଦେବତା ତୋହର ଧୈର୍ଯ୍ୟପଣ ଦେଖି

ଅତିଶୟ ମନମଧ୍ୟେ ହୋଇଅଛୁ ସୁଖୀ ।

ଏମନ୍ତ ଦେବଙ୍କ ବାଣୀ ଶୁଣକରି ରାଜା

ପ୍ରଣାମ କରି ତାହାଙ୍କୁ କଲା ଦିବ୍ୟପୂଜା ।

ପୂଜା ଭକ୍ତି କରି ତାଙ୍କୁ କିଛି ନ ମାଗିଲା

ହରିଙ୍କ ପାଦପଦ୍ମରେ ଲୟେ ଚିତ୍ତ ଦେଲା ।

ଏଥୁଅନ୍ତେ ଶୁଣ ପ୍ରିୟେ ଚିତ୍ତ କରି ସ୍ଥିର

ସେ ଚିନ୍ତି ଦେବ ଭରତ ବଂଶ ନରେଶ୍ଵର ।

କାଳେ ବସୁଦେବଙ୍କର କମଳ ଚରଣେ

ଆପଣା ଚିତ୍ତ ନିବେଶ କଲା ଅନୁକ୍ଷଣେ ।

ସକଳ ବିଷୟମାନ କରିଲାକ ତ୍ୟାଗ

ଚିତ୍ତର ମଧ୍ୟରେ ଜାତ ହୋଇଲା ବୈରାଗ୍ୟ ।

ସଂସାରର ମାୟା ବାଧା ତାକୁ ନ ଦିଶିଲା

ଯେଣୁ ସେ ଈଶ୍ଵରଠାରେ ଚିତ୍ତ ନିବେଶିଲା ।

ମନ୍ଦିରେ ତାହାର ଥିଲେ ଅଳ୍ପ ପରିଜନ

ସକଳ ଏକାଗ୍ରଚିତ୍ତେ ବିଷ୍ଣୁ ପାଦେ ମଗ୍ନ ।

ପରମ ଯୋଗ ସାଧିଣ ଫଳ ସେ ଲଭିଲେ

ଅନ୍ତମକାଳେ ପରମ ବ୍ରହ୍ମେ ଲୀନ ହେଲେ ।

ଗର୍ଗଙ୍କର ଔରସରୁ ମୁନି ହେଲା ଖ୍ୟାତ

ଗର୍ଗ ନାମରେ ଶନିଙ୍କ ପୁତ୍ର ହେଲା ଖ୍ୟାତ ।

କ୍ଷତ୍ରିୟରୁ ଜନ୍ମ ହୋଇ କାଳେ ଦ୍ଵିଜ ହେଲେ

ତପ ଆରାଧନା ଫଳେ ଏ ପଦ ଲଭିଲେ ।

ମହାବୀର୍ଯ୍ୟର ଔରସୁ ପୁତ୍ରେ ହେଲା ଜାତ

ଦୂରିତ କ୍ଷୟ ନାମରେ ସେ ପୁତ୍ର ବିଖ୍ୟାତ ।

ଦୂରିତ କ୍ଷୟର କାଳଏ ହେଲେ ପୁତ୍ର ତିନି

ପ୍ରଥମ ପୁତ୍ର ନାମଟି ଅଟେ ତ୍ରର୍ଯ୍ୟାରୁଣୀ ।

କବି ଯେ ମଧ୍ୟମ ପୁତ୍ର ପୁଷ୍କର କନିଷ୍ଠ

ଏହିରୂପେ ତିନିପୁତ୍ର ଅତି ଶାନ୍ତଶିଷ୍ଟ ।

କାଳେ ଯେ ତିନୋଟି ପୁତ୍ର ତପସ୍ୟାର ବଳେ

ବ୍ରାହ୍ମଣ ତପ ଭାବକୁ ପୁଣି ସେ ଲଭିଲେ ।

ବୃହତ କ୍ଷତ୍ରୀ ଔରସୁ ଯେ ହେଲା ନନ୍ଦନ

ହସ୍ତୀ ନାମରେ ପ୍ରସିଦ୍ଧ ଆଗୋ ପ୍ରିୟେ ଜାଣ ।

ତାହାର ସମୟେ ଏକ ପୁର ନିର୍ମାଣିଲା

ସେହି ପୁରଟର ନାମ ହସ୍ତିନା ରଖିଲା ।

ସେ ହସ୍ତୀର ଜନ୍ମହେଲା ତିନିଗୋଟି ସୁତ

ଅଜମୀଡ଼ ଦ୍ଵୀମଡ଼ ଏ ନାମ ତାଙ୍କ ଖ୍ୟାତ ।

ଅପର ପୁତ୍ରଟି ପରୁମୀଢ଼ ବୋଲିକରି

ତିନିଗୋଟି ପୁତ୍ରଙ୍କର ନାମ ଏହିପରି ।

ପ୍ରିୟ ମେଧାବୀ ନାମକ ଯେଉଁ ଦ୍ଵିଜଗଣ

ଅଜମୀଢ଼ ବଂଶେ ସେହିମାନେ ଉତପନ୍ନ ।

ପୁନଶ୍ଚ ଅଜମୀଢ଼ର ଅନ୍ୟ କେତେ ସୁତ

ବୃହରିକ୍ଷୁ ନାମରେ ସେ ହୋଇଲା ବିଖ୍ୟାତ ।

ବୃହଦ୍ଧନୁ ନାମେ ହେଲେ ତାହାର ତନୟ

ତାହାର ନନ୍ଦନ ନାମ ଅଟେ ବୃହତ୍କାୟ ।

ଜୟଦ୍ରଥ ତର ତହୁଁ ଜନମ ଲବିଲା

ବିଶାବ ନାମରେ ହେଲା ତାର ଏକ ବଳା ।

ବିଶାବ ପୁତ୍ରର ନାମ ଅଟେ ସେନଜିତ

ତାର ଔରସୁ ଜନମ ହେଲେ ଚାରିସୁତ ।

ରୁଚିରାଶ୍ଵର ନାମକ ପ୍ରଥମ ତା ତନୁ

ଦ୍ଵୀତୟ ନନ୍ଦନଟିର ନାମ ବୃହଦ୍ ହନୁ ।

ତୃତୀୟ କୁମରଟିର କାଶ୍ୟନମ ଖ୍ୟାତ

ବତ୍ସ ନାମରେ କୁମର ଅଟଇ ଚତୁର୍ଥ ।

ରୁଚିରାଶ୍ଵର ପୁତ୍ରର ନାମ ଅଟେ ପାର

ପୃତଶ୍ୱର ସେତ ହେଲେ ତାଙ୍କର କୁମର ।

ପାରର କୁମର ହେଲା ନୀପ ନାମେ ଖ୍ୟାତ

ଆବର ଗୋଟିଏ ପୁଣି ଥିଲା ତାର ଭ୍ରାତ ।

ସେ ନୀପ ନାମେ ଜଗତ ହୋଇଲା ବିଖ୍ୟାତ ।

ତାର ଔରସୁ ଜନମ ହେଲେ ଶତପୁତ୍ର ।

ପୁନରପି ଶୁକକନ୍ୟା କୃତୀଙ୍କ ଗର୍ଭରେ

ଲାଭକଲେ ଏକପୁତ୍ର ଆତ୍ମା ପରକାରେ ।

ଯାହାଙ୍କର ନାମ ଗୋଟି ଅଟେ ବ୍ରହ୍ମଦତ୍ତ

ଅନବରତରେ ସେହି ଯୋଗ ଜ୍ଞାନେ ରତ ।

ପତ୍ନୀଙ୍କ ନାମ ତାଙ୍କର ଅଟେ ସ୍ଵରସତୀ

ବିଶ୍ଵକ୍‌ସେନ ତାଙ୍କର ଯେ ହୋଇଲେ ସନ୍ତତି ।

ସେ ବିଶ୍ଵକ୍‌ସେନ ଯେ ଦୃଢ଼େ ଯୋଗଧ୍ୟାନ କଲା

ଜୈଗୀଷବ୍ୟଙ୍କୁ ବହୁତ ନାମେ ଆରାଧିଲା ।

ଯୋଗ ଶାସ୍ତ୍ରରେ ତତ୍ତ୍ଵାଦି ତନ୍ତ୍ର ଯନ୍ତ୍ରମାନ

ଅନେକ ଭାବରେ ସେହୁ କଲା ପ୍ରଣୟନ ।

ଉଦକସେନ ନାମରେ ତାହାର ନନ୍ଦନ

ଉଲ୍ଲାଟ ନାମେ ତାହାର ତହୁଁ ଉତପନ୍ନ ।

ବୃହଦିଷୁର ବଂଶର ମଧ୍ୟେ ହେଲେ ଏତେ

ଆବର କହୁଛି ପ୍ରିୟେ ତୋହର ଅଗ୍ରତେ ।

ଦ୍ଵିମୀଢ଼ ବଂଶ ଚରିତ କରିବା ପ୍ରକାଶ

କଳିକେ ପାରିବ ସଖୀ ଚନ୍ଦ୍ରଙ୍କର ବଂଶ ।

ଦ୍ଵିମୀଢ଼ର ପୁତ୍ର ଏକ ହେଲା ଯବାନୀର

କୃତିମାନ ହୋଇଲା ଯେ ତାହାର କୁମର ।

ସତ୍ୟ ଧୃତିକ ଯେ କୃତିମାନ ଜନମାଇ

ଦୃଢ଼ନେମି ନାମେ ହେଲେ ତାହାର ତନୟୀ ।

ସୁପର୍ଶ୍ଵ ନାମରେ ଅଟେ ତାହାର ସନ୍ତତି

ତାହାର କୁମର ନାମ ଅଟଇ ସୁମତି ।

ସନତ ନାମେ ତାହାର ହେଲା ଏକ ସୁତ

କୃତୀ ନାମେ ତାହାର ଔରସୁ ସଂଭୂତ ।

ହିରଣ୍ୟନାଭ ନାମକ ତହୁଁ ଜ୍ଞାନ ଦୀକ୍ଷା

ପାଇକରି ବସିଣ ଯେ ଯୋଗ କଲା ଶିକ୍ଷା ।

ଯେ ପ୍ରଚ୍ୟସାମ ସଂହିତ ସାର ମର୍ମମାନ

କୃତୀତା ସରଳ ଭାବେ କଲେ ଭିନ୍ନ ଭିନ୍ନ ।

ସେହି ସଂହିତାକୁ ଭାଙ୍ଗି ଷଡ଼ଭାଗ କଲା

ଶିଷ୍ୟ ପ୍ରଶିଷ୍ୟ ସେ ବାକ୍ୟ ମର୍ମ ଶିକ୍ଷାଦେଲା ।

ପ୍ରାୟଧ ନାମରେ ହେଲା କୃତିର ନନ୍ଦନ

କ୍ଷମା ନାମରେ ତା ତହୁଁ ହେଲା ଉତପତ୍ନ ।

ସୁବୀର ନାମରେ ହେଲା କ୍ଷମାର ତନୟ

ତାହାର କୁମର ନାମ ଅଟେ ରିପୁଞ୍ଜୟ ।

ବହୁରଥ ନାମେ ହେଲା ତାହାଙ୍କର ସୁତ

ଦ୍ଵିମୀଢ଼ ବଂଶରେ ହେଲେ ଏହିମାନେ ଖ୍ୟାତ ।

ପରୁମୀଢ଼ ତାହା ଭାଇ ଅଟେ ନିଃସନ୍ତାନ

ଅଜମୀଢ଼ ବଂଶର ମୁଁ କହେ ସଖୀ ଶୁଣ ।

ନଳିନୀ ପତ୍ନୀର ଗର୍ଭେ ଔରସୁ ତାହାର

ନୀଳ ନାମରେ ତାହାର ହୋଇଲା କୁମର ।

ନୀଳ କୁମର ନାମଟି ଶାନ୍ତି ବୋଲାଇଲା

ତାହାର ତହୁଁ ସୁଶାନ୍ତ ନାବେ ଉପୁଜିଲା ।

ପୂରଜ ନାମରେ ହେଲା ତାର ଏକ ସୁତ

ତାହାର କୁମର ଅଜ ନାମରେ ବିଖ୍ୟାତ ।

ଭର୍ମ୍ୟଶ ନାମରେ ପ୍ରିୟେ ତାହାର ନନ୍ଦନ

ତାହାଠାରୁ ପାଞ୍ଚଗୋଟି ହୋଇଲେ ସନ୍ତାନ ।

ମୁଦ୍‌ଗର ଯବନୀର ଏ ନାମେ ପୁତ୍ର ବେନି

ବୃହଦ ବିଶ୍ଵ କମ୍ପିଲା ଏ ଦୁହିଁଙ୍କି ଘେନି ।

ଆବର ସଞ୍ଜୟ ନାମେ ତାହାଙ୍କର ସୁତ

ଏହି ରୂପରେ ବିଖ୍ୟାତ ତାର ପାଞ୍ଚପୁତ୍ର ।

ଉର୍ମାଶ୍ୱ ଏକ ଦିବସେ ଭାବିଲାକ ବସି

ଆପଣା ପୁତ୍ରମାନଙ୍କ ଗୁଣ ପରଶଂସି ।

ମନ ମଧ୍ୟରେ ପାଞ୍ଚଇ ବିଷୟ ରକ୍ଷଣେ

ସମର୍ଥ ହୋଇଲେଣି ତ ଏବେ ପୁତ୍ରମାନେ ।

ତେଣୁ ସେ ପାଞ୍ଚାଳ ସଂଜ୍ଞା ସେମାନଙ୍କୁ ଦେଲା

ପୁତ୍ରମାନଙ୍କୁ ବହୁତ ପ୍ରଶଂସା କରିଲା ।

ମୁଦ୍‌ଗଲ ନାମରେ ପୁତ୍ର ତହୁଁ ହେଲା ଖ୍ୟାତ

ମୁଦ୍‌ଗଲ ବ୍ରାହ୍ମଣଙ୍କର ଅଟଇ ଯେ ଗୋତ୍ର ।

ମୁଦ୍‌ଗଲ ଔରସରୁ ହୋଇଲେ ସମ୍ଭୂତ

ଯମଜ ଜାତ ଗୋଟିଏ କନ୍ୟା ଏକ ସୁତ ।

ମୁଦ୍‌ଗଲର ସେହି ଯମଜ ପୁତ୍ର କନ୍ୟା ଦେଖି

ଅତିଶୟ ଆନନ୍ଦିତ ମନେ ହେଲେ ସୁଖୀ ।

କୁମର ନାମ ଗୋଟିକ ଦିବୋଦାସ ହେଲା

କନ୍ୟାର ନାମ ଗୋଟିକ ଅହଲ୍ୟା ରଖିଲା ।

ଗୌତମ ଋଷି ହୋଇଲେ ସେ କନ୍ୟାର ପତି

ସଦାନନ୍ଦ ନାମେ ହେଲା ତାହାର ସନ୍ତତି ।

ସୁତଧୃତି ନାମେ ହେଲା ତାର ଏକ ସୁତ

ଯେ ଅଟନ୍ତି ଧନୁର୍ବେଦେ ଅତି ସୁପଣ୍ଡିତ ।

ତାହାର ତହୁଁ କୁମର ହେଲା ଶରହାନ

ରୂପେ ସେ ଅତି ସୁନ୍ଦର ନାହିଁ ସରିସମ ।

ଉର୍ବଶୀ ଦେଖି ଅତ୍ୟନ୍ତ ମାନସର ତୋଷେ

ତାହାର ଶୋଭା ମାଧୁରୀ ବଶେ କାମରସେ ।

ଧରି ନ ପାରିଲା ସେହୁ ତାର ରେତ ଦମ୍ଭେ

ତକ୍ଷଣେ ଉଛୁଳି ଯାଇ ପଡ଼େ ଶର ଖମ୍ବେ ।

ତହିଁରୁ ପୁତ୍ର ଦୁହିତା ଦୁଇଗୋଟି ଜାତ

ଆଶ୍ରୟହୀନେ ହୋଇଲେ ବନେ ଅରକ୍ଷିତ ।

ଏଥୁଅନନ୍ତରେ ପ୍ରିୟେ ପାହିଲା ରଜନୀ

ଶାନ୍ତକୁ ବୀର ହସ୍ତରେ ଧନୁଶର ଘେନି ।

ଦିନେକ ମୃଗୟା ଅର୍ଥେ ଅରଣ୍ୟକୁ ଗଲା

ସେ କନ୍ୟା ପୁତ୍ର ଦୁହିଙ୍କି ସେଠାରେ ଦେଖିଲା ।

ଏରୂପେ ଦେଖି ସନ୍ଦେଶ ମନେ ବିଚାରଇ

ଏଥକୁ କାହିଁ ଅଇଲା ପୁତ୍ରକନ୍ୟା ଦୁଇ ।

କିପରି ଜାଣିବା ଏହୁ କାହା କନ୍ୟା ସୁତେ

କିମ୍ପାଇ ଏ ବନେ ଛନ୍ତି ହୋଇ ଅରକ୍ଷିତେ ।

ଏହିପର ବିଚାରିଣ ମନେ କୃପାକରି

ସେ କନ୍ୟା କୁମର ଦୁଇ କାଖେ କୋଳେଧରି ।

ଆପଣାର ମନ୍ଦିରରେ ମିଳିଲା ରାଜନ

ସେ କନ୍ୟା କୁମରଙ୍କର ଦେଲା ପୁଣି ନାମ ।

କୃପାବଶରେସୁତର ଦେଲା କୃପା ନାମ

ରୂପରେ ଅତି ସୁନ୍ଦର ଅତି ମନୋହର ।

କନ୍ୟାଗୋଟି କର ନାମ କୃପୀ ସେ ରଖିଲା

ଦ୍ରୋଣ ଗୁରୁ ଅଟନ୍ତି ଯେ ତାଙ୍କୁ ବିଭାଦେଲା ।

ଏରୂପେ ଚନ୍ଦ୍ରଙ୍କ ବଂଶେ ବଂଶାନୁଚରିତ

ଶୁଣିକରି ପ୍ରିୟସହୀ ହୁଅ ତୋଷ ଚିତ୍ତ ।

ସେହି ବଂଶେ କନ୍ୟା ଅଂଶେ ଅହଲ୍ୟା ସୁନ୍ଦରୀ

ତାଙ୍କର ଅଂଶରେ ଏତେ ଛନ୍ତି ଅବତରି ।

ଅଗମ୍ୟ ଚରିତମାନ ଶୁଣି ହୈମବତୀ

ଆନନ୍ଦିତ ହେଲେ ମନେ ଅତିଶୟ ସତୀ ।

ହେ ଜନେ ଏ ବଂଶେ ଶୁଣି ହରିଙ୍କ ଚରିତ

ଛନ୍ଦ ମାୟା କୁଟୀଳତା ମନୁ କର ତ୍ୟକ୍ତ ।

 

 

ହରେ ରାମ କୃଷ୍ଣ ନାମେ ରଖିଣ ବିଶ୍ଵାସ

ସତ୍ୟପଥେ ଚଳ ଲେଖଇ ଯେ ହରି ଦାସ ।

•••

 

ସୋମବଂଶ ଦିବୋବାସଙ୍କ ବଂଶାଳୀ

 

ଏଥୁଅନନ୍ତରେ ଉମା କୃତ୍ୟକୃତ୍ୟ ହୋଇ

ବୋଇଲେ ଶିବଙ୍କୁ ପୁଣି କହ ପ୍ରାଣସାଇଁ ।

ଏହାପରେ କେଉଁକଥା କହିବ ହେ ନାଥ

ଶୁଣିବାକୁ ମୋର ମନ ଚାତକର ମତ ।

ମହେଶ କହିଲେ ପ୍ରିୟେ ଏକମନେ ଶୁଣ

ମୁଦ୍‌ଗଲ କନ୍ୟାର ବଂଶ କରିଲ ଶ୍ରବଣ ।

ଅହଲ୍ୟାର ବାଇ ସେହି ଦିବୋଦାସ ଥିଲା

ତାହାର ଔରସୁ ଜାତ ଚ୍ୟବନ ହୋଇଲା ।

ସୁବାସ ନାମରେ ହେଲା ଚ୍ୟବନର ପୁତ୍ର

ସୁବାସର ସହଦେବ ନାମ ହେଲା ସୁତ ।

ସୋମକ ନାମରେ ଏକ ସହଦେବ ବଳା

ତାହାର ବୀର୍ଯ୍ୟରୁ ଜାତ ଶତପୁତ୍ର ହେଲା ।

ସେ ଶତପୁତ୍ର ନାମରେ ଜନ୍ତୁ ଅଟେ ଶ୍ରେଷ୍ଠ

ତୃଷିଦ ନାମରେ ଭ୍ରାତ ତାହାର କନିଷ୍ଠ ।

ଦ୍ରୁପଦ ରାଜା ଅଟନ୍ତି ତୃଷିତ ନନ୍ଦନ

ସର୍ବ ସମ୍ପଦ ସମ୍ପନ୍ନ ଅଟେ ଗୁଣଧାମ ।

 

 

ଧୃଷ୍ଟଦ୍ୟୁମନ ଶିଖଣ୍ଡ ତାର ହେଲେ ସୁତ

ଦ୍ରୌପଦୀ କନ୍ୟା ନାମରେ ହେଲା ଏକ ଜାତ ।

ଯଜ୍ଞ ଅନଳୁ ଏମାନେ ହୋଇଲା ଏକ ଜାତ

ଏରୂପେ ଏହାଙ୍କ କଥା ହୋଇଲା ବିଖ୍ୟାତ ।

ଦ୍ରୁପଦ ନନ୍ଦନ ଦୃଷ୍ଟଦ୍ୟୁମନର ରେତୁ

ଜନ୍ମହେଲା ଏକ ପୁତ୍ର ନାମ ଧୃଷ୍ଟକେତୁ ।

ଉର୍ମ୍ୟାଶ ବଂଶରେ ହେଲା ଏତେକ ସମ୍ଭୂତ

ପାଞ୍ଚାଳ ନାମରେ ହେଲେ ଏମାନେ ବିଖ୍ୟାତ ।

ଅଜମୀଡ଼ର ଔରସୁ ହୋଇଥିଲା ଜାତ

ଅନ୍ୟ ଏକ ପୁତ୍ର ହେଲା ତାର ବୀର୍ଯ୍ୟୁ ଜନ୍ମ ।

ସୂର୍ଯ୍ୟକନ୍ୟା ଅନୁପମ ତପତର ଗର୍ଭେ

କ୍ଷିତପତି ରୂପେ କୁରୁପତି ଜନ୍ମ ଲଭେ ।

ସେହି କୁମର ଯେ ରାଜା ହେଲା କୁରୁବଂଶେ

ଏକଥା ଗୋଟିକ ପ୍ରିୟେ ଶୁଣିଛ ଭବିଷ୍ୟେ ।

ସେ କୁରୁ ରାଜାଙ୍କ ପୁଣି ଚାରିପୁତ୍ର ହୋଇ

ପରୀକ୍ଷ ଗୋଟିକ ନାମ ସୁଧେନୁ ଏ ଦୁଇ ।

ଜହ୍ନୁ ନିଶଦ ଏରୂପେ ହେଲେ ଚାରିସୁତ

ଏଥୁଅନନ୍ତରେ ପ୍ରିୟେ ଶୁଣ ଦେଇ ଚିତ୍ତ ।

ସୁହୋତ୍ର ନାମରେ ହେଲା ସୁଧେନୁ ନନ୍ଦନ

ଚ୍ୟବନ ନାମେ ପୁନଶ୍ଚ ତାରତହୁଁ ଜନ୍ମ ।

ସେ ଚ୍ୟବନ କୁମରର ନାମ କୃତ୍ୟଅଂଶୁ

ତା ତହୁଁ ଜନ୍ମ ଉପରେ ଚାର ନାମେ ବସୁ ।

ସେ ବସୁ ତନୟ ନାମ ଅଟେ ବ୍ରହ୍ମପଥ

ଦ୍ଵିତୀୟ କୁଶାମ୍ବ ପୁତ୍ର ବୃହଦ୍ରଥ ଭ୍ରାତ ।

ମତ୍ସ୍ୟ ନାମରେ ତୃତୀୟ କୁମରର ନାମ

ପ୍ରତ୍ୟଗ୍ର ଚତୁର୍ଥ ପୁତ୍ର ଆଗୋ ପ୍ରିୟେ ଜାଣ ।

ଚେଦିପ ଆଦି କରିଣ ବହୁତ ଯେ ଭ୍ରାତ

ଉପରିଚର ବସୁଙ୍କ ଏହିମାନେ ସୁତ ।

ଚେଦି ପ୍ରଭୃତି ତାଙ୍କର ଅଟନ୍ତି ତନୟ

ସେ ପୁଣି ଚେଦି ଦେଶରେ ଅଟେ ନରରାୟ ।

କୁଶାଗ୍ର ନାମରେ ପୁଣି ବୃହଦ୍ରଥ ସୁତ

ରୁଷଭ ନାମରେ ଏକ ତାର ତହୁଁ ଜାତ ।

ସେ ରୁଷଭର ସନ୍ତାନ ଅଟେ ସତ୍ୟହିତ

ପୁଷ୍ପାବାନ ନାମ ଜାଣ ତାର ଏକସୁତ ।

ବୃହଦ୍ରଥଙ୍କର ଥିଲା ଅନ୍ୟ ଏକ ନାରୀ

ଅଦ୍ଭୁତେ ଦିଖଣ୍ଡ ଶିଶୁ ଗର୍ଭୁ ଜାତକରି ।

ଦେଖଇ ତାର ଜୀବନ ନାହିଁ ପୁଣି ଦେହେ

ରୂପ ଦେଖି କେ ଛାଡ଼ିବ ସ୍ନେହ ଛାଡ଼ିନୋହେ ।

ନିଶି ଗୋଟିକ ପଲ୍ୟଙ୍କ କୋଳେ ତାଙ୍କୁ ବହି

ପୁନଶ୍ଚ ଶ୍ମଶାନେ ତାକୁ ପକାଇଲେ ନେଇ ।

ଏଥୁଅନନ୍ତରେ ପ୍ରିୟେ ଶୁଣ ଦେଇ ଚିତ୍ତ

ଜରା ନାମରେ ରାକ୍ଷସୀ ତହୁଁ ଉପଗତ ।

କ୍ଷୁଧାରେ ପୀଡ଼ିତ ହୋଇ ରାତ୍ରେ ଦେଶ ବନେ

ବିଚରଣ କରଇ ସେ ଦୁର୍ଗମ ଶ୍ମଶାନେ ।

ସ୍ଵଭାବ ତାହାର ସଦା ନର ମାଂସେ ତୋଷ

ଅକସ୍ମାତେ ସେ ଶ୍ମଶାନେ ହୋଇଲା ପ୍ରବେଶ ।

ସେ ବେନିଖଣ୍ଡ ଶିଶୁକୁ ଏକତ୍ରରେ ଧରି

ଗୋଟା ସୁଦ୍ଧା ଗିଳିବାକୁ ବଦନ ବିସ୍ତାରି ।

ଦେଖି ସେ ବାଳକଟିର ତନୁ ବେନିଖଣ୍ଡ

ତେଜରେ ତା ଅଙ୍ଗ ଦିଶେ କିବା ମାରକଣ୍ଡ ।

ପୁଣି ସେ ବେନି ଫାଳକୁ ଯୋଡ଼ି ଏକ କଲା

ସ୍ଵମନ୍ତ୍ରେ ସେହି ସୁତକୁ ଜୀବନ୍ୟାସ ଦେଲା ।

ସେହିକ୍ଷଣି ପ୍ରାଣ ଲଭି ଜୀବ ଯୋଗୀ ରାବେ

ସେ ବେନି ଖଣ୍ଡ ଜଡ଼ିଣ ଗଲେ ଏକଭାବେ ।

ତକ୍ଷଣେ ସେହି କୁମର ମୃତ୍ୟୁରୁ ବଞ୍ଚିଲା

ନିଜର ସୌନ୍ଦର୍ଯ୍ୟ ଗୁଣେ ଜଗତ ମୋହିଲା ।

ପୁଣି ସେ ରାକ୍ଷସୀ ତାର ବଦନକୁ ଚାହିଁ

ବୋଲଇ ତାହାର ମୁଣ୍ଡେ ହସ୍ତକୁ ଛୁଆଇଁ ।

ବରଦେଲି ଅଜୟ ତୁ ହୁଅ ନରଲୋକେ

ଅନେକ ରାଜାମାନଙ୍କୁ ଜିଣିବୁ ତୁ ଏକେ ।

ଯେବଣ ଜନ କରିଣ ତୋତେ ବେନିପାଳ

ବଳେ ବୁଲାଇ କ୍ଷେପିବ ଭୂମି ଅନ୍ତରାଳ ।

ଖଣ୍ଡେ ଫିଙ୍ଗିବ ଘୂରିବ ଯାଇ ଅନ୍ତରାଳ

ଖଣ୍ଡେ ଦହନ ହୋଇବ ଭଡ଼ବା ଅନଳେ ।

ଏରୂପେ କଲେ ପୂରିବ ତେବେ କାଳ ତୋର

ଆଜିଠାରୁ ହୁଅ ତୁହି ଅଜର ଅମର ।

ଶୁଣ ଗୋ ସୁନ୍ଦରୀ ତୁହି ଅସୁରୀ ସଂଧାନେ

ସେ ପୁତ୍ରକୁ ରଖିଲା ସେ ଜରାସନ୍ଧ ନାମେ ।

ସେ ବାହୁବଳେ ଅନେକ ରାଜ୍ୟ ଭୋଗକଲା

ରାଜସ୍ଵୟ ଯଜ୍ଞ କାଳେ ଭୀମ ହସ୍ତେ ମଲା ।

ତାହାର କୁମର ଏକ ହେଲା ସହଦେବ

ତାହାର ବୀର୍ଯ୍ୟରୁ ହେଲା ସୋମପି ସମ୍ଭବ ।

ଶ୍ରୁତଶ୍ରବା ନାମେ ଏକ ହୁଏ ତାର ବଳା

ଗୁରୁଙ୍କ ପୁତ୍ର ପରୀକ୍ଷ ନିଃସନ୍ତାନ ହେଲା ।

ତାହାର ଭାଇ ଜହ୍ନୁଙ୍କ ତନୟ ସୁରଥ

ତାହାର କୁମର ନାମ ଅଟେ ବହୁରଥ ।

ତାହାର କୁମର ନାମ ଅଟେ ସର୍ବଭୋମ

ତାହାବୀର୍ଯ୍ୟୁ ଉତପତ୍ତି ହେଲା ଜୟସେନ ।

ରାଧିକା ନାମରେ ଏକ ଜୟସେନ ସୁତ

ତାହାର ତହୁଁ ହୋଇଲା ଅୟୁତାୟୁ ଜାକ ।

ଅୟୁତାୟୁର ଔରସୁ ହୋଇଲା ଜନମ

ନାମ ତାହାର ବିଖ୍ୟାତ ଅଟେ ଆକ୍ରୋଧନ ।

ତାହାର ତହୁଁ ଜନମ ହେଲା ଦେବାତିଥି

ଋଷ ନାମରେ ତା ତହୁଣ ହୁଏ ଉତ୍ତପତ୍ତି ।

ଦିଲୀପ ନାମରେ ହେଲା ତାହାର ଅପତ୍ୟ

ତାହାର ତହୁଁ ପ୍ରତୀପ ହୋଇଲା ସମ୍ଭୂତ ।

ପ୍ରତୀପର ଅଂଶେ ଜାତ ହେଲା ପୁତ୍ର ତିନି

ସ୍ଵୟଂ ପ୍ରତୀପଙ୍କର ସେ ନିଜରୂପ ଘେନି ।

ତାଙ୍କର ନାମ ଦେବାପି ଶାନ୍ତନୁ ବାହ୍ଳିକ

ସ୍ଵଭାବେ ଅଟନ୍ତି ସେହୁ ସୁଜ୍ଞାନୀ ବିବେକ ।

ଦେବାପି ଜ୍ୟେଷ୍ଠ କୁମର ଜାତି ସ୍ମରି କରି

ରାଜ୍ୟେ କଦାପି ନୋହିଲା ସେହୁ ଅଧିକାରୀ ।

ଯତନ ଭାବରେ ସେ ଯେ ଯୋଗ ଅଇ୍ୟାସଣେ

ନିଶ୍ଚଳା ସମାଧି ସ୍ଥାପି ରହିଲା ସେ ବନେ ।

ପିତୃର ରାଜ୍ୟକୁ ପରିତ୍ୟାଗ କଲା

ଅରଣ୍ୟ ମଧ୍ୟରେ ଯାଇଁ ନିଶ୍ଚଳେ ରହିଲା ।

ପୁନରପି ଲେଉଟିଣ କଳିଯୁଗ ଶେଷେ

ଆସିକରି ରାଜା ହେବ ବସି ସୋମବଂଶେ ।

ତାହାରି ଭାଇ ଶାନ୍ତନୁ ରାଜ୍ୟେ ହୋଇ ରାଜା

ଧର୍ମ ଭାବରେ ପାଳିଲା ରାଜ୍ୟେ ଜନପ୍ରଜା ।

ଏହି ଶାନ୍ତନୁଙ୍କ ପୂର୍ବଜନ୍ମେ ଥିଲା ନାମ

ମହାଭୀଷ୍ମ ବୋଲିକରି ଆଗୋ ପ୍ରିୟେ ଜାଣ ।

ପୂର୍ବର ମହିମା ତାର ଶୁଣ ମନଦେଇ

ସେ ମହାଭୀଷ୍ମ ଯାହାକୁ ହସ୍ତରେ ଛୁଅଇଁ ।

ସେ ଯଦ୍ୟପି ହୋଇଥିବ ଜାରାବସ୍ଥା ଜାଣ

ତାର ଛୁଅଁନ୍ତେ ତକ୍ଷଣେ ଲଭିବ ଯୌବନ ।

ଶାନ୍ତି ବାବକୁ ଲଭଇ ଯେହୁ ଅତିସୁଖେ

ନ ପଡ଼ଇ ସେହି ପ୍ରାଣୀ କେଭେ ବ୍ୟାଧିମୁଖେ ।

ଏହି ପ୍ରକାରେ ପାଳିଲା ତାର ରାଜ୍ୟକାଳେ

ମେଘ ଉଦିତ ନୋହିଲେ ପୁଣି ଅନ୍ତରାଳେ ।

ଏହି ରୂପରେ ବିତିଲା ଦ୍ଵାଦଶ ବରଷ

ବୃଷ୍ଟି ବିହୀନେ ଶସ୍ୟ ନଫଳେ ତାର ଦେଶ ।

କେଉଁ ହେତୁରୁ ବୃଷ୍ଟି ନ କରେ ବଳାହକ

କ୍ଷୁଧାରେ କଷ୍ଟ ପାଇଲେ ସର୍ବ ପ୍ରଜାଲୋକ ।

ତତଃପର ସେ ଶାନ୍ତନୁ ବ୍ରାହ୍ମଣଙ୍କୁ ଚାହିଁ

ବିନୟ ଭାବେ କହିଲେ ଶିରେ କର ଦେଇ ।

ଦେଖ ଭୋ ବିପ୍ର ଦୁଃଖିତ ମୋର ନଗ୍ର ଲୋକ

ଜଳ ନ ବରଷେ କାହିଁପାଇଁ ବଳାହକ ।

କି ଅବା ମୋହର କେଉଁ କଳମଷ ଅଛି

ସେ ଲକ୍ଷ୍ୟରୁ ଇନ୍ଦ୍ର ଜଳ ବର୍ଷା ନ କରୁଛି ।

ଏହି ପ୍ରକାରେ ତାହାର ବଚନକୁ ଶୁଣି

ବିପ୍ରେ ନିଗମ ପଥରେ ତାହା ପରିମାଣି ।

ତତ୍ପରେ ବୋଇଲେ ଫେଡ଼ି ପରିବେତ୍ତା ଦୋଷେ

ସେ ପାକଶାସନ ନ ବରଷେ ତୋର ଦେଶେ ।

ଜ୍ୟେଷ୍ଠ ଭାଇକୁ ବିଧାନେ ବିବାହ ନ କରେ

ଏପରି ସ୍ଥଳେ କନିଷ୍ଠେ ଯେବେ କନ୍ୟା ବରେ ।

ସେ ପରିବେନି ଦୋଷର ଯୋଗୁଁ ତାର ଦେଖେ

କଦାପି ସେ ଶଚୀପତି ଜଳ ନ ବରଷେ ।

ବିଚାରିଲେ ତୁମ୍ଭେ ଭ୍ରାତା ଜ୍ୟେଷ୍ଠ ରାଜ୍ୟଭାଗ

ସେ ଥାଉଁ ଥାଉଁ କରୁଛ ଚୁମ୍ଭେ ନିଜେ ଭୋଗ ।

ଏହି ପ୍ରକାରେ କହନ୍ତେ ବିପ୍ର ମୁଖୁ ଶୁଣି

କରପତ୍ର ଯୋଡ଼ି ଭୟେ ବୋଳେ ନୃପମଣି ।

ବୁଝିଲି ଏଥର ରାଜ୍ୟେ ଜ୍ୟେଷ୍ଠ ଭ୍ରାତା ଦେଇ

ନିଶ୍ଚୟ ତପ ସାଧିବି ଅରଣ୍ୟରେ ଯାଇ ।

ମହା ସୁଖରେ ବଞ୍ଚନ୍ତୁ ନଗ୍ରଜନ ପ୍ରଜା

ଜ୍ୟେଷ୍ଠ ଆମ୍ବର ଦେବାପି ରାଜ୍ୟେ ହେଉ ରାଜା ।

ଏମନ୍ତ ବିଚାରି ସଙ୍ଗେ ଘେନି ବିପ୍ରଗଣ

ଦେବାପିଙ୍କୁ ଡାକିଆଣି ରାଜ୍ୟ ସମର୍ପଣ ।

ତତଃପରେ ସେ ଶାନ୍ତନୁ ଜ୍ୟେଷ୍ଠ ଭ୍ରାତପାଦେ

ଭୂମିଷ୍ଠେ ପଡ଼ି କହଇ ଶୋକ ଗଦଗଦେ ।

ହେ ବ୍ରାତ ରାଜ୍ୟରେ ବସି ଏବେ ଦ୍ଵନ୍ତୁ ରାଜା

ବରଷୁ ଜଳ ଜୀବନ୍ତୁ ସୁଖେ ଜନ ପ୍ରଜା ।

ଏରୂପେ କହୁଁ ଦେବାପି ତାର ବାକ୍ୟ ଶୁଣି

ବୁଝାଇ କହିଲେ ସେହି ଧର୍ମ ପରିମାଣି ।

ଏ ଦେଶରୁ ବାହାରିକି ଯାଇଅଛି ମୁହିଁ

ସତ୍ୟ କହୁଛଇ ରାଜ୍ୟେ ମୋର ପ୍ରୟୋଜନ ନାହିଁ ।

ଏହା କହନ୍ତେ ଏ ମଧ୍ୟେ ରାଜ୍ୟ ମନ୍ତ୍ରୀଗଣ

କୌଶଳ କଲେ କପଟ ବିଧି ଆଚରଣ ।

ଆପଣାର ଯେ ବିଶ୍ଵାସୀ ବ୍ରାହ୍ମଣ ରାଇଲେ

ରାଜାଙ୍କ ଆଗେ ବିସ୍ତାରି କୁମନ୍ତ୍ରଣା ଦେଲେ ।

ସାବଧାନରେ ବୋଇଲେ ଶୁଣ ବିପ୍ରଗଣ

ଉପାୟ ଭାବି ଦେବାପି କାର୍ଯ୍ୟ କର ବିଘ୍ନ ।

ଶୁଣିକରି ଏ ବଚନ ବିପ୍ର ବେଗେ ଗଲେ

ସେ ଦେବାପି ନିକଟରେ ପ୍ରବେଶ ହୋଇଲେ ।

ଯେତେକ ଅଛି ପାଷାଣ୍ଡମତ ପୃଷ୍ଠ ଦୋଷ

ବିସ୍ତାର କରି ସେ ମାର୍ଗେ ଦେଲେ ଉପଦେଶ ।

ଏମନ୍ତ ଶୁଣି ତେଣୁ ତା ବୁଦ୍ଧି ହେଲା ନଷ୍ଟ

ସେ ବେଦମାର୍ଗେ ବଚନୁ ହେଲେ ଜ୍ଞାନଭ୍ରଷ୍ଟ ।

ବେଦ ବଚନକୁ ସେହୁ ଯେଣୁ ନିନ୍ଦାକଲା

ସେ ଅପରାଧ ଫଳରେ ପତିତ ହୋଇଲା ।

ରାଜ୍ୟକୁ ତେଣୁ ନୋହିଲା ଆଉ ଅଧିକାରୀ

ପୁନରପି ସେ ଶାନ୍ତନୁ ହେଲେ ଦଣ୍ଡଧାରୀ ।

ଏ ଉପାୟ କରୁଁ ତାର ଦୋଷ ନ ରହିଲା

ଯେ ହେତୁ ଦେବାପି ମୁଖେ ବେଦ ନିନ୍ଦାକଲା ।

ତକ୍ଷଣେ ପୂର୍ଣ୍ଣ ହୋଇଲା ନିଗମ ବଚନେ

ଅଦ୍ଭୁଦେ ଜୀମୂତେ ଆସି ଘୋଟିଲା ଗଗନେ ।

ଚତୁର୍ଦ୍ଦିଗରେ ଗଭୀର ଘୋର ନାଦ କରି

ତକ୍ଷଣେ ପୃଥିବୀ ପରେ ବରଷିଲେ ବାରି ।

ରାଜ୍ୟରୁ ବର୍ତ୍ତୀ ଦେବାପି ମନେ ଜ୍ଞାନ ଭରି

ରହିଲେ କଳାପ ଗ୍ରାମେ ବାସ ଏକ କରି ।

ଯେତେବେଳେ ବିଶ୍ଵ ସଂସାର କାଳର କବଳେ

ଏ ସୋମବଂଶେ ବିନାଶ ହୋଇବାର ବେଳେ ।

କଳିର ଆୟୁଷ ମାତ୍ର ଥିବ ଅବଶେଷ

ସେହି ସମୟେ ଦେବାପି ହେବ ନରଈଶ ।

ରାଜଗାଦି ଭୋଗ କରି ସେହୁ ଦିନାକେତେ

ପ୍ରଜାମାନଙ୍କୁ ପାଳିବେ ଧାମକରି ଚିତ୍ତେ ।

ସେ ପୁଣି ସ୍ଥାପନ କରି ମର୍ତ୍ତ୍ୟେ ସୋମବଂଶେ

ଏହି ପ୍ରକାରେ ଯେ ଅବା ଥିବ ଅବଶେଷେ ।

ଶାନ୍ତୁନୁ ଭ୍ରାତ ବାହ୍ନିକ ବୀର୍ଯ୍ୟ ସୋମଦତ୍ତ

ଭୁରି ଭୂରିଶ୍ରବା ହେଲେ ତାହାଙ୍କର ସୁତ ।

ଆବର ଶଲ୍ୟକୁ ଘେନି ହେଲେ ପୁତ୍ର ତିନି

ସୋମଦତ୍ତଙ୍କ ବୀର୍ଯ୍ୟରୁ ଏହୁମାନେ ଜନ୍ମି ।

ଶାନ୍ତନୁଙ୍କ ବୀର୍ଯ୍ୟୁ ଗଙ୍ଗା ସୁତ ଭୀଷ୍ମ ନାମ

ସେ ସାଧୁ ଚରିତ ସର୍ବଗୁଣ ଗୁଣାଧାମ ।

ସେ ଯୁଦ୍ଧ କୌଶଳୀ ସର୍ବ ବୀର ଶିରୋମଣି

ପର୍ଶୁରାମ ପରା କ୍ଷତ୍ରୀ ସେହୁ ଯୁଦ୍ଧେ ଜିଣି ।

ପୁନଶ୍ଚ ଶାନ୍ତନୁଙ୍କର ଦାସୀ କନ୍ୟା ଗର୍ଭେ

ଚିତ୍ରାଙ୍ଗଦ ନାମେ ପୁତ୍ର ଜାତହେଲେ ପୂର୍ବେ ।

ତାପରେ ଚିତିତ୍ରବୀର୍ଯ୍ୟ ହେଲା ଉତପନ୍ନ

ତାହାଙ୍କର କଥା ପ୍ରିୟେ ଶୁଣ ଦେଇ ମନ ।

ଗନ୍ଧର୍ବଗଣ ସହିତେ ଆରମ୍ଭିଣ ଯୁଦ୍ଧ

ପରାସ୍ତ ହୋଇ ସେ ରଣେ ମଲା ଚିତ୍ରାଙ୍ଗଦା ।

ସେହି ବଂଶେ ଜାତ ପରାଶର ଔରସରେ

ଦାସ କନ୍ୟା ଗର୍ଭଧାରୀ ସୁଯୋଗ କାଳରେ ।

ସେ ପୁଣି ବ୍ୟାସ ମୁନିଙ୍କି ଗର୍ଭୁ ଜନ୍ମକରି

ସଭ୍ରମ ଚିତ୍ତରେ ତାଙ୍କୁ କୋଳେ ବାଳୀ ଧରି ।

ସେ ସାକ୍ଷାତରେ ବିଷ୍ଣୁଙ୍କର ଅଂଶ ମହାମୁନି

ପ୍ରତ୍ୟକ୍ଷ ଜନ୍ମି ଅଛନ୍ତି ବିଷ୍ଣୁ ତେଜ ଘେନି ।

ବିଷ୍ଣୁଙ୍କ ଅଂଶରେ ସେହି ହେଲା ଉତପନ୍ନ

ତେଣୁ ତାହାଙ୍କର ନାମ କୃଷ୍ଣ ଦ୍ଵୈପୟନ ।

କପିଳ ଆଦି କରିଣ ଯେତେ ଋଷିଗଣେ

ବିଦ୍ୟା ଅଭ୍ୟାସ ତାହାକୁ କଲେ ଜଣେ ଜଣେ ।

ସେ ଅଭ୍ୟାସରୁ ହୋଇଲେ ସର୍ବେ ବ୍ରହ୍ମବେତ୍ତା

ସକଳ ବିଦ୍ୟା ମାର୍ଗରେ ଗୁଣେ ବଳବନ୍ତା ।

ଏଥୁଅନନ୍ତରେ ପ୍ରିୟେ କାଶୀ ରାଜାଘରେ

ଭୀଷ୍ମ ପ୍ରବେଶ ହୋଇଲେ କନ୍ୟା ସ୍ଵୟମ୍ବରେ ।

ଅତି ସାହସେ ଦୁର୍ଗମ ଶର ବିନ୍ଧି ବଳେ

ସଭାରେ ସ୍ଥିତ ଅନେକ ନୃପତିଙ୍କ ମେଳେ ।

ସେ ରାଜାମାନେ ଯୁଝନ୍ତି ଯୁଦ୍ଧେ ତାଙ୍କୁ ଜିଣି

ବାହୁବଳରେ ଆଣିଲା ସକଳ ଦୁଲଣୀ ।

ଅମ୍ବିକା ଅମ୍ବାଳିକା ସେ କନ୍ୟା ନାମ ଦୁଇ

ବିଚିତ୍ରବୀର୍ଯ୍ୟକୁ ତାଙ୍କୁ ବିଭାକଲେ ନେଇ ।

ଯୌବନେ ଦୁଇ ଭାର୍ଯ୍ୟାରେ ହୋଇକରି ରତ

ସେ ବିଚିତ୍ରବୀର୍ଯ୍ୟ ସଦା ହେଲା କାମେ ମତ୍ତ ।

ସେହି ଦୁଷ୍କର୍ମରୁ ଯକ୍ଷ୍ମା ରୋଗେ ଗ୍ରସ୍ତ ହୋଇ

ଅଳପ କାଳ ମଧ୍ୟରେ ନାଶଗଲା ସେହି ।

ତାର ନିଧନେ ସନ୍ତାନହୀନ କୁଳ ଦେଖି

ସମସ୍ତେ ମନ ମଧ୍ୟରେ ହେଲେ ଅତିଦୁଃଖୀ ।

ସର୍ବ ସମ୍ମତ ମାତାଙ୍କ ଆଦେଶକୁ ମାନି

ତାହାଙ୍କର ସୋଦର ଯେ ସେହି ବ୍ୟାସମୁନି ।

ବିଚିତ୍ର ବୀର୍ଯ୍ୟ କ୍ଷେତ୍ରରେ କଲେ ଗର୍ଭାଧାନ

ସେ ଦୁଇ ଗର୍ଭରୁ ହେଲେ ଦୁଇଟି ନନ୍ଦନ ।

ଜ୍ୟେଷ୍ଠ କୁମରର ନାମ ଅଟେ ଧୃତରାଷ୍ଟ୍ର

ପଣ୍ଡୁ ନାମରେ ଜନମ ତାହାର କନିଷ୍ଠ ।

ଆବର ଦାସୀ ଅମ୍ବୁଷା ଉଦରେ ଅନ୍ତର

ପୁଅଟିଏ ଜାତହେଲା ତା ନାମ ବିଦୁର ।

ଜ୍ୟେଷ୍ଠପୁତ୍ର ଧୃତରାଷ୍ଟ୍ର ତହୁଁ ଶତପୁତ୍ର

ଦୁର୍ବାସା ବରେ ଗାନ୍ଧାରୀ ଗର୍ଭୁ ହେଲେ ଜାତ ।

କନ୍ୟାଟିଏ ଜନମିଲା ରୂପେ ଅନୁପମ

ଦୁଃଶୀଳା ବୋଲି କରିଣ ଦେଲେ ତାର ନାମ ।

ଶତଭ୍ରାତାଙ୍କ ମଧ୍ୟରେ ରୂପ ଗୁଣେ ଶ୍ରେଷ୍ଠ

ଦୁର୍ଯ୍ୟୋଧନ ବୋଲିକରି ସେ ଯେ ଅଟେ ଜ୍ୟେଷ୍ଠ ।

ଧୃତରାଷ୍ଟ୍ର ଭ୍ରାତା ପଣ୍ଡୁ ଋଷି ଶାପେଗ୍ରସ୍ତ

ମୈଥୁନ କାର୍ଯ୍ୟରୁ ସେହୁ ରହିଲେ ବଞ୍ଚିତ ।

ତା ପତ୍ନୀ କୋନ୍ତ ଦୁଲଣୀ କୁନ୍ତୀ ଗର୍ଭୁଜାତ

ଯୁଧିଷ୍ଠି ଭୀମ ଅର୍ଜ୍ଜୁନ ତିନି ପୁତ୍ର ଖ୍ୟାତ ।

ଧର୍ମ ନନ୍ଦକୁ ଯୁଧିଷ୍ଠି ବାୟୁପୁତ୍ର ଭୀମ

ଇନ୍ଦ୍ରଙ୍କର ପୁତ୍ର ଯେହୁ ଅର୍ଜ୍ଜୁନ ତା ନାମ ।

ତିନି ବାଳକ ଜନ୍ମିଲେ ଅତି ଗୁଣବନ୍ତ

ତାହାଙ୍କର ସଖା ପୁଣି ହୋଇଲା ଅନନ୍ତ ।

ମାଦ୍ରୀର ଉଦର ମଧ୍ୟୁ ଦୁଇପୁତ୍ର ଜାତ

ନକୁଳ ସହଦେବ ଏ ନାମ ତାଙ୍କ ଖ୍ୟାତ ।

ସ୍ଵର୍ଗର ବୈଦ୍ୟ ଅଶ୍ଵିନୀ କୁମାରଙ୍କ ବୀର୍ଯ୍ୟେ

ଜନ୍ମ ହୋଇଲେ ସେ ଦୁଇପୁତ୍ର ମହାତେଜେ ।

ଏ ରୂପେ ହୋଇଲେ ସେହୁ ପାଞ୍ଚଗୋଟି ପୁତ୍ର

ଏମାନଙ୍କ କୋଳେ ହେଲା ପାଞ୍ଚଗୋଟି ସୁତ ।

ଦ୍ରୁପଦ ସୁତା ଦ୍ରୌପଦୀ ଗର୍ଭୁ ହେଲେ ଜନ୍ମ

ଶୁଣ କହୁଛି ଗୋ ପ୍ରିୟେ ସେମାନଙ୍କ ନାମ ।

ଜ୍ୟେଷ୍ଠ ଯୁଧିଷ୍ଠିର ପୁତ୍ର ନାମେ ପ୍ରତିବନ୍ଧେ

ସେହି କୁମରକୁ ନ ଲାଗଇ ବ୍ୟାଧିବନ୍ଧ ।

ପବନ ପୁତ୍ର ଭୀମର ପୁତ୍ର ଶ୍ରୁତସେନ

ଶ୍ରୁତକୀର୍ତ୍ତି ନାମେ ହେଲା ପାର୍ଥର ନନ୍ଦନ ।

ନକୁଳ ପୁତ୍ରର ନାମ ଅଟେ ଶତାନୀକ

ସୁଜ୍ଞାନୀ ଗୁଣରେ ଶ୍ରେଷ୍ଠ ପଣ୍ଡିତ ବିବେକ ।

ସହଦେବର ଔରସୁ ଯେହୁ ହେଲା ଜାତ

ଶତକର୍ମା ନାମ ତାର ଅଟଇ ବିଖ୍ୟାତ ।

ପୁନରପି ପୌବୀର ର ଗର୍ଭେ ଧର୍ମସୁତ

ଦେବଳ ନାମରେ ଏକ ପୁତ୍ର କଲେ ଜାତ ।

ହିଡ଼ିମ୍ବି ରାକ୍ଷସୀ ଗର୍ଭୁ ଭୀମସେନ ବୀର୍ଯ୍ୟେ

ଜନ୍ମିଲା ଘଟୋତ୍କଚ ସେ ସମ୍ପୂର୍ଣ୍ଣ ତା ତେଜେ ।

ପୁନଶ୍ଚ ସେହି ଭୀମର ଔରସରୁ ଜାତ

କାଳୀୟ କନ୍ୟା ନାଗୁଣୀ ଗର୍ଭୁ ସର୍ବଗତ ।

ସହଦେବର ବୀର୍ଯ୍ୟରୁ କୁମର ସମ୍ଭୂତ

ବିଜୟୀ ନାରୀର ଗର୍ଭୁ ନାମେ ଯେ ସୁହୋତ୍ର ।

କରେଣୁ ମତି କନ୍ୟାର ଗର୍ଭୁ ଜାତ ହେଲା

ନରମିତି ବୋଲି ଏକ ନକୁଳର ବଳା ।

ଉଲପି ଗର୍ଭରୁ ପୁଣି ହେଲା ଇରାବାନ

ଅର୍ଜ୍ଜୁନ ବୀର୍ଯ୍ୟ ହୋଇଲା ଯେହୁ ଉତପନ୍ନ ।

ପୁନଶ୍ଚ ମଣିପୁରର କନ୍ୟର ଗର୍ଭରେ

ପୁତ୍ରେକ ଜନମ ହେଲା ଅର୍ଜ୍ଜୁନ ଅଂଶରେ ।

ବଦ୍ରୁବାହନ ବୋଲିଣ ଅଟେ ତାର ନାମ

ସେ ମଣିପୁର ନଗ୍ରର ଅଟଇ ରାଜନ ।

କୃଷ୍ଣଙ୍କ ଭଗ୍ନି ସୁଭଦ୍ରା ଉଦରରୁ ଜାତ

ପାର୍ଥଙ୍କର ଅଭିମନ୍ୟୁ ନାମେ ହଲା ସୁତ ।

ସେ କୁମର ମହାବୀର ତାକୁ ବାହୁବଳେ

ଜିଣନ୍ତା ଏପରି କେହି ନାହିଁ ଭୂମଣ୍ଡଳେ ।

ଯୁଦ୍ଧ ଶେଷକୁ ଏ କୁରୁବଂଶ ପରିଣାମେ

ସପ୍ତରଥୀ ମାଇଲେକ କପଟାଚରଣେ ।

ତାର ଔରସେ ଉତ୍ତର ଗର୍ଭେ ଶିଶୁ ଥିଲା

ଦ୍ରୋଣ ନନ୍ଦନ ତାହାକୁ ବଧି ଇଚ୍ଛା କଲା ।

ମହାଅସ୍ତ୍ର ବ୍ରହ୍ମଶିରା ନାମେ ଶର ପେଷି

ମାତା ଉଦରୁ ଶିଶୁକୁ ଦେଇଥାନ୍ତା ନାଶଇ ।

ପେଷିବା କାଳେ ସେ ବାଣ ଆସୁ ଶୂନ୍ୟପଥେ

ତାହାର ମାତା ଉତ୍ତାରା ଡାକିଲା ଆରତେ ।

ତାହାର ଡାକେ ତକ୍ଷଣେ ବିଷ୍ଣୁ ଗର୍ଭଗତେ

ଶୁଶୁରକ୍ଷଣେ ରହିଲେ ଚକ୍ରଧରି ହସ୍ତେ ।

ପେଷିବା ବ୍ରହ୍ମଶରକୁ ଦେଲେ ଶେଷକରି

ପୁତ୍ର ଗୋଟିକ ରଖିଲେ ଦେବ ନରହରି ।

ଏବେ କହୁଅଛି ଶୁଣ ପ୍ରିୟେ ଏକଚିତ୍ତେ

ଯେବଣ ଧର୍ମ ପୁନଶ୍ଚ ହେବ ଭବିଷ୍ୟତେ ।

ଭୀମସେନର ଯେ ପୁତ୍ର ନାମ ଶ୍ରୁତସେନ

ତାହାର କନିଷ୍ଠ ବାଇ ନାମ ଉଗ୍ରସେନ ।

ସକଳ ପୁତ୍ର ଗୁଣରେ ରୂପରେ ପ୍ରଚଣ୍ଡ

ତେଜ ତାଙ୍କ ପ୍ରବେଶ କିବା ମାରତଣ୍ଡ ।

ସେ ପରୀକ୍ଷିତ ବ୍ରାହ୍ମଣ ସାପ ତେଜ ଗ୍ରସ୍ତେ

ତକ୍ଷକ ଦଂଶନ ତାକୁ କରିବ ଯେମନ୍ତେ ।

ତାହାର ତନୟ ଏକ ନାମ ଶତାନୀକ

ସେହି ବାଳକ ହୋଇବ ସୁଜ୍ଞାନୀ ବିବେକ ।

ଯାଜ୍ଞାବଳ୍‌କ୍ୟଙ୍କ ନିକଟୁ ଏ ଶ୍ରବଣେ ଦେବ

ଉପନିଷଦ ଇତ୍ୟାଦି ଯେ ବିଦ୍ୟା ପଢ଼ିବ ।

ଶୌନକ ଋଷିଙ୍କଠାରୁ ନେବେ ଜ୍ଞାନ କ୍ରିୟା

ଏରୂପ ଶାସ୍ତ୍ର ସାଧିବ ସେହୁ ପୁଣ୍ୟଦେହା ।

ସହସ୍ରାନିକ ଅଟଇ ଶତାନୀକ ପୁତ୍ର

ଅଶ୍ଵମେଧଜ ହୋଇଲା ତାହା ତହୁଁ ଜାତ ।

ତା ତହୁଁ ଅସୀମକୃଷ୍ଣ ହୋଇଲା ଜନମ

ନେମି ଚକ୍ର ନାମେ ଏକ ତାହାର ନନ୍ଦନ ।

ହସ୍ତିନା ନଗରୀ ଗୋଟି ବେଢ଼ି ନଦୀସ୍ରୋତେ

ଏହାର ରାଜ୍ୟ କାଳରେ ବିନଷ୍ଟ ହୁଅନ୍ତେ ।

ସେ ପୁଣି ତହୁଁ ଯାଇଣ କୌଶମ୍ଭୀ ନଗ୍ରରେ

ବାସ କରିଣ ରହିବ ଜାଣ ଭବିଷ୍ୟରେ ।

ଉପରଥ ନାମେ ଏକ ନେମୀଚକ୍ର ସୁତ

ତାହାର ତନୟ ନାମ ଦେଲା ଚିତ୍ରରଥ ।

ଶୁଚିରଥ ନାମେ ତାର ହୋଇଲା ନନ୍ଦନ

ଏରୂପେ ଭବିଷ୍ୟ ପ୍ରିୟେ ହେବ ଉତପନ୍ନ ।

ତାହାର ହୋଇଲା ପୁତ୍ର ନାମ ବୃଷ୍ଟିମାନ

ସୁଷେଣ ନାମେ ହୋଇଲା ତାହାର ନନ୍ଦନ ।

ସୁଷେଣ ପୁତ୍ରର ନାମ ଅଟେ ମହୀପତି

ସୁନୀଥ ନାମରେ ଏକ ତାହାର ସନ୍ତତି ।

ନୃଚକ୍ଷ ନାମେ ହୋଇବ ତାହାର କୁମର

ସୁଖିନଳ ନାମେ ଏକ ପୁତ୍ର ହେବ ତାର ।

ତାହାର ଅପତ୍ୟ ପୁଣି ହେବ ପରିପ୍ଳବ

ସୁନୟ ନାମେ ତାହାର ପୁତ୍ର ଜାତ ହେବ ।

ମେଧାବୀ ନାମେ ହୋଇବ ତାହାର ତନୟ

ତାହାର କୁମର ନାମ ହେବ ନୃପଞ୍ଜୟ ।

ଦୃବ ନାମରେ ହୋଇବ ତାର ଏକ ସୁତ

ତାଠାରୁ ଯେ ପୁତ୍ର ହେବ ନିମି ନାମେ ଖ୍ୟାତ ।

ତାହାର ଅଂଶରୁ ହେବ ବୃହଦ୍ରଥ ଜନ୍ମ

ସୁଦାମ ନାମରେ ତାହା ତହୁଁ ଉତପନ୍ନ ।

ଶତନିଳ ନାମେ ପୁଣି ତାହାର ନନ୍ଦନ

ତାହାର ନନ୍ଦନ ନାମ ଅଟେ ଦୁର୍ଦ୍ଧମନ ।

ମହୀନର ନାମେ ପୁତ୍ର ତାର ଅଂଶେ ଜନ୍ମି

ତାର ଔରସୁ ଜନମ ହେବ ଦଣ୍ଡପାଣି ।

ଦଣ୍ଡପାଣିର କୁମର ନିମି ନାମେ ଖ୍ୟାତ

ତାହାର ଅଂଶ ଘେନିବ କ୍ଷମିବ ସମ୍ଭୂତ ।

ନିମିର ପୁତ୍ର କ୍ଷମିବ ଯାଏ ସୋମବଂଶ

ରହିବେ ନିଶ୍ଚୟ ଜାଣ କଳିଯୁଗ ଶେଷେ ।

ଆଗୋ ପ୍ରିୟସହି ଏବେ ଏକମନେ ଶୁଣ

କହୁଛି ତୋତେ ମଗଧ ବଂଶ ପରିମାଣ ।

ମାଦ୍ରୀର କୁମର ନାମ ସହଦେବ ଖ୍ୟାତ

ତାହାର ଔରସୁ ହେଲା ଶ୍ରୁତିଶ୍ରବା ଜାତ ।

ଶ୍ରୁତାୟୁ ନାମରେ ହେଲା ତାହାର ନନ୍ଦନ

ତାହାର ସୁତର ନାମ ନିରାଷତ୍ରୁ ଜାଣ ।

ତା ପୁତ୍ର ବୃହତ୍ସେରର ସୁତ କର୍ମଜିତ

ସୁନଞ୍ଜୟ ନାମେ ହେଲା ତାହାଠାରୁ ଜାତ ।

ବିପ୍ର ନାମରେ ହୋଇଲା ସୁନଞ୍ଜୟ ବଳା

ଶୁଚି ନାମରେ କୁମର ତା ଔରସୁ ହେଲା ।

କ୍ଷମସୁବିଭ ଗୋଟିଏ ହୋଇଲାକ ସୁତ

ତାହାର ନାମେ ସୁଚିତ୍ର ଜଗତେ ବିଖ୍ୟାତ ।

ସୁବ୍ରତର ପୁତ୍ର ଏକ ହେଲେ ଧର୍ମସୁତ

ତାର ଔରସୁ ଜନମ ସମ ନାମେ ପୁତ୍ର ।

ସେ ସମର ପୁତ୍ର ନାମ ଅଟେ ଦ୍ୟୁମସେନ

ସୁମତି ନାମରେ ହେଲା ତାହାର ନନ୍ଦନ ।

ସୁବଳ ନାମେ କୁମର ତା ତହୁଁ ଜନ୍ମିବ

ସୁନୀଥ ନାମେ କୁମର ତାଠାରୁ ସମ୍ଭବ ।

ସୁନୀଥର ପୁତ୍ର ନାମ ହେବ ସତ୍ୟଜିତ

ସତ୍ୟଜିତର କୁମର ନାମ ବିଶ୍ଵଜିତ ।

ତାର ବୀର୍ଯ୍ୟରୁ ଜନମ ରିପୁଞ୍ଜୟ ହେବ

ବୃହଦ୍ରଥର ବଂଶରୁ ଏ ହୋଇ ସମ୍ଭବ ।

ଶଣିଲତ ଶାକମ୍ବରୀ ଏ ସକଳ ବଂଶ

ଭବିଷ୍ୟତରେ ଏମାନେ ସହସ୍ରେ ବରଷ ।

ନରପତି ହୋଇ ରାଜ୍ୟ ପାଳିବେ ଜଗତେ

ଏକଥା ମିଥ୍ୟା ନୁହଇ ସତ୍ୟ ବୁଝ ଚିତ୍ତେ ।

ସୋମବଂଶ ଚରିତ ଏ ଅଗମ୍ୟ ସାଗର

ହରି ଦାସ ଦୀନ ବସି ଲେଖେ ନିରନ୍ତର ।

ସୁଜ୍ଞଜନମାନେ ମୋର ନ ଘେନିବ ଦୋଷ

ମନଗଢ଼ା ନୁହେଁ ଏହା ପୁରାଣ ସାରାଂଶ ।

•••

 

ପାଣ୍ଡବ ପୁତ୍ରଙ୍କର ବଂଶବଳୀ

 

ପୁନରପି ପଚାରିଲେ ଗଣେଶ ଜନନୀ

ହେ ନାଥ ତୁମ୍ଭ ଶ୍ରୀପଦେ ସହସ୍ରେ ଦଇନି ।

ଏହାପରେ ବଂଶ ଶେଷ ହେଲା କିବା ଅଛି

ତାହା ଶୁଣିବାକୁ ମନେ ଶ୍ରଦ୍ଧା ମୋ ହେଉଛି ।

ମହେଶ ବୋଇଲେ ପ୍ରିୟେ ତୋପରି ଶ୍ରୋତାକୁ

ନ କହିବି ପଚାରେ ସେ କହିବି କାହାକୁ ।

ଏକମନେ ଶୁଣ ପ୍ରିୟେ ହୋଇ ଶ୍ରଦ୍ଧାଯୁକ୍ତ

ଅନୁଙ୍କର ବଂଶେ ଜାତ ହେଲେ ତିନିସୁତ ।

ସଭାନର ଚକ୍ଷୁ ପୁଣି ପରକ୍ଷେ ଏ ତ୍ରୟ

ସଭାନ ପୁତ୍ର କାଳନ ତା ପୁତ୍ର ସଞ୍ଜୟ ।

ଜନମେଜୟ ହୋଇଲା ତାହାର ନନ୍ଦନ

ମହାଶାଳ ନାମେ ପୁତ୍ର ତା ତହୁଁ ଜନମ ।

ତାହାର ବୀର୍ଯ୍ୟରୁ ହେଲା ମହାମନା ଜାତ

ମହାମନାର ଅଂଶରୁ ହେଲେ ଦୁଇସୁତ ।

ତିକ୍ଷ୍ମ ଉଶୀନର ଜାଣ ପୁତ୍ରଙ୍କର ନାମ

ତାହାଙ୍କଠାରୁ ହେଲେ ଚାରି ପୁତ୍ର ଜନ୍ମ ।

 

 

ଶିବ ବର କୃମି ଦକ୍ଷ ନାମ ଚାରିଙ୍କର

ରୂପରେ ଗୁଣରେ ସେହୁ ଜଗତ ସୁନ୍ଦର ।

ଉଶୀନର ବୀର୍ଯ୍ୟେ ବହୁ ସୁତ ହେଲେ ଜାତ

ତାଙ୍କ ନାମ ହୋଇଲା ଜଗତେ ବିଖ୍ୟାତ ।

ଶିବ ବୀର୍ଯ୍ୟରେ ହୋଇଲେ ଯେଉଁମାନେ ଜନ୍ମ

ସଂସାରେ ମଧ୍ୟେ ଅଦ୍ଭୁତ ତାହାଙ୍କର କର୍ମ ।

ଏକପୁତ୍ର ନାମ ଅଟେ ରୁଷଦ୍ରଥ

ଅକଥନୀୟ ଅଟଇ ତାହାର ଚରିତ ।

ତାର ସୁକୁମାର ପୁତ୍ର ନାମ ଗୋଟି ହୋମ

ସୁତପା ନାମରେ ପୁତ୍ର ତା ତହୁଁ ଜନମ ।

ସୁତପା ଅଂଶରୁ ଜାତ ବଳି ନାମେ ସେହି

ତପ ଆରାଧିଲା ବନେ ତପୀବେଶ ହୋଇ ।

ରହିଲା ଯେ ସଂସାରର କର୍ମକୁ ଉପେକ୍ଷି

ସଂସାର କର୍ମମାନଙ୍କୁ ମିଥ୍ୟା ପ୍ରାୟ ଦେଖି ।

ସୁତପା ପୁତ୍ର ବଳିର କ୍ଷେତ୍ରେ ଷଡ଼ାତ୍ମଜେ

ଜନ୍ମଗ୍ରହଣ କରିଲେ ଦୀର୍ଘତପା ବୀର୍ଯ୍ୟେ ।

ସେ ପୁତ୍ରଙ୍କ ନାମ ଅଙ୍ଗ ବଙ୍ଗ ଯେ କଳିଙ୍ଗ

ଶୁମ୍ଭ ପୁଣ୍ଡୁ ଓତ୍ର ତାଙ୍କ ନାମ ଶୁଭଅଙ୍ଗ ।

ଆପଣା ନାମେ ଏମାନେ ରାଜ୍ୟ ବସାଇଲେ

ତହିଁ ଉପରେ ରହିଣ ରାଜତ୍ଵ କରିଲେ ।

ଅଦ୍ୟାବଧି ଅଙ୍ଗ ବଙ୍ଗ କଳିଙ୍ଗ ନଗରୀ

ଶୁମ୍ଭ ପୁଣ୍ଡ ଓତ୍ର ନାମ ଖ୍ୟାତ ଗୋ ସୁନ୍ଦରୀ ।

ସେ ଷଡ଼ ଦେଶ ମଧ୍ୟରେ ହୋଇକରି ରାଜା

ପାଳନ କରିଲେ ପୂର୍ବ ନଗ୍ର ଜନପ୍ରଜା ।

ଅଙ୍ଗର ତନୟ ଏକ ହେଲା ଖଳପାନ

ଦଶରଥ ନାମେ ହେଲା ସଂହାର ନନ୍ଦନ ।

ଧର୍ମରଥ ବୋଲିକରି ତାର ଏକ ସୁତ

ତାର ଏକ ସୁତ ହେଲା ନାମ ଚିତ୍ରରଥ ।

ସେ ଚିତ୍ରରଥର ହେଲା ଜାଣ ବଂଶହୀନ

ଲୋମପାଦ ବୋଲି ତାର ଖ୍ୟାତ ଅନ୍ୟ ନାମ ।

ଦଶରଥ ରାଜାଙ୍କର ମିତ୍ର ଅଟେ ସେହି

ସେ ମଧ୍ୟ ଅପୁତ୍ରୀ ଥିଲା ତାର ବଂଶ ନାହିଁ ।

ଶାନ୍ତା ନାମେ ଏକ କନ୍ୟା ତାର ଜନ୍ମହେଲା

ଅତି ଆନନ୍ଦେ ସେ କନ୍ୟା ମାଗି ବରିନେଲା ।

ସେ କନ୍ୟା ଗୋଟିକ ଋଷ୍ୟଶୃଙ୍ଗ ବରିଦେଲେ

ବିଧି ବିଧାନାନୁଯାୟୀ ବିବାହ କରିଲେ ।

ପୂର୍ବ ଅଭିଶାପେ ସେହି ଲୋମପାଦ ଦେଶେ

ଶସ୍ୟହୀନ ହୋଇଥିଲେ ଇନ୍ଦ୍ର ନ’ବରଷେ ।

ରାଜା ଆଦେଶ ପାଇଣ ଗଲେ ବେଶ୍ୟାଗଣ

ପ୍ରବେଶ ହେଲେ ଯେଉଁଠି ଥିଲେ ତପୋଧନ ।

ସେ ବାରଙ୍ଗନାମାନଙ୍କ ନୃତ୍ୟ ବାଦ୍ୟଗୀତେ

ଶ୍ରବଣ କରି ବିଭ୍ରମ ଜନ୍ମେ ଋଷି ଚିତ୍ତେ ।

ଗଣିକାମାନଙ୍କ ଭାବ ଗୀତ ନୃତ୍ୟ ମେଳେ

ଚିତ୍ତ ମଜ୍ଜିଲା ବିହ୍ଵଳ ହେଲା କାମ ଭୋଳେ ।

ସେ ଋଷ୍ୟଶୃଙ୍ଗ ତାହାଙ୍କ ଗୀତେ ହୋଇ ବଶ

ନାବରେ ବସି ମିଳିଲେ ଲୋମପାଦ ଦେଶ ।

ତାର ଆଗମନେ ଇନ୍ଦ୍ର ଜଳ ବରଷିଲା

ପୁନରପି ରାଜାଙ୍କର ସନ୍ତାନ ନଥିଲା ।

ତା ମିତ୍ର ସନ୍ତାନହୀନ ଥିଲେ ଦଶରଥ

ସେ ଋଷି ଯଜ୍ଞ କରନ୍ତେ ପୁତ୍ର ହେଲେ ପ୍ରାପ୍ତ ।

ଲୋମପାଦଙ୍କର ଯେଉଁ ପୁତ୍ର ହେଲେ ଜାତ

ଚତୁରଙ୍ଗ ବୋଲିକରି ସେ କୁମର ଖ୍ୟାତ ।

ତାହାଙ୍କ ବୀର୍ଯ୍ୟରୁ ଜାତ ପୃଥୁଳାକ୍ଷ ହେଲା

ବୃହଦ୍ରଥ ନାମ ହେଲା ତାର ଏକ ବଳା ।

ତାହାଠାରୁ ଦୁଇପୁତ୍ର ହୋଇଲେ ଜନମ

ବୃହନ୍ନଳା ବୃହତ୍‌ବାନୁ ସେ ବେନିଙ୍କ ନାମ ।

ବୃହନ୍ନଳାର ସନ୍ତାନ ନାମ ଜୟଦ୍ରଥ

ବିଜୟ ନାମେ ଜନମ ତାର ଏକ ସୁତ ।

ସେ ବିଜୟର ଅପର ଥିଲା ପ୍ରିୟବତୀ

ତା ନାମ ସମ୍ଭୂଣ ତାର ଗର୍ଭୁ ହେଲା ଧୃତି ।

ସେ ଧୃତି ସନ୍ତାନ ନାମ ଅଟେ ଧୃତିବ୍ରତ

ସତ୍କର୍ମା ନାମରେ ତାର ହେଲା ଏକ ସୁତ ।

ଅଧିରଥ ନାମେ ତାର ହୋଇଲା ନନ୍ଦନ

ସେ ଅଧିରଥ ଭ୍ରମଣେ ଗଲା ଏକ ଦିନ ।

ଗଙ୍ଗାର ତୀରେ ବିହରି କ୍ରୀଡ଼ୁଥିବା କାଳେ

ଦେଖିଲା ମଞ୍ଜୁଷା ଏକ ଭାସିଯାଏ ଜଳେ ।

ସେହି ମଞ୍ଜୁଷା ମଧ୍ୟରେ ଶିଶୁଟିଏ ଦେଖି

ସେ ରାଜା ଅତ୍ୟନ୍ତ ମନେ ହୋଇଲାକ ସୁଖୀ ।

ସେ ପୁଣି ଗୋଟିକ କୁନ୍ତୀ ଉଦରରୁ ଜାତ

ପରୀକ୍ଷାରୁ ହୋନ୍ତେ ତାକୁ କରିଥିଲା ତ୍ୟକ୍ତ ।

ସେ ଅଧିରଥ ନରେଶ ନିଃସନ୍ତାନ ଥିଲା

ମଞ୍ଜୁଷାରୁ ସେ ଶିଶୁକୁ ଘେନିଣ ପାଳିଲା ।

କନ୍ୟା କାନରେ ସେ ଯେଣୁ ଜନ୍ମ କରିଥିଲା

କାନନୀ ସଂଜ୍ଞା ନାମଟି ତେଣୁ ତାର ହେଲା ।

ସେହି ରଥିରଥ ରାଜା ପାଳିତ ନନ୍ଦନ

ନାମ ଗୋଟିକ ବିଖ୍ୟାତ ଅଟଇ ଯେ କର୍ଣ୍ଣ ।

ବୃଷସେନ ନାମେ ତାର ହେଲା ଏକ ସୁତ

ଏଥୁଅନନ୍ତରେ ପ୍ରିୟେ ଶୁଣ ଦେଇ ଚିତ୍ତ ।

ସେହି ବଂଶଜ ବ୍ରହ୍ମ୍ୟରୁ ତହୁଁ ବବ୍ରୁ ଜାତ

ତାହାର ପୁତ୍ରେକ ହେଲା ସେହୁ ନାମେ ଖ୍ୟାତ ।

ଆରବ୍‌ଧି ବୋଲି କରିଣ ତାହାର କୁମର

ତାହାଠାରୁ ଉତପତ୍ତି ହୋଇଲା ଗାନ୍ଧାର ।

ଗାନ୍ଧାରର ଏକସୁତ ତାର ନାମ ଧର୍ମ

ଧ୍ରୁବ ନାମ ଯେ ତା ତହୁଁ ହେଲା ଉତପନ୍ନ ।

ସେ ଧୃତ ପୁତ୍ର ଦୁର୍ମମ ନାମେ ଉତପତ୍ତି

ପ୍ରଚେତା ନାମେ ତାହାର ହୋଇଲା ସନ୍ତତି ।

ସେ ପ୍ରଚେତାଠାରୁ ଜନ୍ମ ହେଲେ ଶତସୁତ

ଉତ୍ତର ଦିଗେ ତାଙ୍କର ହେଲା ଅବସ୍ଥିତ ।

ମ୍ଳେଚ୍ଛମାନଙ୍କ ମଧ୍ୟରେ ହୋଇକରି ରାଜା

ସୁଖେ ପାଳନ କରିଲେ ସେଠା ମ୍ଳେଚ୍ଛ ପ୍ରଜା ।

ତୁର୍ବସୁ ତହୁଁ ହୋଇଲା ବହ୍ନି ନାମେ ସୁତ

ଭଗ ନାମରେ ହୋଇଲା ତାହା ତହୁଁ ଜାତ ।

ତାଠାରୁ ଜନ୍ମଗ୍ରହଣ କଲେ ଭାନୁମାନ

ତ୍ରିଭାନୁ ନାମେ ହୋଇ ତାହାର ନନ୍ଦନ ।

ତ୍ରିଭାନୁ ବୀର୍ଯ୍ୟରୁ ଏକ ହୋଇଲା ଜନମ

ତାହାର ନାମ ଉଦାର ମତି କରନ୍ଦମ ।

ତାର ଔରସୁ ମରୁତ ଜନମ ଲଭିଲା

ତା ଭାଗ୍ୟ ମନ୍ଦ ସେ ରାଜା ନିଃସନ୍ତାନ ହେଲା ।

ପୂରୁର ବଂଶରେ ଯେହୁ ହୋଇଲେକ ଜାତ

ଜଗତେ ବିଖ୍ୟାତ ଅଛି ଯା ନାମ ଦୁଷ୍ମନ୍ତ ।

ସନ୍ତାନ ହୀନ ମରୁତ ତାକୁ କଲେ ପୁତ୍ର

ସେ ପୁଣି ଆସି ସେ ରାଜ୍ୟ କଲେ ହସ୍ତଗତ ।

ମରୁତ ବଂଶ ମଧ୍ୟରେ ଯହୁଁ ପ୍ରବେଶିଲା

ଉଭୟ ରାଜ୍ୟ ଦୁଇଟି ସୁଖେ ଭୋଗ କଲା ।

ସୋମବଂଶ ସୌମ୍ୟରସ ଶୁଣି କର ପାନ

ଏହି ପରକାରେ ପ୍ରିୟେ ଚନ୍ଦ୍ରଙ୍କ ପୁରାଣ ।

ଚନ୍ଦ୍ରଙ୍କ ପୁରାଣ ଶୁଣି ଜ୍ଞାନଯୋଗ ସାର

ହେ ସାଧୁଜନେ ସଂସାର ସାଗରୁ ଉଦ୍ଧର ।

ମହୋଦଧି ତୀର ନାଥ ଶଙ୍ଖ ଚକ୍ରଧାରୀ

ପାଦପଦ୍ମ ଚିନ୍ତାକରି ଦିବସ ଶର୍ବରୀ ।

କୋଟିଧନ ପରି ତାଙ୍କ ନାମ ହୃଦେ ଧ୍ୟାୟି

ହରି ଦାସ ଶିଷ୍ୟ ଏହି ପଦ୍ୟକୁ ଲେଖଇ ।

ଆହେ ଜ୍ଞାନବାନ ମୁହିଁ ସାମନ୍ୟ ମୋ ଜ୍ଞାନ

ଦୟା କରିବାରୁ ମୋତେ ଦେବ ଭଗବାନ ।

ଏ ଚନ୍ଦ୍ର ପୁରାଣେ ଚନ୍ଦ୍ର ହୋଇଲି ପ୍ରୟା

ପୂରଣ କଲେ ଏ ଗ୍ରନ୍ଥ ବଇକୁଣ୍ଠବାସୀ ।

ସାଧୁ ସୁଜ୍ଞଜନେ ମୋର ନ ଧରିବ ଦୋଷ

ଭୋ ସାଧୁଜନେ ମୁଁ ତୁମ୍ଭ ଦାସଙ୍କର ଦାସ ।

ଏ ଚନ୍ଦ୍ର ପୁରାଣ ଶାମ୍ବ ଦଶମୀ ଦିନରେ

ପୁରାଣ ହୋଇଛି ଏହା ମଙ୍ଗଳବାରରେ ।

ହେ ମଙ୍ଗଳମୟ ହରି ପୂରାଅ କାମନା

ଅନ୍ତିମେ ଶିଷ୍ୟକୁ ଦିଅ ତୋ ନାମ ଭାବନା ।

•••

 

ଫଳଶ୍ରୁତି

 

ଆହେ ସାଧୁ ସୁଜ୍ଞଜନେ ମନଦେଇ ଶୁଣ

ଯେ ପାଠ କରିବ ଏହି ଚନ୍ଦ୍ରଙ୍କ ପୁରାଣ ।

ମହର୍ଷି ବେଦବ୍ୟାସଙ୍କ ଅଷ୍ଟାଦସ ଗ୍ରନ୍ଥ

ସାର ସାର କଥା ଶୁଣି ହୁଅ ଆନନ୍ଦିତ ।

ଇହଲୋକ ଯେଉଁଦିନ କରିବ ଶ୍ରବଣ

ଗ୍ରହ ପୀଡ଼ା ତାର ଅଙ୍ଗୁ ହୋଇବ ହରଣ ।

ସର୍ବବିଧ ପାପରୁ ସେ ହୋଇବ ମୁକତ

ରାଜ ଶୁଣିଲେ ହୋଇବ ବିଜୟ ପ୍ରାପତ ।

ପୁତ୍ରକାମୀ ପୁତ୍ର ପାଏ ଧନକାମୀ ଧନ

ନିଶ୍ଚେ ଶୁଣିଲେ ଲବିବ ଏ ଚନ୍ଦ ପୁରାଣ ।

କର୍ମହୀନ ଜନ କଲେ ଏ ପୁରାଣ ପାଠ

କର୍ମ ଫିଟିଯିବ ତାର ଦିଶିବ ସୁବାଟ ।

ପୁତ୍ରହୀନ ନାରୀମାନେ କଲେ ୟା ଶ୍ରବଣ

ଅବଶ୍ୟ ତାଙ୍କର କୋଳେ ଜନ୍ମିବେ ସନ୍ତାନ ।

ଭକ୍ତିରେ ଶୁଣିଲେ ନିଶ୍ଚେ ଆୟୁଷ ବଢ଼ିବ

ନାନା ଅରିଷ୍ଟମାନ ତା ଶରୀରୁ ତୁଟିବ ।

 

 

ଏହି ପୁରାଣକୁ ଯେଉଁ ଗୃହରେ ରଖିଣ

ତ୍ରି ସନ୍ଧ୍ୟାକାଳେ ଅଧ୍ୟାୟ କରିବ ପଠନ ।

ତାର ମନୋବାଞ୍ଛା ପୁଣ୍ୟ ଅବଶ୍ୟ ହୋଇବ

ତାହାର ଉପରେ ତୁଷ୍ଟଥିବେ ସର୍ବ ଦେବ ।

ପୁଷ୍ପବତୀ ନାରୀ ଯେବେ ଏହାକୁ ଶୁଣଇ

ସୁନ୍ଦର ତନୟ ସେହୁ ଗର୍ଭରେ ଧରଇ ।

ଏ ପୁରାଣ ଗୃହେ ରଖି କୁସୁମ ଚନ୍ଦନ

ସାଦରେ କର୍ପୂର ଦେଇ କରଇ ପୂଜନ ।

ସର୍ବ ପାପୁଁ ମୁକ୍ତହୋଇ ଦୀର୍ଘାୟୁ ହୁଅଇ

ଅନ୍ତିମେ ବୈକୁଣ୍ଠ ପୁରେ ଯାଇଣ ବସଇ ।

ଦେବାଳୟେ ଦ୍ଵିଜ ମୁଖୁ ଶୁଣଇ ଯେ ପ୍ରାଣୀ

ତାହାର ପରେ ପ୍ରସନ୍ନ ଥାନ୍ତି ନିଶାମଣି ।

ଶୁକ୍ଳପକ୍ଷେ ଦିନୁଦିନ ବଢ଼ଇ ଯେପରି

ଶୁଣିବା ଲୋକର ଯଶ ବଢ଼ାନ୍ତି ସେପରି ।

ଧନ ଜନ ଗୋପଲକ୍ଷ୍ମୀ ଲଭନ୍ତି ଯେ ନର

ରୋଗ ଛୁଇଁ ନ ପାରଇ ଅଙ୍ଗରେ ତାହାର ।

ଲଭଇ ବିପୁଳ ଯଶ ହୁଏ ଚିରସ୍ଥାୟୀ

ବୁଦ୍ଧି ବଢ଼େ ତେଜ ବଢ଼େ ବଢ଼େ ବନ୍ଧୁଭାଇ ।

ଚନ୍ଦ୍ର ସୂର୍ଯ୍ୟ ବଂଶ ପରି ବଢ଼ନ୍ତି ତା ବଂଶ

ଯୁଗ ଶେଷଯାଏ ତାର ରହିଥାଏ ଅଂଶ ।

ଏମନ୍ତ ଅଟଇ ଯେଉଁ ଚନ୍ଦ୍ରଙ୍କ ପୁରାଣ

ବିଘ୍ନ ବିନାଶନ ହେବ କରିଲେ ଶ୍ରବଣ ।

ଚନ୍ଦ୍ର ଆଉ ତାଙ୍କ ଭଗ୍ନୀ ତାହାଙ୍କର ରତି

ନିଶ୍ଚୟ ସେହି ପ୍ରାଣୀକି ଦେବେ ଲଭ ଗତି ।

ଜୀବନ୍ତେ ଯଶସ୍ଵୀ ହେବେ ମଲେ ସ୍ଵର୍ଗେ ସ୍ଥିତି

ଏଥିରେ ସନ୍ଦେହ ନାହିଁ ଜାଣିବ ସୁମତି ।

ସେ ଚନ୍ଦ୍ର ପାଦପଦ୍ମରେ ମାନସକୁ ଥୋଇ

ଦୀନ ହରି ଦାସ ପଦଗତିକି ଇଚ୍ଛଇ ।

 

ଇତିଶ୍ରୀ ଚନ୍ଦ୍ରପୁରାଣେ ସଦାଜୟେ